Unknown

 

 

 

 

 

 

 

 

 

 

 

ଏ ମନରେ ଏତେ ରଙ୍ଗ

ଶ୍ରୀମତୀ ବାସନ୍ତୀ କର

 

ଉତ୍ସର୍ଗ

 

ନିୟତିର ନିର୍ମମ ନିର୍ଦ୍ଦେଶରେ ଜୀବନ-ଆକାଶରେ ଘୋଟିଥିଲା ଦୁର୍ଦ୍ଦିନର କଳାମେଘ । ମନରୁ ଲିଭିଗଲା ରଙ୍ଗ, ଜୀବନରୁ ହଜିଗଲା ସରସତା–ଆଖିରୁ ସରିଗଲା ସ୍ୱପ୍ନ । ସେଇ ଚରମ ଦୁଃସମୟରେ ଯାହାଙ୍କର ଅକୁଣ୍ଠ ଦୟା, ଉଦ୍ଦେଶ୍ୟହୀନ ସହାନୁଭୂତି ପାଇ ପୁଣି ଥରେ ଦୁନିଆ ଦାଣ୍ଡରେ ମଥାଟେକି ଚାଲିବାକୁ ସମର୍ଥ ହୋଇଛି, ସେଇ ମଣିଷରୂପୀ ଦେବତାଙ୍କର ପାଦତଳେ ଉତ୍ସର୍ଗ କରୁଛି ‘‘ଏଇ ମନରେ ଏତେ ରଙ୍ଗ’’.....

 

ବିନୀତା

ଶ୍ରୀମତୀ ବାସନ୍ତୀ କର

ବଳଙ୍ଗା, ଜି: ପୁରୀ

Image

 

ସୀମା,

 

ତମେହିଁ ତପସ୍ୟା ମୋର ଜୀବନର ଚରମ ସାଧନା

ତମ ଲାଗି ପ୍ରତିଦିନ ରଚେ ମୁହିଁ ପୂଜା ଆରାଧନା ।।

ଏ ଦେହରେ ଦୀପେ ଜାଳି ଚିରନ୍ତନ ବ୍ୟଥାର ଆରତି

ତୁମକୁ ଅର୍ଚ୍ଚନା କରେ ତୋଳିଆଣି ମରୁଆ ମାଳତି ।।

ହୃଦୟର ଉପବନେ ସ୍ମୃତିରୂପେ ଯାହା ଫୁଟିଥାଏ

ନୟନରୁ ନୀର ଢାଳି ନିତି ତମ ତର୍ପଣ ବଢ଼ାଏ ।।

ନିତି ମୁଁ ତପସ୍ୟା କରେ ତମଲାଗି ଆକୁଳ କ୍ରନ୍ଦନେ

ବ୍ୟଥାତୁର ମରମର ଅନାବିଳ ଉତ୍ତପ୍ତ ଦହନେ ।।

 

ସୁବ୍ରତ...

Image

 

ଧୀରେ ଧୀରେ ହୋଇ ଆସୁଛି ସନ୍ଧ୍ୟା । ନୀତ ଆକାଶରେ ନାଲି ମୁରୁଜ କାଟି କାଟି ସୂର୍ଯ୍ୟ ଦେବତା ଢଳିପଡ଼ୁଛନ୍ତି, ସବୁଜ ବନାନୀର ସଜ ଶେଫାଳୀ କୋଳରେ । ତାଳଗଛର ମଥାନ ଉପରେ ଝରି ପଡ଼ୁଥାଏ ସୁନା ଆଲୁଅର ଅସରନ୍ତି ସୁଅ ।

 

ଘରଭିତରେ ରୋଗ ଶଯ୍ୟାରେ ଶୋଇଛି ଗୀତା, ବେଳେ ବେଳେ ଚାପା କଣ୍ଠରେ କହି ଉଠୁଛି ଦୀପା ମୋର କାହିଁ ।

 

ବିକଳରେ ସୁରବାବୁ କହି ଉଠିଲେ–ଗୀତା ! ତୁମେ ପାଟି ବନ୍ଦକର, ଏଇ ଔଷଧ ଟିକେ ଖାଇଲ ।

 

ଆଖି ଖୋଲିଲା ଗୀତା–ଥରଥର ଓଠରେ ଖନ ଖନ କେଇପଦ କଥା ‘‘ମୁଁ-ଆଉ-ବଞ୍ଚିବି-ନାହିଁ । ଦୀପା ମୋର ତୁମକୁ ଲାଗିଲା, ତା-କୁ ହ-ତା-ଦ-ର କରିବ ନାହିଁ ।’’ ଗୀତାର ଶୀର୍ଣ୍ଣ ବୁକୁ ଉପରେ ଲୋଟି ପଡ଼ିଲେ ସୁରବାବୁ । ‘‘ଗୀତା ମୋତେ ଛାଡ଼ି ଯାଅନା, ମତେ କ୍ଷମାକର ଫେରିଆସ ଗୀତା–ଦୀପା ପରା କାନ୍ଦୁଛି !’’

 

କ୍ଷଣକପାଇଁ ଗୀତାର ମୁହଁ ସତେଜ ହୋଇଉଠିଲା । ଆଖି ଖୋଲି ବିକଳ ହୋଇ କାହାକୁ ଯେପରି ଖୋଜିବସିଲା । ଆଖି କଣରେ ଢଳ ଢଳ ହେଲା ଲୁହ । ସେଇ ଲୁହର ବାଦଲ ଭିତରେ ସ୍ପଷ୍ଟହୋଇ ଭାସି ଉଠିଲା ଗୋଟିଏ ପୁରୁଷର ଛାଇ । ଧୀର, ଶାନ୍ତ, ଅଶ୍ରୁସିକ୍ତ ସୌମ୍ୟ ବଦନ, ବିଦାୟ ବେଳର କରୁଣ ସ୍ମୃତିକୁ ଜିଇ ଉଠିଲା । ଛାତି ତଳରୁ ଯେପରି ଚିତ୍କାରକରି ଉଠୁଛି କିଏ–ମଳୟ ? ଶେଷ ବେଳରେ ଥରେ ବି ଦେଖା ଦେଲନାହିଁ ! ତୁମରି ପାଇଁ ମଳୟ ଏ ସୁନ୍ଦର ଧରାକୁ ମୁଁ ଅକାଳରେ ଅବେଳରେ ଛାଡ଼ି ଯାଉଛି । କ’ଣ ପାଇଁ ବଞ୍ଚିଥାନ୍ତି । ଯାହା ଖୋଜିଥିଲି ତା’ ପାଇଲିନି । ଆଉ ଯାହା ପାଇଲି, ସେ ମୋର କୌଣସି ପ୍ରୟୋଜନରେ ଆସିଲା ନାହିଁ । ଜୀବନରେ ପ୍ରଥମ ଲଗନରେ ଭଲ ପାଇଥିଲି ତୁମକୁ । ହେଲେ ମୋର ଦୁର୍ଭାଗ୍ୟ ତୁମକୁ ହରାଇ ବସିଥିଲି । ତଥାପି ମୁଁ ତୁମକୁ ଭୁଲିବାକୁ ଆପ୍ରାଣ ଉଦ୍ୟମ କରିଥିଲି । ବିବାହିତ ଜୀବନକୁ ହସ ଖୁସିରେ ବୁଡ଼ାଇ ରଖିବାକୁ ଅହରହ ଚେଷ୍ଟା କରିଥିଲି । ହେଲେ ପାଇଲି ନାହିଁ । ହଠାତ୍‌ ତୁମକୁ ଯେଭଳି ପରିସ୍ଥିତିରେ ଦେଖିଲି ଘୁଣଖିଆ ମନ ମୋର ଭାଙ୍ଗି ପଡ଼ିଲା । ଚିନ୍ତାର ଚିତାରେ ଧୀରେ ଧୀରେ ଜଳିଲା ଏଇ ମନ ! ଆଉ ମୁଁ ପାରିଲି ନାହିଁ । ମଲା ମନ ନେଇ ଜିଇବାର ଅଭିନୟ କରି ପାରିଲି ନାହିଁ, ମୁଁ ଯାଉଛି । ହେଲେ ଅବଶୋଷ ରହିଗଲା, ତୁମ ସ୍ନେହର ପ୍ରତିଦାନ ‘ଦୀପାଳି’କୁ ମଣିଷ କରି ପାରିଲି ନାହିଁ । ଓ...କି...କଷ୍ଟ ! ଛାତି ଉପରେ ଲୋଟି ପଡ଼ିଥିବା ସୁରବାବୁ ଶରୀର ରୂପ ହଜିଗଲା, ଆଉ ଠିକ୍‌ ସେଇ ସ୍ଥାନରେ ଦେଖାଦେଲା ଅଶରୀର ମଳୟର ଛାଇ, ନୟନ ଦୁଇଟି ବସ୍ଫାରିତ ହେଲା, ଶେଷ ଦୀପାଶିଖା ଲିଭିବା ପୂର୍ବରୁ ଜୋରରେ ଜଳି ଉଠିଲା ପରି । ଆଉ ସେଇ ଅର୍ଦ୍ଧ ନିମୀଳିତ ତାରକା ଦୁଇଟି ଯେପରି କହି ଯାଉଥିଲେ–ଜୀବନର ପ୍ରଥମ-ପ୍ରେମ ଭୁଲି ହୁଏନା, ବହୁ ସୌଭାଗ୍ୟ ଭିତରେ ସେଇ ପହିଲି ପ୍ରଣୟର ସ୍ମୃତି ଚିର ଦୀପ୍ତ ହୋଇଥାଏ । ହୁଏତ ପୁରୁଷମାନେ ଭୁଲି ଯାଇପାରନ୍ତି । ମାତ୍ର ନାରୀ ! ନାରୀ ପାଖରେ ତା’ର ଅତୀତ ହିଁ ସବୁକିଛି । ସମୟର ସେତୁବନ୍ଧ ସେଇ ଭଲ ପାଇବାର ସାଗରରେ ଭାଗଭାଗ ସୃଷ୍ଟିକରି ପାରେନା ! ଧୀରେ ଧୀରେ ବୁଜି ହେଇଗଲା ଆଖି ଦୁଇଟି । ଦେହ ଦେଉଳରୁ ପ୍ରାଣ ଦେବତାଟି ହଜିଗଲା କେଉଁ ଅସୀମତା ଭିତରେ...

 

କାନ୍ଦୁଛନ୍ତି ସୁରବାବୁ । କାନ୍ଦୁଛି ଦୀପାଳି । କ୍ରନ୍ଦନର କୋରସ ଭିତରେ ଥରି ଉଠୁଛି ଗଛ ପତର । ମାତ୍ର ଗୀତା ଶୋଇଛି । ମେହଗାନି ପଲଙ୍କର ସୁକୋମଳ ଶଯ୍ୟା ଉପରେ ପଡ଼ି ରହିଛି ତା’ର ମରଶରୀର । ବେକ ପର୍ଯ୍ୟନ୍ତ ଢଙ୍କା ହୋଇଛି ସଫା ଚଦର ଖଣ୍ଡେ । ବାହାରକୁ ଦେଖା ଯାଉଛି ମୁହଁଟି । ସତେ ଅବା ସୁନ୍ଦର ସତେଜ ଗୋଲାପଟିଏ ଦାରୁଣ ନିଦାଘ ତାପରେ ଝାଉଁଳି ଝଡ଼ି ପଡ଼ିଛି ଧୂସର ଧରଣୀ ଉପରେ । ସୁନ୍ଦର ମୁହଁଟିରେ ମୃତ୍ୟୁର କାଳିମା ବୋଳି ହେଇ ଯାଇଛି । ଢଳ ଢଳ ଆଖି ଦିଓଟି ମୁଦିହୋଇ ଯାଇଛି ଚିରଦିନ ଲାଗି ।

 

ଦୀପାର ରାହାତୋଳା କାନ୍ଦ । ସୁରବାବୁଙ୍କର ଆକୁଳ କ୍ରନ୍ଦନ ତାକୁ ସ୍ପର୍ଶ କରି ପାରୁନି, ପକ୍ଷୀଟି ଉଡ଼ି ଯାଇଛି । ସିଏ ଫେରିବ ନାହିଁ । ଆଖିର ଲୁହ ଦେଇ, ଛାତିର କୋହ ଦେଇ, କଣ୍ଠରେ ସମସ୍ତ କରୁଣତା ଦେଇ, ଯେତେ ଅନୁନୟ, ବିନୟ କରି ଡାକିଲେ ବି ସିଏ ଫେରିବ ନାହିଁ । ହୃଦୟର ସମସ୍ତ ସ୍ନେହ, ପ୍ରେମ ତୁଟାଇ ଜୀବନ ଯୌବନର ସାଥୀଟିକୁ ନିର୍ଜନ ମରୁଭୂମିରେ ବସାଇଦେଇ ସେ ଏକୁଟିଆ ଉଡ଼ିଗଲା । ଆଉ ଯାହା ହାତ ଧରି ସେ ଏଇ ମର ଦୁନିଆରେ ଅମରପୁରୀର ନନ୍ଦନକାନନ ରଚିବାକୁ କଳ୍ପନା କରିଥିଲା, ସେଇ ବିବାହିତ ସ୍ୱାମୀ ଦେବତାଟିକୁ ମଧ୍ୟ ସେ ଛାଡ଼ି ଚାଲିଗଲା, ଫେରିବାର ଆଶା ନାହିଁ, ଦେଖା ହେବାର ଭରସା ନାହିଁ । ମିଳନ ହେବାର ଅବକାଶ ନାହିଁ । ସେ ମୃତ । ସତ୍ୟର ନିଷ୍ଠୁର ନିୟମ । ଗୀତାର ଶବ ଚାଲିଲା ଶ୍ମଶାନକୁ । ସେହି ମୃତ୍ୟର କରାଳ ଅନ୍ଧକାର ଭିତରେ ହଜିଗଲା ତା’ର ସ୍ନିଗ୍ଧ ସୌମ୍ୟ ବଦନ । ତା’ର ସୁନା ଦେହଟାକୁ ମୁଠାଏ ପାଉଁଶରେ ପରିଣତ କରି ଫେରିଆସିଲେ ସମସ୍ତେ । ସୁରବାବୁ ମନକୁ ବୁଝାଇ କର୍ତ୍ତବ୍ୟରେ ମନ ଦେଲେ...କିନ୍ତୁ...ଦୀପା...ତା’ର ସମସ୍ତ ସ୍ନେହ ସରାଗ ହଜିଗଲା ଚିରଦିନ ପାଇଁ, ସେଇ ଶ୍ମଶାନର ଝଙ୍କାଳିଆ ବରଗଛ ମୂଳର ଚିତା ରେଣୁ ଭିତରେ....

 

ପ୍ରକୃତିର ନିୟମ, ପାଖୁଡ଼ା ମେଲି ଫୁଲଟି ହସିଉଠେ, କିନ୍ତୁ ତା’ ସଉରଭର ଗଉରବ ଟିକକ ପୂର୍ଣ୍ଣ ବିକଶିତ ହେବା ଆଗରୁ ଅଦିନ ଝଞ୍ଜାଆସି ଅକାଳରେ ବୃନ୍ତ ଚ୍ୟୁତ କରେ । ଭରା ଯଉବନର ଝରା ଫୁଲଟି ମିଳେଇଯାଏ ମାଟିରେ, ବିଧାତାର ବିଚିତ୍ର ଗତି ! ବସନ୍ତର ପ୍ରାଣ ପୁଲକା ମନ୍ଦମଳୟ ଅପସରି ନ ଯାଉଣୁ ମାଡ଼ି ଆସେ, ବଇଶାଖର ତପ୍ତ ଝଞ୍ଜା, ଶରତର ସୁନା ଆଲୁଅରେ ଶୁଭ୍ର ଶତଦଳ ହସି ଉଠିବା ବେଳକୁ, ଘୋଟିଆସେ ଦିଗହଜା କୁହୁଡ଼ି । ଶେଫାଳୀ ଝଡ଼ିଯାଏ, ମଣିଷ ମରିଯାଏ । ପ୍ରାଣ କାନ୍ଦିଉଠେ, ଘର ଅନ୍ଧାର ହୁଏ । ହେଲେ ନିଷ୍ଠୁର ଭଗବାନ ଆଗପଛ ଭଲମନ୍ଦ କୁଆଡ଼କୁ ନଚାହିଁ ତାକୁ ନେଇଯାନ୍ତି ସମସ୍ତଙ୍କୁ କନ୍ଦାଇ ।

 

ଅଫିସ ଫେରି ନିଜ ହାତରେ ଜୋତା କାଢ଼ି, ମୋଜା ଖୋଲୁ ଖୋଲୁ ସୁରବାବୁଙ୍କର ଆଖିରେ ଜମିଗଲା ଲୁହ । ସବୁ ଅଛି ହେଲେନାହିଁ ଖାଲି ଗୀତା । ପାଖକୁ ଧାଇଁ ଧାଇଁ ଆସିଲା ଦୀପା, ଆଖିର ଲୁହକୁ ସନ୍ତର୍ପଣରେ ପୋଛି କୋଳକୁ ନେଲେ ଦୀପାକୁ । ଆରେ ଦୀପା ! ତୁ କାନ୍ଦୁଛୁ କାହିଁକି !

 

–ମୁଁ ବୋଉ ପାଖକୁ ଯିବି ‘ବାପା’ ।

 

–ହଁ ଆମେ ବୋଉ ପାଖକୁ ଯିବା । ତୁ ଆଗ ଖାଇସାର କି, ତା’ପରେ ଯିବା ?

 

–ମୁଁ ଖାଇ ସାରିଛି । ଦୀନା ମତେ ଖୁଆଇ ଦେଇଛି ।

 

–ଆଚ୍ଛା, ମୋ ପାଖରେ ଟିକେ ଶୋଇପଡ଼ । ତୁ ବୋଧେ ଆଜି ଆଦୌ ଶୋଇନାହୁଁ ।

 

ନା–ମୁଁ ଶୋଇ ଉଠିଲେ ମତେ ବୋଉ ପାଖକୁ ନେଇଯିବ !

 

ଚୁପ୍‌ଚାପ୍‌ ଶୋଇପଡ଼ିଲା ଦୀପା । ହେଲେ ସୁରବାବୁଙ୍କ ମନରେ ଭାବନାର ଊର୍ମି ! କିଭଳି ଚଳାଇବେ ସେ ଏଇ ଅବୋଧ ମାତୃହୀନା ବାଳିକା ଦୀପାକୁ । ଗୀତା ମରିବା ପରଠାରୁ ସେ ଭାରି ଅବୁଝା ହୋଇ ଯାଇଛି ।

 

ଅନେକ ରାତି ବିତିଗଲାଣି, ଭାବନା ଭିତରେ ବୁଡ଼ିରହି ସେ କିଛି ଜାଣିପାରି ନାହାନ୍ତି, ଝରକା ଖୋଲି ସେ ଚାହିଁଲେ ବାହାରକୁ । ଗଛ ଉହାଡ଼ରୁ ହସି ହସି ଉଠି ଆସୁଛନ୍ତି ଦ୍ୱାଦଶୀର ବଙ୍କାଚନ୍ଦ୍ର, ଦୂର ଆକାଶରେ ମିଟିମିଟି କରୁଛନ୍ତି ଅନେକ ତାରା, ଚାରିଆଡ଼ ନିସ୍ତବ୍ଧ । ଗଛ ପତର ଦେହରେ ବିଛାଡ଼ି ହୋଇ ପଡ଼ିଛି ଫିକା ଫିକା ଜହ୍ନ ଆଲୁଅ । ଆକାଶର ଏ ମୁଣ୍ଡରୁ ସେ ମୁଣ୍ଡକୁ ଭାସିଯାଉଛି ଭସା ବଉଦ, ଉଜ୍ଜଳି ଆସୁଥିବ ଜହ୍ନକୁ ଢାଙ୍କି ପକାଉଛି । ଚାରିଆଡ଼େ ଦିଶୁଛି କଳାଛାଇ-। ଠିକ୍‌ ତାରି ଜୀବନ ପରି । ଜୀବନର ପହିଲି ବିକାଶରେ ତା’ର ମାଡ଼ି ଯାଇଛି କଳା ବଉଦ, ରାତ୍ରିର ବୟସ କ୍ରମଶଃ ବଢ଼ୁଛି ମାତ୍ର ଆଖିରେ ତା’ର ନିଦନାହିଁ, ନା–ଆଜି ସେ ଆଉ ଶୋଇ ପାରିବ ନାହିଁ-। ଏତେ ଦୁଃଖ, ଏତେ ବେଦନା ଭିତରେ କ’ଣ ଆଖିକୁ ନିଦ ଆସେ । ଗୀତା ମଲାଠାରୁ ଆଖିରୁ ତା’ର ନିଦ ସରି ଯାଇଛି, ମନେ ପଡ଼ୁଛି ଅଫିସର ସାରା ଦିନର ଖଟଣି ପରେ ଆସି ଯେତେବେଳେ ସେ ଗୀତା ହାତରନ୍ଧା ବ୍ୟଞ୍ଜନାଦିରେ ଆଉ ତା’ର ସ୍ନେହଭରା ଅନୁରୋଧରେ ସୀମାତୀତ ଭୋଜନ ଶେଷରେ ସେ ବିଛଣା ଧରେ, ଶୋଇବାକୁ ଗୀତା ଆସେ ପାଖକୁ । ଗଭୀର କ୍ଳାନ୍ତିରେ ଦେହହାତ ଅବଶ–ନିଦରେ ଆଖିପତା ଟୁଳୁଟୁଳୁ–ଗୀତାର ଗଣ୍ଡରେ ସୁରବାବୁଙ୍କ ଅଧର ଚଳ ଚଞ୍ଚଳ ହୋଇଉଠେ । ମନର ସମସ୍ତ ଉତ୍ତେଜନା ନୀପଫୁଲହୋଇ ଫୁଟିଉଠେ । ଗୀତାର ମସୃଣ ଅଙ୍ଗ ପ୍ରତ୍ୟଙ୍ଗରେ ଫୁଟିଲା ଫୁଲର ସୌରଭ, ବର୍ତ୍ତୃଳ ବକ୍ଷର ପ୍ରତିଟି ଲୋମକୂପରେ ରୋମାଞ୍ଚର ଶତ କଦମ୍ବ । ଦୀପ ଶିଖାର ଆଲୋକ ପରାଜୟ ବରଣ କରେ ତା’ର ବିବସ୍ତ୍ର ଦେହର ରୂପ ସମ୍ଭାରରେ-। ବାହୁ ବଳୟରେ ବନ୍ଦିନୀ ଗୀତା ଭୁଲିଯାଏ ଅଭିମାନ । କାମାଗ୍ନିରେ ଇନ୍ଧନ ହୋଇ ସେ ଜଳିଉଠେ ଦିକି ଦିକି ହୋଇ । ଶରୀରର ସମସ୍ତ ଉଷ୍ମତା ଦେଇ ସେ କରେ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ଆହୁରି ଉତ୍ତପ୍ତ । ସତେ ଯେପରି ଗୀତା ଗୋଟିଏ ଘିଅଭିଜା ସଳିତା, ଜଳିବା ତା’ର ଧର୍ମ । ତା’ ବ୍ୟତୀତ ଆଉ କିଛି ନୁହେଁ ।

 

ହେଲେ ଏତେ ସ୍ନେହ ପ୍ରେମକୁ ଭୁଲି ଗୀତା, ଗଲା କାହିଁକି । କେତେବେଳେ ସେ ତ ତାକୁ ହତାଦର କରି ନଥିଲେ ! ତେବେ କିଏ ଛଡ଼ାଇ ନେଲା ତାଙ୍କର ଅଙ୍କଲକ୍ଷ୍ମୀକୁ । କିଏ ବାଦ ସାଧିଲା ତାଙ୍କ ଉପରେ । କାହାର କି ଦୋଷ କରିଥିଲେ ସେ । କ’ଣ ପାଇଁ ତାଙ୍କୁ ଏ ନିର୍ମମ ଦଣ୍ଡ । କାହିଁକି ଏ କଠୋର ଶାସ୍ତି । ଭାବି ଭାବି କେତେବେଳେ ନିଦ ହୋଇଗଲା । ସେଇ ନିଦ୍ରା ଦେବୀଙ୍କର କୁହୁକ ପରଶରେ ସେ ସବୁ ଭୁଲିଗଲେ ।

 

X X X

 

ଆଦ୍ୟ ବୈଶାଖର ଅସ୍ୱସ୍ତିକର ସନ୍ଧ୍ୟା । ଘର ଭିତରେ ଅସହ୍ୟ ଗରମ । ବାହାରେ ମଧ୍ୟ ଶୁଷ୍କ ନିରସ ବାତାବରଣ । ଅଗଣାର ସିମେଣ୍ଟ ଚେୟାରଟିରେ ବସି ପଡ଼ିଲେ ସୁରବାବୁ, ପାଖ ଘରେ ଶୋଇ ପଡ଼ିଛି ଦୀପା, ରୋଷେଇ ଘରେ ରାତ୍ରି ଖାଇବାର ବନ୍ଦୋବସ୍ତ କରୁଛି, ବୁଢ଼ା ଚାକର ଦୀନବନ୍ଧୁ ।

 

ସୁର ! ଅଛୁ କି ସୁର–ବାହାରେ ରାଜୁର ପାଟି ଶୁଭିଲା ।

 

ଆ–ଘର ଭିତରକୁ–ଡାକିଲେ ସୁର ବାବୁ ।

 

ନାଇଁ ଭାଇ, ଭୀଷଣ ଗରମରେ ଘରକୁ ଯାଇ ବସି ହେବନାହିଁ ଆ ନଈକୂଳଆଡ଼େ ଘେରାଏ ବୁଲି ଆସିବା । ଦେହରେ ସାର୍ଟ ଖଣ୍ଡକ ଗଳାଇ ବାହାରକୁ ଆସିଲେ ସୁର ବାବୁ । ଆକାଶ ଅଙ୍ଗନରେ ଝୁଲି ଝୁଲି ଫୁଲି ଫୁଲି ହସି ଉଠୁଛି ଚାନ୍ଦ । ଆକାଶ ସାରା ବିଛାଡ଼ି ହୋଇ ପଡ଼ୁଛି ମଳିନ ଜ୍ୟୋତ୍ସ୍ନା । ଏଠି ସେଠି ଗୋଟିଏ ଗୋଟିଏ ତାରା ମିଞ୍ଜି ମିଞ୍ଜି କରି ସନ୍ଧ୍ୟା ଦୀପାଳି ଜାଳିଲେଣି । ଦାଣ୍ଡ ଦୁଆର ଜୁଇ ଗଛର ଅଙ୍ଗେ ଅଙ୍ଗେ ପେନ୍ଥା ପେନ୍ଥା ଫୁଲର ମଉଛବ । ଦୁଇଟି ବର୍ଷ ତଳେ ନିଜ ହାତରେ ଗଛ ଦୁଇଟି ପୋତିଥିଲା ଗୀତା । ଅଜାଣତରେ ଆଖି କୋଣରେ ତାଙ୍କର ଲୁହ ଜମି ଆସିଲା ।

 

ସୁରର ଆଖି ଲୁହକୁ ଲକ୍ଷ୍ୟକରି କହିଲା ରାଜୁ–

 

ଛିଃ ସୁର, ତୁ ଏପରି ପିଲାଙ୍କ ଭଳି ଅଧୈର୍ଯ୍ୟ ହେଲେ ଚଳିବ ! ମନକୁ ଟାଣ କର, ପଛ କଥା ଭୁଲିଯା, ଖାଲିତ ଅତୀତକୁ ଘାଣ୍ଟିଲେ ସବୁ କଥାର ସମାଧାନ ହୋଇଯାଏନା ! ସାହସ ନେଇ ତତେ ଜୀବନ କଟାଇବାକୁ ପଡ଼ିବ । ତୁ ଯଦି ଭାଙ୍ଗି ପଡ଼ିବୁ, ତା’ହେଲେ ଦୀପାକୁ ମଣିଷ କରିବ କିଏ ? ମୋ ମତରେ ତୁ ଆଉ ଥରେ ବିବାହ କର ।

 

ଥାଉ–ରାଜୁ ଥାଉ, ଦୀପାକୁ ମୁଁ ମଣିଷ କରିବି । ପୁରୁଣା ଯେଉଁଠି ଅପାସୋରା ସେଠାରେ ନୂଆକୁ ନେଇ ସଂସାର କରିବା ପ୍ରଶ୍ନ କାହିଁ ! ପାଣି ପବନରେ ଗୀତା ସ୍ପର୍ଶ ପୂରି ରହିଛି । ଚାରିଆଡ଼େ ଘେରି ରହିଛି ତାରି ମମତାର ବନ୍ଧନ, ସେଠାରେ ଅନ୍ୟର ସ୍ଥାନ ନାହିଁ ରାଜୁ ।

 

ମନଟାକୁ ଖବ୍‌ ଶକ୍ତ କରିନେ ସୁର ! ଜନ୍ମ ମରଣ ଛାଇ ପରି ସତ୍ୟ ଓ ବାସ୍ତବ । କେଉଁ ମୁହୂର୍ତ୍ତରେ ଆସି, କେତେବେଳେ ଉଭେଇ ଯିବ । କେହି ଜାଣି ବି ପାରନ୍ତି ନାହିଁ, ଏକଥା କ’ଣ ତୁ ଭୁଲି ଯାଇଛୁ ?

 

ବ୍ୟସ୍ତ ହୋଇ ସୁରବାବୁ କହିଲେ, ଠିକ୍‌ କହିଛୁ ରାଜୁ । ମୁଁ ନିଜକୁ ମଧ୍ୟ ଏହା ଭିତରେ ଭୁଲିଯାଇଛି । କେବଳ ସେତିକି ନୁହେଁ, ମୁଁ ଯେ ବଞ୍ଚିଛି, ତା’ ମଧ୍ୟ ମୋର ମନେ ହେଉନି କାରଣ ଯେଉଁଠି ବଞ୍ଚିରହିବାର ସାର୍ଥକତା ନାହିଁ, ଯୌବନର ବିକାଶ ନାହିଁ, ତା’ଠାରୁ ମୃତ୍ୟୁର ଶାନ୍ତିମୟ କୋଳ କ’ଣ ଶ୍ରେୟ ନୁହେଁ । ମୁଁ ଚାହେଁ ଏ ଅପୂର୍ଣ୍ଣ ଜୀବନର ପରିସମାପ୍ତି ଏକାନ୍ତ ଆବଶ୍ୟକ ।

 

ସୁରଠାରୁ ଏପରି ଉତ୍ତର ଶୁଣି ମର୍ମାହତ ହେଲା ରାଜୁ । ସେ ବୁଝିଲା ସୁର ପ୍ରାଣରେ ଯେଉଁ ଆଘାତ ଲାଗିଛି ତାହା ଲକ୍ଷ୍ମଣଙ୍କ ଶକ୍ତିଭେଦଠାରୁ ଆହୁରି ମାରାତ୍ମକ, ମର୍ମାନ୍ତକ । କଣ୍ଠରେ ସମବେଦନାର ଝଙ୍କାର ତୋଳି, କହିଲା–ଶୁଣ ସୁର !

 

ମଣିଷ ଧରିତ୍ରୀ ପରି ସର୍ବଂସହା । ସଂସାରର ଝଡ଼ ଝଞ୍ଜା ସବୁ ତା’ ଉପର ଦେଇ ବହିଯାଏ । ତଥାପି ମଣିଷ ହିମାଳୟ ପରି ଅଟଳ ଅଚଳ ରହିଯାଏ । କୁମ୍ଭକାର ଶତଶତ ପାତ୍ର ଗଢ଼େ କିନ୍ତୁ ତା’ ଭିତରୁ ଭାଙ୍ଗିଯାଏ ଅନେକ । ତଥାପି ହତୋତ୍ସାହ ନ ହୋଇ ସେ ନୂତନ ପାତ୍ର ଗଢ଼ିବାରେ ଲାଗିପଡ଼େ । ଏହାହିଁ ସୃଷ୍ଟିର ପରମ୍ପରା । ଆଶା ଜଡ଼ିତ ଗୋଟାଏ ଜୀବନ ଘେନି ମାନବର ଜନ୍ମ । ଆଶା ଥରେ ଭାଙ୍ଗିଗଲା ବୋଲି ହତାଶ ହେବା କ୍ଷଣିକଦୁର୍ବଳତା ପରିଚାୟକ । ତୁ ନିଶ୍ଚୟ ଲକ୍ଷ୍ୟ କରିଥିବୁ ସୁର, ସାଗରର ବକ୍ଷ ଉପରେ ଉଠେ ଲକ୍ଷଲକ୍ଷ ଊର୍ମି । ଲକ୍ଷ ଲକ୍ଷ ଢେଉ ଉଦ୍‍-ବେଳିତ ହୋଇ ଆବେଗରେ ଧାଇଁ ଆସି ବେଳା ଭୂମିକୁ ଆଲିଙ୍ଗନ କରନ୍ତି । କିନ୍ତୁ ଘାତ ପ୍ରତିଘାତ ଭିତରେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ସେମାନଙ୍କର ସମସ୍ତ ସତ୍ତା ଲୋପ ପାଏ । କହି ପାରିବୁ ସୁର ସାଗର ହତାଶ ହୁଏନା କାହିଁକି ? ନିଜର ଦୁରବସ୍ଥା ଜାଣି ସୁଦ୍ଧା କାହିଁକି ଲହରୀ ପୁଣି ଧାଇଁ ଆସେ ବେଳାଭୂମିକୁ ଆଲିଙ୍ଗନ କରିବାକୁ ।

 

ତେଣୁ ଊର୍ମି ଓ ବେଳାଭୂମିର ସମ୍ବନ୍ଧ ଆଶା ଓ ନିରାଶା ଜଡ଼ିତ ଏକ ଅମର କାହାଣୀ । ଜନ୍ମ ପରେ ମୃତ୍ୟୁ ଓ ମୃତ୍ୟୁ ଭିତରେ ଜନ୍ମର ସତ୍ତା ନଥିଲେ, ପୃଥିବୀ ଗୋଟାଏ ବଡ଼ ନିରସ ଗୋଲକରେ ପରିଣତ ହୁଅନ୍ତା । ଶତ ଶତ ଊର୍ମି ବେଳାଭୂମିରେ ଭାଙ୍ଗିପଡ଼ୁ ନ ଥିଲେ ନୂତନ ଊର୍ମି ସମାବେଶରେ ସାଗର ସୃଷ୍ଟି ହୋଇ ପାରନ୍ତା ନାହିଁ ।

 

ଗମ୍ଭୀର ହୋଇ ସୁରବାବୁ କହିଲେ–ମୁଁ କଳ୍ପନାର ଉପାସକ ନୁହେଁ । ବାସ୍ତବବାଦୀ, ଭୂମିକମ୍ପର ପ୍ରଚଣ୍ଡ ଆଘାତରେ ଯେଉଁ ମନ୍ଦିର ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଛି, ତାକୁ ପୁଣି ଗଢ଼ି ତୋଳିବାର ସ୍ୱପ୍ନ ଗୋଟାଏ ବିରାଟ ପାଗଳାମି ବ୍ୟତୀତ ଅନ୍ୟ କ’ଣ ହୋଇପାରେ ବନ୍ଧୁ ।

 

ଅଳ୍ପ ହସି ରାଜୁ ଉତ୍ତର ଦେଲା–ତୁ ସେଇଠି ଭୁଲ କରିଛୁ ସୁର । ସମୟର ପରିବର୍ତ୍ତନ ଭିତରେ ଅନେକ ମନ୍ଦିର ଗଢ଼ି ଉଠିଛି । ଆଉ ଧୂଳିସାତ୍‌ ହୋଇଛି ମଧ୍ୟ । କିନ୍ତୁ ମନୁଷ୍ୟ କେବେ ଗଢ଼ିବା ଚେଷ୍ଟାରୁ ବିରତ ହେବାର ଦେଖିଛୁ କି ?

 

ସବୁ ଦେଖିଛି, ସବୁ ବୁଝିଛି, ରାଜୁ–କିନ୍ତୁ....

 

ଆଉ କିନ୍ତୁର ଅବକାଶ ନାହିଁ । ଦୀପାକୁ ମଣିଷ କରିବାକୁ, ହେଲେ, ତୋର ବିବାହ ନିତାନ୍ତ ପ୍ରୟୋଜନ । କେତେ ଦିନ ଛୁଟି ଆଣିଥିଲୁ । ବୋଧହୁଏ ସରି ଆସିଲାଣି । ତା’ପରେ ଦୀପାକୁ ଜଗିବୁ, ନା ଚାକିରି କରିବୁ–ନା, ସୁର ମୋ କଥା ମାନି ତୁ ବିବାହ କର । ଶାନ୍ତ ଆକାଶରେ ଝଡ଼ ଉଠିଲେ କେତେ ବୃକ୍ଷ ଉପୁଡ଼ି ପଡ଼େ । କିନ୍ତୁ ତା’ ଦ୍ୱାରା କ’ଣ ସୃଷ୍ଟିର ସବୁଜ ସମ୍ଭାର ଲୋପ ପାଇଯାଏ ? ପୁରାତନର ସ୍ଥାନ ନୂତନ ପୁରୀରେ ହୋଇଯାଏ ।

 

ନିରାଶ ହୋଇ ବ୍ୟଥା-ଭରା ଗଳାରେ କହିଲା ସୁର–ତେବେ ମୁଁ କ’ଣ କରିବି କହତ ରାଜୁ ଆଉ ମଧ୍ୟ ମତେ ଏ ବୟସରେ କିଏ ଗୋଟାଏ ଝିଅ ଦେବାକୁ ରାଜି ହେବ ?

 

–ତତେ ସେ କଥା ନେଇ ମୁଣ୍ଡ ଖେଳାଇବାକୁ ପଡ଼ିବ ନାହିଁ । ତୁ ଖାଲି ମତେ କଥା ଦେ, ତା’ପରେ ଦେଖିବୁ । ଆଚ୍ଛା, କାଲି ଆମ ଘର ଆଡ଼େ ଆସିବୁ । ରାମମୋହନ ବାବୁଙ୍କର ଝିଅଟିଏ ଅଛି । ତୁ ଦେଖି ମନୋନୀତ କରିବା ପରେ ମୁଁ ତାଙ୍କ ସହ କଥାବାର୍ତ୍ତା ହେବି । ଖୁବ୍‌ ସୁନ୍ଦର ସେ ଝିଅଟା । ନାଁ ତା’ର ଚପଳା.... ।

 

କଥାର ଉତ୍ତର ନ ଦେଇ ହାତ ଘଡ଼ିକୁ ଚାହିଁଲେ ସୁରବାବୁ–ରାତ୍ରି ଦଶଟା ବାଜି ଗଲାଣି । ଦୀପା ଉଠି କାନ୍ଦୁଥିବ । ନା, ଆଉ ବସି ହେବ ନାହିଁ । ରାତି ଅନେକ ହେଲାଣି, ଯିବାକୁ ହେବ ।

 

ଦୁହେଁ ବିଦାୟ ନେଇ ଭିନ୍ନ ରାସ୍ତାରେ ଆଗେଇ ଗଲେ ।

 

ଅନ୍ୟମନସ୍କ ଭାବରେ ଚାଲିଛନ୍ତି ସୁରବାବୁ । ରାସ୍ତାଗୁଡ଼ାକ ବିଲ୍‌କୁଲ୍‌ ଶୂନଶାନ୍‌ । କେତେ ସନ୍ଧ୍ୟା କଟିଛି ତାଙ୍କର ଏଇ ନଈ କୂଳରେ । କେତେ ଉଦାସ ଗୋଧୂଳିରେ ଗୀତା ସହ ସେ ଫେରିଛନ୍ତି ଘରକୁ । ଦୁଃଖ କଷ୍ଟର ପ୍ରତୀକ ସ୍ୱରୂପ ଦୁଇଧାର ଲୁହ ତାଙ୍କର ଆଖି କୋଣରୁ ଖସିଲା । ନା–ଗୀତାକୁ ଭୁଲିବାକୁ ହେଲେ, ରାଜୁର ପ୍ରସ୍ତାବକୁ ସମର୍ଥନ କରିବାକୁ ହେବ । କେତେ ବା ବୟସ ତାଙ୍କୁ । ତିରିଶ ବର୍ଷ ହେଲା । ତାଙ୍କ ସାଥିର ରାଜୁ... । ଏବେ ବି ଅବିବାହିତ । ନା–ସେ ବିବାହ କରିବ । କାଲି ଯିବେ ସେ ରାଜୁ ଘରକୁ ଚପଳାକୁ ଦେଖିବା ପାଇଁ । ବାଃ ଖୁବ୍‌ ସୁନ୍ଦର ନାଁଟି ‘ଚପଳା’-

 

X X X

 

ନା ଗୀତାକୁ ଭୁଲିବାକୁ ହେବ । ବାସ୍ତବିକ ରାଜୁ ଯାହା କହିଛି, ଠିକ୍‌ କହିଛି । ଗୀତାର ମୃତ୍ୟୁରେ ତା’ ମନ ଭିତରେ ଯେଉଁ ମହାପ୍ରଳୟ ସଂଘଟିତ ହୋଇଛି ତା’ର ଅବସାନ ପାଇଁ ଏକମାତ୍ର ଉପାୟ ପୁନରାୟ ବିବାହ କରିବା । ଭାବନା ତାଙ୍କର ବଦଳିଗଲା । ଚିନ୍ତାଧାରା ହୋଇ ଉଠିଲା ଉଷ୍ମ । ଗୋଟିଏ ସୁନ୍ଦରୀ କିଶୋରୀର ସାନ୍ନିଧ୍ୟ ତାଙ୍କ ମନ ଆକାଶରେ ସୃଷ୍ଟି କଲା, ସପ୍ତ ରଙ୍ଗର ଇନ୍ଦ୍ରଧନୁ ।

 

ଯେଉଁଦିନ ବିପତ୍ନିକ ସୁରେଶର ମନ-ଉଦ୍ୟାନରେ, ଶତଶତ ଆଶାର ଫୁଲ ଫୁଟାଇ ଦୁଇଟି ଅଳତା ବୋଳା ପାଦଚାଲି ଆସିଲା–ଚପଳା, ସେଦିନ ହଠାତ୍‌ ଦୀପା ହସି ହସି ଧାଇଁ ଯାଇଥିଲା ବୋଉ ବୋଉ କହି । ସତେ ବୋଉ ତା’ର ଖୁବ୍‌ ସୁନ୍ଦର, ଚପଳା ଶ୍ୟାମାଙ୍ଗି । ଦେହରେ ବୟସର ରଙ୍ଗ । ନୟନରେ ଯୌବନର କୁହୁକ, ଫାସ ଯୋଖା ଡୋଳା ଦୁଇଟାରେ ଅସହ୍ୟ ମର୍ମସ୍ପର୍ଶୀ କଟାକ୍ଷ ଚାହାଣି !

 

ବିଭାଘରର ଗହଳ ଚହଳ ସଇଲା । ଆସିଲା ବାସର ରାତ୍ରି, ଧୀର ପଦକ୍ଷେପରେ ଘର ଭିତରକୁ ପଶି ଆସିଲେ ସୁରବାବୁ । ରାତ୍ରି ମାତ୍ର ଆଠଟା ବାଜିଛି । ଚପଳା ଆସିବାକୁ ଅନେକ ଡେରି, ବାସର ଶେଯରେ ଅନେକ ଫୁଟନ୍ତ ଫୁଲର ବହଳ ଆସ୍ତରଣ । ଘରଭିତରେ ଅଗୁରୁ ଚନ୍ଦନର ମଧୁର ମହକ । ଗୋଟାଏ ଦରଫୁଟା ଗୋଲାପର କୋମଳତା ଅନୁଭବ କରିକରି, ଡ୍ରେସିଂଟେବୁଲ ପାଖରେ ଠିଆ ହେଲେ ସେ । ପ୍ରତିବିମ୍ବ ଦର୍ପଣ ଦେହରେ ଝଲସି ଉଠିଲା, ସୁନ୍ଦର ମସୃଣ ମୁଖମଣ୍ଡଳ । ଅଶାନ୍ତ ଜୀବନର ସମସ୍ତ କାଳିମା କ୍ରମଶଃ ଆଖି କୋଣରୁ ଅପସାରିତ ହୋଇଯାଇଛି-। ଜୀବନର ଜ୍ୱଳନ୍ତ ସ୍ୱାକ୍ଷର ଅବଲୁପ୍ତ । ଗାଲର ପୁଷ୍ଟ ମାଂସ ଦିନେ ଆପେଲ୍‌ ରଙ୍ଗ ଧରିଥିଲା ତା’ର ନମୁନା ଏବେ ବି ଟିକିଏ ରହି ଯାଇଛି । କୃଷ୍ଣ ବର୍ଣ୍ଣର କେଶରାଜି ରାତ୍ରି ଭଳି ନିଘଞ୍ଚ । ରେଖାହୀନ ସମୁନ୍ନତ କପାଳ ତଳେ ଉନ୍ନତ ନାଶା-ନା, ବେଶି ବୟସ ଭଳି ସେତ ଆଦୌ ଦେଖାଯାଉ ନାହାନ୍ତି-। ଚପଳାକୁ କ’ଣ ସେ ସଖୀକରି ପାରିବେ ନାହିଁ ! ହୋଇ ପାରିବେ ନାହିଁ କ’ଣ ନିଜେ ଖୁସି-। ମନ ଭିତରୁ ନଇଁ ଆସିଲା ପ୍ରଶ୍ନର ଉତ୍ତର, ହଁ କ’ଣ ବା ତାଙ୍କର ଅଭାବ । ପୁଣି ଅବୁଝା ମନରୁ ଆହୁରି ଏକ ପ୍ରଶ୍ନ ଉଙ୍କି ମାରିଲା । ତେବେ ଗୀତା କାହିଁକି ତାଙ୍କୁ ପାଇ ଖୁସି ହୋଇପାରି ନଥିଲା ।

 

ଅବଶ୍ୟ ସେ ସୁନ୍ଦରୀ, ଶିକ୍ଷିତା, ସହନଶୀଳା, ସ୍ନେହମୟୀ, ମାତ୍ର ଉଦାସୀନତା ଥିଲା ତା’ର ଅସହ୍ୟ । ପ୍ରତି ପ୍ରଶ୍ନର ଉତ୍ତର କେବଳ ଗୋଟିଏ ଅକ୍ଷରରେ ସେ ଦେଇଥାଏ ହଁ । ପ୍ରଶ୍ନରେ-ହଁ-ଉତ୍ତରରେ-ହଁ ବୈବାହିକ ଜୀବନର କେତୋଟି ବର୍ଷ ଭିତରେ ଗୀତା ମୁହଁରୁ ଏହି ଏକାକ୍ଷରି ମନ୍ତ୍ରଭଳି–ହଁ-ଟି ପ୍ରାୟ ଶୁଣିବାକୁ ମିଳୁ ନ ଥିଲା, ଦଶଟି ପ୍ରଶ୍ନରୁ ନଅଟିର ଉତ୍ତର କେବଳ ‘ହଁ’ ଦ୍ୱାରାହିଁ ହେଉଥିଲା । ଯେପରି ପୋଷା ଶାରିଟିଏ ମୁଖସ୍ଥ କରି କହୁଥିଲା ହଁ-ହଁ ।

 

ତେବେ କାହିଁକି କ’ଣ ଚାହୁଁଥିଲା ସେ, କ’ଣ ତା’ର ଅଭାବ ଥିଲା । ତେବେ ସେ କ’ଣ କାହାକୁ ଭଲ ପାଇଥିଲା । ସେ କଅଣ କାହାର ପ୍ରଣୟିନୀ, ପ୍ରେମିକା ଥିଲା । ନା–ତା’ ବି ସମ୍ଭବ ନୁହେଁ । ଗୋଟିଏ ବୃନ୍ତରେ ଦୁଇଟି କୁସୁମ ଭଳି ବଢ଼ି ଉଠିଥିଲା ଜୀବନ । ପାଖାପାଖି ଦୁଇଟି ଘର, ବାପା ବୋଉଙ୍କର ଅଲିଅଳି ଏକମାତ୍ର କନ୍ୟା ଥିଲା ଗୀତା ଆଉ ଅନେକ ସମ୍ପତ୍ତି ଓ ଅନେକ ଆଶା ଆଶ୍ୱାସନାର ଏକମାତ୍ର କୁଳ ପ୍ରଦୀପ ଥିଲେ ସୁରବାବୁ । ପିଲାଦିନର ଧୂଳିଖେଳରୁ ଦୁହିଁଙ୍କର ଦୁହିଁଙ୍କ ପ୍ରତି ଥିଲା ଅମାପ ସ୍ନେହ, ଅକଳନ ଆଦର । ଗୀତା ଡାକୁଥିଲା ସୁରଭାଇ । ଦୁହିଁଙ୍କ ଅନାବିଳ ଭଲ ପାଇବା ଭିତରକୁ ଦିନେ ଅଚାନକଭାବେ ଆସି ଠିଆହେଲା ମଳୟ । ସୁରର ବାପାଙ୍କର କେଉଁ ସ୍ୱର୍ଗତ ବନ୍ଧୁର ପୁତ୍ର, ପିତୃ ମାତୃ ଶୂନ୍ୟ । ସମ୍ବଳହରା ମଳୟ ସୁର ପରିବାରର ସାହାଯ୍ୟ ପାଇ ବଢ଼ି ଉଠିଲା । ସଙ୍ଗେ ସଙ୍ଗେ ଗୀତା ସହ ମିଶିଯାଇଥିଲା ଆତ୍ମୀୟ ଭଳି, ପ୍ରଥମ ଦେଖାରେ ଗୀତା ତାକୁ ଶ୍ରଦ୍ଧାକରି ଆସିଥିଲା । ଗୀତା ଓ ସୁରଙ୍କର ବିବାହ ସ୍ଥିରହେଲା । ଆପତ୍ତି କରିବା ପାଇଁ ସୁରର କିଛି ନ ଥିଲା । ଖାଲି ଗୀତାକୁ ନୁହେଁ ତା’ ବାପାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ହୋଇ ଗୀତାକୁ ଗୃହଲକ୍ଷ୍ମୀ କିରି ସୁର ଆଣିଥିଲେ । ବିବାହ ବେଳକୁ ଏକଦା ପ୍ରିୟବନ୍ଧୁ ମଳୟ, ହେଲା ହଠାତ୍‌ ନିରୁଦ୍ଦିଷ୍ଟ । ଆଉ ଗୀତା ହେଲା ନିରୁତ୍ସାହିତ ।

 

ଏଇ ଘରେ ବିଛା ହୋଇଥିଲା, ବାସର ଶେଯ, ଏଇ ଆକାଶରେ ସେଦିନ ଥିଲା ଫଗୁଦଶମୀର ଚାନ୍ଦ–ଏଇ ଝରକା ଫାଙ୍କଦେଇ ମେଞ୍ଚାଏ ତୋଫା ଜହ୍ନ ଆଲୁଅ ବିଛାଡ଼ିହୋଇ ପଡ଼ୁଥାଏ ପଲଙ୍କ ଉପରେ । ମଲ୍ଲି ରଜନୀଗନ୍ଧାର ମଧୁର ମାଦକଭରା ସୁବାସ କୋଠରୀଟି ଭିତରେ ଗୋଟାଏ ସ୍ୱପ୍ନିଳ ପରିବେଶ ସୃଷ୍ଟି କରିଥିଲା, ଜୀବନର ପଚିଶିଟି ବସନ୍ତ ପରେ ସେଦିନ ଆସିଥିଲା ଚିର ଈପ୍‍ସିତ ରାତ୍ରିଟି । ପୁରାତନ କାବ୍ୟ କବିତାଠାରୁ ଆଧୁନିକ ଗଳ୍ପ ଉପନ୍ୟାସ ପର୍ଯ୍ୟନ୍ତ ଲେଖାଅଛି ସେଇ ରାତିଟିର ରସ ମଧୁର କାହାଣୀ । କେତେ ବନ୍ଧୁମାନଙ୍କଠାରୁ ଶୁଣିଥିଲେ ପ୍ରଥମ ପ୍ରେମର ଚରମ ସାର୍ଥକତା । ସେଇ ଚିର ଈପ୍‌ସିତ ଲଗ୍ନଟି ଯେତେବେଳେ ଓହ୍ଲାଇ ଆସିଥିଲା ସୁର ଜୀବନରେ, ଠିକ୍‌ ସେତିକିବେଳେ ନାରୀ କଣ୍ଠର ଚାପାହସ ଆଉ ଫୁସ୍‌ଫୁସ୍‌ କଥା ଶୁଣାଯାଇଥିଲା । ଗୀତାକୁ ଠେଲିଦେଇ ସେମାନେ ଫେରି ଯାଇଥିଲେ ।

 

ପଲଙ୍କର ଅନତି ଦୂରରେ ନତ ବଦନରେ ଠିଆ ହୋଇଥିଲା ସେ । ବଧୂ ବେଶରେ ସେ ଦିଶୁଥିଲା ଅନୁପମା । ରୂପର ଐଶ୍ୱର୍ଯ୍ୟରେ ଦିଶୁଥିଲା ସେ ରୂପକଥାର ରାଜଜେମା ଭଳି । ଗହମ ରଙ୍ଗ ଦେହରେ ରକ୍ତରଙ୍ଗର ବନାରସୀ ଶାଢ଼ି । ସୁଠାମ କପାଳରେ ଟୋପି ଟୋପି ଚନ୍ଦନ–ସୁବାସିତ କବରୀରେ ସ୍ତବକିତ ରଜନୀ ଗନ୍ଧା, ମଥାରୁ ଓଢ଼ଣା ଟାଣିଦେଇ ଆବେଗ ଭରା କଣ୍ଠରେ ସୁର ଡାକିଥିଲେ ଗୀତା ।

 

...ଉଁ...

 

କ’ଣ କଥା କହିବ ନାହିଁ !

 

...ଉଁ...

 

ମୋର ରାଣ କଥା କୁହ । କିମିତି ଲାଗୁଛି ତୁମକୁ ଏ ରାତିଟି ।

 

କ୍ଷୀଣ କଣ୍ଠରେ ଉତ୍ତର ଦେଇଥିଲା ଗୀତା–

 

ଖୁବ୍ ଭଲ–

 

କାହିଁକି ଗୀତା–କ’ଣ ମୁଁ ପାଖରେ ଅଛି ବୋଲି ?

 

–ଆଜିର ଏଇ ରାତ୍ରିଟି ମୋ ପାଇଁଙ୍କି ଥରୁଟିଏ ଆସିଛି । ସମସ୍ତ ନାରୀମାନଙ୍କର ଜୀବନରେ ଥରଟିଏ ପାଇଁ ଆସେ ଏଇ ମହକଭରା ରାତ୍ରି । ଏଇ ଆରମ୍ଭ ଆଉ ଶେଷ ବି ! ତେଣୁ ଭଲ ନଲାଗିବ ବା କିପରି ?

 

ପାଖକୁ ଆଉଜାଇ ତା’ର ଗୋଲାପି ଗଣ୍ଡରେ ଚୁମ୍ବନର ପ୍ରଲେପ ବୋଳୁ ବୋଳୁ କହିଥିଲେ ସୁର ସମସ୍ତଙ୍କ ଜୀବନରେ ମାତ୍ର ଥରକ ପାଇଁ ଆସେ ଏଇ ରାତ୍ରିଟି ଗୀତା ।

 

କାହିଁକି ? ଝିଅମାନଙ୍କ ପାଇଁ ଏହା ଥରକ ପାଇଁ ଆସିଥାଏ । ମାତ୍ର ପୁଅମାନଙ୍କ ପାଇଁ ତାହା ବହୁବାର ଆସିପାରେ । ମନେକର ମୁଁ ଯଦି ମରିଯାଏ, ତୁମେ ତା’ହେଲେ ପୁଣିଥରେ ମଧୁଶଯ୍ୟା ବିଛେଇବନିକି ।

 

କଥା କହିବାକୁ ନ ଦେଇ ମୁଁ ତା’ର ପାଟି ଚାପି ଧରିଥିଲି । ହେଲେ ସତକୁ ସତ ଗୀତା କଥା କାର୍ଯ୍ୟରେ ପରିଣତ ହୋଇଛି । ଆଜି ପୁଣି ତା’ ଜୀବନରେ ଆସିଛି ମଧୁ ଯାମିନୀ । କାନ୍ଥରେ ଗୀତାର ଅନେକ ଫଟୋ । ସେ ହସୁଛି, ହସି ହସି କହୁଛି ମତେ ଭୁଲିଗଲ । ତୁମକୁ କ’ଣ ମୁଁ କିଛି ଦେଇ ନ ଥିଲି । କାନ୍ଦି କାନ୍ଦି ତୁମ ଅଧର ତଳେ ହସର ଫୁଲ ଫୁଟାଇଥିଲି । ଅପୂର୍ଣ୍ଣ ରହି ତୁମ ଜୀବନକୁ ପରିପୂର୍ଣ୍ଣତାର ପ୍ରଶାନ୍ତିରେ ଭରି ଦେଇଥିଲି । ମୁଁ ହସୁଥିଲି ସତ । ମୋର ସେଇ ହସ ତଳେ ବାଜିଉଠୁଥିଲା ବ୍ୟଥାର ରାଗିଣୀ ! ଅଭାବର ଛନ୍ଦହୀନ ସ୍ୱର !

 

ହେଲେ ତୁମେ ଦିନକ ପାଇଁ ବୁଝି ନ ଥିଲ, ମୋ ମନର ଅବୁଝା ବ୍ୟଥାକୁ । କ’ଣ ଦେଇଛ ମତେ, କୋଳକୁ ମୋର ଦେଇ ନାହଁ ଗୋଟିଏ କଅଁଳ ସୁକୁମାର ସନ୍ତାନ । ଜୀବନ ମୋର ଝରି ଯାଇଛି । ମାତୃତ୍ୱ ମୋର ମରି ଯାଇଛି । ରଙ୍ଗିନୀ ସୁରା ଓ ଗୋଲାପି ଅଧର ଭିତରେ ତୁମେ ଭୁଲି ଯାଇଛ କର୍ତ୍ତବ୍ୟ । ହରାଇ ବସିଛ ତୁମର ସୃଜନୀ ଶକ୍ତି । ତେବେ କାହିଁକି ଆଉ ଗୋଟିଏ ଝିଅର ଜୀବନକୁ ନଷ୍ଟ କରିବା ପାଇଁ ଆଗେଇ ଆସିଲ । ନାରୀ ଜନ୍ମର ଚରମ ସାର୍ଥକତା ଯେ ସନ୍ତାନ ପ୍ରାପ୍ତି ଏକଥା କ’ଣ ଭୁଲିଗଲ । ସମସ୍ତେ ଜାଣନ୍ତି ଦୀପା, ତୁମର କନ୍ୟା, ମାତ୍ର ସତରେ କ’ଣ ଆମ ବୈବାହିକ ଜୀବନର ସଫଳ ପ୍ରତୀକ ଦୀପା....

 

ଚାଉଁକିନା ଚମକି ପଡ଼ିଲେ ସୁରବାବୁ, କାହିଁ ଗୀତା । ନା ଗୀତା ନାହିଁ, କାନ୍ଥରେ ଝୁଲୁଛି ତା’ର ଫଟୋ । ନିଜ ବିବେକ ହିଁ ତାଙ୍କୁ କଷାଘାତ କରୁଛି । କପାଳରୁ ଝାଳ ପୋଛି ଚେୟାରଟାରେ ନିଜର ଚିନ୍ତାକ୍ଳିଷ୍ଟ ଦେହଟାକୁ ଲୋଟାଇ ଦେଲେ । ଆଖି ଆଗକୁ ଢଳି ଢଳି ଆସିଲା–ଅତୀତ । ଖୋଲି ଖୋଲି ଗଲା ଅଙ୍ଗଲିଭା ଅନୁଭୂତିର ପର୍ଯ୍ୟାୟ ।

 

....ସେଦିନ କି ତିଥି ଥିଲା କେଜାଣି । ଆକାଶ ବୁକୁରେ ଥିଲା ଖାଲି ମେଞ୍ଚା ମେଞ୍ଚା କାଳିମା । ସେଇ କଳା କିଟିକିଟି, ଆକାଶରେ ଫୁଟି ଉଠିଥିଲେ ଟିକି ଟିକି ତାରା । ମିଟି ମିଟି କରି ସେମାନେ ଆଖିଠାରି କଥାବାର୍ତ୍ତା କରୁଥିଲେ । ସେଇ ଅନ୍ଧକାର ଭିତରେ ଆଗେଇ ଥିଲେ ସୁର...ଲାଇନ୍‌ କଟିଛି । ଚାରିଆଡ଼ ଖାଲି ଅନ୍ଧାର । ହଠାତ୍‌ ପାଟିତୁଣ୍ଡ ହେଲା–ସୁର ଯାଇ ଦେଖିଲେ–କାର୍‌ ସହ ଗୋଟିଏ ଲୋକର ଧକ୍‌କା ଲାଗିଛି । ସ୍ଥାନଟି ରକ୍ତରେ ଭିଜିଯାଇଛି । ଅନେକ ଟର୍ଚ୍ଚ ଜଳି ଉଠିଲା । ଏ’.....ଏ ଯେ ମଳୟ...ପିଲା ଦିନର ବନ୍ଧୁ ମଳୟକୁ ଚିହ୍ନିବା ପାଇଁ ଆଦୌ କଷ୍ଟ ଲାଗି ନ ଥିଲା । ଚିକିତ୍ସା କରିବା ପାଇଁ ନେଇ ଆସିଥିଲି ଘରକୁ, ଡାକ୍ତର ଅଭୟ ଦେଲେ । ଅତ୍ୟଧିକ ରକ୍ତସ୍ରାବ ଫଳରେ ଦୁର୍ବଳ ହୋଇ ପଡ଼ିଛି ରୋଗୀ, ଖୁବ୍‌ ଶୀଘ୍ର ଫେରି ଆସିବ ଚେତା, ଭୟର କାରଣ ନାହିଁ ।

 

ଗୀତାର ଅକ୍ଳାନ୍ତ ପରିଶ୍ରମରେ ମଳୟର ଚେତା ଫେରି ଆସିଥିଲା । ସକାଳର ସୁନା ଆଲୁଅରେ ମୁଦ୍ରିତ ଆଖିପତା ତା’ର ଖୋଲିଗଲା ଆପେଆପେ, ପାଖରେ ବସିଥାଏ ଗୀତା । ଦୂର ଚେୟାରଟିରେ ବସି ଖବରକାଗଜର ପୃଷ୍ଠା ଓଲଟାଉଥିଲେ ସୁର । ହଠାତ୍‌ ମଳୟର ଆଖି ପଡ଼ିଲା ଗୀତା ଉପରେ । ଖୁବ୍‌ କ୍ଷୀଣକଣ୍ଠରେ ସେ କହି ଉଠିଲା, ତୁମେ ଆସିଛ କାହିଁକି, କ’ଣ ପାଇଁ ମତେ ବଞ୍ଚାଇଲ, ମୋ ଜୀବନର ଯବନିକା ନଇଁ ଆସୁଥିବାବେଳେ, ମୃତ୍ୟୁର କରାଳ କବଳକୁ ଦିଗଶୂନ୍ୟ ହୋଇ ଧାଉଁଥିବାବେଳେ କାହିଁକି କଲ୍ୟାଣୀ ରୂପରେ ମୋତେ ଟାଣି ଧରିଲ । ତମେ ଯାଇଛ–ମୋର ସବୁ ଲୁଟି ନେଇଛ, ଆଜି ମୋର ସବୁ ଥାଇ କିଛି ନାହିଁ । କାହାରି ମାୟା ମତେ ଆଜି ବାନ୍ଧି ପାରିନି, ମୁଁ ଆଜି ଖୋଜୁଛି ସେଇ ମାଟିର କୋଳ, ଆଜି ମୁଁ ଦେଖୁଛି ମୃତ୍ୟୁ ଆରପାରିର ସ୍ୱପ୍ନ; ମୋତେ ଟାଣି ରଖିବାର ପ୍ରୟାସ କରନା, ମୁଁ ଯେ ସର୍ବହରା, ସେଥିପାଇଁ ତୁମକୁ ପାଇ ବି ପାଇଲି ନାହିଁ, ମୁହଁ ଖୋଲି ପ୍ରତିବାଦ କରି ପାରିଲି ନାହିଁ । ତୁମେ ହେଲ ଅନ୍ୟର–ତେବେ କାହିଁକି ଆଉ ଆସିଛ, କା...ହିଁ...କି ।

 

କହୁ କହୁ ମଳୟ, ପୁଣି ହେଲା ଚେତନା ଶୂନ୍ୟ । ଗୀତା ଉଦ୍‌ଗତ ଅଶ୍ରୁକୁ ସମ୍ଭାଳି ଉଠିଗଲା ଅନ୍ୟତ୍ର । ବାସ୍ତବିକ ମଳୟର ଦୁରବସ୍ଥା ସୁରକୁ କରିଥିଲା ମ୍ରିୟମାଣ ! ବିବାହ ପରଠାରୁ ତାକୁ ଦେଖିବାର ସୁଯୋଗ ନ ଥିଲା । କ’ଣ କରୁଥିଲା, କେଉଁଠି ରହୁଥିଲା, ଆଉ ସର୍ବୋପରି ସେ କାହାକୁ ଭଲପାଇ ହରାଇ ବସିଥିଲା । ସବୁ ଥିଲା ଅଜ୍ଞାତ ।

 

ଚେତା ଫେରି ଆସିଲା ମଳୟର । ଉଠିବାକୁ ଚେଷ୍ଟା କଲା ସେ ।

 

ସୁର ପଶିଆସି ଡାକିଲେ, ‘ମଳୟ’ ?

 

ଶୈଶବର ପରିଚିତ କଣ୍ଠ ସ୍ୱର ତା’ର କର୍ଣ୍ଣକୁ ଫାଙ୍କି ପାରିଲା ନାହିଁ । ଆବେଗରେ ସୁରର ଗଳା ବେଷ୍ଟନକରି, କହିଲା ମଳୟ, ତୁ ଏଠାରେ.....ଆଉ ଗୀତା.....କାହିଁ–କହୁଁ କହୁଁ ଆଖି ତା’ର ଛଳ ଛଳ ହୋଇ ଆସିଲା ।

 

ପିଠିରେ ହାତ ସଞ୍ଚାଳୁ ସଞ୍ଚାଳୁ ସୁର ପଚାରିଲେ ‘‘କ’ଣ ହୋଇଛି ତୋର, ଏମିତି ବିଚଳିତ ହୋଇ ପଡ଼ିଛୁ କାହିଁକି ! ତୋ ମନ କଥା ମତେ ଖୋଲି କହ । ମୁଁ ତୋର ବନ୍ଧୁ ନୁହେଁ । ବଡ଼ଭାଇ ମଧ୍ୟ, ବାପା ତତେ ପୁଅ ଭଳି ଭଲ ପାଉଥିଲେ । ଆଉ ତତେ ମୁଁ ଠିକ୍‌ ସାନ ଭାଇଟିଏ ଭଳି ଭଲ ପାଉଥିଲି । ତୁ ସିନା ଆମ ସମସ୍ତଙ୍କୁ ପର ଭାବି ଚାଲିଗଲୁ ! ଏପର୍ଯ୍ୟନ୍ତ ଖଣ୍ଡେ ଚିଠି ବି ଦେଇନାହୁଁ । ତଥାପି ତୋ ପ୍ରତି ମୋର କର୍ତ୍ତବ୍ୟ ଅଛି ।’’

 

ଗୋଟି ଗୋଟି କରି କହିଥିଲା ସେ ତା’ ନିଜ ଜୀବନର ଅନୁଭୂତି ! ଏଠାରୁ ଯିବାପରେ ମୁଁ ଗୋଟିଏ ହାଇସ୍କୁଲରେ ଶିକ୍ଷକତା କଲି । ତା’ପରେ ବିବାହ ହେଲା ସିପ୍ରା ସହ । ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଥିବା ଗୋଟାଏ ଧନିକ ପରିବାରର କନ୍ୟା ଥିଲା ସିପ୍ରା । ଭାଗ୍ୟର ବିଚିତ୍ର ପରିବର୍ତ୍ତନ । ସର୍ବହରା ମଳୟକୁ ଧନ କୁବେର ନିହାର ରାୟଙ୍କର ଜାମାତା ହେବାର ସୁଯୋଗ ମିଳିଲା । କିନ୍ତୁ ପ୍ରକୃତରେ ଜୀବନରେ ସେଇ ଦିନଠାରୁ ଘୋଟି ଆସିଲା ଦୁର୍ଯୋଗର ଘନ କୁହେଳି । ପ୍ରଚୁର ଧନ ପାଇଲି ସତ । ମାତ୍ର, ପାଇଲି ନାହିଁ ମନ । ଅବଶ୍ୟ ମୋ ମନରେ ଉଠିଥିଲା ଭଲ ପାଇବାର ଢେଉ । ସମୟ ସୁଅର ଚଳନ୍ତି ଲହଡ଼ିରେ ଭାସିଗଲା ପ୍ରଥମ ପ୍ରେମର ପହିଲି ମାଦକତା । ଅତୀତକୁ ସମୟର ଡଷ୍ଟବିନ୍‌ ଭିତରେ ଫିଙ୍ଗି ବର୍ତ୍ତମାନ ଭିତରେ ନିଜକୁ ହଜାଇ ଦେବାକୁ କରିଥିଲି ଆପ୍ରାଣ ଚେଷ୍ଟା । ସରଳା ନିରାଡ଼ମ୍ବରା ପ୍ରେମିକାକୁ ହରାଇ ଉଗ୍ର ଆଧୁନିକା ସ୍ତ୍ରୀକୁ ଗ୍ରହଣ କରିବାକୁ ବିଫଳ ଉଦ୍ୟମ କରିଥିଲି ମାତ୍ର ସିପ୍ରା ଚାହିଁଥିଲା ପୂର୍ଣ୍ଣ ସ୍ୱାଧୀନତା । ବାଧା-ବନ୍ଧନହୀନ ଅବାଧ ମିଳାମିଶା ଓ ନିର୍ଲଜ୍ଜ ପ୍ରେମର ଅଭିନୟ । ତା’ର ଧାରଣା ଥିଲା ସ୍ରଷ୍ଟାଙ୍କର ଏ ରୂପସମ୍ଭାର ସୃଷ୍ଟି ଜଣକ ପାଇଁ ନୁହେଁ, ଗଣଙ୍କ ପାଇଁ । ମୋ ଅଜ୍ଞାତରେ ତା’ର ଯୌବନ ପାଇଁ ବାଛୁଥିଲା ଅନେକ ପ୍ରେମିକ । କେତେଥର ସେ ଅସହନୀୟ ଦୃଶ୍ୟ ମୋର ଆଖି ଆଗକୁ ଆସିଛି । ଅନେକବାର ତାକୁ ସତର୍କ କରାଇଛି । ମାତ୍ର ଫଳ ହେଲାନି, ଚରମ ନିଷ୍ଠୁରତା ନେଇ ତାକୁ ମୁଁ ପ୍ରହାର କଲି । ସେଇ ଦିନ ରାତିରେ ସେ ଛାତ କଡ଼ିରେ ଦଉଡ଼ା ଦେଇ କଲା ଆତ୍ମହତ୍ୟା । ଏକମାତ୍ର ପୁଅ ସରୋଜ ବସି କାନ୍ଦୁଥିଲା ସିପ୍ରାର ଏ ଅବସ୍ଥା ଦେଖି ।

 

ଦୁଃଖରେ ଭାଙ୍ଗି ପଡ଼ିଲି । ନାରୀମାନେ ଏତେ ଶୀଘ୍ର ଗୋଟାଏ ନିଷ୍ପତ୍ତି ନେଇ ପାରନ୍ତି । ଘର ଛାଡ଼ି ପଳାଇ ଆସିଲି, ଅବଶ୍ୟ ଶବ ସତ୍କାର ପରେ, ତା’ପରେ ଅନ୍ୟମନସ୍କ ହୋଇ ପଡ଼ିଲି କାର୍‌ ଚାପାରେ । ତା’ ପରର ଘଟଣା ତୁ ସବୁ ଜାଣୁ । ବର୍ତ୍ତମାନ ମତେ ଟିକିଏ ସାହାଯ୍ୟ କର । ପୁରୀ ପର୍ଯ୍ୟନ୍ତ ଯିବାର ବନ୍ଦୋବସ୍ତ କରିଦେ । ଘରେ ପୂଝାରିଟିଏ ବ୍ୟତୀତ ଆଉ କେହି ନାହିଁ । ସରୋଜ କ’ଣ କରୁଥିବ କିଏ ଜାଣେ । ମନ ବ୍ୟସ୍ତ ଲାଗୁଛି ।

 

କିନ୍ତୁ ଡାକ୍ତରଙ୍କର ନିର୍ଦ୍ଦେଶ ଯେ ତୋର ବିଶ୍ରାମ ଆବଶ୍ୟକ, ବରଂ ଘର ଠିକଣା ମତେ ଦେ । ମୁଁ ଯାଇ ସରୋଜକୁ ନେଇ ଆସିବି, ସୁର କହିଲା ।

 

‘‘ନା ସୁର–ମୁଁ ଯିବି । ମତେ ବେଶ୍‌ ଭଲ ଲାଗୁଛି ।’’

 

‘‘ବେଶ୍‌ ଚାଲ୍‌ ମୁଁ ବି ତୋ ସାଥିରେ ଯିବି’’ କହି ଡ୍ରେସ୍‌ ବଦଳାଇ ଥିଲା ସୁର । ଆଦ୍ୟ ବସନ୍ତର କ୍ରମ ଗୋଧୂଳି । ଗଛ ପତ୍ରର ଧାରେ ଧାରେ ବିଦାୟୀ ତପନର ମଳିନ ଖରା ଝରି ପଡ଼ୁଥିଲା । କବି ପ୍ରାଣରେ ସେଇ ନମନୀୟ ଗୋଧୂଳି, କବିତାର କଳ କଲ୍ଲୋଳ ଶୈଳୀ ଫୁଟାଇ ଥିଲା କି ନାହିଁ କେଜାଣି.....କିନ୍ତୁ ସୁର ଓ ମଳୟକୁ ଦେଇଥିଲା ଗୋଟିଏ ଅମୂଲ୍ୟ ରତ୍ନ । ଜଗନ୍ନାଥ ଟ୍ରଙ୍କ ରୋଡ଼ର ପାର୍ଶ୍ୱରୁ, ମଳୟ ଆବିଷ୍କାର କଲା ଗୋଟିଏ ଖୁବ୍‌ ଛୋଟ ଝିଅ–କାନ୍ଦୁଛି । ପାଖରେ ଖଣ୍ଡିଏ ଚିରାଲୁଗା ଓ ଗୋଲ ଦର୍ପଣ । ଜନମାନବ ଶୂନ୍ୟ ଆସନ୍ନ ସନ୍ଧ୍ୟାରେ ପିଲାଟିକୁ ଏକାକୀ କାନ୍ଦିବାର ଦେଖି ମଳୟ ସନ୍ଦେହରେ ଗାଡ଼ିରଖି ଓହ୍ଲାଇଗଲା । ପିଲାଟିକୁ କୋଳରେ ଧରି ବୁଝାଇବାକୁ ଚେଷ୍ଟା କଲା, ପିଲାଟି ଯେ ଭଦ୍ର ବଂଶଜ–ତା’ର ରୂପରୁହିଁ ଅନୁମାନ କରିହେଉଥିଲା । ବର୍ତ୍ତମାନ କ’ଣ କରାଯାଇପାରେ ଚିନ୍ତା କରୁଥିଲେ ସୁର । ମଳୟ ନିରବତା ଭଙ୍ଗ କରି କହିଲା ‘ଦେଖ୍‌ତ ସୁର ! ସେ ଗୋଲ ଦର୍ପଣଟିକୁ ।’ ହୁଗୁଳା ଦର୍ପଣଟାକୁ ଏପଟ ସେପଟ ଦେଖିବା ଅବସରରେ କାଗଜ ସହ ଖଣ୍ଡିଏ ଫଟୋ ଖସିପଡ଼ିଲା । ଆଗ୍ରହ ଉତ୍କଣ୍ଠା ନେଇ, ଦୁହେଁ ଖୋଲି ବସିଲେ–ଲେଖା ଥିଲା–

 

ଭାଇ ବା ଭଉଣୀ !

 

ମୋର ଏହି ପିଲାଟିକୁ ହୁଏତ କେହି ପାଇବ । ମୁଁ ପାଷାଣୀ, ନିଷ୍ଠୁରା, ରକ୍ତମାଂସ ଦେଇ ଗଢ଼ିଥିବା ନିଜର ଶିଶୁଟିକୁ ମଣିଷ କରିବାକୁ ମୁଁ ଅସମର୍ଥ । ତେଣୁ ଏଇ ରାସ୍ତା କଡ଼ର ଗଛମୂଳେ ରଖିଦେଇ ଯାଉଛି । ସୃଷ୍ଟିକର୍ତ୍ତା ଚିରମଙ୍ଗଳମୟ । ସେ ନିଶ୍ଚୟ ପିଲାଟିର ଉଦ୍ଦେଶ୍ୟରେ କାହାକୁ ପଠାଇବେ, ଶିଶୁଟି କୌଣସି ଛୋଟ ଜାତିର ନୁହେଁ, କରଣ କୁଳରେ ୟାର ଜନ୍ମ । ବାପା ବୋଲି ଯେଉଁ ଦୁଇଟି ଅକ୍ଷର ସେଇ ପଦଟି ହଜି ଯାଇଛି । ପ୍ରାୟ ଦଶମାସ ଆଗରୁ ସମ୍ବଳଶୂନ୍ୟା ହୋଇ, ଅନେକ ଚେଷ୍ଟା କରିଥିଲି ବଞ୍ଚାଇ ରଖି ପିଲାଟିକୁ ମଣିଷ କରିବାପାଇଁ, ହେଲେ ପାରିଲି ନାହିଁ, ଜୀବନଯାତ୍ରା ପଥରେ ଅନ୍ତରାୟ ସୃଷ୍ଟି କଲା ମୋର ଏଇ ପୋଡ଼ାରୂପ ଓ ବିଗତ ଯୌବନ । ପ୍ରତି ପଦକ୍ଷେପରେ ଅନେକଙ୍କ ନୟନକଟାକ୍ଷରେ ଶରବ୍ୟ ହେବାରେ ଲାଗିଲି । ବଞ୍ଚିବା ହେଲା ଦୁର୍ବିସହ-। ଘରେ ମୁଠିଏ ଖାଇବାକୁ ନାହିଁ । ବାହାରେ ଲକ୍ଷ ନୟନର କୁଟିଳ ଇଙ୍ଗିତ ନାରୀତ୍ୱ ବିନିମୟରେ ବଞ୍ଚିରହିବାକୁ । ମୋର ଜୀବନାନନ୍ଦ ଆଦର୍ଶ ବାଧା ଦେଲା । ଆଜି ବାଧ୍ୟ ହୋଇ ମୋର ଜୀବନଦୀପ ନିଜେ ଫୁଙ୍କି ଲିଭାଇ ଦେବାକୁ ଯାଉଛି; ତଥାପି ମତେ ଲେଖିବାକୁ ପଡ଼ୁଛି ଗୋଟିଏ ନାରୀ ଜୀବନର ଇତିକଥା । ପ୍ରୟୋଜନରେ ଆସିପାରେ ଏଇ ଲେଖା ଖଣ୍ଡିକ । ଶିଶୁଟି ଦିନେ ଦୁନିଆଁ ଦାଣ୍ଡରେ ମଥାଟେକି ଚାଲିବ ସେତେବେଳେ ଯଦି, ତାକୁ କେହି ଅଜ୍ଞାତ କୁଳଶୀଳା କୁହେ ସେ ଆଘାତ ପାଇବ । ତା’ର ଜୀବନ ଆକାଶକୁ ଛାଇ ଦେବ ସନ୍ଦେହର କଳା ମେଘ, ସେଇ ଆଶଙ୍କା ନେଇ ଏ ଧରଣୀରୁ ବିଦାୟ ନେଲାବେଳେ, ଆଖିର ଲୁହ, ବୁକୁର ଲୁହ ଢାଳି ଏ ଲେଖା ଲେଖିବାକୁ ପଡ଼ୁଛି । ଏହି ଶିଶୁଟିର ଏ ବିରାଟ ଦୁନିଆଁରେ ବଞ୍ଚି ରହିଛି ମାତ୍ର ଗୋଟିଏ ଭାଇ, ଯାହାକୁ ମୋ ସ୍ୱାମୀଙ୍କର ବାଲ୍ୟବନ୍ଧୁ ନେଇ ଯାଇଛନ୍ତି ଅପୁତ୍ରିକ ଥିବାରୁ । ସେ ଆଜି କେଉଁଠି ଜାଣିବାର ଅବସର ନାହିଁ । ତଥାପି ପୃଥିବୀର ଯେଉଁ ଉପାନ୍ତରେ ଥିଲେ ସେ ଭଲରେ ଥିବ-। ଏଇ ଆଶା ନେଇ ରାସ୍ତା କଡ଼ରେ ବିଶ୍ୱନିୟନ୍ତାଙ୍କ ପାଦତଳେ ଅର୍ପି ଦେଇ ଯାଉଛି ମୋର ଲିଭା ଜୀବନର ଜ୍ୱଳନ୍ତ ‘ଦୀପାଳି’କୁ........

 

ବୁକୁଫଟା ଦୀର୍ଘଶ୍ୱାସ ଛାଡ଼ି ଫଟୋଟିକୁ ନିରୀକ୍ଷଣ କରୁଥିଲେ ଦୁଇବନ୍ଧୁ । ଗୋଟିଏ ସୁଦର୍ଶନ ଯୁବକର ବାମ ପାଖରେ ଶ୍ୟାମାଙ୍ଗୀ ଲାବଣ୍ୟମୟୀ ଏକ ତରୁଣୀ । କୋଳରେ ଗୁଲୁଗୁଲିଆ ଗୋଟିଏ ସୁନ୍ଦର ପୁଅ । ଫଟୋର ନିମ୍ନଭାଗରେ ଲେଖା ଅଛି, ପଦ୍ମଲୋଚନ ନାୟକ କଳ୍ପନାମୟୀ ଓ ‘କୁମାର ଦୀଲ୍ଲିପ’ ଏଇ ଶିଶୁ ଝିଅଟିର ଯେ ଦୀଲ୍ଲିପ ବଡ଼ଭାଇ ଏଥିରେ ଆଉ ସନ୍ଦେହର ଅବକାଶ ନ ଥିଲା । ଦୀପାଳିକୁ କୋଳରେ ଧରି ସୁର ଗାଡ଼ି ଫେରାଇଲେ ପ୍ରତାପପୁର ଅଭିମୁଖେ; ସନ୍ଧ୍ୟା ହୋଇ ଆସୁଥାଏ । ନୀଡ଼ ବାହୁଡ଼ା ପକ୍ଷୀଙ୍କର ମଧୁର କାକଳିରେ ଗୁଞ୍ଜରି ଉଠୁଥାଏ ମଧୁର ସାନ୍ଧ୍ୟ ପରିବେଶ । ଫୁଟନ୍ତ ମଲ୍ଲି ଫୁଲରେ କୁଢ଼ କୁଢ଼ ଅନ୍ଧାର ଜମାଟ ବାନ୍ଧୁଥାଏ; ଗାଡ଼ି ବ୍ରେକ୍‌ କସିଲା । ସନ୍ଧ୍ୟା ଆଳତି ଧରି ଗୀତା ଚଉରା ମୂଳେ ଦୀପ ଜାଳି ପ୍ରଣାମ କରୁଥିଲା । ଉଚ୍ଛ୍ୱସିତ କଣ୍ଠରେ ସୁର କହିଳେ–ଥାଉ ଗୀତା, ଆଉ ଚଉରା ମୂଳେ ଦୀପାଳି ଜାଳିବାକୁ ପଡ଼ିବ ନାହିଁ । ଏଇ ଦେଖ–କୋଳରେ ମୋର ଗୋଟିଏ ସ୍ୱର୍ଣ୍ଣ ଦୀପାଳି । ବିସ୍ମିତା ଗୀତା ଆଗେଇ ଆସିଥିଲା ତରତର ହୋଇ । ବିଜୁଳିର ଝଲକ ପରି ତା’ର ମଉଳା ଅଧରରେ ଉକୁଟି ଉଠିଲା ହସ । କୋଳରୁ ମଳୟ ଟାଣି ନେଲା ଦୀପାଳିକୁ । ଥର ଥର କଣ୍ଠରେ କହିଲା ‘ଗୀତା ତୁମ ବିବାହରେ ମୁଁ କିଛି ଦେଇ ପାରିନାହିଁ, ହେଲେ ବହୁଦିନ ପରେ ଆଜି ମୁଁ ତୁମକୁ ଦେଉଛି ଏଇ ଦୀପାଳି–ଏଇ ଦରିଦ୍ର ବନ୍ଧୁର ଏଇ ଉପହାରଟିକୁ ଠିକ୍‌ ତୁମରି ଆଦର୍ଶରେ ଅନୁପ୍ରାଣିତ କରି ଗଢ଼ିତୋଳିବ । ସୁର ଲକ୍ଷ୍ୟ କଲେ, ହସିବା ପରିବର୍ତ୍ତେ, ଗୀତାର ସରୁସରୁ ଆଖିପତାରେ ଲୁହର ପ୍ଳାବନ । ଆଉ ସେଇ ଲୁହ ସଂକ୍ରମିତ ହୋଇଥିଲା ମଳୟ, ଆଖିରେ । ମଥା ନତକରି ଉଭୟେ କେବଳ ଲୁହର ଭଉଁରି ଭିତରେ ମୁହୂର୍ତ୍ତ ପରେ ମୁହୂର୍ତ୍ତ କଟାଇ ଥିଲେ । ନୀରବ ଦର୍ଶକ ଭାବରେ ଠିଆହୋଇ ଦେଖୁଥିଲେ ସୁର । ଖୁସି ସମୟରେ କାନ୍ଦିବାର କାରଣ କ’ଣ ଥାଇପାରେ । ଅନୁଧ୍ୟାନ କରୁଥିଲେ ସୁର । ସେ ପରିସ୍ଥିତିକୁ ଲଘୁ କରିବା ଉଦ୍ଦେଶ୍ୟରେ କହିଲେ, ‘ଜାଣ ଗୀତା–ମଳୟ ଗୋଟିଏ ଝିଅକୁ ପ୍ରାଣଠାରୁ ବଳି ଭଲ ପାଇଥିଲା, ହେଲେ ଆମ ଦୁହିଁଙ୍କି ସେ ଭୁଲରେ ବି କହିନି । ହେଲେ ଅଚେତ ଅବସ୍ଥାରେ ସବୁ ପ୍ରଳାପ ମାଧ୍ୟମରେ ପ୍ରକାଶ ପାଇଗଲା । ହୁଏତ ତୁମକୁ ଦେଖି ସେ ତା’ର ପ୍ରଣୟିନୀ ବୋଲି ଭାବି ନେଇଥିଲା । ଆଚ୍ଛା କହତ ମଳୟ ସେ ଝିଅଟି କିଏ, ଯଦି ପାରିବି....ତୁମ ଦୁହିଙ୍କ ମନର କୁହୁଳା ନିଆଁକୁ ଲିଭାଇଦେବି, ସିପ୍ରା ତ ମରିଗଲେ । ତା’ପରେ ଏ ବିବାହରରେ ତୁ ଖୁସି ନ ଥିଲୁ । ବର୍ତ୍ତମାନ ପୁରୁଣା ପ୍ରେମିକାକୁ, ନୂଆ କରି ନେଇ ସଂସାର ଗଢ଼ । ଏତେ ଭାବ-ପ୍ରବଣ ହୋଇ ଜୀବନକୁ ଜାଳି ପୋଡ଼ି ଦେ’ନା, କହ ସେ ଝିଅ କିଏ, କେଉଁଠି ତା’ ଘର । କ’ଣ ତା’ର ନାଁ....’ ।

 

ମଳୟ ଲୁହ ପୋଛିଲା । ସିଧା ଚାହିଁଲା ଗୀତା ମୁହଁକୁ, ଗମ୍ଭୀର କଣ୍ଠରେ କହିଲା–‘‘ତୁମ ଦୁହିଁଙ୍କୁ ଲୁଚାଇବା ଭଳି କ’ଣ ଯେ ଅଛି ଆଜି ସୁଦ୍ଧା ତାହା ମୋର କଳ୍ପନାର ପର୍ଯ୍ୟାୟଭୁକ୍ତ ହୋଇ ନାହିଁ । ତୋର ହୁଏତ ମନେଥିବ, ଯେଉଁଦିନ ତୋର ବାପା ମତେ ସାଥୀରେ ନେଇ ଆସିଥିଲେ ଖାଇବାକୁ ନ ପାଇ ପଢ଼ା ବହି ବିକ୍ରି କରୁଥିଲି । ବାପା ବୋଉ ମରିଗଲେ, କରଜ ଟଙ୍କା ପାଇଁ ଜମି ନିଲାମ ହେଲା । ସେଇ ଦିନ ମଉସା ଦରିଦ୍ରତାର ଅନ୍ଧାରରୁ ସାଉଁଟି ଆଣିଥିଲେ । ପ୍ରଥମେ ଆସି ତୁମରି ଘରେ ଦେଖିଥିଲି ଗୀତାକୁ ମଉସା ପରିଚୟ କରାଇଥିଲେ । ‘ନମସ୍କାର କର ଗୀତା, ଏ ତୋର ମଳୟ ଭାଇ’, ସେଇଦିନଠାରୁ ସେ ମତେ ବାନ୍ଧିଥିଲା ମମତାର ବନ୍ଧନରେ, ସମୟର ଆବର୍ତ୍ତନରେ ସେ ବନ୍ଧନ ହୋଇଥିଲା ସୁଦୃଢ଼ । ତାରି ପାଖରୁ ପାଇଥିଲି, ମା’ର ମମତା, ଭଗ୍ନୀର ସ୍ନେହ, ଆଉ ବାନ୍ଧବୀର ପ୍ରାଣକିଣା ବ୍ୟବହାର....ଆଉ ତୁ ଥିଲୁ ମୋର ବନ୍ଧୁ ସହକର୍ମୀ, ସର୍ବୋପରି ବଡ଼ ଭାଇଟି ଭଳି । ଭାଇ ଭଳି ମୋ ଭିତରେ କୌଣସି କଥାବାର୍ତ୍ତାରେ ବାଧା ନ ଥିଲା, ତୁମରି ପରିବାର ସହ ମୋ ଜୀବନ ଗଡ଼ି ଚାଲିଲା ସୂତାଗୁନ୍ଥା ମାଳିପରି । ପରିବର୍ତ୍ତନଶୀଳ ଏ ଦୁନିଆରେ କୌଣସି କାରଣ ବଶତଃ ସମସ୍ତଙ୍କୁ ନ ଜଣାଇ ମୁଁ ହେଲି ନିରୁଦ୍ଦିଷ୍ଟ । ତୁମ ସମସ୍ତଙ୍କ ଆଖିର ଅନ୍ତରାଳରେ ରହି ମୋର ଜୀବନ ଗଡ଼ିଚାଲିଲା ଶଗଡ଼ ଚକ ଭଳି ! ଟିଉସନ କରି ବି.ଏ. ପାସ୍‍କଲି–ବିବାହ କଲି । ପ୍ରଚୁର ସମ୍ପତ୍ତିର ଅଧିକାରୀ ହେଲି । ତଥାପି–ତଥାପି ମୋ ମନ ଭିତରେ କେଉଁଠି ଚୋରାବାଲି ରହିଗଲା, ମୋ ମନ ସିନ୍ଦୁକର ଚାବିଟି ଥରେ ହଜାର ଆଉ ଫେରି ପାଇଲି ନାହିଁ । ପ୍ରଥମ-ପ୍ରଣୟ ମନକୁ ମୋର ମାରିଦେଲା । ନିର୍ବାପିତ ଜୀବନ ମୋର ପୁଣି ତୁମ ଦୁହିଁଙ୍କ ଦୟାରୁ ଜଳି ଉଠିଲା । ବର୍ତ୍ତମାନ ତମେମାନେ ହିଁ ମୋର ଏକାନ୍ତ ଆପଣାର । ତତେ ଲୁଚାଇ ରଖିବାର କିଛି ନାହିଁ । ତଥାପି କହୁଛି, ସେ ଝିଅକୁ ତୁ ଜାଣୁ, ଦେଖିଛୁ, ଚିହ୍ନିଛୁ–ହେଲେ ସେ–ସେ ମୋ ପାଇଁ ମରିଯାଇଛି । କହି ଝଡ଼ ବେଗରେ ଅପସରି ଗଲା ମଳୟ । ସେଇ ନିବିଡ଼ ଅନ୍ଧକାର ଭିତରେ ସୁର ଡାକ କେବଳ ପ୍ରତିଧ୍ୱନି ସୃଷ୍ଟି କରୁଥିଲା......

 

ଆକାଶରେ ଘୋଟିଆସୁଥିଲା ଅଦିନିଆ ମେଘ–ବାସନ୍ତୀ ସନ୍ଧ୍ୟାର ସମସ୍ତ ମାଧୁରୀକୁ ପ୍ରତିହତ କରି ଆକାଶ ଅଙ୍ଗନରେ ନାଚୁଥିଲା ମେଘର ଅଭିସାର; ଆଖି ଝଲସା ବିଜୁଳି ସହ ଟୋପା ଟୋପା ବର୍ଷା ଅଜାଡ଼ି ହୋଇ ପଡ଼ିଲା, ପବନର ସାଇଁ ସାଇଁ ଗର୍ଜନରେ କାନ ହେଉଥିଲା ସ୍ତବ୍ଧ । ମୁଠା ମୁଠା ବିଜୁଳି ଚହଲି ଉଠୁଥିଲା କାକକୃଷ୍ଣ ମେଘର ଜୁଆର ଭିତରୁ । ହାତରେ ଛତା ଖଣ୍ଡେ ଧରି ସୁର ବାହାରି ପଡ଼ିଲେ, ମଳୟର ଅନୁସନ୍ଧାନରେ ! ନା–ବୃଥା ଚେଷ୍ଟା–ଏ ବର୍ଷା ପବନର କୋଳାକୋଳି ଭିତରେ ମଳୟ କୁଆଡ଼େ ଯେ ଗଲା ଆଉ ଖୋଜି ହେଲା ନାହିଁ ।

 

ଉପରକୁ ଚାହିଁଲେ ସୁର । ପରିବ୍ୟାପ୍ତ ଆକାଶର ଛାତି ଉପରେ ଅଜସ୍ର ମେଘଖଣ୍ଡର ଆଲୋଡ଼ନ । ବିଷଣ୍ଣ ମୁଖର ବାଦଲର ଛାୟାଚ୍ଛନ୍ନ କାଳିମା ଆକାଶ ଅଙ୍ଗନରେ ପ୍ରାଣବନ୍ତ ମେଘ ମହ୍ଲାରର ପୂରବୀ ବ୍ୟର୍ଥ । ମନୋରଥ ହୋଇ ଫେରି ଦେଖିଲେ ଖୋଲା ଝରକାର ଲୁହା ରେଲିଂ ଧରି ବାହାରକୁ ଚାହିଁଛି ଗୀତା । ତା’ର ଅଲକ୍ଷ୍ୟରେ ଶାଢ଼ିପଣତଟି ଖସି ଲୋଟୁଛି ତଳେ । ବିନ୍ଦୁ ବିନ୍ଦୁ ବର୍ଷା ଛିଟାରେ ତା’ର ବ୍ଲାଉଜ ଓଦା ହୋଇ ଯାଇଛି ! ତଥାପି ସେ ଅନ୍ୟମନସ୍କା ହୋଇ ବର୍ଷଣ ଆକାଶର ବୁକୁରୁ କିଛି ଖୋଜିବାରେ ଲାଗିଛି । ଖଟ ଉପରେ ଶୋଇଛି ଆରାମରେ ଦୀପାଳି । ବିଜୁଳି ଝଲସିଲା ଆକାଶରେ । ଘର ଭିତରଟା ବି ଆଲୋକିତ ହେଲା କ୍ଷଣକ ପାଇଁ । ସୁର ସୁଇଚ୍‌ଟି ଅନ୍‌ କରୁ କରୁ ମୌନାବତୀ ଗୀତାର ପଣତଟି ଟାଣି ଦେଇ ଡାକିଲେ–ଗୀତା–ବର୍ଷାରେ ଓଦା ହୋଇଛ ଯେ, ଲୁଗା ବଦଳି ପକାଅ । ଗୀତା ଚାପା କଣ୍ଠରେ କହିଲା ତୁମେ ବି ତ ଓଦା ହୋଇଛ ଯେ !

 

ହଁ–ବର୍ଷା ଛାଡ଼ିଲେ ବାହାରକୁ ଯିବି, ଏ ବର୍ଷାରେ ମଳୟଟା କେଉଁଠି ରହିବ ! ଏଇ ଖାମଖେୟାଲି ଢଙ୍ଗ ତା’ର ଆଜିଯାଏ ଗଲା ନାହିଁ । ଗୀତା କହିଲା–ବୃଥାରେ ଖୋଜି ନିଜକୁ କଷ୍ଟ ଦେଇ ଲାଭ ନାହିଁ । ବର୍ଷାରେ ଭିଜିବାରେ ଯେ କି ଆନନ୍ଦ ତା’ କେବଳ ସେଇ ଜାଣନ୍ତି । ଆଃ....ମୋ ମନ ହେଉଛି ମୁଁ ଯଦି ଏଇ ମେଘଖଣ୍ଡ ପରି ଆକାଶର ଛାତିରେ ମିଶିଯାଇ ପାରନ୍ତି ଯେମିତି ମିଶିଗଲେ ମଳୟ, କହି ହସିଲା ସେ । ସେ ହସ ମଲା ଜହ୍ନ ଭଳି ପାଣ୍ଡୁର ବିବର୍ଣ୍ଣ । ଆଶ୍ଚର୍ଯ୍ୟ ଏ ନାରୀ–ପୋହଳା ଏଣ୍ଡୁଅ ପରି ବିଚିତ୍ରମୟୀ, ମଳୟକୁ ସେ ପିଲାଟି ବେଳୁ ଶ୍ରଦ୍ଧା କରି ଆସିଛି । ଉଭୟେ ମୁହୂର୍ତ୍ତକ ଆଗରୁ ମିଳନ ଆନନ୍ଦରେ ଅଶ୍ରୁ ବର୍ଷଣ କରୁଥିଲେ । ଅଥଚ ସେଇ ମଳୟ, ବର୍ଷା ପବନରେ ଘୂରି ଚାଲିଗଲା । ତଥାପି ଗୀତା ମନରେ ସାମାନ୍ୟ ଗ୍ଳାନି ନାହିଁ ! ବାସ୍ତବିକ ଏହାହିଁ ଛଇଳୀ ନାରୀର ଅସଲ ପରିଚୟ ! ମନେ ରଖିଛି କହି, ଭୁଲି ଯିବାର ଅଭିନୟ କରେ । ଭୁଲି ଯାଇଛି କହି; ବେଶି ବେଶି ମନେ ପକାଏ । ତେବେ ଗୀତା କ’ଣ ମଳୟକୁ ପ୍ରେମ କରେ, ଭଲପାଏ-!

 

X X X

 

ଭାବନା ଅସମାପ୍ତ ରହିଗଲା ଦରଜା ଉନ୍ମୋଚନରେ । ହାତ ଘଣ୍ଟାକୁ ଚାହିଁଲେ ସୁରବାବୁ; ବାରଟା ବାଜି ତିରିଶ ମିନିଟ୍‌ । ମାତ୍ର କେତୋଟି ଘଣ୍ଟା ଭିତରେ ଦୀର୍ଘ ଛଅବର୍ଷର ଘଟଣାର ପୃଷ୍ଠା ପଢ଼ିଗଲେ ସେ । ଅତୀତର ସମସ୍ତ ଘଟଣା ଛାୟାବାଜିର କୁହୁକ ଭଳି ତାଙ୍କ ଆଖି ଆଗରେ ନାଚି ନାଚି ଚାଲିଗଲା । ...କଳ୍ପନା ରାଜ୍ୟରୁ ବାସ୍ତବତାକୁ ଫେରି ଦେଖିଲେ, ଆଗରେ ତାଙ୍କର ନବବଧୂ ଚପଳା । ଅଙ୍ଗେ ଅଙ୍ଗେ ତାଙ୍କର ଖେଳିଗଲା ଆଦିମ କ୍ଷୁଧାର ତୀବ୍ର କମ୍ପନ, ସେ ସତୃଷ୍ଣ ନୟନରେ ଚପଳାକୁ ଚାହିଁଲେ । ଚପଳାର ଅନାବୃତ ଅଙ୍ଗରୁ ଝରୁଛି ଲାବଣ୍ୟ ମଦିରା, ସ୍ନିଗ୍ଧ ରୁଚିର ବେଣୀସଜ୍ଜାରୁ ଆସୁଛି ମନ ମତାଣିଆ ସୁରଭି । ଏ ସୁଗନ୍ଧି ଏ ଲାବଣ୍ୟକୁ ହାତ ବଢ଼ାଇ ଆଣିବାକୁ ହେବ । ଦେହର ଶିରାରେ ସମ୍ଭୋଗର ଯେଉଁ ଦୁରନ୍ତ ଝଡ଼ ଉଠୁଛି, ତା’ର ଏକମାତ୍ର ସମାଧାନ ଚପଳାର ଯୌବନ ପରିପୁଷ୍ଟ ଦେହ ।

 

ତା’ର ଲାଜ ଭାଙ୍ଗିଲେ, ସେ ବେକ ଭାଙ୍ଗି ଚାହିଁବ; ଆନତ, ଅନାୟତ ଆଖିରେ ଫୁଟି ଉଠିବ କାମନାର ଚମକ; ଗୋଲାପି ଅଧର ଯୁଗଳ ଥରି ଥରି ଆହ୍ୱାନ କରିବ ଆଉ ଦୁଇଟି ଅଧରକୁ ! ସୁରବାବୁ ପରମ ଆଗ୍ରହରେ ଚପଳାକୁ ଗଭୀର ଆଶ୍ଳେଷ କରି ତା’ର ଗଣ୍ଡରେ ଆଙ୍କିଦେଲେ ପ୍ରେମର ପ୍ରଥମ ସ୍ମାରକୀ । ଚପଳା ମନ୍ଦାର ଫୁଲର ପାଖୁଡ଼ା ପରି ଗୋଟାପଣେ ଲାଲ ପଡ଼ିଗଲା, ଦୁଇଟି ଦେହ ହେଲା ଏକ । ଗୀତାର ସ୍ମୃତି ରହିଗଲା କାହିଁ କେଉଁ ଅନ୍ଧାରି କୋଣରେ, ଚପଳାର ଆବିର୍ଭାବରେ ଲୁଚିଗଲା ତା’ର ସୌମ୍ୟ ସ୍ନିଗ୍ଧ ମୁହଁର ଛାୟା । ଅଧିକାର କରି ବସିଲା ଚପଳାର ଉଦ୍ଦାମ ଯୌବନର ଚପଳତା ।

 

X X X

 

ପହିଲି ଆଷାଢ଼ର ଗୋଟିଏ ଉଦାସ ସନ୍ଧ୍ୟା, ବାହାରେ ବର୍ଷା ଆଉ ପବନର ବିରାଟ ତାଣ୍ଡବ । ସୁରବାବୁ, ଗୋଟାଏ ମ୍ୟାଗାଜିନ୍‌ର ପୃଷ୍ଠା ଓଲଟାଇ ଚାଲିଛନ୍ତି । ଦମକା ଦମକା ଶୀତୁଆ ପବନ କବାଟ ଝରକା ପିଟି ଭିତରକୁ ପଶି ଆସୁଛି ।

 

ଧୀର ପଦକ୍ଷେପରେ ଘର ଭିତରକୁ ପଶିଆସିଲା ଚପଳା । ଅତି ସନ୍ତର୍ପଣରେ ବୁଜି ଧରିଲା ସୁରବାବୁଙ୍କର ଆଖି ଦୁଇଟି । ନବ ପରିଣିତା ଚପଳାର ମନ ଥରି ଉଠୁଥାଏ ଏଇ ବର୍ଷଣ ମୁଖର ସନ୍ଧ୍ୟାରେ । ମିଳନ ଆଶାରେ ତା’ର ପ୍ରତ୍ୟେକ ଅବୟବରେ ବେପଥୁ ।

 

ଚମକି ପଡ଼ିଲେ ସୁରବାବୁ !

 

–ଛାଡ଼ ! ମୁଁ ଜାଣି ସାରିଲିଣି । ତୁମ କୋକନଦ ପାପୁଲିର ପରଶ ମୋର ଅପରିଚିତ ନୁହେଁ–ହାତ ଛାଡ଼ି ଚେୟାରକୁ ଆଉଜି ଠିଆ ହେଲା ଚପଳା । ଆଖିରେ ତା’ର ଅକୁହା-ନିବେଦନ ।

 

–ବସ–ଠିଆ ହୋଇ ରହିଲ କାହିଁକି ।

 

ଝରକା କବାଟ ବନ୍ଦ କରି ଗୋଟିଏ ଚେୟାର ଅଧିକାର କରି ବସିଲା ଚପଳା । ସୁରବାବୁ ମ୍ୟାଗାଜିନ୍‍ର ପୃଷ୍ଠା ଓଲଟାଉ ଓଲଟାଉ ଆଗ୍ରହରେ କହିଲେ, ‘‘ଚପଳା ! ଏ ବର୍ଷଣ ସନ୍ଧ୍ୟାରେ ତୁମ ହାତର ଚା’ କପେ ଖାଇବାକୁ ଭାରି ଇଚ୍ଛା ହେଉଛି ।’’

 

‘ପ୍ରେମାତୁରା ଚପଳାର ମନ ଭାଙ୍ଗିଗଲା, ସୁରବାବୁଙ୍କର ଏ ଉଦାସ କଥାରେ; ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲେ–

 

–କାହିଁକି ‘ଦୀନା’ କ’ଣ ନାହିଁ ?

 

ନା–ତାକୁ ହଠାତ୍‌ ଜ୍ୱର ଆସିଲା । ବୁଢ଼ା ଲୋକ । ତାକୁ ଘରକୁ ଯିବାକୁ କହିଥିଲି । ହୁଏତ ସେ ଚାଲି ଯାଇଛି; ତୁମେ ଯାଅ ରାତ୍ରି ପାଇଁ ମଧ୍ୟ ଜଳଖିଆ କରିଆଣ; ଶୀଘ୍ର ଖିଆ ସାରି ବସି ବସି ଗପ କରିବ ! ଦେଖୁନା କି ବର୍ଷା ! ଏଭଳି ସମୟରେ ବସି ବସି କଥା ହେବାରେ କି ଆନନ୍ଦ !

 

–ମୋର ବି ଦେହ ଭଲ ନାହିଁ । ଥଣ୍ଡା ହେଲେ ମୋର ମୁଣ୍ଡ ଧରେ, ମୁଁ ଆଦୌ କିଛି କରି ପାରିବି ନାହିଁ । ଦୀପାକୁ କୁହ । ସେ ଚା’ କରିଆଣୁ ।

 

ଦୀପା କି ଚା’ କରିବ ଚପଳା; ସାତ ବର୍ଷର ଝିଅ । ଯିଏ ନିଜ ହାତରେ ଖାଇ ବି ଜାଣେନା...କଥା ସାରିବାକୁ ନ ଦେଇ ଆହତା ଫଣୀ ସଦୃଶ ଗର୍ଜି ଉଠିଲା ଚପଳା–ଚା’ ଟିକେ କରିପାରିବ ନାହିଁ । ହେଲେ ଖାଇତ ବେଶ୍‌ ପାରୁଚି । ତମେ ହିଁ ତାକୁ ଏଭଳି ଆଦର କରି ମୁଣ୍ଡରେ ବସାଇ ଦେଇଛ । ନଚେତ୍‌, ଗୋଟାଏ ମୁହୂର୍ତ୍ତରେ ତାକୁ ମୁଁ ସିଧା କରିଦିଅନ୍ତି, ସେ ଯାହା ହେଉ....ମୁଁ କିଛି କରିପାରିବି ନାହିଁ । ତା’ପରେ ତୁମର ଯା ଇଚ୍ଛା ତା’ କର–କହି ଖଟ ଉପରେ ଶୋଇଲା ଚପଳା । ପାଖରେ ଥିବା ଅଧାପଢ଼ା ଉପନ୍ୟାସ ଖଣ୍ଡକର ପୃଷ୍ଠା ଖୋଲି ବସିଲା ।

 

ନିର୍ବାକ୍‌ ହୋଇ ବସିଥିଲେ ସୁରବାବୁ, ଦର ଆଉଜା କବାଟ ଠେଲି ଘର ଭିତରକୁ ପଶିଲା ଦୀପା; ପିନ୍ଧିଥିବା ଫ୍ରକ୍‌ ଖଣ୍ଡି ମଇଳା । ବର୍ଷା ଛିଟାରେ ଓଦା ହୋଇଛି । ମଥାର କେଶଗୁଡ଼ିକ ନୁଖୁରା ଫୁରୁ ଫୁରୁ । ସୁନ୍ଦର ମୁହଁଟି ଝାଉଁଳି ଯାଇଛି ଝରା ଶେଫାଳୀ ପରି । ଆଖି କଣରେ ଢଳ ଢଳ ଲୁହ; ଦୀର୍ଘ ଦଶଦିନ ହେଲା ସୁରବାବୁ ତା’ର କୌଣସି ଖବର ରଖି ନାହାନ୍ତି ।

 

ଫିକା ମନରେ ଦୀପା ଚାହିଁଲା ଚପଳାକୁ, ପିଲା ମନ ତା’ର ବୁଝୁ ନଥିଲା ଚପଳାକୁ ବୋଉ ବୋଲି ମାନି ନେବାକୁ । କଅଁଳ ମନ ତଳେ ଅବୁଝା ପ୍ରଶ୍ନର ଲହରୀ ! କାହିଁ ତା’ ବୋଉ ଏପରି ନୁହେଁ । ତାକୁ କୋଳରେ ବସାଏ । ଗେଲକରି ଚୁମା ଦିଏ, ମୁଣ୍ଡ କୁଣ୍ଡାଇ ସଜ କରି ଦିଏ । ଏ ବୋଉ ତ କିଛି କରୁନି ।

 

ତଥାପି ଦୀପା, ତା’ର ନୂଆବୋଉକୁ ଦେଖି ମୁଗ୍ଧ ହୋଇଥିଲା । ପିଲାମାନେ ବି ରୂପର ଉପାସକ ହେଇଥାନ୍ତି । ଗୋଟିଏ ଲାବଣ୍ୟମୟୀ ମୂର୍ତ୍ତି ନାନାପ୍ରକାର ଅଳଙ୍କାର ଲଗାଇ ଖଟ ଉପରେ ଶୋଇଥିଲା, ଆଉ ପଢ଼ୁଥିଲା ଉପନ୍ୟାସ ! ଦୀପା ଉପସ୍ଥିତି ଜାଣି ବି ସିଏ ଥିଲା ନୀରବ । ଦୀପା, ତା’ର ଚଲା ପଥରେ କଣ୍ଟା । ତାକୁ ସ୍ନେହ ମମତା ଦେଇ କୋଳକୁ ଆଣିବା ସର୍ପ ଶାବକକୁ ଦୁଗ୍ଧ ପିଆଇ ପୋଷିବା ମାରାତ୍ମକ !

 

ଦୀପା ଅତି ଆବେଗରେ ଚପଳାର କାନି ଟାଣି ଧରି ଡାକିଲା ‘ବୋଉ’ । ଏ ଆବେଗପୂର୍ଣ୍ଣ ବାତ୍ସଲ୍ୟ ମମତାର ଉତ୍ତର ଚପଳା ଦେଇ ପାରିଲା ନାହିଁ, ସେ ଦେଖୁଥିଲା ପ୍ରେମର ସୁଖ ସ୍ୱପ୍ନ । ଯୌବନର ମଦମୟ ତରଙ୍ଗରେ ମନ ତା’ର ଆନ୍ଦୋଳିତ ହେଉଥିଲା । ଏ ସମ୍ବୋଧନ ତାକୁ ଲଜ୍ଜାକର ଅପ୍ରିୟ ବୋଧ ହେଲା । ସେ ଚିଡ଼ି ଉଠି କହିଲା ମୋତେ ବୋଉ ବୋଲି ଆଉ ଥରେ ବି ଡାକିବୁ ନାହିଁ । ଯା–ବାହାର ଏ ଘରୁ, କି ଅପରିଷ୍କାର ହୋଇଛି । ଦୀପାର ହାତ ଧରି ବାହାରେ ଛାଡ଼ିଦେଇ ଆସିଲା ।

 

ଦୀପାର ଆଖିରେ ଲୁହ ଛଳ ଛଳ ହୋଇ ଆସିଲା । ସେ ବିକଳ ହୋଇ ଚାହିଁଲା ସୁରବାବୁଙ୍କ ଆଡ଼କୁ । କି କରୁଣ ସେ ଚାହାଣି ! ହେଲେ ନୀରବରେ ବସି ସବୁ ଦେଖୁଥିଲେ ସୁର । କରିବାର କିଛି ନାହିଁ ବା କହିବାର ସାହସ ନାହିଁ । ବିଶେଷ କରି ଚପଳାର ଆସିବା ପରଠୁଁ ଦୀପା ଉପରୁ ମାୟା ମମତା କମି ଯାଇଥିଲା କ୍ରମଶଃ । ଦୀପା ଦେହରେ ତାଙ୍କ ରକ୍ତର ଏତେ ଟିକିଏ ସମ୍ପର୍କ ନ ଥିଲା । କେବଳ ଗୀତା ପାଇଁ ଦୀପା ଥିଲା ତା’ର ଆଦରର ଧନ । ଚପଳା ପାଦ ଦେବା ଦିନଠୁ ଗୀତାକୁ ସେ ପାସୋରି ପକାଇଛନ୍ତି । ବର୍ତ୍ତମାନ ଚପଳାକୁ ଖୁସି କରିବା ତାଙ୍କର ପ୍ରଧାନ କର୍ତ୍ତବ୍ୟ, ଦୀପାକୁ ସ୍ନେହ କଲେ ଚପଳା ଯେ ରାଗି ଉଠିବ ! ଆଖି ବୁଲାଇ ଚପଳାକୁ ଚାହିଁଲେ ସୁରବାବୁ, ପୁଣି ଥରେ ପ୍ରକୃତି ରାଣୀର ଭୟଙ୍କର ରୂପକୁ ଦେଖି କମ୍ପି ଉଠିଲେ । ବାହାରେ ପବନ ସାଇଁ ସାଇଁ ଗର୍ଜୁଛି, ବଗିଚାର ଗଛପତ୍ର ତୀବ୍ର ଭାବରେ ଝଙ୍କୃତ ହେଉଛି, ବର୍ଷା ସାଥିରେ ବିଜୁଳିର ବିରାମ ନାହିଁ । ବର୍ଷା ରାତ୍ରିର ଗୋଟାଏ ମାଦକତା ଅଛି । ପ୍ରତି ଅଣୁରେ ଭରିଦିଏ ଗୋଟାଏ ଅବଦମିତ ଉତ୍ତେଜନା, ଖୁବ୍‌ ପାଖରେ ବସିଛି ଚପଳା । ସୁନ୍ଦରୀ ଷୋଡ଼ଶୀ ନବବଧୂ । ଯାହାର ମଧୁର ଛନ୍ଦପାତରେ ବନ ମୃଗୀର ଚପଳତା, ଯାହାର ଶାଣିତ ବକ୍ର ଚାହାଣିରେ ଆଲୌକିକ ସୁଷମା-। ଯାହାର ଦରହାସରେ ପୁରୁଷର ଭୃଙ୍ଗମନ ହୁଏ ରସ ପ୍ଳାବିତ, ଯାହାର କଟିଦେଶ, ବକ୍ଷୋଜରେ ସୀମାହୀନ ସୌନ୍ଦର୍ଯ୍ୟର ଅପରୂପ ସମ୍ଭାର, ସେହି ଫୁଟନ୍ତ କଳିକା ସମ ଚପଳାର ବନ୍ଧୁର ବୁକୁରେ ତାଙ୍କର ଦୃଷ୍ଟି ନିବଦ୍ଧ ଥିଲା–ପ୍ରବଳ ଆସକ୍ତିରେ ସେ ପାଖକୁ ଟାଣି ଆଣିଲେ ଚପଳାକୁ, ଆଉ ଅନୁରାଗ ରଞ୍ଜିତ ଗଳାରେ କହିଉଠିଥିଲେ–ଚା’ କରିବା ପ୍ରୟୋଜନ ନାହିଁ ।

 

ଆଲମିରାରୁ ବିସ୍କୁଟ ଟିଣଟା ନେଇ ଆସ । ତାକୁ ହିଁ ଖାଇ ରାତିଟା କଟାଇ ଦିଆଯାଇପାରେ । ହେଲେ ତୁମକୁ କ୍ଷଣକ ପାଇଁ ଏ ମେଘ ମେଦୁର ଲଗନରେ ପାଖ ଛଡ଼ା କରି ହେବ ନାହିଁ । ଯାଅ ଚପଳା, ଦରଜା ବନ୍ଦ କର । ମୋର ଦେହ ଖାଲି ଚାହୁଁଛି ତୁମ ଦେହ ସହ ଏକାନ୍ତ ଭାବରେ ମିଶିଯିବାକୁ–ଆସ ଚପଳା–କହି ସେ ଆଙ୍କିଦେଲେ ମୁଲାଏମ ଭାବରେ ଏକ ଚୁମ୍ବନ !

 

ବର୍ଷା ଟିକିଏ କମି ଆସିଛି, ରାତି ପ୍ରାୟ ନଅଟା ହେବ, ବିଜୁଳି ଝଲସୁଛି ଆକାଶରେ । ମଝିରେ ମଝିରେ ଘଡ଼ ଘଡ଼ିର ଭୀମ ଭୈରବ ରଡ଼ି । ପବନ ଆଗ ଅପେକ୍ଷା ଆହୁରି ଜୋର୍‌ ଖଟାଇ ତା’ର ବଳ ପ୍ରକାଶ କରୁଛି, ମୂଷଳ ଧାରାରେ ବର୍ଷା ଅଜାଡ଼ିବ ବୋଲି ଚାଲିଛି–ମେଘ ରାଜ୍ୟରେ ବିରାଟ ପଟୁଆର, ଦାଣ୍ଡ ଦୁଆରେ ବସିଛି ଦୀପା; ଘର ଭିତରେ ସୁରେଶ ଓ ଚପଳା ହାସ ପରିହାସରେ ହଜାଇ ଦେଇଛନ୍ତି ନିଜକୁ ।

 

ବାସ୍ତବିକ, ମାତୃହୀନ ସନ୍ତାନ ସଂସାରରେ ସମସ୍ତଙ୍କଠାରୁ ଦୁଃଖୀ । ହତଭାଗ୍ୟ ଶିଶୁ ଦୀପା । ତା’ର ସୃଷ୍ଟିକାରିଣୀ ଜନନୀ ତାକୁ ସୃଷ୍ଟି କରି, ବଞ୍ଚାଇ ରଖିବାର ଅଦମ୍ୟ ଆଶାନେଇ, ଜୀବନ ସଂଗ୍ରାମରେ ଯେତେବେଳେ ପରାଜିତ ହେଲା, ନିୟତିର ନିର୍ମମ ନିର୍ଦ୍ଦେଶରେ ଯେତେବେଳେ ଏ ମର-ଜଗତକୁ ଛାଡ଼ିବାକୁ ବସିଲା ତା’ ଅବ୍ୟବହିତ ପୂର୍ବରୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାସ୍ତା ଧାରରେ ତାକୁ ଶୁଆଇ ଦେଇଥିଲା । ଆଉ ଯିଏ ତାକୁ ରାଜରାସ୍ତାରୁ ତୋଳି ଆଣି ଟେକି ଦେଇଥିଲା ଗୀତା ହାତରେ, ଆଜି ନିୟତିର ରଥ ଚକ୍ରରେ ଘୂରି ବୁଲୁଛି କକ୍ଷଚ୍ୟୁତ ଉଲ୍‌କା ପରି । ନିଃସନ୍ତାନା ସ୍ନେହମୟୀ ଗୀତା, ତାକୁ ନିଜର ସନ୍ତାନ ମନେକରି ଆଦରରେ ତୋଳି ଧରିଥିଲା ବୁକୁ ଉପରେ; ସମସ୍ତ ଆଦର ସରାଗ କରି ବଢ଼ାଇ ଥିଲା, କେତୋଟି ବର୍ଷ । ସେ ବି ଆଜି ନାହିଁ, କାଳର ନିଷ୍ଠୁର ଗତାନୁଗତିକ ନିୟମ ମାନି, ସିଏ ବି ଚାଲିଗଲା ଦୀପାକୁ ନିରିମାଖି କରି-!

 

ସ୍ରଷ୍ଟାଙ୍କର ଏ ଗୂଢ଼ ରହସ୍ୟ । ଅଜ୍ଞାନ ଶିଶୁ ଦୀପା, ବା ବୁଝିବ କାହୁଁ । ସେ ତା’ର ଛୋଟ ମନ ନେଇ ଭାବୁଥିଲା ।

 

ବୋଉ ଥିଲା ତାକୁ ସମସ୍ତେ ଭଲ ପାଉଥିଲେ । ବୋଉ ମରିଗଲା, ପରଠୁ ସମସ୍ତେ ତା’ ଉପରେ ନିଷ୍ଠୁର ହୋଇଛନ୍ତି । ବାପାଙ୍କ ଆଖିରେ ମଧ୍ୟ ସେ ପୂର୍ବ ସ୍ନେହ ଜ୍ୟୋତି ରହିଲା ନାହିଁ !

 

ଏଇ କେତୋଟି ଦିନ ତଳେ ବାପା, ତାକୁ ନ ଦେଖିଥିଲେ ଖାଇ ବି ପାରୁ ନ ଥିଲେ । ଅବୁଝା ହୋଇ କାନ୍ଦିଲେ ତାଙ୍କ ଆଖିରେ ଲୁହ ଜମି ଯାଉଥିଲା । ଗୋଟିଏ ମୁହୂର୍ତ୍ତ ତାକୁ ପାଖଛଡ଼ା କରିଗଲେ ସେ ପାଗଳ ପରି ଧାଇଁ ଆସି କୋଳକୁ ନେଉଥିଲେ । ସେଇ ବାପା, ଆଜି ବଦଳି ଯାଇଛନ୍ତି । ବର୍ଷା ଅନ୍ଧାର ରାତିରେ ବାହାରେ କାନ୍ଦୁଥିବା ମାତୃହୀନା ଦୀପାର କଥା ମନରେ ବି ଧରୁ ନାହାନ୍ତି !

 

ନିର୍ବୋଧ ବାଳିକା କାହୁଁ ବା ବୁଝିବ; ସେ ଷୋଡ଼ଶୀ ସୁନ୍ଦରୀ ପ୍ରେମରେ ଆତ୍ମହରା, ଦିଗଶୂନ୍ୟ । ଆଖିରେ ତାଙ୍କର ଯୌବନର ଝଲକ, ଦେହ ରୂପସ୍ନାନ ପାଇଁ ପ୍ରବଳ ପ୍ରତ୍ୟାଶୀ ।

 

ଧନ୍ୟ ପ୍ରେମ ! ଧନ୍ୟ ତୋର କୁହୁକ ଚାତୁରୀ !

 

ପ୍ରେମ ଯାହା ପାଖରେ ବଡ଼, ନାରୀ ଯାହା ପାଖରେ ବିଳାସର ସାମଗ୍ରୀ, ସେଠାରେ ହୃଦୟଭରା ଭଲ ପାଇବାର ଅବକାଶ ନ ଥାଏ । ସେମାନେ ମନର ହେନା ଫୁଲର ସୌରଭକୁ ଗ୍ରହଣ କରିପାରନ୍ତି ନାହିଁ । ତାଙ୍କ ପାଖରେ ଦେହର ପଳାଶଟି ଅତ୍ୟନ୍ତ ଦରକାରୀ । ଆଖିର ଲୁହ ସ୍ନେହର ମୂଲ୍ୟ ସେ ବୁଝନ୍ତି ନାହିଁ, ଖୋଜନ୍ତି ଦୈହିକ ତୃଷ୍ଣା । ସେଇ ଜାନ୍ତବ କ୍ଷୁଧାର ଉଚ୍ଚତମ ଶୃଙ୍ଗ ଦେଇ ବାତ୍ସଲ୍ୟ ମମତାର କ୍ଷୀଣ ଝରଣା ବହି ପାରନ୍ତା କିପରି ।

 

ପୁଣି ଗୋଟାଏ ସୁଦୀପ୍ତ ବିଦ୍ୟୁତ୍‌ ଝଲସି ଉଠିଲା । ତାକୁ ଅନୁସରଣ କରି ଗୋଟାଏ ଦୀର୍ଘ ସମୟ ବ୍ୟାପି ବଜ୍ର, ତା’ର ପ୍ରଚଣ୍ଡ ଶବ୍ଦରେ ଘର ଭିତରଟା ଦୁଲୁକି ଉଠିଲା । ଚପଳା ଭୟରେ ଚମକି ପଡ଼ି ବାହାରକୁ ଚାହିଁଲା ।

 

ବାହାରେ କ’ଣ ଦେଖୁଛ ଚପଳା !

 

ଏଇ ଘଡ଼ଘଡ଼ିଟା ମ । ଏଇ ପାଖରେ ଖସି ପଡ଼ିଲା ବୋଧେ । ଇସ୍‌ ! କି ଝଡ଼ । ସୁରବାବୁ ଚପଳାର ହାତଟିକୁ ଟାଣିଧରି କହିଲେ, ତୁମର ଏ ରୂପ ଯୌବନର ଦୁରନ୍ତ ଝଡ଼ ପାଖରେ ପ୍ରକୃତିର ଝଡ଼ ହୋଇଛି, ମଳିନ ନିଷ୍ପ୍ରଭ ! ପ୍ରକୃତିର ବାତ୍ୟାରେ ହଜି ଯାଉଛି କେତେ ଗଛ, ଫୁଲ, ଫଳ । ମାତ୍ର ତୁମର ଯୌବନ ଝଡ଼ରେ ମତେ ଭସାଇ ଦିଅ ଚପଳା । ତୁମର ଏଇ କମଳା ପାଖୁଡ଼ା ପରି ଅଧରରେ ଅନେକ ମଧୁ ଅଛି । ମୁଁ ଆଜି ଆକଣ୍ଠ ଭାବରେ ପାନ କରିବାକୁ ଚାହେ । ଆସ... ! ଚପଳାକୁ ବାହୁ ବନ୍ଧନରେ ବାନ୍ଧି ଶୋଇଲେ ସୁରବାବୁ, ମଶାରି ପଡ଼ିଲା, ଆଲୁଅ ଲିଭିଲା ।

 

ଦୀପାର ଆଖିରେ ନିଦ ନାହିଁ, ମନରେ ଡରଭୟ ନାହିଁ । ସେ ଖାଲି ବସି ବସି ଭାବୁଛି । ତା’ ବୋଉ କଥା । ଆଗେ ସେ ଜାଣିଥିଲା ଖାଲି କାନ୍ଦିବ । ତା’ର ବିକଳ କାନ୍ଦଣା ଶୁଣି ତା’ ବୋଉ ଧାଇଁଆସି ତାକୁ କୋଳକୁ ନେବ । ମାତ୍ର ସେ ଧାରଣା ତା’ର ଭାଙ୍ଗିଗଲାଣି । ସେ ଜାଣି ପାରିଲାଣି ତା’ର ବୋଉ ମରି ଯାଇଛି । ଯେତେ କାନ୍ଦିଲେ ବି ସେ ଆଉ ଫେରିବ ନାହିଁ । ତେବେ ସେ ବଞ୍ଚିବ କିପରି ।

 

ରାତ୍ରି କ୍ରମଶଃ ଗଭୀର ହୋଇ ଆସିଲା । ପବନର ଆଘାତରେ ବଗିଚାର କେଉଁ ନାମହୀନ ଫୁଲଗଛର ଡାଳ ଭାଙ୍ଗି ପଡ଼ିଲା କଟ୍‌ମଟ୍‌ ଶବ୍ଦ କରି । ଭୟରେ ପାଟିକରି ଉଠିଲା ଦୀପା, ଇଲୋ ବୋଉଲୋ....ତା’ପରେ ସେ ଭାବିଲା କ’ଣ କରିବ । କୁଆଡ଼କୁ ଯିବ, ଦୁଆରତ ନୂଆବୋଉ ବନ୍ଦ କରି ଦେଇଛି । ପେଟରେ ଭୋକ । ବର୍ଷା ପବନର ଦାଉରେ ଦେହ ଥରି ଉଠୁଛି ଶୀତରେ । ପୁଣି ରାତି ଅନ୍ଧାର–ଆଠ ବର୍ଷର ବାଳିକା ଦୀପା । ତା’ର ବା କେତେ ଦମ୍ଭ, ଏତେଗୁଡ଼ାଏ ଦୈନ୍ୟକୁ ଏଡ଼ିଦେଇ ପାରନ୍ତା । ଅତି ଉଚ୍ଚ ସ୍ୱରରେ ବିକଳ ହୋଇ ନିଃସହାୟ ଭାବେ କାନ୍ଦି ଉଠିଲା ସେ ।

 

ସେ କାନ୍ଦଣା ସୁରେଶ ଚପଳାଙ୍କର କାନକୁ ଶୁଭିଲାକି ନା କହି ହେବନି । କିନ୍ତୁ ଘନ ଘନ ପ୍ରତିଧ୍ୱନିତ ହେଲା ବୁଢ଼ା ଚାକର ଦୀନବନ୍ଧୁ କାନରେ । ସେ ଥୟ ଧରି ରହିପାରିଲା ନାହିଁ । ଦେହରେ ଖଇଫୁଟା ତାତି । ତଥାପି ହାତରେ ଖଣ୍ଡିଏ ପଖିଆ ଓ ବାଉଁସ ବାଡ଼ି ଆଉ ଅଧା ମଇଳା ଲଣ୍ଠନଟି ଧରି ଆସି ଦେଖେ ତ, ଦୀପା ବାହାର ବାରଣ୍ଡାରେ ବସି କାନ୍ଦୁଛି ।

 

ଦୀନବନ୍ଧୁକୁ ପାଖରେ ଦେଖି ଦୀପା ତାକୁ ଜାବୁଡ଼ି ଧରି କହିଲା–ତୁ କାହିଁକି ଆସିଲୁ ଦୀନା, ମୋ ବୋଉ ମରିଛି । ମୁଁ ମରିବି, ତୁ କାହିଁକି ମତେ ନବାପାଇଁ ଆସିଛୁ । ନୂଆବୋଉ ଘରୁ ତଡ଼ି ଦେଲା । ବାପା ବି କିଛି କହିଲେ ନାହିଁ । କେତେ କାନ୍ଦିଲି, କେହି ଶୁଣିଲେ ନାହିଁ । ମୁଁ ସକାଳୁ କିଛି ଖାଇନି । ତୁ ଘରକୁ ଚାଲିଗଲୁ, ମତେ କିଏ ଖାଇବାକୁ ଦେଇଥାନ୍ତା କହତ !

 

ଛଳ ଛଳ ଆଖିରେ ଦୀନା ଦୀପାକୁ କାଖ କଲା । ପେଜୁଆ ଆଖି ପତାରୁ ଲୁହ ଝରିଲା ନାହିଁ ସତ ମାତ୍ର ମନ ଥରି ଉଠିଲା । ଖଣ୍ଡିଏ ଛିଣ୍ଡା ଗାମୁଛାରେ ସେ ପୋଛି ପକାଇଲା ଦୀପାକୁ । ଅଟାର ଚକୁଳି ଖଣ୍ଡିଏ ଖାଇ ପରମ ନିଶ୍ଚିନ୍ତରେ ଦୀନା କୋଳରେ ଶୋଇ ପଡ଼ିଲା ଦୀପା ।

 

ସ୍ନେହର କି ନିବିଡ଼ ଆକର୍ଷଣ ! ଭାଗ୍ୟର କି ଅଦ୍ଭୁତ ପରିବର୍ତ୍ତନ ! ଦୀପା ଜନ୍ମ ନେଲା କେଉଁଠି । ସ୍ରୋତ ମୁହଁରୁ ଫୁଲପରି ଆସି ଲାଗିଲା ଗୀତାର କୋଳରେ । ଯୋଉ ଦୀପାକୁ ବୋଉର କୋଳ ବ୍ୟତୀତ ଶେଯ ଗଦିରେ ନିଦ ଲାଗୁ ନ ଥିଲା, ସେ ଶୋଇଛି ବର୍ଷା ଭିଜା ମାଟି ଘରର ଛିଣ୍ଡା ମସିଣାରେ । ଯାହାକୁ ଖୁଆଇବା ପାଇଁ କେତେ ପ୍ରକାର ଗପ କହି କେତେ ସୁମିଷ୍ଟ ଖାଦ୍ୟ ଖୁଆଇଥିଲା ଗୀତା ସେଇ ଅଲିଅଳି ଦୀପା ଜଠର ଜ୍ୱାଳାରେ ଖାଲି ଅଟାର ଚକୁଳି ପିଠା ଖଣ୍ଡିଏ ଖାଇ ନିଜର ଉଦର ଜ୍ୱାଳାକୁ ନିର୍ବାପିତ କଲା ।

 

ଧନ୍ୟ ନିୟତି ! ଧନ୍ୟ ତୋର ବିଚିତ୍ର ବିଧାନ ! କାହାକୁ ଜନ୍ମକାଳୁ ଦୁଃଖ ଦରିଆରେ ପକାଇ ଉବୁଟୁବୁ କରୁତ କାହାକୁ ସୁଖ ରାଜ୍ୟର ଅଧୀଶ୍ୱର କରୁ, କାହାକୁ ଦେଉ ପାଲିଙ୍କି ଉପରେ ପାଟଛତା–ଆଉ କେଉଁଠି ଗରିବ ନିରାଶ୍ରୟା ବିଧବା ବୁଢ଼ୀର ଏକମାତ୍ର ସମ୍ବଳ ହରଣ କରିନେଉ । ବିଚିତ୍ର ତୋର ଲୀଳା ! ଅବୁଝା ତୋର ନୀତି, ତେଣୁ ତୋ ନାମ ଲୀଳାମୟ !

 

X X X

 

ଦୁଃଖ ଉପରେ ଦୁଃଖ ଆସେ । ବିପଦ ପରେ ବିପଦ ଘନାଏ । ଦୀପା ସେ ଚିରାଚରିତ୍ର ପ୍ରଥାରୁ ବାଦ୍‍ ଯା’ନ୍ତା କିପରି । ସମୟ ଗଡ଼ିଚାଲେ । କାହାରି ବେଦନା ହତାଶା ନୈରାଶ୍ୟକୁ ଅପେକ୍ଷା ନ କରି ନିୟତି ତା’ର କର୍ତ୍ତବ୍ୟ କରିଚାଲେ ଆଗକୁ । ଯେତେ ଚେଷ୍ଟା କଲେ ବି ଜୀବଜଗତ ସେଥିରୁ ଉଧୁରି ଯାଇପାରେନା । ଜୀବର ସକଳ ଗର୍ବ, ଦମ୍ଭ, ଶକ୍ତି, ସାଧନା ସବୁ ପରାସ୍ତ ହୁଏ ଅଦେଖା ହାତର ନୀରବ ଇଙ୍ଗିତ ପାଖରେ !

 

ବହୁ ଦୁର୍ଦ୍ଦଶା ଭିତରେ ଗଡ଼ିଚାଲେ ଦୀପାର ସମୟ । ଛୋଟ ଛୋଟ ହାତ ପାଦ ନେଇ ସେ କରେ ଅନେକ କାମ । ଟିକିଏ ଅବସର ପାଇଲେ । ଲୁଚି ଲୁଚି ସେ ଧାଇଁଯାଏ କଇଁ ପୋଖରୀ ହୁଡ଼ାର ବୁଢ଼ା ବରଗଛ ମୂଳକୁ । ଯେଉଁଠି ତା’ର ବୋଉ ଡାକ ହଜିଯାଇଛି, ସେଇଠାରେ ବସି ସେ କାନ୍ଦେ । ଛୋଟ ମନଟିର ସମସ୍ତ ଗ୍ଳାନି ଅଶ୍ରୁ ରୂପରେ ଝରିପଡ଼େ ପାଉଁଶ ଗଦା ଉପରେ ।

 

ଦିନ ପରେ ମାସ, ମାସ ପରେ ବର୍ଷ ଗଡ଼ିଗଲେ । ସମୟ ସାଥିରେ ତାଳ ଦେଇ, ବିଭିନ୍ନ ଋତୁରେ ହସି ଉଠେ, ସେଇ କଇଁ ପୋଖରୀ, ଆଉ ବାଲିକୁଦ ତଳର ଛୋଟ ବୁଦୁ ବୁଦୁକିଆ ଗଛଗୁଡ଼ିକ । ତା’ ସାଥିରେ ହସିଉଠେ ବୁଢ଼ା ବରଗଛଟି । ମାତ୍ର ‘ଦୀପା’ ଜୀବନରେ କିଛି ପରିବର୍ତ୍ତନ ଆସେନାହିଁ । ବାସନ ମଜାଠାରୁ ବିଛଣା ସଜା ପର୍ଯ୍ୟନ୍ତ ସବୁ ସେ କରେ । ଟିକେ ଟିକେ ତ୍ରୁଟିରେ ତା’ର ଗୋରା ତକ ତକ ପିଠି ଚପଳାର ବେତ୍ରାଘାତରେ ଫାଟିଯାଏ । ସୁରବାବୁ ଚପଳାକୁ ଡରି କିଛି କହି ପାରନ୍ତି ନାହିଁ ।

 

ଏ ବିଶାଳ ଧରାରେ ଦୀପା ପାଇଁ ସାନ୍ତ୍ୱନା ଦେବାକୁ କେହି ନାହିଁ । ଦଉଡ଼ି ପଳାଇ ଆସେ ଦୀପା, ସେଇ ବୁଢ଼ା ବରଗଛ ମୂଳକୁ, କରୁଣ ସ୍ୱରରେ ଡାକେ ବୋଉ, ଗଛ ପତ୍ର ଗହଳି ଭିତରେ ବୋଉକୁ ଖୋଜେ ଦୀପା, ଦୁଃଖରେ ଗଛପତ୍ର ବି କାନ୍ଦି ଉଠନ୍ତି । ମାତ୍ର ତରଳେ ନାହିଁ ନିଷ୍ଠୁର ନିର୍ମମ ମଣିଷର ମନ ।

 

ଗ୍ରୀଷ୍ମ ଆସେ । ବାଲିକୁଦ ଉପରେ ଖେଳି ବୁଲେ ମରୀଚିକା । ବଇଶାଖର ତାଳୁଫଟା ଖରାରେ ଜମି ଚଷୁଥିବା କୃଷକ ଖରା ସହ୍ୟ କରି ନପାରି, ହଳ ଫିଟାଇ ସେଇ ବୁଢ଼ା ବରଗଛ ମୂଳରେ ବସି ବିଶ୍ରାମ କରେ । କଇଁ ପୋଖରୀରୁ ପାଣି ପିଇ ନିଜର ତୃଷା ମେଣ୍ଟାଏ । ଚଲା ପଥର ପଥିକ ବି ନିଜର ଶ୍ରମ ଅପନୋଦନ ପାଇଁ ଘଡ଼ିଏ ବସିପଡ଼େ ସେଇ ବରଗଛ ମୂଳରେ । ବାଲିକୁଦ ଉପରୁ ଅଜଣା ଫୁଲର ସୁବାସ । ବାଟଚଲା ବାଟୋଇର ଘ୍ରାଣେନ୍ଦ୍ରିୟ ହୋଇ ଉଠେ ସଜାଗ । ପଥଚଲା କ୍ଳାନ୍ତି ଅପସରି ଯାଏ । ପଥିକ ବଣଫୁଲର ସୌରଭରେ ଆତ୍ମହରା ହୋଇ ଚତୁର୍ଦ୍ଦିଗକୁ ମମତା ରସାଣିତ ଦୃଷ୍ଟିରେ ଅନାଏ ।

 

ଆଖିରେ ତା’ର ପଡ଼େ, ଛିଣ୍ଡା ଫ୍ରକ୍‌ ପିନ୍ଧା ଝିଅଟିଏ ମୁଣ୍ଡ, ଫୁରୁ ଫୁରୁ କରି ତତଲା ବାଲି ଉପରେ ଏପାଖୁ ସେପାଖ ଘୂରି ବୁଲୁଥାଏ । ବିକଳ, କଣ୍ଠରେ ବେଳେ ବେଳେ ଡାକି ଉଠେ ବୋଉ....ବୋଉ !

 

ପଥଚଲା ପଥିକର ଅନ୍ତର ତଳେ ବାଜିଉଠେ ବ୍ୟଥାର ବେଣୁ । ଭୁଲିଯାଏ ପଥଚଲା କ୍ଳାନ୍ତି । ପାସୋରି ପକାଏ ବାଲିକୁଦର ମନୋମୁଗ୍ଧକର ଶୀତଳ ଛାୟା । ଥରା କଣ୍ଠରେ ଡାକେ–

 

‘ମା’

 

ପିଲାଟି ବୁଲି ଚାହେଁ । ବିଦ୍ୟୁତ୍‌ ବେଗରେ ଧାଇଁ ଆସେ ପଥିକର କୋଳକୁ । କାନ୍ଦି କାନ୍ଦି କହି ପକାଏ ?

 

–ବୋଉ–

 

ପଥିକର ଆଖିରୁ ଦୁଇଟୋପା ଲୁହ ତା’ର ମଥାରେ ଖସିପଡ଼େ । ସେ ଆଶ୍ଚର୍ଯ୍ୟ ହୋଇ ପଚାରେ–ତୋ ବୋଉ କୁଆଡ଼କୁ ଯାଇଛି ମା– !

 

ପିଲାଟି ଦୂରେଇ ଯାଏ । ଅବୁଝା ଆଖିରେ ଚାହିଁ କହେ–

 

ତୁମେ ମୋ ବୋଉ ନୁହଁ ।

 

ତା’ପରେ କାନ୍ଦି କାନ୍ଦି ସେ ପଳାଇ ଯାଏ । ପଥିକ ଭାଷା ପାଏନା ବୁଝାଇବାକୁ । କ’ଣ ବା କହି ବୋଧ କରିବ ମାତୃହୀନା ଅବୋଧ ବାଳିକାକୁ !

 

ଗ୍ରୀଷ୍ମ ପରେ ଆସେ ବର୍ଷା, ନୀଳ ଆକାଶରେ ବାଦଲ ଖେଳି ବୁଲେ, ବାରିପାତରେ ପ୍ରକୃତି ଥରି ଉଠେ, ବଜ୍ର ନିର୍ଘୋଷରେ ଦିଗନ୍ତ କମ୍ପି ଉଠେ । ଧରା ବୁକୁରେ ଶ୍ୟାମଳିମା ଉକୁଟି ଉଠେ । ବର୍ଷା ଯାଏ ଆସେ ଶୀତ । ଧରା ବକ୍ଷରେ ଶିଶିରର ମୁକ୍ତା ବିନ୍ଦୁ ବିଛାଡ଼ି ହୋଇ ପଡ଼େ । କୁହୁଡ଼ିରେ ବାଲିକୁଦଟି ଅଚଳ ଦାନବ ପରି ଦେଖାଯାଏ ।

 

ଆସେ ବସନ୍ତ–ତା’ର ସହଚର ମଳୟକୁ ସାଥିରେ ନେଇ । ଆଗମନୀ ଗୀତିକା ଗାଏ କୋକିଳ । ଚୂତପାଦପରେ ମୁକୁଳ ହସେ । ବଣୁଆ ଲତାର ମୁକୁଳିତ କବରୀରେ ମଳୟର ସ୍ନିଗ୍ଧ ପରଶ ଲାଗି ହସି ହସି ହସାଇ ଦିଏ ବାଲିକୁଦର ଚତୁର୍ଦ୍ଦିଗକୁ ।

 

ଋତୁ ପରିବର୍ତ୍ତନରେ ବାଲିକୁଦ ବକ୍ଷରେ ନାନାପ୍ରକାର ସୁଷମା ଦେଖାଦିଏ, ନିଦାଘ ଓ ବର୍ଷାରେ ବାଲିକୁଦ ଅଟଳ, ଅଚଳ; ଶିଶିର ବସନ୍ତରେ ସରସ ସୁନ୍ଦର, ମାତ୍ର ସବୁ ସମୟରେ ଶୁଣିବାକୁ ମିଳେ ଗୋଟିଏ ବାଳିକାର ଆରତ କରୁଣ କ୍ରନ୍ଦନ ।

 

ବର୍ଷାର ଦିଗହଜା ବାରିପାତ ଭିତରେ, ତନ୍ଦ୍ରାଚ୍ଛନ୍ନ କୁହୁଡ଼ି ଭିତରେ ଶୁଭେ ସେଇ ଝୋଲାମରା ଡାକ......‘ବୋଉ’....

 

ବାଟ ଚଲା ବାଟୋଇ ମନରେ ପ୍ରଶ୍ନ ଉଠେ । –ଆହା ! କେଡ଼େ ସୁନ୍ଦର ପିଲାଟିଏ ! ଏହାର କ’ଣ କେହି ନାହିଁ । ମାତ୍ର ଉତ୍ତର ମିଳେନା, ଆଖିରେ ଆଖିଏ ଲୁହ ଘେନି ପଥିକ ଗନ୍ତବ୍ୟ ପଥରେ ଆଗେଇ ଯାଏ ବାଲିକୁଦ ମଶାଣି ହୁଡ଼ା ପାଖରୁ ।

 

X X X

 

ପ୍ରଭାତୀ ଆକାଶର ଦୂର ଦିଗ୍‌ବଳୟର ବୁକୁ ଚିରି ସୂର୍ଯ୍ୟ ଧୀରେ ଧୀରେ ଉଠି ଆସିଲେଣି । ସାରା ଜଗତ ବାଳସୂର୍ଯ୍ୟଙ୍କର କନକ ଆଭାରେ ଉକୁଟି ଉଠୁଛି । ସୁରବାବୁଙ୍କର ନିଦ ଭାଙ୍ଗିଛି ଅନେକ ଆଗରୁ । ସେ ଯିବେ ଟୁରରେ ଚାରିଦିନ ପାଇଁ ସମ୍ବଲପୁର । ଜିନିଷପତ୍ର ସଜାଡ଼ୁ ସଜାଡ଼ୁ ସେ ଡାକ ପକାଇଥାନ୍ତି–ଚପଳା–

 

ମାତ୍ର ଚପଳା, ଆଖିରେ ବହଳ ନିଦର ଅଞ୍ଜନ ।

 

–ଚପଳା–ଉଠ ମୁଁ ଯିବି ଯେ ।

 

କର ଲେଉଟାଇ ବିରକ୍ତ ହେଲା ଚପଳା–ନିଦୁଆ ଆଖିରେ ତା’ର ବିରକ୍ତିର କଟାକ୍ଷ । –ତମେ ଜାଣ, ସକାଳୁ ଉଠିଲେ ମତେ ଥଣ୍ଡା ଧରେ ।

 

ତମେ ଭାବୁଛ ସକାଳ ହୋଇଛି । ଆସି ଆଠଟା ବାଜିବାକୁ ବସିଲାଣି । ମୁଁ ପରା ସମ୍ବଲପୁର ଯିବି ।

 

ଅଳସ ଭାଙ୍ଗି ମୁହଁ ଧୋଇବାକୁ ତଳକୁ ଗଲାବେଳେ କହିଗଲା ଚପଳା, ଆଜି ନଗଲେ ହବନି–

 

ଚପଳାର ଚଲାପଥକୁ ଚାହିଁ ସୁରବାବୁ ଭାବୁଥିଲେ । କେଡ଼େ ଅବୁଝା ଏ ଚପଳା–ଚାକିରି କରି କର୍ତ୍ତବ୍ୟରେ କ’ଣ ଅବହେଳା କରିହୁଏ ? ସବୁ ଜାଣି ତଥାପି ସେଇ ଅବୁଝା ପ୍ରଶ୍ନ । ଲେଦର ସୁଟକେସ୍‌ ଭିତରେ କେତେଟା ଜିନିଷ ରଖୁ ରଖୁ ଆଖି ତାଙ୍କର ଧାଇଁଗଲା ଝରକା ଦେଇ ରାଜ ରାସ୍ତା ଉପରକୁ । ଶିଶିର ଭିଜା ଘାସ ଉପରେ କଅଁଳ ଖରା ପଡ଼ି ଚିକ୍‌ ଚିକ୍‌ କରୁଛି; ହଠାତ୍‌ ଗେଟ୍‌ ପାଖରେ ନୀଳ ରଙ୍ଗର କାର୍‍ଟିଏ ବ୍ରେକ୍‌ କସିଲା ।

 

କାର୍‌ର ଦରଜା ଖୋଲି ବାହାରି ଆସିଲେ ବନ୍ଦନା ଦେବୀ । ଗୀତାର ବାଲ୍ୟ ସଙ୍ଗିନୀ । ଏତେ ସକାଳୁ ଆସିବାର ଅଭିପ୍ରାୟ ଯେ କ’ଣ ହୋଇପାରେ ଚିନ୍ତା କରୁଥିଲେ ସୁରେଶ । ଗୀତା, ମୃତ୍ୟୁ ପରେ ତାଙ୍କର ଆସିବା ଏଇ ପ୍ରଥମ । ତଥାପି ଅନ୍ୟଦ୍ୱାରା ଦୀପାର ଖବର ସେ ସଦାସର୍ବଦା ନେଉଥିଲେ । ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି, ସମ୍ବଲପୁରୀ ପର୍ଦା ଆଡ଼େଇ ଘର ଭିତରକୁ ପଶିଆସିଲେ–ବନ୍ଦନା–

 

–ନମସ୍କାର–

 

–ନମସ୍କାର–ଜଣାଇ ବସିବାକୁ ଅନୁରୋଧ କଲେ ସୁରବାବୁ । ଚେୟାରଟିରେ ବସୁ, ବସୁ ବନ୍ଦନା କହିଲେ । ‘‘ଅସମୟରେ ଆପଣଙ୍କୁ ବିରକ୍ତ କଲି–କ୍ଷମା କରିବେ !’’

 

–ଆରେ–ନା, ଏକ’ଣ କହୁଛ–ବନ୍ଦନା– !

 

–ମତେ ଏ ଅସମୟରେ ଆପଣ ସାହାଯ୍ୟ କରନ୍ତୁ ।

 

–କ’ଣ ହୋଇଛି । ତମେ ଏକବାରେ ଭାଙ୍ଗିପଡ଼ିଛ ଯେ–କାହିଁକି ? ବିନୟ ବାବୁ, ଦଶଦିନ ହେଲା ଏଠାରେ ନାହାନ୍ତି । କାଲି ରାତ୍ରିରେ ମୋର ସର୍ବସ୍ୱ ଚୋରି ଯାଇଛି, ମୋର ଗହଣା ମଧ୍ୟ ଖଣ୍ଡିଏ ନାହିଁ । ଆପଣ ମତେ ଏ ବିପଦରେ ସାହାଯ୍ୟ କରନ୍ତୁ । କହୁ କହୁ ତାଙ୍କର ଆଖି ଲୋତକ ପୂର୍ଣ୍ଣ ହେଲା । ବିଶେଷ କରି ପ୍ରିୟତମା ସଙ୍ଗିନୀ ଗୀତାର ଅନୁପସ୍ଥିତି–ତାଙ୍କ ପ୍ରାଣକୁ ଆନ୍ଦୋଳିତ କରୁଥିଲା ।

 

ସୁରବାବୁ, କିନ୍ତୁ ଭାବୁଥିଲେ କ’ଣ କରିବେ ସେ, ଦୀର୍ଘଦିନ ବନ୍ଧୁତାର ଦାବିନେଇ ମଉଳା ଆଖିପତା ତଳେ ନୈରାଶ୍ୟର ଆକୁଳତା ଭରି, ଯେତେବେଳେ ବନ୍ଦନା ତାଙ୍କ ଦୁଆରେ ପାଦ ଦେଇଛନ୍ତି, ନ ଗଲେ ସେ ଆଘାତ ପାଇବେ । ଏଣେ ଅଫିସ୍‌ କାମ ପାଇଁ ସମ୍ବଲପୁର ଯିବା ନିହାତି ଜରୁରି ।

 

ସତୃଷ୍ଣ ନୟନରେ ସୁରବାବୁ ଚାହିଁଲେ ବନ୍ଦନାକୁ । ସୁନ୍ଦର ମୁହଁରେ ଦୁଃଖ ନୈରାଶ୍ୟ ଓ ହତାଶାର ଛାପ ସୁସ୍ପଷ୍ଟ । ନୀଳ ନୟନରେ ଢଳ ଢଳ ଲୁହ । ଗୀତା ଆଉ ବନ୍ଦନା ଠିକ୍‍ ଗୋଟିଏ ବୃନ୍ତର ଦୁଇଟି କୁସୁମ ଭଳି । ରୂପରେ–କଥାରେ, ହସରେ ଅନେକଟା ସାମ୍ୟ ଥିଲା ପରି ଲାଗୁଥିଲା ତାଙ୍କୁ । ଅଜାଣତରେ ଗୋଟାଏ ଦୀର୍ଘଶ୍ୱାସ ବାହାରି ଶୂନ୍ୟରେ ମିଳାଇଗଲା । ଗୀତା ନାହିଁ, ଆଉ ବନ୍ଦନା ତା’ର ସାହାଯ୍ୟ ପ୍ରାର୍ଥନୀ ।

 

ଆଚ୍ଛା ବନ୍ଦନା–ଥାନାକୁ ଖବର ଦେଇଛ ?

 

–ନା–କଣ୍ଟରେ ତା’ର ଅସହାୟତାର ସ୍ଫୁରଣ !

 

ହଉ ବ୍ୟସ୍ତ ହବାର କିଛି କାରଣ ନାହିଁ । ମୁଁ ଏହି ମୁହୂର୍ତ୍ତରୁ ସେ ସମସ୍ତ ଦାୟିତ୍ୱ ନେଲି । ଗୀତାର ବାନ୍ଧବୀ ତମେ । ସେ ମରିଗଲେ ମଧ୍ୟ ତୁମ ପ୍ରତି ମୋର କର୍ତ୍ତବ୍ୟ ଅଛି । କହି ସେ ଚପଳା ଉଦ୍ଦେଶ୍ୟରେ କହି ଉଠିଲେ ।

 

ଦୀପା–ମାଉସୀ ପାଇଁ ତୋର–ଚା’ ଆଣ–

 

ହଠାତ୍‌ ପର୍ଦା ଆଡ଼େଇ ଘର ଭିତରକୁ ପଶି ଆସିଲା–ଚପଳା–

 

ବ୍ୟସ୍ତ ହୋଇ ଉଠିଲା ବନ୍ଦନା–ମନର ଅନ୍ତରାଳରେ ନିଜର ଦୁର୍ଦ୍ଦଶାକୁ ଲୁଚାଇ ରଖି ଫେରି ଆସିଲା ବାସ୍ତବତାର ସମ୍ମୁଖୀନ ହେବାକୁ । ଉଠିପଡ଼ି ସେ ଚପଳାକୁ ଦୁଇହାତ ଯୋଡ଼ି ନମସ୍କାର ଜଣାଇଲା !

 

ହେଲେ–ଚପଳା ମନରେ ସନ୍ଦେହର ଘନକୁହେଳି ।

 

ଶିଷ୍ଟାଚାର ଜଗି ପ୍ରତିନମସ୍କାର କରିବାକୁ ମଧ୍ୟ ସେ ଭୁଲିଗଲା !

 

ବିବ୍ରତ ହୋଇ ଉଠିଲା ବନ୍ଦନା–ଏଠାକୁ ଆସି ସେ ଭୁଲ କରିଛି–ଚପଳା ଆଖିରେ ଘୃଣା ଓ ଅସହିଷ୍ଣୁତାର ସୂଚନା । କପାଳ ଉପରେ ସନ୍ଦେହର କୁଞ୍ଚିତ ରେଖା–କାହିଁକି !

 

ଉଭୟଙ୍କୁ ଲକ୍ଷ୍ୟ କଲେ ସୁରବାବୁ । ଚପଳାର ଏତାଦୃଶ ବ୍ୟବହାରରେ ମନ ତାଙ୍କର ବିଷେଇ ଉଠିଲା । ତଥାପି ପରିସ୍ଥିତିକୁ ଲଘୁ କରିବା ଉଦ୍ଦେଶ୍ୟରେ କହିଲେ,

 

–ୟାଙ୍କୁ ତମେ ଜାଣନା ଚପଳା–ସେ ଗୀତାର ବାଲ୍ୟ ସାଥୀ–ବନ୍ଦନା ଦାସ, ଏଠା ହସ୍ପିଟାଲ ଡାକ୍ତର ‘ବିନୟ କୁମାର ଦାସ’ଙ୍କର ସ୍ତ୍ରୀ–

 

ତଥାପି ନିରୁତ୍ତରା–ଚପଳା–ସନ୍ଦେହ ଦୋଳିରେ ଝୁଲୁଥିଲା ତା’ର ମନ, ଆତିଥ୍ୟର ନିଦର୍ଶନ କଣ୍ଠରେ ଭରି ସେ ଅନୁରୋଧ କରିପାରିଲାନି ଚେୟାରରୁ ଉଠି ଠିଆହୋଇଥିବା ବନ୍ଦନାକୁ-। –ଆତ୍ମାଭିମାନ ଓ ଅନୁଶୋଚନାରେ ବନ୍ଦନା ଜଳି ଯାଉଥିଲା । ମନ ପର୍ଦା ଭିତରେ ନାଚିଲା ଗୀତା–ଛବି ! ସେ ନାହିଁ, ସୁରେଶ ଘରକୁ ଏକା ଆସି କ’ଣ ସେ ଭୁଲ କରିଛି–ହଁ–ହଁ...ସେ ଭୁଲ କରିଛି । ପୂର୍ବ ପରିଚିତା ହେଲେ ମଧ୍ୟ ସେ ଯୁବତୀ । ନିଜର ସ୍ୱାମୀ ପାଖରେ ସାମାନ୍ୟ ବ୍ୟବଧାନ ରଖି ବସିଥିବା ସୁନ୍ଦରୀ ଯୁବତୀକୁ ଦେଖି, ସ୍ୱଳ୍ପ ଶିକ୍ଷିତା ନବପରିଣିତା ବଧୂ–ଚପଳାର ଅନଭିଜ୍ଞ ମନରେ ଏ ସବୁ ସନ୍ଦେହର ଦ୍ୱନ୍ଦ୍ୱ ନୁହେଁ ତ କ’ଣ, ଛି....କି ସନ୍ଦେହୀ । କ’ଣ ସେ କରିବେ-? ନା...ଯେତେ ଶୀଘ୍ର ଏଠାରୁ ଯିବା ଭଲ–ଦୁଆର ଆଡ଼କୁ ତା’ର ପାଦ ଥର ଥର ହୋଇ ଆଗେଇ ଆସିଲା । ଦମ୍ଭିଲା ପାଦ ଚାଳି ସିଡ଼ିରୁ ଓହ୍ଲାଇ ଯାଉଛି–ଚପଳା–

 

ବନ୍ଦନା–ପଛେ ପଛେ–ଆଗେ ଆଗେ ଚପଳା । ଦୀପା ହାତରେ କପ୍‌ ପ୍ଲେଟରେ ଚା’ ଧରି ପାହାଚରେ ଉଠୁଛି ପୂରିଲା କପ୍‌ରୁ ଗରମ ଚା’ ତଳେ ଢାଳି ହେବା ଭୟରେ । ହଠାତ୍‌ ଚପଳା ସହ ତା’ର କ୍ଷୀଣ ଦେହଟି ଧକ୍‌କା ଖାଇଲା । କପ୍‌ ପ୍ଲେଟ୍‌ ସଶବ୍ଦେ ଖସି ପଡ଼ିଲା ସିମେଣ୍ଟ ଚଟାଣରେ । ତାତିଲା ଚା’ ପଡ଼ି ତା’ର ପାଦ ଦୁଇଟି ସାଙ୍ଗେ ସାଙ୍ଗେ ସିଝିଗଲା । ଚାହୁଁ ଚାହୁଁ ଗୋଡ଼ ସାରା ଫୋଟକା ଉଠିଗଲା । ହେଲେ, ଚପଳାର ନିଷ୍ଠୁର ମନ ତଳେ ସନ୍ଦେହର ଯେଉଁ ଧୂଆଁ କୁହୁଳୁ ଥିଲା, ତାହା ଦୀପା, ଉପରେ ହିଁ ଢଳି ପଡ଼ିଲା । ରାଗରେ ଲାଲ ପଡ଼ି ସେ ଦୀପାକୁ, ସଜୋରେ ଆହୁରି ଏକ ଧକ୍‌କା ଦେଲା । ଛାଟି ହୋଇ ପଡ଼ିଲା ଦୀପା ତଳେ–ଦୁଇ ହାତରେ ବାଧା ଦେଇ ଆଗେଇ ଆସିଲା ବନ୍ଦନା–

 

ଚପଳା ବିରକ୍ତରେ ପାଟିକରି ଉଠିଲା–ଥାଉ–ଏତେଟା ସହାନୁଭୂତି ନ ଦେଖାଇଲେ ଚଳିବ...ଗୋଟାଏ ଗୋଟାଏ ଟି’ ସେଟ୍‌ର ଦାମ୍‌ ଯେ କେତେ ଅନ୍ତତଃ ଜାଣିବା ଦରକାର–ଅପମାନରେ ବନ୍ଦନାର ମୁହଁ କଳାପଡ଼ି ଆସିଲା ହେଲେ ଦୀପାକୁ ଏ ଅବସ୍ଥାରେ ଛାଡ଼ି ରୁମାଲରେ ମୁହଁ ଘୋଡ଼ାଇ ପଳାଇ ଆସିଲା କାର୍‌ ପାଖକୁ ! ଅବଶ ହାତ ତା’ର–ଗାଡ଼ିର ଦରଜା ଖୋଲିଲା ସତ ହେଲେ ମନ ରହିଲା ନିର୍ଯ୍ୟାତିତା ଦୀପା ପାଖରେ । ଚପଳାର ଗାଳି ବର୍ଷଣ ସହ ମାଡ଼ର ଆବାଜ, ଦୀପା’ର ବୁକୁଫଟା କ୍ରନ୍ଦନ ଶୁଣିବା ଭଳି ଧୈର୍ଯ୍ୟ ତାଙ୍କର ନଥିଲା । ସେ ପୁଣି ଥରେ ଘର ଆଡ଼କୁ ଆଖି ପକାଇଲେ । ଦେଖିଲେ ଉପର ମହଲାର ସେଇ ଚେୟାରଟିରେ ସେମିତି ବସିଛନ୍ତି ‘ସୁରବାବୁ’ । ବନ୍ଦନାର ମନ ଘୃଣାରେ ପୂରି ଉଠିଲା–ଛିଃ–ନାରୀର ଇଙ୍ଗିତରେ ପରିଚାଳିତ ସୁରେଶ, ନିଜର ବିବେକକୁ ମଧ୍ୟ ପୋଡ଼ି ଜାଳି ପକାଇଛନ୍ତି । ଗୋଟାଏ ମୁହୂର୍ତ୍ତ ଡେରି ନ କରି ସେ କାର୍‌ ଷ୍ଟାର୍ଟ୍‌ କରି ପଳାଇ ଆସିଲେ । ହେଲେ ନିଜର ବିପଦ ଅପେକ୍ଷା ସେ ଦୀପାର କଷ୍ଟକୁ ବେଶି ଅନୁଭବ କଲେ !

 

କ’ଣ ବା ସିଏ କରି ପାରିବେ । କେମିତି ସେ ଦୀପାକୁ ରାକ୍ଷସୀ ଚପଳା ହାତରୁ ରକ୍ଷା କରି ପାରିବେ ! ଭାବି ଭାବି କୂଳକିନାରା ପାଇଲେ ନାହିଁ । ହଠାତ୍‌ ସେ ନିରାଶର ଅନ୍ଧକାର ଭିତରୁ, ଆଶାର କ୍ଷୀଣ ଆଲୋକ ପାଇଲେ ! ‘ମଳୟ’, ହଁ–ମଳୟହିଁ–ଏ ସମସ୍ୟାର ସମାଧାନ କରିପାରିବେ-!

 

ଗୀତା ଯେ ମଳୟଙ୍କୁ ଭଲ ପାଉଥିଲା । ତାହା ଅନ୍ୟ କେହି ନଜାଣିଲେ ମଧ୍ୟ ବନ୍ଦନା ଜାଣିଥିଲେ ଆଉ ‘ଦୀପା’ ପ୍ରତି, ତାଙ୍କ ସ୍ନେହ ଭଣ୍ଡାର ଥିଲା ଚିରଦିନ ଉନ୍ମୁକ୍ତ । ଗୀତାର ମୃତ୍ୟୁ ଖବର ମଳୟ ଜାଣି ନାହାନ୍ତି । ଅନେକ ଦିନ ଧରି ପତ୍ର ଦେଇ ମଧ୍ୟ ଉତ୍ତର ନ ପାଇ ସେ, ବନ୍ଦନା ପାଖକୁ ଲେଖିଥିଲେ ଚିଠି ଆଉ ଅନୁରୋଧ କରିଥିଲେ ସମସ୍ତ ଭଲ ମନ୍ଦ ଜଣାଇ ଉତ୍ତର ଲେଖିବାକୁ । ହେଲେ ଉତ୍ତର ଯାଇନାହିଁ । –ହଁ ଆଜି ଏଇ ମୁହୂର୍ତ୍ତରେ ସେ ଚିଠି ଲେଖିବେ ମଳୟ ପାଖକୁ–ହେଲେ କ’ଣ ଲେଖିବେ । ଗୀତା–ମରିଯାଇଛି, ଦୀପାର ଅବସ୍ଥା ଶୋଚନୀୟ । ସୁରବାବୁ, ପୁନର୍ବିବାହ କରିଛନ୍ତି । ...ନା ମଳୟ–ଏ ଆଘାତ ସହି ପାରିବ ନାହିଁ । ଧୈର୍ଯ୍ୟର ସେତୁବନ୍ଧ ଭାଙ୍ଗିଯିବ । ବରଂ ସବୁ ଗୋପନ ରଖି ଆସିବା ପାଇଁ ଲେଖିବା ଭଲ; ଚିଠି ଖଣ୍ଡି ଲେଖି ଆଶ୍ୱସ୍ତ ହେଲେ ବନ୍ଦନା–ଆଖି ଆଗରେ ନାଚୁଥିଲା ଦୀପାଳି’ର ଶୁଖିଲା ମୁହଁରେ ଧାର ଧାର ଲୁହର ବନ୍ୟା-

 

ଶାରଦୀୟ ସନ୍ଧ୍ୟା; ମ୍ଳାନ ଗୋଧୂଳିର ସ୍ତିମିତ ଆଭା ହଜି ଯାଇଥିଲା ଦୂର ଦିଗ୍‌ବଳୟ ଅନ୍ତରାଳରେ ! ନୀଳ ନିର୍ମଳ ଆକାଶର ମୁକୁଳାଛାତିଆଡ଼େ ଚାହିଁ ବସିଥିଲେ ମଳୟ–କୋଳ ଉପରେ ମୂର୍ଚ୍ଛିତ ହୋଇ ପଡ଼ିଛି ବେହେଲା, ଶୂନ୍ୟ ଆକାଶ ଅଙ୍ଗନରୁ ଯେପରି ସେ କିଛି ଖୋଜୁଥିଲେ-। ଏମିତି ପ୍ରତିଟି ସନ୍ଧ୍ୟାରେ ମନଟା ତାଙ୍କର ଛଟପଟ ହୋଇ ଉଠେ । ମହଳ ସଞ୍ଜର ବହଳ ଅନ୍ଧାର ଭିତରେ ହଜିଯାଏ ଭାବନା ତାଙ୍କର ।

 

ଦିନଯାକର କର୍ତ୍ତବ୍ୟ ପରେ ମଳୟ ଆସନ୍ତି ଏଇ ଛାତ ଉପରକୁ । ବେହେଲାରେ କେତେ କରୁଣ ରାଗିଣୀ ସୃଷ୍ଟି କରି ସେ କାହାକୁ ଡାକନ୍ତି । ହେଲେ ସବୁ ହୁଏ ବ୍ୟର୍ଥ । କେହି ତାଙ୍କ ବେଦନା ବୁଝେନା, ପୋଛେନା ଆଖିତଳର ଲୁହ ବୁନ୍ଦାକ । ସେ ଜାଣନ୍ତି, ତଥାପି ଅବଶ ହାତ ତାଙ୍କର ଚିରପରିଚିତ ରାଗ ଯୋଗିଆଟି ବଜାଇ କ୍ରମେ କ୍ରମେ ଚଞ୍ଚଳ ହୁଏ । ସଙ୍ଗୀତ ଗୁରୁଙ୍କର ବାକ୍ୟ ତାଙ୍କର କର୍ଣ୍ଣରେ ସବୁ ସମୟରେ ପ୍ରତିଧ୍ୱନିତ ହୁଏ; ‘ଯୋଗିଆର ସ୍ୱର ବିନ୍ୟାସରେ–ସ୍ଥିର ଜଳରେ ତରଙ୍ଗ ସୃଷ୍ଟି ହୁଏ । ବୃକ୍ଷଲତା ମଧ୍ୟ ନୀରବରେ ଅଶ୍ରୁ ମୁଞ୍ଚନ କରନ୍ତି !

 

ହେଲେ କାହିଁ ! ତାଙ୍କର ସକଳ ସାଧନା ବ୍ୟର୍ଥ ହୋଇଛି । ନିଜର ସ୍ୱର ଲହରରେ ସେ ନିଜେ କ୍ଷତ ବିକ୍ଷତ ହୋଇଛନ୍ତି । କୋଳରୁ ବେହେଲାଟିକୁ ଉଠାଇଲେ ମଳୟ, ଆଜି ସେ ମେଘମହ୍ଲାରହିଁ ବଜାଇବେ ! କିନ୍ତୁ ଅଙ୍ଗୁଳିଗୁଡ଼ାକ କମ୍ପୁଛି । ଅସ୍ଥିର ମନନେଇ ସେ କିଛି ବି କରି ପାରିଲେ ନାହିଁ । ...ନା ...ବେହେଲାଟି ଧରି ସେ ଓହ୍ଲାଇ ଆସିଲେ ତଳକୁ ! ଟେବୁଲ ଉପରେ ପଡ଼ିଛି–ବନ୍ଦନାର ଚିଠି ଖଣ୍ଡି । ସେ କେତେ ଧାଡ଼ି ଲେଖାରେ ତାଙ୍କ ମନ ଆକାଶରେ ସୃଷ୍ଟି ହୋଇଛି ପ୍ରବଳ ବାତ୍ୟା । ଅଜଣା ଆଶଙ୍କାରେ ଥରି ଉଠୁଛି ଅଙ୍ଗପ୍ରତ୍ୟଙ୍ଗ !

 

ପୁଣି ଥରେ ସେ ଚିଠିଟି ଉପରେ ଆଖି ବୁଲାଇ ଆଣିଲେ–ବନ୍ଦନା–ଲେଖିଛି–

 

ମଳୟ !

 

ନମସ୍କାର ନେବ ! ତୁମ ଚିଠି ପାଇଛି । ଏ ଚିଠି ପାଇବା ସଙ୍ଗେ ସଙ୍ଗେ ଦିନକ ପାଇଁ ଆସିବ ! ମୁଁ ଭଲ ଅଛି, ବିଳମ୍ବ କରିବ ନାହିଁ । ଏହା ଅତି ଜରୁରି ଅଟେ । । ଇତି ।

 

ବନ୍ଦନା

 

ପୁଣି ଭାବାବିଷ୍ଟ ହେଲେ ମଳୟ ! ବନ୍ଦନାର ଚିଠି ତାଙ୍କୁ ଏକ ପ୍ରହେଳିକା ଭଳି ଲାଗୁଥିଲା । କ’ଣ ପାଇଁ ଏତେ ଶୀଘ୍ର ଯିବାପାଇଁ ଲେଖିଛି ବନ୍ଦନା–ଲେଖିଛି ମୁଁ ଭଲ ଅଛି । ହେଲେ ଲେଖି ନାହିଁ ଗୀତା କଥା–ପ୍ରିୟତମା ଗୀତା–ଆଉ ବନ୍ଦନାର ଏକଦା ପ୍ରିୟ ବାନ୍ଧବୀ ଗୀତା କଥା । ଲେଖିନାହିଁ ଟିକି ଝିଅ ‘ଦୀପାଳି’ ସମ୍ବନ୍ଧରେ । ଯାହା ତାଙ୍କ ଲେଖାର ପ୍ରଶ୍ନ ଥିଲା । ତେବେ ସେମାନେ କ’ଣ ସେଠାରେ ନାହାନ୍ତି ! ଛଅଟି ମାସ ଭିତରେ ଅନେକ ପତ୍ରର ଉତ୍ତର ମିଳିନାହିଁ । ସୁର ଲେଖିନାହିଁ । ଲେଖିନାହିଁ ବି ଗୀତା–କର୍ତ୍ତବ୍ୟର ନିଗୂଢ଼ ବନ୍ଧନ ଭିତରେ ସେ ବି ଥରକ ପାଇଁ ଯାଇପାରି ନାହାନ୍ତି; ନା–ତା’ ବି ନୁହେଁ–ଜାଣି ଜାଣି ଯାଇନାହାନ୍ତି; ଗୀତାକୁ ଦେଖିଲେ ସେ ବାହ୍ୟଜ୍ଞାନ ହରାଇ ବସନ୍ତି । ଭଲ ପାଇବାର ପ୍ରେତଟା ଅତୀତ କବର ଉପରୁ ଉଠିଆସି ତାଙ୍କୁ ବିଚଳିତ କରାଏ ।

 

ଗୀତାର ନିରୁତ୍ସାହ ନିରୁତ୍ତର ଶ୍ରୀହୀନ ମୁଖରୁ ମଳୟ ଯେପରି ଏକ ବେଦନାସିକ୍ତ ଲେଖା ପାଠ କରନ୍ତି !

 

ଯେପରି ତା’ର ମୁହଁଟା ଗୋଟାଏ ଚଳଚ୍ଚିତ୍ରର ପର୍ଦା ଯହିଁରେ ଫୁଟିଉଠେ ତା’ର ବିହ୍ୱଳ ମନର ପ୍ରତିଚ୍ଛବି !

 

ମଳୟ ଦେଖନ୍ତି, ଗୀତା ଅସୁଖୀ, ବିବାହ ତା’ର ବିଫଳ ହୋଇଛି । ଅତୀତର ସେହି ସ୍ୱପ୍ନ ବିଳାସୀ ହାସ୍ୟ ଲାସ୍ୟମୟୀ ଗୀତା ରୂପାନ୍ତରିତ ହୋଇ ଯାଇଛି । ହାୟ ! ଜୀବନରେ କିଛି ବି ପାଇ ପାରିଲା ନାହିଁ । ମନ ତାଙ୍କର ସହାନୁଭୂତିରେ ନଇଁ ଉଠେ !

 

ପର ମୁହୂର୍ତ୍ତରେ ସେ ନିଜକୁ ଆୟତ୍ତ କରନ୍ତି । ଗୀତାର ବ୍ୟକ୍ତିଗତ ଜୀବନର ସୁଖ ଦୁଃଖ ସମ୍ବନ୍ଧରେ ଚିନ୍ତା କରିବାର ଅଧିକାର ତାଙ୍କର ନାହିଁ । ଗୀତା–ଆଜି ତାଙ୍କର ବନ୍ଧୁ ପତ୍ନୀ । ଗୀତା ପାଇଁ ତାଙ୍କର ପରିଚୟ ଏକ ତୃତୀୟ ପୁରୁଷ ମାତ୍ର । ତାକୁ ସେ ଏକଦା ଭଲ ପାଉଥିଲେ,ଏକଥା କହିବାର ନୈତିକ ସାହସ ତାଙ୍କର ନାହିଁ । କେଉଁ ମଧୁ ଲଗନରେ, ଯୌବନର ମଳୟାନିଳରେ ଉଦ୍‌ବୁଦ୍ଧ ହୋଇ ଗୀତାକୁ ସେ ଭଲ ପାଇଥିଲେ । ଅତୀତକୁ ଏହା ଭିତରେ ପୋଛିଦେଇ ପାରିଛନ୍ତି ବୋଲି ସେ ଜୋର୍ କରି ଭାବନ୍ତି । ଅପରିପକ୍ୱ ବୟସର ଏକଦା ମର୍ମରି ଉଠିଥିବା ପ୍ରେମର ସ୍ୱରଲିପି ତାଙ୍କ କାନକୁ ଆସି ବି ଆସେ ନାହିଁ । ତାଙ୍କ ପାଖରେ–ଗୀତା–ଏକ ବିଗତ ମଉଳା ସ୍ୱପ୍ନ ମାତ୍ର । ସେହି ସ୍ୱପ୍ନର ପ୍ରଭାବ ଗନ୍ଧହୀନ–ବର୍ଣ୍ଣହୀନ......ସ୍ୱରହୀନ.....

 

ସେହି ସ୍ୱପ୍ନରୁ ମୁକ୍ତିପାଇଁ ସେ ଦିନକ ପାଇଁ ଯାଇନାହାନ୍ତି । ସେଇ ବର୍ଷନ୍ତ ଆଷାଢ଼ର ଘନାନ୍ଧକାରରେ ଦୀପାକୁ ଛାଡ଼ିଦେଇ ଆସିଥିଲେ ସେତିକି, ଗୀତା–ଅନେକ ଚିଠି ଲେଖିଛି । ସୁର ଲେଖିଛି ଦୀପା ହସିଲାଣି–କଥାକହି ପାରିଲାଣି, ଠୁକୁ ଠୁକୁ ଚାଲୁଛି ! ଭାରି ସୁନ୍ଦର ହୋଇଛି, ଆସିବୁ, ତାକୁ ଦେଖିଯିବୁ । ଦୀପାର ସମସ୍ତ ବାଲ୍ୟ ଚପଳତା ସେ କେବଳ ନିଜ ମନ ମୁକୁରରେ ଦେଖି ଦେଖି ଶାନ୍ତି ପାଇବାକୁ ଉଦ୍ୟମ କରିଛନ୍ତି । ମାତ୍ର ଯାଇ ନାହାନ୍ତି, ହେଲେ ବନ୍ଦନାର ଚିଠି ? ଯିବାପାଇଁ ଅନୁରୋଧ କ’ଣ ପାଇଁ ! ହଁ–ଯିବେ ଦୀପାଳିକୁ ଦେଖିବେ ! ଦେଖିବେ ଏକଦା ମାନସୀ ଗୀତାକୁ । ଆକାଶରେ ବଙ୍କା ଚାନ୍ଦଟି ଉଙ୍କିମାରୁଛି । ଭସା ବାଦଲ କେତୋଟି ଭାସି ବୁଲୁଛନ୍ତି ଲକ୍ଷ୍ୟଚ୍ୟୁତ ହୋଇ–ରାତ୍ରିର ବୟସ ବଢ଼ି ଚାଲିଛି । ଚାରିଆଡ଼େ ରାଜତ୍ୱ କରୁଛି ଅଖଣ୍ଡ ନୀରବତା ! ମେହଗାନି କାଠ ନିର୍ମିତ ଯମଜ ପଲଙ୍କର କୋମଳ ଶଯ୍ୟାରେ ଦଗ୍ଧପ୍ରାଣ ଉତ୍ତୀର୍ଣ୍ଣ ବୟସ ମଳୟ ପଡ଼ିରହିଛନ୍ତି–ସ୍ମୃତିର ଶରଶଯ୍ୟାରେ ସେ । ରକ୍ତାକ୍ତ । ବିରାଟ ସଂସାର ଭିତରେ ସେ ଏକା, ଏହି ଭାବନାରେ ତାଙ୍କର ଆଖି କୋଣରୁ ଝରି ଚାଲିଛି ଅବାରିତ ଅଶ୍ରୁଧାରା । କାନ୍ଦର ଶବ୍ଦରେ ରାତ୍ରିର ନୀରବତା ବ୍ୟାହତ ହେଲା । କିଛି ସମୟ ମନଇଚ୍ଛା କାନ୍ଦିବା ପରେ ଆଖିର ଲୁହ ମରୁଭୂମିରେ ସାମୟିକ ବୃଷ୍ଟିପରି ବାଷ୍ପାୟିତ ହୋଇଗଲା । ଝରିଗଲା ଲୁହବିନ୍ଦୁକୁ ତକିଆର ସୁବୃହତ ଅବୟବ ଅନାୟାସରେ ଆତ୍ମସାତକରି ଦେଇଛି । ସମସ୍ତ ଦୁଶ୍ଚିନ୍ତାକୁ ମନର କଠିଣ ପଥର ତଳେ ଚପାଇ ଶୋଇବାକୁ ଚେଷ୍ଟାକଲେ ମଳୟ !

 

ରାତ୍ରିର ତୃତୀୟ ପ୍ରହର । ମଳୟଙ୍କ ଆଖିରେ ନିଦ, ମନରେ କିନ୍ତୁ ସ୍ୱପ୍ନର ଖେଳ । ଆଖି ଆଗରେ ସଫା ଶାଢି ପିନ୍ଧା ନାରୀମୂର୍ତ୍ତି ! ଯୌବନର ଉଦ୍ଦାମ ରୂପଶ୍ରୀ ନାରୀଟିର ଅତୁଟ ରହିଛି । ଅସଜଡ଼ା କେଶରାଶି ଆଲୁଲାୟିତ; ସୁକୋମଳ ଗଣ୍ଡ ଗୟଳରେ ଗୋଲାପି ଆଭା, ଉଦାସ ନୟନରେ ଅନେକ କବିତାର ଅପ୍ରକାଶ୍ୟ ଶୈଳୀ ! ଅଧରରେ ପଳାଶର ରଙ୍ଗ । ସୀମନ୍ତର ଗୌରରାଜ ପଥଟି ସିନ୍ଦୂରିତ । ଦେହରେ ଅଳଙ୍କାର ନାହିଁ । ଅକୃତ୍ରିମ ସୌନ୍ଦର୍ଯ୍ୟରେ ନାରୀଟି ଅନୁପମ ହୋଇଛି ।

 

ମଳୟ–ନାରୀଟିଏ ଦେଖି ଭାବିବାକୁ ଲାଗିଲେ ।

 

ହଁ ଦେଖିଛନ୍ତି, ଚିହ୍ନିଛନ୍ତି । ହେଲେ କେଉଁଠି !

 

ନାରୀଟି ଏଥର ହସିଲା । ତା’ର ଅଧର ଉପକୂଳରେ ହସର ସ୍ନିଗ୍ଧ ତରଙ୍ଗ ଖେଳି ବୁଲିଲା–ରହି ରହି ସେ କହିଲା ଚିହ୍ନି ପାରୁନା ।

 

–କିଏ ଗୀତାଞ୍ଜଳୀ ।

 

ହଁ–

 

ମୋର ଏହି ଦୀର୍ଘ ନାମଟିର ସଂକ୍ଷିପ୍ତ କରି ତମେତ ଗୀତା ଡାକୁଥିଲ । ଆଉ ସେ ଗୀତାଞ୍ଜଳୀ, କାହିଁକି । ଗୀତା ବୋଲି ଡାକ । ମଳୟ । ସେ ଦରଲିଭା ସ୍ମୃତି ଅନ୍ତତଃ ଫେରିଆସୁ !

 

–ତମେ ଆସିଛ ଗୀତା !

 

ହଁ–ଆସିଛି ? ହେଲେ ମୁଁ ଗୀତା–ନୁହେଁ । ତୁମ ଛିନ୍ନ ପାଣ୍ଡୁଲିପିର ବେଦନାଭରା ଏକ ଗୀତିକବିତା ମାତ୍ର ?

 

–କାହିଁକି ଗୀତା । ତୁମ କଣ୍ଠରେ ଯେ, ବେଦନାର ମୂର୍ଚ୍ଛନା ?

 

–ସେ ବେଦନା ଯେ ତମେହିଁ ମତେ ଉପହାର ଦେଇଛ !

 

....ଓ ....ତେବେ ସେଇଥିପାଇଁ ମତେ ଦାୟୀ କିମ୍ବା ଦୋଷୀ କରିବାକୁ.... ।

 

....ନା–ତୁମକୁ ଦୋଷୀ ବୋଲି ପ୍ରମାଣିତ କରି ମୋର ଆଉ କି ଲାଭ । ଯେଉଁ ଅଭିଯୋଗର ପ୍ରତିକାର ନାହିଁ, ସେପରି ନିଷ୍ଫଳ ଅଭିଯୋଗ ବା ଅଭିମାନର ଅଭିନୟ କରିବା ନିରର୍ଥକ ନୁହେଁ କି ?

 

–ତେବେ ?

 

–ନା ଆସିଛି–ଦୁଃଖ ଅବସାଦର ଅବସାନ ପାଇଁ !

 

କ’ଣ, ସମବେଦନା ଚାହୁଁଛ ! ସେଇଥିପାଇଁ ତ ମୁଁ କହିଥିଲି । ଜୀବନଟାକୁ ଖେଳଭଳି ଗ୍ରହଣ କର ।

 

–ନା ମଳୟ । ପାରିନାହିଁ, ପାରିଲି ନାହିଁ । ଜୀବନଟାକୁ ତାସ୍ ଖେଳର ହାରଜିତ୍ ବୋଲି ଗ୍ରହଣ କରିଥିଲେ ମୁଁ ଅସମୟରେ ଜଳିପୋଡ଼ି ପାଉଁଶ ହୋଇ ନ ଥାନ୍ତି ।

 

‘‘କାହିଁକି ? ବିଭା ହେଲ, ସଂସାର କଲ । ମନ ଉପବନରେ ତୁମର ଭରିଗଲା ଫୁଟନ୍ତ ରଙ୍ଗ ବେରଙ୍ଗ ଫୁଲ ।’’

 

‘‘ତମେ, ମୋର କୁଆଁରୀ ମନତଳେ ଭଲ ପାଇବାର ଯେଉଁ ଦୁରନ୍ତ ଝଡ଼ ବୁହାଇ ଦେଲ ତା’ର ପରିସମାପ୍ତି ପାଇଁ ବିବାହ ନକରି ଆଉ କ’ଣ କରିଥାନ୍ତି । ଯେଉଁ ନିଆଁ ତମେ ମୋ ମନ ଅରଣ୍ୟାନୀରେ ଲଗାଇଥିଲ ସେ କ’ଣ ଲିଭି ପାରିଥାନ୍ତା ତୁମବିନା, ହେଲେ ତୁମେ କାପୁରୁଷଙ୍କ ପରି ପଳାୟନ କଲ ! ମୋର ପବିତ୍ର ଭଲ ପାଇବାର ତାଜଟିକୁ ପାଦରେ ଦଳିଦେଇ ନିଷ୍ଠୁର ହୋଇ-।’’

 

‘‘କ’ଣ କରିଥାନ୍ତି ଗୀତା–ପ୍ରତିବାଦ କରିପାରିଲା ଭଳି ସାହସ ଯେତେବେଳେ ନ ଥିଲା, ଯାହାଙ୍କର ଚେଷ୍ଟା ସାହାଯ୍ୟ ତଥା ସ୍ନେହ ମମତାରେ ମୁଁ ବଢ଼ି ଉଠୁଥିଲି ତାଙ୍କରି ପୁଅ ସୁର ସହ ତୁମର ବିବାହ ବିରୁଦ୍ଧରେ ମୁଁ ଠିଆହୋଇ ପାରିଲି ନାହିଁ । ବିବେକ ବାଧା ଦେଲା, ବାଧ୍ୟହୋଇ ନିରୁଦ୍ଦିଷ୍ଟ ହେଲି । ତୁମର ବଧୂବେଶ ଦେଖିବା ଭଳି ମାନସିକ ପ୍ରସ୍ତୁତି ମୋର ନଥିଲା । ଏଥିରେ ମୋର ଅପରାଧ କ’ଣ କହି ପାରିବ !’’

 

ନା–ଅପରାଧ ନୁହେଁ । ହେଲେ ତୁମେ ଥରେ ବି ଭାବିଲ ନାହିଁ ଯାହାକୁ ତୁମେ ପ୍ରାଣଠାରୁ ଭଲପାଅ ତା’ର ପରିସ୍ଥିତି କ’ଣ ହେବ ! ତୁମେ ହୁଏତ ଅତିମାନବ ହୋଇପାର । ବିବାହ ନକରି ସ୍ମୃତିକୁ ସମ୍ବଳ କରି ବଞ୍ଚିପାର । ହେଲେ ମୁଁ ନାରୀ ! ଦେହ, ମନ ଓ କାମନାର ଜୀବନ୍ତ ବିଗ୍ରହ ।

 

ବେଶ୍ ! କାମନାର ପରିପୂରଣ ପାଇଁ ତ ବିବାହ କଲ !

 

ହଁ, ବିବାହ କଲି–ଅନ୍ୟର ମନ ନିକିତିରେ ମୋ ମନ ମଣିଷକୁ । ଅନ୍ୟମାନେ ଓଜନ କଲେ, ଫଳରେ ବିବାହ ବନ୍ଧନରେ ମୋର ରହିଗଲା ମନ ମିଳନର ତୁଙ୍ଗ ବ୍ୟବଧାନ । ନାରୀ ଚାହେଁ ତା’ ମନଲାଖି ପୁରୁଷ ।

 

ତା’ହେଲେ ବୈବାହିକ ଜୀବନ ତୁମର ଆନନ୍ଦ ମୁଖର ହୋଇନାହିଁ !

 

ନିଶ୍ଚୟ, ମୋ ମନର-ମଣିଷକୁ ମୁଁ ପାଇ ନ ଥିଲି । ସ୍ୱାମୀର ବାହୁ ବନ୍ଧନ ଭିତରେ ତୁମର ରୂପ, ତୁମର ମମତା ମତେ ଆଚ୍ଛନ୍ନ କରି ରଖିଥିଲା । ମୁଁ ସମୟ କଟାଇ ଥିଲି ସତ । ମାତ୍ର ଶାନ୍ତି ପାଇ ନ ଥିଲି !

 

ଜୀବନରେ ତୁମେ ତୃପ୍ତି ପାଇଲ ନାହିଁ–ଗୀତା– !

 

ନା–ମଳୟ ଏକଥା ମୁଁ କହି ନାହିଁତ ? ତୃପ୍ତି, ହଁ–ପେଟ ପୂରିଛି ମାତ୍ର ମନ ମାନିନାହିଁ, ଲାଳସାର କ’ଣ ଇତି ଅଛି ! ଇନ୍ଦ୍ରିୟ କେତେଟା ଅବଶ୍ୟ ସେମାନଙ୍କର ଲାଳସା ମେଣ୍ଟାଇ ପାରିଛନ୍ତି-?

 

‘‘ବେଶ୍ ତ’’ ଅନୁଭୂତି କ’ଣ ଆଉ କିଛି ଅଛି–ଇନ୍ଦ୍ରିୟର ତୃପ୍ତିରେ ହିଁ ଆମେ ଆନନ୍ଦ ପାଉଁ । ମନୁଷ୍ୟ ତଥା ଜୀବଜଗତ ମଧ୍ୟ ଏହି ଇନ୍ଦ୍ରିୟାନୁଭୂତି ପାଇଁ ଦୈହିକ ସମ୍ଭୋଗ ଖୋଜେ-!

 

ସବୁ ଇନ୍ଦ୍ରିୟଗୁଡ଼ାକ ଯେ ତୃପ୍ତି ପାଇଥିଲେ ଏହାର ଖବର ପାଇଲ କୁଆଡ଼ୁ । କେବଳ ପଞ୍ଚ ଇନ୍ଦ୍ରିୟ ନୁହେଁ ଏମାନଙ୍କ ଉପରେ ଯେ ମନ ଅଛି, ଏ କଥା ଅସ୍ୱୀକାର କରି ପାରିବ ମଳୟ !

 

ନା–ଅସ୍ୱୀକାର କରୁନାହିଁ । ତେବେ ତୁମର ମନ ବୁଝିବାକୁ ମୁଁ କ’ଣ ଚେଷ୍ଟାକରି ନ ଥିଲି-। ତୁମର ମନେଥିବ ଗୀତା, ସେତେବେଳେ ତୁମେ ଥିଲ ନବମ କ୍ଲାସର ଛାତ୍ରୀ ! ଫାଲ୍‌ଗୁନର ଫଗୁ ଲଗନରେ ଯୌବନର ଏକ ତେଜସ୍କ୍ରିୟ ଧାରା ଆଦ୍ୟ ଆଷାଢ଼ର ପ୍ରଥମ ବାରିପାତ ପରି ତୁମର କୁମାରୀ ତନୁକୁ ରସାଣିତ ଓ ପୁଲକିତ କରି ବହିଯାଇଥିଲା ! ତୁମର ଯୌବନ ଉଦ୍ୟାନରେ ଫୁଟିଥିଲା ଫୁଲର କଳିକା । ପ୍ରଜ୍ଜ୍ୱଳିତ ହୋଇଥିଲା ଯୌବନ ଦୀପ୍ତି, ମହୁଆ ମହକରେ ମଦମତ୍ତା କସ୍ତୁରୀ ମୃଗୀପରି ତୁମେ ହୋଇଥିଲ ଆତ୍ମବିହ୍ୱଳା ! ଗୋଟିଏ ପତଳା ଗୋଲାପି ଶାଢ଼ି ତମେ ପିନ୍ଧିଥିଲ । ବ୍ଲାଉଜ୍‌ବିହୀନ ତୁମର ଖୋଲାବାହୁ ଦୁଇଟି ଦିଶୁଥିଲା ମନଲୋଭା । ସେଇ ପତଳା ଅଙ୍ଗବାସ ତଳୁ ତୁମର ଅଙ୍ଗ ସୌଷ୍ଠବ ବିଦ୍ରୋହକରି ଉଠୁଥିଲେ ପେଡ଼ି ଭିତରେ ବନ୍ଦଥିବା ଏକ ଦୁଷ୍ଟ ନାଗ ଶିଶୁପରି ତୁମର ଉଦଗ୍ର କଠିନ ବକ୍ଷୋଜ । କେଉଁ ଅଜ୍ଞାତ ପୁଲକରେ ଥରୁଥିଲା-। ହଳଦିବୋଳା ଦେହ ତୁମର ଦିଶୁଥିଲା–ଗୋଟିଏ ସୁବର୍ଣ୍ଣ ପ୍ରତିମା ପରି । ତମେ କୌଣସି କାର୍ଯ୍ୟରେ ବ୍ୟସ୍ତଥିବା ସମୟରେ ତୁମକୁ ମୁଁ ବାରମ୍ବାର ଦେଖୁଥିଲି । ମୁହଁ ଟେକିବା ଅବସରରେ ଚାରି ଚକ୍ଷୁର ମିଳନ ହେଲା । ତୁମେ ଲାଜରେ ଲାଲପଡ଼ି ପଳାଇ ଗଲ । ତୁମର ପ୍ରତିଟି ପଦକ୍ଷେପରେ ଫୁଟୁଥିଲା ଶତ ଶତ ସ୍ଥଳ କମଳ । ମୁଁ ମନେମନେ ଭାବୁଥିଲି, ଏହି କ’ଣ ଗୋଟିଏ ନିରୋଳା ନାରୀତ୍ୱର ସଂଜ୍ଞା–ସେଇଦିନୁ ତମେ ମୋ ଆଖିରେ ମୋହ’ର ଅଞ୍ଜନ ମାଖି ଦେଇଥିଲ, ତୁମର ଅଙ୍ଗପ୍ରତ୍ୟଙ୍ଗ ମତେ ମୋହାବିଷ୍ଟ କରିଥିଲା । ଆରାମଦାୟକ ସୂତାଶାଢ଼ି ତଳେ ତୁମର ସୌନ୍ଦର୍ଯ୍ୟର ଚଳୋର୍ମି ମୋର ପ୍ରାଣକୁ ସିକ୍ତ କରିଥିଲା । ମୋ ମନ ଖୋଜୁଥିଲା ତୁମକୁ ଖୁବ୍‌ ନିକଟରେ ପାଇବାକୁ–

 

ତମେ କ’ଣ ମତେ ପାଖରେ ପାଇ ନ ଥିଲ–ମଳୟ ?

 

ହଁ, ପାଇଥିଲି–ହେଲେ ବଣର ହରିଣୀକୁ ବାଟୋଇ ଦେଖିବା ଭଳି ତମେ କ୍ଷଣଦେଖା ପରେ ଲୁଚି ଯାଉଥିଲ । ବହୁକ୍ଷଣ ତମକୁ ମୁଁ ଚାହୁଥିଲି ନିବିଡ଼ ଭାବରେ, ମୋ ମନ ଓ ଦେହର ସାଥୀରୂପରେ । ମାତ୍ର ତୁମ ବ୍ୟବହାରରେ ସ୍ୱାଧୀନତା ପରିବର୍ତ୍ତେ ଥିଲା ସଙ୍କୋଚତା, ଉଦ୍ଦାମତା ପରିବର୍ତ୍ତେ ଥିଲା ଉଦାସତା । ମୋର ପ୍ରାଣ ଯେତେବେଳେ ଉତ୍ତପ୍ତ ଉଷ୍ମ ସେତେବେଳେ ତମେ ମମତାମୟୀ ରୂପରେ ଶାନ୍ତି ଦେଇଛ, ଆନନ୍ଦ ଦେଇଛ । ମାତ୍ର ମୋ ମନରେ ସେହି ମଦିରା ଢାଳିପାରି ନାହଁ । କାମନାକୁ ପ୍ରଶମିତ କରିପାରିନାହଁ ।

 

ନା–କରିନାହିଁ । ଆଦର୍ଶ ଜୀବନ ମୋର କାମ୍ୟ ଥିଲା । ସେ ଦିନ କି ତିଥି ଥିଲା କେଜାଣି ! କ୍ଳାନ୍ତ ଧରଣୀ ବୁକୁ ଉପରେ ଘନେଇ ଆସୁଥିଲା ସ୍ୱପ୍ନିଳ ରାତ୍ରିର ଶାନ୍ତ ନୀରବତା । କଳା ବାଦଲ କୋଳରେ ମୁହଁ ଗୁଞ୍ଜୁଥିଲା ମ୍ଳାନ ଚନ୍ଦ୍ର । ଆକାଶର ଚନ୍ଦ୍ରମାନ ବାରିହୀନ ସ୍ୱଚ୍ଛ ବାରିଦକୁ ଅନାଇଁ ବସିଥିଲି ମୁଁ । ତମେ ପାଦ ଚିପି ଚିପି ଆସି ପାଖରେ ଠିଆ ହେଲ । ହାତରେ ତୁମର ଥିଲା ସ୍ତବକିତ ରଜନୀଗନ୍ଧା । ଗଭାରେ ଫୁଲ ପେନ୍ଥା ଖୋସି କଣ୍ଠରେ ପ୍ରଣୟର ଅଞ୍ଜନ ବୋଳି ଚାପା କଣ୍ଠରେ କହିଲ–ଏଇ ମହକଭରା ଯୌବନକୁ ସାର୍ଥକ କରିବାକୁ ଅନୁମତି ଦିଅ ଗୀତା–ମୁଁ ତୁମକୁ ଭଲପାଏ ।

 

‘‘ହଁ । ଗୀତା–ସେ ଦିନଟି ଚିରଦିନ ଅଭୁଲା ହୋଇ ରହିଥିବ । ହେଲେ ମୋର ପ୍ରଥମ ପ୍ରେମର କଳିକାଟିକୁ ତୁମେ ପାଦରେ ମକଚି ଦେଇଥିଲ ! ଦୃପ୍ତ କଣ୍ଠରେ କହିଲି–ଯେଉଁଦିନ ଦୁନିଆ ଆଗରେ ବର ସାଜି ଆସିବ ମୋ ହାତ ଧରି ତୋଳି ନେବା ପାଇଁ, ସେଇଦିନ ମୁଁ ତମର ହେବି ।

 

କ’ଣ ଭୁଲ କହିଥିଲି ମଳୟ ? ତୁମେ କିନ୍ତୁ ଭାଙ୍ଗି ପଡ଼ିଥିଲ । କହିଥିଲ ମୁଁ ସର୍ବହରା, ଅନ୍ୟର ଦୟାରେ ଆଶ୍ରିତ । ତୁମର ବାପା କ’ଣ ମୋ ହାତରେ ତୁମକୁ ଟେକିଦେବେ ! ନା–ତା’ କେବଳ ମୋର ଦିବା ସ୍ୱପ୍ନ ବ୍ୟତୀତ ଅନ୍ୟକିଛି ନୁହେଁ । ନା ଗୀତା, ତା’ ସମ୍ଭବନୁହେଁ । ତମକୁ ମୁଁ ଭଲପାଏ । ତମକୁ ଚାହେଁ । କେତେ ଆଶା କଳ୍ପନା ମୋର ତୁମକୁ କେନ୍ଦ୍ର କରି ଗଢ଼ି ଉଠିଛି । ତମେ କ’ଣ ତା’ ଅନୁଭବ କରିପାରିବ ! ଐଶ୍ୱର୍ଯ୍ୟରେ, ପ୍ରାଚୁର୍ଯ୍ୟରେ ପୁଷ୍ଟିତ ତୁମର ଅଙ୍ଗ ସୌଷ୍ଠବଠାରୁ ତୁମର ମନଟା କ’ଣ ପୃଥକ ହୋଇ ପାରିବ । ଧନର ସମୁଚ୍ଚ ଶୃଙ୍ଗ ଉପରୁ ତମେ ଡେଇଁ ପଡ଼ିବ ନିର୍ଦ୍ଧନର ମାନସୀ ହେବା ପାଇଁ ! ଏ କଳ୍ପନା ମୋର କେବଳ ଅବାନ୍ତର ନୁହେଁ ତ ଆଉ କ’ଣ ! ତଥାପି ମୋର ମନ ଚାହୁଁଛି । ଆଜି ଏଇ ମୁହୂର୍ତ୍ତରେ ସମାଜର ଅନ୍ତରାଳରେ ନିଜର କରି ନେବି ତୁମକୁ । ତୁମର ଯୌବନ ଉପବନରେ ଭରିଦେବି ମଳୟର ସୁରଭି । ତୁମର ଅନିର୍ବଚନୀୟ ରୂପ ସୁମନରେ ମୁଁ ଏକ ମତ୍ତ ଭ୍ରମର । ତୁମ ଯୌବନର ପୁଷ୍ପର ପରାଗ ଗ୍ରହଣ କରିବାକୁ ମୁଁ ଏକ ଲୋଲୁପ ମଧୁମକ୍ଷିକା । ତୁମର ରୂପ ଆଜି ମୋ ମନରେ ଅଜସ୍ର କୃଷ୍ଣଚୂଡ଼ା ହୋଇ ଫୁଟୁଛି । ମତେ ନିରାଶ କରନା, କହି ମୋତେ ପାଖକୁ ଟାଣିନେଲ ?

 

‘‘ହଁ–ଗୀତା, ମନେ ପଡ଼ୁଛି । ତା’ପରେ ତମେ ରାଗ ଅଭିମାନରେ ଫୁଲି ଉଠିଲ । ବିରକ୍ତ ହୋଇ କହିଲ–ତମେ ଫେରିଯାଅ ମଳୟ–ନିୟମହୀନ ବନ୍ଧନ ମୁଁ ଚାହେଁନା–ଶୃଙ୍ଖଳହୀନ ଜୀବନକୁ ଘୃଣା କରେ । ତୁମର କ୍ଷଣିକ ଲାଳସାର ଅଗ୍ନିରେ ମୁଁ ଇନ୍ଧନ ହୋଇ ପାରିବି ନାହିଁ । ତୁମକୁ ଭଲପାଏ ବୋଲି ମୋର ନାରୀତ୍ୱକୁ ତୁମ ପାଦ ତଳେ ବିବାହ ପୂର୍ବରୁ ଅଜାଡ଼ି ଦେଇ ପାରିବି ନାହିଁ । ମୁଁ ମନୁଷ୍ୟତ୍ୱ ଚାହେଁ–ମନୁଷ୍ୟର ଖୋଳ ପିନ୍ଧା ପଶୁତ୍ୱକୁ ନୁହେଁ । ତୁମକୁ ମୁଁ ଭଲପାଏ । ସେଇ ଭଲ ପାଇବାର ଚେଷ୍ଟା କର । ତୁମ ପାଦ ତଳେ ମତେ ସ୍ଥାନ ଦିଅ । ମତେ କିନ୍ତୁ ଅନ୍ୟାୟ ପଥକୁ ଟାଣି ନିଅନା ?

 

ପାରି ନ ଥିଲ ମଳୟ–ରଖି ପାରିଲ ନାହିଁ ନିଜର କରି । ମୁଁ ବିବାହ କଲି । ତୁମର ବନ୍ଧୁକୁ....

 

ଗୀତା....

 

....କୁହ....

 

....ରାଗିବ ନାହିଁ....

 

ଅବତରଣିକା ବାଦ୍‍ ଦେଇ ତମେ ନିଶ୍ଚିନ୍ତରେ କହିପାର ?

 

....ସୁରେଶକୁ ପାଇ ତୁମେ ଖୁସି ହୋଇଛ ! ତାକୁ ତମେ ଭଲପାଅ–ପ୍ରେମ କର, ଭକ୍ତି କର.... ।

 

ଫେରେଇ ନିଅ ମଳୟ । ତମର ଏ ପ୍ରଶ୍ନ, କହି ପାରିବି ନାହିଁ ଉତ୍ତର ।

 

ଲୁଚେଇବାକୁ ଚାହୁଁଛ ଗୀତା–କଥା କହି ଭୁଲେଇ ଦଉଛ । କହି ପାରିବ ନାହିଁ ମତେ ତୁମେ ଭଲ ପାଉଥିଲ ! ଆଉ ବିବାହ କଲ ଅନ୍ୟ ଜଣକୁ । ମତେ ମନଦେଲ ଆଉ ଦେହ ଦେଲ ଅନ୍ୟକୁ; ତଥାପି ତମେ ସୁଖୀ ହୋଇ ନାହଁ ? ଦେହ ଓ ମନ କ’ଣ ଅଲଗା ! ଗୋଟିକୁ ବାଦ୍‍ ଦେଇ ଅନ୍ୟଟି କ’ଣ ସମ୍ଭବ ?

 

ଦେହଟାକୁ ସମ୍ପୂର୍ଣ୍ଣ ରୂପେ ଦେଇ ଦେଇଛି । ହେଲେ ସେଇ ସର୍ବନାଶୀ ମନଟାକୁ ତୁମଠାରୁ ମୁଁ ଫେରେଇ ପାରିଲିନାହିଁ । ମନଟାତ ଆଉ ଘୋଡ଼ା ନୁହଁ ଯେ ଲଗାମ ଦେଇ ଟାଣି ରଖିବି ସ୍ୱାମୀଙ୍କର ଚାରିକାନ୍ଥ ଭିତରେ ?

 

–କଥା ବେଶ୍ ସଜାଇ କହି ଆସେ ତୁମକୁ ଗୀତା–ସେଇ କହିବା ଭିତରେ ମତେ ମୁଗ୍ଧ କରିଥିଲ ! ଆଉ ସୁର ମଧ୍ୟ ତୁମର କହିବା ଚାତୁରୀରେ ବାନ୍ଧି ହୋଇଥିଲା ।

 

–ବିଦ୍ରୂପ କରୁଛ ମଳୟ–କର, ହେଲେ ସବୁ ବ୍ୟଥା ବେଦନାର ବହୁ ଊର୍ଦ୍ଧ୍ୱକୁ ମୁଁ ଚାଲି ଆସିଛି ! ଦୁନିଆଁ ଆଖିରେ ମୁଁ ମରି ଯାଇଛି । ହେଲେ..... । ଏଁ ତମେ ମରି ଯାଇଛ ଗୀତା–ପ୍ରେତ ତମେ !

 

–ହଁ, ମୁଁ ପ୍ରେତ ହୋଇ ମଧ୍ୟ ପ୍ରେମ ସ୍ନେହକୁ ଭୁଲିପାରି ନାହିଁ । ମୁଁ ବଞ୍ଚିବାକୁ ଚାହେଁ ତୁମର ମନ ତଳେ । ସେଇଥିପାଇଁ ମୁଁ ଆସିଛି । ଆଉ ସବୁବେଳେ ଆସିବି ତୁମର ବେହେଲା ଶୁଣିବା ପାଇଁ । ଥରେ ବଜାଅ ମଳୟ–ସେଇ ମେଘ ମହ୍ଲାର ।

 

ହାତଟାକୁ ଟେକି ମଳୟ ବେହେଲାଟିକୁ ଖୋଜି ବସିଲେ; ହାତ ତାଙ୍କର ପିଟି ହେଲା ଖଟ ଧାରରେ ! ଚମକି ଉଠିଲେ ମଳୟ–କାହିଁ ଗୀତା ! ତରତରରେ ସୁଇଚ୍‌ଟି ଅନ୍‌ କଲେ । ଘର ଭିତରେ ଆଲୋକର ପ୍ଳାବନ । ହେଲେ ଗୀତା–କାହିଁ ! ତେବେ ସେ କ’ଣ ସ୍ୱପ୍ନ ଦେଖୁଥିଲେ, ହଁ ସ୍ୱପ୍ନଟା ବେଳେ ବେଳେ ବାସ୍ତବ ପରି ଲାଗେ । ଗୀତା ଆସିଥିଲା କେତେ କଥା କହିଲା । ତା’ର ବେହେଲା ଶୁଣିବାକୁ ଆଗ୍ରହ ପ୍ରକାଶ କଲା–ହେଲେ କହିଗଲା ମୁଁ ମରିଛି–ମୁଁ ପ୍ରେତ....

 

ଚାଉଁକିନା ଚମକି ପଡ଼ିଲେ ମଳୟ–ନା, ସ୍ୱପ୍ନଟା କ’ଣ ସତ୍ୟ ହୁଏ !

 

ଝରକା ଦେଇ ବାହାରକୁ ଚାହିଁଲେ ମଳୟ । ଦୂର ଆକାଶରେ ପ୍ରଭାତୀ ତାରାଟି ଦୀପ୍ତ ହୋଇ ଉଠିଲାଣି । ରାତ୍ରି ପାହି ଆସିଲାଣି । ମଳୟ ଉଠିଗଲେ ବାହାରକୁ । ନିତ୍ୟକର୍ମ ସାରି ବାହାରି ପଡ଼ିଲେ ପ୍ରତାପପୁର । ଗତ ରାତ୍ରିର ସ୍ୱପ୍ନ ତାଙ୍କ ପ୍ରାଣ ତଳେ ଦେଉଥିଲା ଆଶଙ୍କାର ଆଲୋଡ଼ନ । ଟ୍ରେନ୍ ଚାଲିଥିଲା । ମଳୟ ଅନ୍ୟମନସ୍କ ହୋଇ ଚାହିଁ ରହିଥିଲେ ଦୂର ଦିଗନ୍ତକୁ ! ଚଳମାନ ଟ୍ରେନରେ ଗତି ସାଥୀରେ ତାଙ୍କର ଭାବନାର ଗତି ବଢ଼ି ଚାଲିଥିଲା ସମାନ ତାଳ ଦେଇ !

 

ମତେ ମାରନା ବୋଉ ? ଆଉ ଦିନେ କିଛି ଭାଙ୍ଗିବି ନାହିଁ ?

 

ପୋଡ଼ାମୁହିଁ ! କ’ଣ କହିଲୁ । ତତେ ମାରିବି ନାହିଁ, ପୂଜା କରିବି ! ତତେ ମୁଁ କେତେଥର ମନା କରିଛି ଏ ଘରକୁ ଆସିବୁ ନାହିଁ । କ’ଣ ପାଇଁ ଏ ଘରକୁ ଆସିଥିଲୁ ?

 

ଘର ଓଳାଇବା ପାଇଁ..... ବୋଉ !

 

ଘର ଓଳାଉଥିଲୁ । ଲକ୍ଷ୍ମୀଛାଡ଼ି । ଟେବୁଲ ଉପରେ.....କାହିଁକି କ’ଣ ଦରକାର ଥିଲା ତୋର ଟେବୁଲ ପାଖରେ । କହ–ଚଢ଼ିଥିଲୁ ? ନହେଲେ ମାରି ମାରି ଆଜି ତତେ ମାରି ପକାଇବି । ଦେଖିବି, ତତେ କିଏ ରଖିବ । କହ–କହ–କହି ଗୋଟାଏ ଧକ୍‌କା ମାଇଲା ଚପଳା !

 

ଖଟ ପାଖରେ ଛାଟି ହୋଇ ପଡ଼ିଲା ଦୀପା । ବିକଳରେ କାନ୍ଦି ଉଠିଲା ସେ ।

 

କହ କାହିଁକି ଦର୍ପଣ ଭାଙ୍ଗିଲୁ ?

 

.....ବୋଉ !

 

–କ’ଣ ବୋଉ ବୋଉ ହଉଛୁ । ତତେ ମୁଁ ପଚାରୁଛି କହ–ଟେବୁଲ ଉପରେ କାହିଁକି ଚଢ଼ି ମୋର ଏତେ ବଡ଼ ଦର୍ପଣଟା ଭାଙ୍ଗିଲୁ ।

 

–ଭୟରେ କଳା ପଡ଼ିଗଲା ଦୀପା । ତା’ ପାଟିରୁ ପଦଟିଏ କଥା ବାହାରିଲା ନାହିଁ ! ପ୍ରଶ୍ନର ଉତ୍ତର ନ ପାଇ ରାଗରେ ଲାଲ ପଡ଼ିଗଲା ଚପଳା । ଠୋ ଠୋ କରି ସେ ମାରି ପକାଇଲା ଦୀପାକୁ । କହ.... ଚୋରଣୀ, କ’ଣ ଚୋରି କରୁଥିଲୁ ।

 

ଚମକି ପଡ଼ିଲା ଦୀପା । ଚୋରି କରୁଥିଲି ମୁଁ, ନା ବୋଉ । ଚୋରି କରିବି କାହିଁକି । ମଇଳା ଫ୍ରକରେ ଲୁହ ପୋଛି କହିଲା ଦୀପା ।

 

ତେବେ କ’ଣ କରୁଥିଲୁ ଲୋ ଅଲକ୍ଷଣୀ ?

 

ମୋ ବୋଉ ଫଟୋ କାଢ଼ି ଦେଖୁଥିଲି । ହାତ ପାଇଲା ନାହିଁ । ଟେବୁଲ ଉପରେ ଚଢ଼ିଥିଲି । ଗୋଡ଼ ବାଜି ଦର୍ପଣଟା ଭାଙ୍ଗିଗଲା ।

 

–ଓ...ତେବେ ବୋଉଙ୍କ ଫଟୋ ଦେଖୁଥିଲୁ ନା ? ଆଚ୍ଛା ତୋ ବୋଉ ଫଟୋଗୁଡ଼ାକୁ ମୁଁ ତୋର ଦେଖିବା ପାଇଁ ସବୁ କାଢ଼ି ଦେଉଛି–କହି ଗୋଟିକ ପରେ ଗୋଟିଏ କାଢ଼ି ଫିଙ୍ଗିବାରେ ଲାଗିଲା ଚପଳା । ତଳେପଡ଼ି କାଚଗୁଡ଼ାକ ଗୁଣ୍ଡା ଚୂନା ହେବାରେ ଲାଗିଲା ।

 

ଦୀପା ଦେଖି ପାରିଲା ନାହିଁ ଏ ଦୃଶ୍ୟ । ତା’ରି ଆଖି ଆଗରେ ତା’ ବୋଉର ଫଟୋଗୁଡ଼ାକ ନଷ୍ଟ ହେବାପାଇଁ ସେ ଦେବ ନାହିଁ ।

 

ସେ ଚପଳାର ଗୋଡ଼ ଧରି କହିଲା–ତୁମ ଗୋଡ଼ ଧରୁଛି ବୋଉ । ମୁଁ ଆଉ କିଛି ଭାଙ୍ଗିବି ନାହିଁ । ହେଲେ ତମେ ମତେ ଯେତେ ମାର ପଛେ, ବୋଉ ଫଟୋଗୁଡ଼ାକୁ ନଷ୍ଟ କରନାହିଁ ।

 

କ’ଣ କହିଲୁ–ନଷ୍ଟ କରିବି ନାହିଁ । ଭାରି ତ କଥା ଉପରେ କଥା କହି ଶିଖିଲୁଣି । ଦେଖେ ଫଟୋକୁ ନେଇ ମୁଁ କରୁଛି କ’ଣ । କହି ଚପଳା ଦୀପା ହାତରୁ ଗୋଟାଏ ସୁନ୍ଦର ରଙ୍ଗିନ୍ ଏନଲାର୍ଜ ଫଟୋକୁ ଭିଡ଼ି ଆଣିଲା ।

 

–ଛାଡ଼୍‌ କହୁଛି !

 

ନା–

 

କ’ଣ କହିଲୁ, ଛାଡ଼ିବୁ ନାହିଁ ।

 

–ନା–ମୁଁ ଦେବି ନାହିଁ । ମୋ ବୋଉ ଫଟୋ ତମେ କାହିଁକି ଭାଙ୍ଗିବ । ଆଜି ବାପା ଆସନ୍ତୁ । ମୁଁ କହିଦେବି ।

 

–ଚୁପ୍–ବଦମାସ ଟୋକୀ । କହିଲା–ବାପା ଆଗରେ କହିଦେବି । ତୋ ବାପାକୁ ମୁଁ ଡରେ ନାହିଁ, କହି ଦୀପାକୁ ମାରିବାରେ ଲାଗିଲା । ଜୀବନ ବିକଳରେ ଦୀପା ଧାଇଁ ପଳାଇଲା ବାହାରକୁ । ହାତରେ ତା’ର ବୋଉର ଫଟୋ ।

 

ଉତ୍ତ୍ୟକ୍ତା ଚପଳା ବସି ପଡ଼ିଲା କାଉଚ ଉପରେ । ଭଙ୍ଗାକାଚ ପଡ଼ି ଘରଟା ବିପର୍ଯ୍ୟସ୍ତ । ତା’ରି ଭିତରେ ପଡ଼ିଛି ଗୀତାର ଟୁକୁରା ଟୁକୁରା ଚିରା ଫଟୋ । ଚପଳାର ମନେହେଲା ସେହି ଚିରା ଫଟୋ ଭିତରୁ ଯେପରି ଗୀତାର ମୂର୍ତ୍ତି ଆସି ତାକୁ ଗ୍ରାସି ଯାଉଛି । ତା’ର କଣ୍ଠ ନଳୀ ଦୁଇ ହାତରେ ଚିପି ଧରି ପକାଉଛି । ଚପଳା ଆଉ ଦେଖି ପାରିଲା ନାହିଁ ସେ ଦୃଶ୍ୟକୁ । ଟେବୁଲ ଉପରେ ମୁହଁଟାକୁ ଗୁଞ୍ଜି ବସି ରହିଲା ।

 

ଗୋଟିଏ ସପ୍ତାହ ଟୁର୍ ପରେ ସମ୍ବଲପୁରରୁ ଫେରୁଥାନ୍ତି ସୁରବାବୁ । ଚପଳାକୁ ସୁଖୀ କରିବାପାଇଁ ସେ କଥା ଦେଇ ମଧ୍ୟ ବନ୍ଦନା ଘରକୁ ଯାଇ ନଥିଲେ । ତଥାପି ଚପଳା ଅଭିମାନ କରିଥିଲା । ସମୟର ସ୍ୱଳ୍ପତା ହେତୁ ସୁରେଶ ଚପଳାକୁ କିଛି ନକହି ଚାଲି ଯାଇଥିଲେ । ହେଲେ କୌଣସି କାମରେ ତାଙ୍କର ମନ ଲାଗିଲା ନାହିଁ । ମନେ ପଡ଼ିଲା ଚପଳାର ଅଭିମାନ ଭରା ମୁଖମଣ୍ଡଳ !

 

ଚଞ୍ଚଳ ମନରେ ବାରଣ୍ଡାରେ ପାଦ ଥୋଇଲେ ସୁରବାବୁ । ଆନନ୍ଦ ଆତିଶଯ୍ୟରେ ତାଙ୍କର ଦେହ ଶୀତେଇ ଉଠିଲା । ଏଇ ଘରେ ଅଛି ତାଙ୍କର ଷୋଡ଼ଶୀ ସୁନ୍ଦରୀ ସ୍ତ୍ରୀ । ଅଭିମାନିନୀ ଚପଳା । କ’ଣ କରୁଥିବ ସିଏ, କିପରି ନିଃସଙ୍ଗ ଭାବରେ ସେ କଟାଇଥିବ କେତୋଟି ଦିନ ।

 

ବିବାହ ପରଠାରୁ ଚପଳାକୁ ଏକା ଛାଡ଼ିଯିବା ଏଇ ପ୍ରଥମ । ରାତ୍ରିର ନିବିଡ଼ତା ଭିତରେ ଯେଉଁ ଚପଳା ତାଙ୍କର ବକ୍ଷ ସଂଲଗ୍ନା ଥାଇ ମଧ୍ୟ ଭୟରେ କମ୍ପି ଉଠେ ଦିନର ଅଳସ ମଧ୍ୟାହ୍ନରେ କାନ୍ଥରେ ଥିବା ଗୀତାର ଫଟୋକୁ ଦେଖି ଯିଏ ଚଞ୍ଚଳ ପଦକ୍ଷେପରେ ପଳାଇ ଯାଏ ସେ କିପରି ଏ ଦିନ କେଇଟି ଏକା ଏକା କଟାଇ ଥିବ ।

 

ଚଞ୍ଚଳ ଗତିରେ ଘର ଭିତରକୁ ପଶିଲେ ସୁରବାବୁ । ହେଲେ ଏ କ’ଣ ! ଘର ସାରା ଭଙ୍ଗାକାଚ । ଗୀତାର ଫଟୋଗୁଡ଼ିକ ଅସହାୟ ଅବସ୍ଥାରେ ତଳେ ପଡ଼ିଚି ! ଟେବୁଲ ଉପର ମୁହଁମାଡ଼ି ବସିଛି ଚପଳା । ଦୀପା କି ଦୀନା କେହି ଘରେ ନାହାନ୍ତି ।

 

ହତବାକ୍ ହୋଇ ପଡ଼ିଲେ ସୁରବାବୁ, ବିଶେଷ କରି ଗୀତାର ଫଟୋଗୁଡ଼ିକୁ ଏ ଅବସ୍ଥାରେ ଦେଖି । ସେ ନିଶ୍ଚିତ ଜାଣିଲେ ଯେ ଚପଳା ହିଁ ଏ ସବୁ ଭାଙ୍ଗିଛି । ସପତ୍ନୀର ସମସ୍ତ ସ୍ମୃତିକୁ ଫୋପାଡ଼ି ଦେବାପାଇଁ ଚପଳା ଅହରହ ଚେଷ୍ଟା କରିଥିଲା । ଫଟୋ କେତୋଟି ଥିଲା ତା’ ଆଖିର କଣ୍ଟା । ତାକୁ ହିଁ ଆଜି ନଷ୍ଟକରି ଦେଲା । ମନ ତାଙ୍କର ମୁହୂର୍ତ୍ତକ ପାଇଁ ଚହଲି ଉଠିଲା । ଗୀତା ସ୍ମୃତିର ତୀର ତାଙ୍କୁ କ୍ଷଣକ ପାଇଁ କ୍ଷତ ବିକ୍ଷତ କଲା । ସେ ନିଜକୁ ଆୟତ୍ତ କରିପାରିଲେ ନାହିଁ-। ଚିତ୍କାର କରି ଉଠିଲେ –ଚପଳା–

 

ଚମକି ପଡ଼ି ଚାହିଁଲା–ଚପଳା । ଆଗରେ ସୁରେଶ; ଆଖି ଦୁଇଟା କ୍ରୋଧରେ ଲାଲ । ମୁହଁ ଉପରେ ଗାମ୍ଭୀର୍ଯ୍ୟର ବହଳଛାୟା; ବିବାହର କେତୋଟି ଦିନ ଭିତରେ ଚପଳା କେବେହେଲେ ଏପରି ରାଗିବା ଅବସ୍ଥାରେ ସୁରବାବୁଙ୍କୁ ଦେଖି ନ ଥିଲା । ପ୍ରଥମ ଥର ପାଇଁ ସେ ଦେଖି ଶଙ୍କିଗଲା-। ତା’ପରେ ପ୍ରକୃତିସ୍ଥ ହେଲା ଓ ଧୀର ଗଳାରେ କହିଲା–କ’ଣ କହୁଛ ?

 

ଏ ଫଟୋ କିଏ ଭାଙ୍ଗିଛି ?

 

ଏ ପ୍ରଶ୍ନ ଶୁଣି ଚପଳାର ରାଗ ସହସ୍ର ଗୁଣରେ ବଢ଼ି ଉଠିଲା ! ସେ ବାକ୍ୟରେ ଅଗ୍ନିର ଝଲକ ସୃଷ୍ଟି କରି କହିଲା । ମୁଁ–

 

–କାହିଁକି । ଫଟୋଗୁଡ଼ାକ ତୁମର କ’ଣ କ୍ଷତି କରୁଥିଲେ !

 

–କ’ଣ କ୍ଷତି କରୁଥିଲେ ! ସେ ହିସାବ ମୁଁ ଦେବାକୁ ବାଧ୍ୟ ନୁହେଁ । ମନ ହେଲା, ଭାଙ୍ଗିଦେଲି ।

 

କ’ଣ କହିଲ ! ମନ ହେଲା ଭାଙ୍ଗିଦେଲ ! ତା’ହେଲେ ତୁମ ମନ ଯାହା ହେବ ତା’ କରିବ ?

 

ହଁ–କରିବି । ସେଥିରେ କେହି ବାଧାଦେଇ ପାରିବେ ନାହିଁ । ଏ ଘରେ ମୋର ଅଧିକାର ଅଛି ।

 

ଅଧିକାର କେହି ଏଭଳି ସାବ୍ୟସ୍ତ କରନ୍ତି ନାହିଁ । ନିଜର କର୍ମ-ତତ୍ପରତା ସହନଶୀଳତାରେ ଅଧିକାରର ସୀମା ପରିବ୍ୟାପ୍ତ ହୁଏ । ଜୋର୍ ଜବରଦସ୍ତି ଭଙ୍ଗାରୁଜା କରି କେହି ନିଜର ପ୍ରାଧାନ୍ୟ ବିସ୍ତାର କରି ପାରେନା । ସାଧାରଣ ଫଟୋ କେତେଟା ତୁମର କି ଅନିଷ୍ଟ କରୁଥିଲେ । ତାକୁ ତମେ ଏପରି ନଷ୍ଟ କରିବା ପୂର୍ବରୁ ଏ ଘରେ ମୁଁ ଗୋଟାଏ ମଣିଷ ଅଛି । ପୁଣି ଫଟୋଗୁଡ଼ାକ ମୁଁ ନିଜେ ସଜାଇ ରଖିଛି । ଏକଥା ବିଚାର କରି ପାରିଲ ନାହିଁ !

 

ସେ ଫଟୋ ପ୍ରତି ତୁମର ଯଦି ଏତେ ମମତା, ତା’ହେଲେ ମତେ ଏ ଘରକୁ କ’ଣ ପାଇଁ ଆଣୁଥିଲ ?

 

ତୁମକୁ ବିବାହ କରିଛି ବୋଲି କ’ଣ ତୁମର ନିର୍ଦ୍ଦେଶରେ ମତେ ଚଳିବାକୁ ହେବ । ତମକୁ ସୁଖୀ କରିବା ପାଇଁ ମୁଁ ଅନେକ କିଛି କରିଛି ! ମତେ ସୁଖୀ କରିବାକୁ ତୁମକୁ କଷ୍ଟ କରିବାକୁ ପଡ଼ିବ ନାହିଁ । ମୁଁ ଏଇ ମୁହୂର୍ତ୍ତରେ ଚାଲି ଯାଉଛି, କହି କାନ୍ଦି ପକାଇଲା ଚପଳା ।

 

ଦପ୍‍କରି ସୁରବାବୁଙ୍କର କ୍ରୋଧ ନିଆଁ ଲିଭିଗଲା । ଚପଳା ଆଖିର ଲୁହ ତାଙ୍କ ମନକୁ ତରଳାଇ ଦେଲା ! ସେ ଦେଖିଲେ–ତାଙ୍କର କଥା ଚପଳାକୁ ବାଧିଛି । ଚପଳା ଭଳି ଉଦ୍ଧତା ଗର୍ବିତା ଝିଅ କେବେହେଲେ କାନ୍ଦି ନଥାନ୍ତା । ତା’ଭଳି ଅସହିଷ୍ଣୁ ଝିଅ ଘର ଛାଡ଼ି ଚାଲି ଯିବା କିଛି ବିଚିତ୍ରତା ନାହିଁ ! ତାକୁ ଏଭଳି କଟୂକ୍ତି କହିବା ଠିକ୍ ହୋଇନାହିଁ । ସମସ୍ତେ ଗୀତା ଭଳି ନୁହନ୍ତି । ସବୁ ନାରୀ ସହନଶୀଳତାର ଆବରଣରେ ବିଭୂଷିତା ନୁହନ୍ତି ।

 

ଗୀତା ମରିଛି । ତା’ର ଫଟୋଗୁଡ଼ାକ ଥାଇ ଅବା କ’ଣ କରିବ । ବରଂ ବେଳେବେଳେ ସେଇ ଫଟୋଗୁଡ଼ାକ ଅତୀତର କ୍ଷତକୁ ସ୍ମୃତିର କଣ୍ଟାରେ ରକ୍ତାକ୍ତ କରି ପକାଏ । ନା-ନା ସେଇ ନିର୍ଜୀବ ନୀରସ ଫଟୋଗୁଡ଼ାକ ପାଇଁ ସଜୀବ ସରସ ପ୍ରେମଶୀଳା ଚପଳାକୁ ଆଘାତ ଦେବା ଠିକ୍ ହୋଇ ନାହିଁ ।

 

ସବୁ ରାଗ ଅଭିମାନକୁ ଭୁଲି ସୁରେଶ ପାଖକୁ ଟାଣି ଆଣିଲେ ଚପଳାକୁ । କୋଳରେ ବସାଇ କପାଳ ଉପର ଚୁନି ଚୁନି ବାଳ କେତେଟା ସଜାଡ଼ି ଦେଉଁ ଦେଉଁ କହିଲେ–

 

ରାଗିଛ ! ମୋରାଣ ସବୁ ଭୁଲିଯାଅ !

 

ମୁଁ କାହିଁକି ରାଗିବି । ମୁଁ ବା ତୁମର କିଏ; ତମେ ମତେ ଭଲ ପାଅନା; ତା’ ବ୍ୟତୀତ ଗୀତା ଓ ବନ୍ଦନା ଭଳି ମୁଁ ସୁନ୍ଦରୀ ନୁହେଁ ।

 

ଛିଃ, ଚପଳା–ବନ୍ଦନା ମୋ’ରି ପରିଚିତା । ମାତ୍ର ତୁମେ ମୋର ସ୍ତ୍ରୀ । ବୃଥାରେ ତମେ ମତେ ଭୁଲ ବୁଝୁଛ । ତମ ବ୍ୟତୀତ ମୋ ମନରେ ଆଉ କାହାରି ସ୍ଥାନ ନାହିଁ । ଏମିତିକି ଗୀତାକୁ ମଧ୍ୟ ମୁଁ ତୁମ ଭଳି ଭଲପାଇ ନ ଥିଲି । ଏହା କହିଦେଇ ଛେପ ଢୋକିଲେ ସୁରବାବୁ । ମିଛ କଥାଟା କହି ମନକୁ ମନ ଭାଙ୍ଗି ପଡ଼ୁଥିଲେ ସେ ।

 

ଟିକିଏ ଦମ୍ ନେଇ ସେ କହିଲେ, ବାସ୍ତବିକ ତମ ନାରୀ ଜାତିଟା ଭାରି ସନ୍ଦେହୀ । ସାମାନ୍ୟ କଥାକୁ ବିରାଟ କରିଦେବାକୁ ସେମାନଙ୍କୁ ଗୋଟିଏ ମୁହୂର୍ତ୍ତ ବି ଲାଗେ ନାହିଁ । ସେଦିନ ବନ୍ଦନା କାହିଁକି ଆସିଥିଲେ ଜାଣ, ତାଙ୍କ ଘରୁ ଚୋରୀ ଯାଇଥିଲା । ପୋଲିସ ଡିପାର୍ଟମେଣ୍ଟରେ ଚାକିରି କରି ତାଙ୍କ କଥାକୁ ଗ୍ରହଣ କରିବା କ’ଣ ମୋର ଅପରାଧ । ତା’ ବ୍ୟତୀତ ସେ ଗୀତାର ବାଲ୍ୟ ସଙ୍ଗିନୀ । ଗୀତା ଥିଲାବେଳେ ସେ ଏଠାକୁ ଆସୁଥିଲେ । ତେଣୁ ବର୍ତ୍ତମାନ ତାଙ୍କୁ ମନା କରିବା ବା କଥାବାର୍ତ୍ତା ନକରିବା ନିହାତି ଅଭଦ୍ରାମୀ ହେବ ନାହିଁକି ! ସେଇ କଥାରେ ରାଗକରି, ଗଲାବେଳେ ପଦେ କଥା ବି କହିଲ ନାହିଁ । କି ମନ କଷ୍ଟରେ ମୋର ଦିନ କେତେଟା କଟିଛି ସେ କଥା କ’ଣ ତୁମେ ଜାଣି ପାରିବ !

 

କେତେ ଆଗ୍ରହରେ ଘରକୁ ଫେରି ଦେଖିଲି ଜିନିଷପତ୍ର ଭଙ୍ଗାରୁଜା । ତମେ ବିରସ ବିଷଣ୍ଣ । ମନଟା ଖରାପ ହେଲା କ’ଣ ପଦେ କହିଦେଲି । ସେଇ କଥାକୁ ଏତେ କାନ୍ଦ, ରୁଷା ! ହସ ଚପଳା । ତୁମକୁ ମୋ ରାଣ ! ଏ ବିରସ ମୁହୂର୍ତ୍ତଟାକୁ ତୁମ ଓଠର ସ୍ମିତହସରେ ସରସ କରିଦିଅ ! କହି ଚପଳାର ଲୁହବୋଳା ଗାଲରେ ଚୁମ୍ବନ ଆଙ୍କି ଦେଲେ ସୁରବାବୁ !

 

ସୁର ବାବୁଙ୍କ ଅଧରରେ ଅଧୀର ଆଘାତରେ ଚପଳା ମନର ଦୃଢ଼ ଅଭିମାନ ପାଲଟି ଛିଣ୍ଡିଗଲା ।

 

ନୟନ ତଳୁ ଅପସରି ଗଲା ସନ୍ଦେହର କଳା ଛାଇ । ଅଧର ଫାଙ୍କରେ ଦେଖାଦେଲା ଚପଳ ହସରୁ ଚେନାଏ ।

 

ଦେଖୁଥିଲେ ସୁରବାବୁ ଚପଳାର ମୁହଁର ଭଙ୍ଗିକୁ । କେତେ ଶୀଘ୍ର ସେ ମୁହଁର ପରିବର୍ତ୍ତନ ହେଲା । କ୍ଷଣକ ପୂର୍ବେ ଝରି ଆସୁଥିବା ଆଖିର ଅଭିମାନ ଭରା ଲୁହ ଟିକିଏ ଆଦର, କେତେ ପଦ ମିଠା ମିଠା କଥାରେ ଲୁଚିଗଲା ପୁଣି ଆଖି କୋଣରେ । ମୁଖମଣ୍ଡଳରେ ଖେଳି ବୁଲିଲା ହାସ୍ୟର ଲହରୀ । ବାସ୍ତବିକ କେତେ ଅବୁଝା ଏଇ ଚପଳା । କେଡ଼େ ସନ୍ଦେହୀ ଏଇ ନାରୀ ଜାତିଟାର ମନ । ଟିକିଏ ଟିକିଏ କଥାରେ ମାନ ଅଭିମାନର ଆଦ୍ୟ ପର୍ବ ଆରମ୍ଭ ।

 

ତଥାପି ଏଇ ଅଭିମାନଭରା କେତେ ପଦ କଥାରେ କେତେ ସହୃଦୟତା ଭରି ରହିଥାଏ କେଜାଣି । ପୁରୁଷର ଖିଆଲି ମନକୁ ଆୟତ୍ତ କରିବା ପାଇଁ ଅଭିମାନହିଁ ନାରୀର ଅମୋଘ ଅସ୍ତ୍ର ।

 

ଅଧର ଉପକୂଳରେ ହସର ଲଘୁ ତରଙ୍ଗ ସୃଷ୍ଟି କରି ନୟନରେ କେତେ ଅକୁହା କୁହୁକ ଭରି ଚପଳା ଚାହିଁଥିଲା ସୁରବାବୁଙ୍କର ମୁହଁକୁ ।

 

ଆଉ ପଲକ ହୀନ ଆଖିରେ ଚାହିଁ ମନେମନେ ଭାବନାର ଜାଲ ବୁଣୁଥିଲେ ସୁରେଶ, ସତେ କେତେ ଭଲ ଲାଗେ ଚପଳାର ଏଇ ଅଭିମାନଭରା ପ୍ରଶ୍ନିଳ ଚାହାଁଣି । ଥରିଲା ଥରିଲା କଣ୍ଠର ଓଜନ ଓଜନ କେତେ ପଦ କଥା ମାତ୍ର । ଧନୀ ନାରୀ ! ଧନ୍ୟ ତୁମର ସମ୍ମୋହିନୀ ଶକ୍ତି !

 

ଚପଳା ତାଙ୍କର ବୁକୁରେ ଲୋଟି ପଡ଼ିଛି । ସୁନ୍ଦର ଆଖିଡୋଳା ତା’ର ଢଳ ଢଳ ହୋଇ ଆସୁଛି ।

 

ସାମାନ୍ୟ ରାଗିଲେ ବା ଅଭିମାନ କଲେ ତା’ର ଆଖି ଦୁଇଟି ଚଞ୍ଚଳ ହୋଇ ଉଠେ । କେଡ଼େ ସୁନ୍ଦର ତା’ର ସେହି ସନ୍ତରଣଶୀଳ କଳା ପରିଷ୍କାର ଆଖି ଡୋଳା, ଆକର୍ଣ୍ଣ ବିସ୍ତୃତ ସମୁଦ୍ର ନୀଳ ଆଖିକୁ ଲୁହର ମୁକ୍ତାବିନ୍ଦୁ ସୁନ୍ଦର ସାଜେ । ମନୋରମ ଭ୍ରୂଲତାର ଇନ୍ଦ୍ରଧନୁ ତଳେ ସିକ୍ତ ପକ୍ଷ୍ମ ଉର୍ବଶୀର ମାୟା ସୃଷ୍ଟି କରେ ।

 

ଗଭୀର ଆବେଗରେ ନିବିଡ଼ ଆଶ୍ଳେଷ ମଧ୍ୟରେ ଚପଳାକୁ ବାନ୍ଧି ପକାଇଲେ ! କେତୋଟି ଦିନର ବ୍ୟବଧାନ ପରେ ଚପଳାର ସାନ୍ନିଧ୍ୟ ତାଙ୍କୁ ଚଳ-ଚଞ୍ଚଳ କରି ପକାଇଲା । ସୁରବାବୁ ଚପଳାର ଦୁଇ ପତଳା ଲାଲ ଓଠରେ ଆଙ୍କିଦେଲେ ଅଗଣିତ ଚୁମ୍ବନର ଚିତ୍ରକଳା । ସତେକି ଜୀବନରେ କେବେହେଲେ ଏତେ ଉତ୍ସାହ, ଉନ୍ମାଦନା ପ୍ରେରଣା ପାଇ ନଥିଲେ । ନାରୀକୁ ଚୁମ୍ବନ ଦେବା ଏତେ ଉପଭୋଗ୍ୟ ମନେ ହୋଇ ନଥିଲା ତାଙ୍କର । ନାରୀ ଅଧର ସମ୍ପୁଟରେ ଏତେ ମଦିରା ଅଛି; ସେ କେବେ ଜାଣି ନ ଥିଲେ । ସେଇ ମୁହୂର୍ତ୍ତରେ ତାଙ୍କର ମନେହେଲା ଚପଳା ପରି ଝିଅ ମରଜଗତରେ ଦୁର୍ଲ୍ଲଭ । ସେ ଗୋଟିଏ ପ୍ରେମର ମନ୍ଦାକିନୀ । ଗୁଣର ମହୋଦଧି । ବାହୁ ବନ୍ଧନରୁ ମୁକ୍ତ କରି ଚପଳାକୁ ପାଣି ଗିଲାସେ ପାଇଁ କହି ସୁରବାବୁ ଡ୍ରେସ୍‌ ବଦଳାଇଲେ ।

 

...ଦୀପା....ପାଣି ଗ୍ଲାସେ ଆଣିଲୁ ଚପଳାର କଣ୍ଠସ୍ୱର ଉତ୍ତପ୍ତ ।

 

...କାହିଁ.....ଦୀପାକୁ ମୁଁ ଆସିଲା ସମୟରୁ ଦେଖୁ ନାହିଁ !

 

....ସିଏ କ’ଣ ଘରେ ରହେ–କୁଆଡ଼େ ବୁଲୁଥିବ ! ....ଖରାପ ହୋଇଗଲା ପିଲାଟା ? ଖରାବେଳେ ବାହାରେ ବୁଲୁଛି ତମେ ତ ମନା କରୁନା ।

 

ମୁଁ କ’ଣ ପାଇଁ ମନା କରିବି ! ମୋ ମନା କ’ଣ ସେ ମାନିବ ! ମତେ ତା’ ବିଷୟରେ କିଛି କୁହନା ।

 

....ହଉ....ତେବେ ଘରସାରା କାଚ ପଡ଼ିଛି କାହିଁକି ? ଦୀନାକୁ ଡାକିଦିଅ, ସଫା କରି ଦେଉ–କହି ତଳକୁ ଓହ୍ଲାଇ ଗଲେ ସୁରବାବୁ; ଦୀନା କାଚଗୁଡ଼ାକ ଗୋଟାଉ ଗୋଟାଉ ଭାବୁଥିଲା–କ’ଣ ପାଇଁ କାଚଗୁଡ଼ାକ ଭଙ୍ଗା ହୋଇଛି ।

 

.....ତେବେ ଦୀପା କାହିଁ ! ସକାଳ ପହରୁ ବାବୁଆଣୀଙ୍କ ବରାଦ ନେଇ ସେ ଯାଇଥିଲା ସେଇ ଓକିଲ ବାବୁଙ୍କ ଘରକୁ ତାଙ୍କୁ ଡାକିବା ପାଇଁ । ସେଠାରୁ ଆସି ମୁଠାଏ ଖାଇବା ପାଇଁ ବସିବାବେଳକୁ ବାବୁଙ୍କର ଫର୍ମାସ । ନା ନା ଏ ଘରେ ତା’ର ରହିବା ଏତିକି ! ବାବୁଆଣୀ ମରିଛନ୍ତି-। ଏ ଘରୁ ଲକ୍ଷ୍ମୀ ଛାଡ଼ି ଯାଇଛନ୍ତି ! ଖାଲି ସେଇ ଛେଉଣ୍ଡ ପିଲାଟା ପାଇଁ ସେ ଗାଳି ମନ୍ଦ ସହି ପଡ଼ି ରହିଛି ମାତ୍ର ।

 

ସେ ଘରୁ ଚାଲିଗଲେ ପିଲାଟିକୁ ଖାଇବା ପିଇବାକୁ ନ ଦେଇ ପିଟିପିଟି ମାରିଦବ ! ଏ ଅଲକ୍ଷଣୀଟା ! ସାବତ ମା’ମାନେ କ’ଣ ଏଡ଼େ ନିର୍ଦ୍ଦୟ ହୁଅନ୍ତି ! ବୁଢ଼ା ହେଲାଣି ଏମିତି ନିଷ୍ଠୁର ପ୍ରକୃତିର ସ୍ତ୍ରୀଲୋକ ସେ ଦେଖିନାହିଁ । ବାବୁଙ୍କୁ କି କିମିଆଁ କରିଛି ସେ ତା’ରି କଥାରେ ବସଉଠ ହେଉଛନ୍ତି । କାଚଗୁଡ଼ାକ ବାହାରେ ଫିଙ୍ଗି ଦୀନା ମନକୁ ମନ ଗର ଗର ହେଲା ।

 

ଖରା ବେଳଟାରେ ଦୀପାକୁ ଘରେ ନଦେଖି ତା’ର ମନ ଅଥୟ ହେଲା । ଭାତଥାଳି ପଡ଼ିରହିଲା, ପାଣିଗୁଡ଼ାଏ ଢକ ଢକ କରି ପିଇ ଦୀନା ବାହାରିଲା ଦୀପାକୁ ଖୋଜି, ସେ ଭଲ ଭାବରେ ଜାଣେ ଦୀପା କଇଁ ପୋଖରୀ ହୁଡ଼ାରେ ବସି କାନ୍ଦୁଥିବ ! ଗଛ ପତ୍ର ଗହଳି ଭିତରୁ ବୋଉକୁ ଖୋଜୁଥିବ ! ଆହା ଏଡ଼ିକି ବକଟେ ଛୁଆ । କେତେ ଆଦରରେ ବଢ଼ୁଥାନ୍ତା, ତା’ କପାଳରେ ଏତେ ଦୁଃଖ ! ରାଗ ନାହିଁ ରୁଷା ନାହିଁ । ପିଲାଟା ମା’ ମଲା ପରଠୁ କି ଧୀର ହୋଯାଇଛି ।

 

ବୁଢ଼ା ବରଗଛର ବିରାଟ ଗଣ୍ଡି ଦେହକୁ ବୋଉର ଫଟୋଟାକୁ ଡେରି ଦେଇ ବସିଛି ଦୀପା, ଆଖି ଦିଓଟି କାନ୍ଦି କାନ୍ଦି ଫୁଲି ଯାଇଛି । ମଥାର ବାଳଗୁଡ଼ିକ ଫୁରୁ ଫୁରୁ ପବନର ଆଘାତରେ ମୁହଁ ଉପରେ ଲୋଟି ପଡ଼ୁଛନ୍ତି, ପିନ୍ଧିଥିବା ଫ୍ରକ୍‌ ଖଣ୍ଡି ଦାମୀ ହେଲେ ମଧ୍ୟ ମଇଳା । ଗୋଡ଼ସାରା ପୋଡ଼ା ଘା । ଚା’ ପଡ଼ି ଫୋଟକା ହୋଇଥିଲା । ଅଯତ୍ନରେ ଘା’ ପାଲଟି ଯାଇଛି; ହାତଯାକ ଚିକିଟା କଳା ବାଲୁ ବାଲୁ । ହାତ ପାପୁଲିରେ ଲୁହ ପୋଛିବା ଅବସରରେ ମୁହଁ ସାରା ମାଙ୍କଡ଼ ମୁହଁ ପରି ବିଲି ବିଲି କଳା । ଭଙ୍ଗା କାଚ ପଡ଼ି ଦେହର କେତେକ ଜାଗା ଚିରି ହୋଇ ଯାଇଛି । ସଦ୍ୟ ରକ୍ତଗୁଡ଼ାକ ଝରି ଜମାଟ ବାନ୍ଧି ଯାଇଛି । ତଥାପି ସେ ଦିଗକୁ ଦୀପାର ଲକ୍ଷ୍ୟ ନାହିଁ–ଆଖି ଦୁଇଟି ତା’ର ଦୂର ଦିଗ୍‌ବଳୟ ଉପରେ ନିବଦ୍ଧ । ସେଇ ଦୂର ଦିଗନ୍ତ ଦେହରୁ ଯେପରି ସେ ବୋଉକୁ ଖୋଜିବାରେ ଲାଗିଛି, ଟିକି ମନରେ ଭାବନାର ଘୂର୍ଣ୍ଣନ !

 

କ’ଣ କରିବ ସେ । କିପରି ବଞ୍ଚିବ ଏ ମାଡ଼ ଗାଳି ଭିତରେ । ଦୀନା କହୁଥିଲା ଯିଏ ମରିଯାଏ ସେ ଆସେନାହିଁ । ସତକଥା । ଏତେଦିନ ହେଲା ବୋଉ ମରିଗଲାଣି, ଥରକପାଇଁ ସେ ଆସି ନାହିଁ । ଏତେ କାନ୍ଦି କାନ୍ଦି ଡାକିବା ଭିତରେ ଯଦି ବୋଉ ନ ଆସିଲା ତେବେ ଆଉ କ’ଣ ଆସିବ ! ତେବେ କ’ଣ କରିବ । ହଁ ଯଦି ବୋଉଭଳି ସେ ମରିଯାଇ ପାରନ୍ତା....ହେଲେ କେମିତି ମରିବ ! ସମସ୍ତେ ଚୁପ୍‌ଚାପ୍‌ ଶୋଇ ପଡ଼ିଲେ ବୋଧେ ମରିଯାନ୍ତି । ତା’ପରେ ତାଙ୍କୁ ଆଣି ଏଇ ବଣରେ ଫିଙ୍ଗି ଦିଆଯାଏ । ହଁ–ସେୟା କରିବ ସେ । ବରସିଅରେ ମୁଣ୍ଡଟାକୁ ଥୋଇ ହଲଚଲ ନହୋଇ ଶୋଇ ପଡ଼ିଲା ଦୀପା !

 

ହେ–ଗୋଡ଼ ଘାଆରେ ମାଛି ବେଢ଼ିଗଲେଣି । ଉଠିବାକୁ ପଡ଼ିବ । ତେବେ ମରିବ କେମିତି ! ଚୁପ୍‌ଚାପ୍‌ ଶୋଇବାକୁ ଚେଷ୍ଟାକରି ମଧ୍ୟ ପାରିଲା ନାହିଁ ଦୀପା । ବାଧ୍ୟହୋଇ ମାଛି ଘଉଡ଼ାଇବା ପାଇଁ ଦୁଇ ଗୋଡ଼କୁ ହଲାଇବାକୁ ଲାଗିଲା । ଗଛ ଫାଙ୍କରୁ ଝଲକାଏ ଖରା ଆସି ତା’ ମୁହଁରେ ପଡ଼ିଲା । ନା ଏଠାରେ ଶୋଇ ହେବ ନାହିଁ–ଭାବି ଟିକିଏ ଦୂରକୁ ଘୁଞ୍ଚି ବସିଲା ଦୀପା, ଦେଖିଲା କିଏ ଗୋଟିଏ ବାବୁ–ତାକୁ ଲକ୍ଷ୍ୟକରି ଠିଆ ହୋଇଛି ।

 

ଆଗ୍ରହହୀନା ଭାବରେ ସେ ଆଡ଼କୁ ମୁହଁ ଫେରାଇଲା, ଦୀପା–ପାଖ ରାସ୍ତାରେ କେତେଲୋକ ଯାଆନ୍ତି, ଆସନ୍ତି । ସେଥିରେ ତା’ର କି ଯାଏ ଆସେ । ତାକୁ ମରିବାକୁ ହେବ, ସେ ଘରକୁ କେବେ ଯିବ ନାହିଁ । ହେଲେ ଦୀନାଟା ତାକୁ ସବୁଦିନ ଧରିନେଇ ଯାଉଛି । ହେଲେ ଆଜି ଜମ୍ମା ସେ ଯିବ ନାହିଁ । ବୋଉର ଫଟୋଟାକୁ ପାଖରେ ଥୋଇ ଦୀପା ପୁଣି ଶୋଇଲା ।

...ହେ....ଝିଅ...ହେ...

...ନଜାଣିଲା ପରି ଦୀପା ପଡ଼ି ରହିଲା....

ହେ–ଝିଅ ଏଠି କାଇଁ ଶୋଇଛୁ–

...ମୁଁ–ମତେ ପଚାରୁଛ...

...ହଁ....ଏଠାରେ ଏକୁଟିଆ ଶୋଇଛୁ, ତତେ ଡର ଲାଗୁନାହିଁ ?

ଏଇ ପଦକ କଥାରେ ଦୀପାର ଆଖି ପୁଣି ଛଳ ଛଳ ହେଲା । ଆଖି ଖୋଲି ଉଠିଲା ସେ ।

...ନାଇଁ ବାବୁ ଡର କ’ଣ–ମୁଁ ରୋଜ ଏଠିକି ଆସେ ।

...ରୋଜ ଆସୁ କାହିଁକି ! ଏଇଟା ବୋଧେ ମଶାଣି । ତତେ ଭୟ ଲାଗୁନାହିଁ ?

....ମୋ ବୋଉ ଏଠାରେ ମରି ଯାଇଛି । ତାକୁ ଖୋଜିବାକୁ ଆସେ....ଏଥର ବାବୁ ଜଣକଙ୍କ ମନଟି କରୁଣତାରେ ଭରିଗଲା । ଛଳ ଛଳ ହେଲା ଆଖି ! ପଥର ଛାତି ଫଟାଇ ଲୁହ ଝରିଲା ନାହିଁ ସତ ହେଲେ ମନ ଧରିଲା ! ସେ କଅଁଳ କଣ୍ଠରେ ଯା-ଯା-ମା-ଘରକୁ ଯାଆ–

 

ନାଇଁ.....ଘରକୁ ଯିବିନାହିଁ । ନୂଆବୋଉ ମାରି ପକାଇବ !

 

ତାଙ୍କର ଦର୍ପଣ ଭାଙ୍ଗିଛି । ବାପାଙ୍କୁ କହିଦେବ । ବାପା ଆହୁରି ପିଟିବେ !

 

...ନା–ଆଉ ମାରିବେ ନାହିଁ । ରାଗରେ ଥରେ ମାରିଲେ ସିନା, ସବୁବେଳେ କ’ଣ ମାରିବେ ! ପିଲାମାନେ ଦୁଷ୍ଟାମି କଲେ ମାଡ଼ ଖାଆନ୍ତି !

 

...ରାଗରେ ଲାଲ ପଡ଼ିଗଲା ଦୀପା । ଟିକି ମୁହଁଟି ତା’ର ରାଗ ଅଭିମାନରେ ଥମଥମ କରି ଉଠିଲା । ବାବୁଙ୍କ ଆଡ଼କୁ ଚାହିଁ ସେ କହିଲା –ହଁ ଦୁଷ୍ଟାମି କଲି, ମାଡ଼ ଖାଇଲି । ମୋ ବୋଉର ଫଟୋଗୁଡ଼ାକ ସେ କାଇଁ ଭାଙ୍ଗିଲେ । ଏଇଟାକୁ ନେଇ ପଳାଇ ଆସିଲି ସବୁ ଭାଙ୍ଗିଗଲା, କହି ସୁଦୃଶ୍ୟ ରଙ୍ଗିନ୍‌ ଫଟୋଟାକୁ ଓଲଟାଇ ଦେଲା ଦୀପା–

 

–ସାପ ଦେଖି ଚମକିଲା ପରି ଚମକି ପଡ଼ିଲେ–ମଳୟ ! ତେବେ, ତେବେ ଗୀତା ମରି ଯାଇଛି । ଏ ଯେ ତା’ରି ଫଟୋ । ମଥା ତାଙ୍କର ଘୂରିଗଲା । କ’ଣ ସେ କହିବେ ବା କରିବେ କିଛି ସ୍ଥିର କରି ପାରିଲେ ନାହିଁ । ଉଦ୍‍ଗତ ଅଶ୍ରୁଗୁଡ଼ାକ ତାଙ୍କର କଣ୍ଠ ପାଖରେ ଜମାହୋଇ ବାକ୍‌ଶକ୍ତି ଲୋପ କରିଦେଲେ !

 

ଦୀପା....କହି ପାଖକୁ ଟାଣିନେଲେ ମଳୟ !

 

ମୋ ନାଆଁ ତମେ କେମିତି ଜାଣିଲ ବାବୁ !

 

କିଛି କହି ପାରିଲେ ନାହିଁ ମଳୟ । କୋଳରେ ଦୀପାକୁ ଧରି ଗୀତାର ଫଟୋ ଉପରେ ସେ ଅଶ୍ରୁ ବିସର୍ଜନ କରୁଥିଲେ ।

 

କୋମଳମତି ବାଳିକା ଦୀପା–କିଛି ବୁଝିପାରୁ ନ ଥିଲା ! କେବଳ ସେ ଦେଖୁଥିଲା ସେଇ ବାବୁଙ୍କର କାନ୍ଦୁରା ମୁହଁକୁ–ଏତେ ବଡ଼ ମଣିଷ କ’ଣ କେବେ କାନ୍ଦେ ! କ’ଣପାଇଁ ଯେ ବାବୁ ଜଣକ ତାକୁ କୋଳରେ ଧରି ବୋଉର ଫଟୋକୁ ଧରି କାନ୍ଦୁଛନ୍ତି । ତା’ ଟିକି ମନ ସ୍ଥିରକରି ପାରୁନଥିଲା ! –ସେ କେବଳ ଭାବୁଥିଲା ତାଙ୍କର କ’ଣ ବୋଉ ମରି ଯାଇଛି !

 

ଏଇ କଥାଟି ମନ ଭିତରକୁ ଆସିବା ମାତ୍ରେ ଦୀପା ପାଟି କରି ଖୁବ୍‌ ଜୋରରେ କାନ୍ଦି ଉଠିଲା–ମଳୟ ନିଜକୁ ପ୍ରକୃତିସ୍ଥ କଲେ । ରୁମାଲରେ ଆଖି ପୋଛି, ଦୀପା ମୁହଁଟିକୁ ପୋଛିଦେଲେ-। ଆହା କି ସୁନ୍ଦର ଚେହେରାର ପିଲାଟା ! କେତେଟା ଦିନରେ କ’ଣ ହୋଇଛି ! ଯେଉଁ ଗୀତାର ଚିଠି ଭିତରେ ଖାଲି ଦୀପାର ବାଲ୍ୟ ଚପଳତା, ସୁନ୍ଦର ଚେହେରାର ବିଭିନ୍ନ ଭଙ୍ଗି ଫୁଟି ଉଠୁଥିଲା ସେ ଦିନର ସେଇ ଦୀପା ସହ ଆଜିର ଦୀପାକୁ ତୁଳନା କରିବାକୁ ବସିଲେ ଆକାଶ ପାତାଳ ଭଳି ଲାଗେ ! ଯେଉଁ ଗୀତା ଗୋଟିଏ ମୁହୂର୍ତ୍ତ କନ୍ୟାକୁ ନ ଦେଖି ପାଗଳୀ ପରି ହେଉଥିଲା, ଦୀପା ବରାଦ ମୁତାବକ ଜିନିଷ ନିର୍ଦ୍ଦିଷ୍ଟ ସମୟରେ ନ ଆସିଲେ ଅଭିମାନ କରୁଥିଲା, ନିଜର ଘର ସଂସାରକୁ ଗଢ଼ିବାକୁ ଯାଇ, ସମସ୍ତ ଅବସାଦକୁ ମଥା ପାତି ନୀରବରେ ସହ୍ୟ କରି ସମସ୍ତଙ୍କ ମନରେ ଭରିଦେଉଥିଲା ପରିପୂର୍ଣ୍ଣତାର ପ୍ରଶାନ୍ତି, ତାହାରି ଏତେ ଦିନର ସ୍ନେହ ମମତା ସାଧନା ମୁହୂର୍ତ୍ତକେ ଭାଗ୍ୟର ପ୍ରତିକୂଳ ସ୍ରୋତରେ ଭାସିଗଲା । ଏଇ ତାହାହେଲେ ତା’ର ନୀରସ ଜୀବନ-!

 

ଜୀବନ ମ୍ୟାଗେଜିନର ପୃଷ୍ଠା କି ରହସ୍ୟାବୃତ । କେତୋଟି ଦିନ ପାଇଁ ତା’ର ବିକାଶ ! ଗୋଟିଏ ପଲକ ପାଇଁ ମଧ୍ୟ ଜୀବନ ରହି ପାରେନା । ତଥାପି ଏ ସଂସାର ଏ ଜୀବନ ଯୌବନ ପାଇଁ ମଣିଷର କେତେ ଶ୍ରଦ୍ଧା, ଜୀବନ ମରିବା ପାଇଁ ଆସେ । ଯୌବନର ଶତଦଳଟି ଝାଉଁଳିବାପାଇଁ ପ୍ରସ୍ଫୁଟିତ ହୁଏ । ଭରା ସ୍ୱାସ୍ଥ୍ୟର ପ୍ରତିଟି ଶିରା-ପ୍ରଶିରାରେ ମୃତ୍ୟୁର ଶୀତଳ ଛାୟା ଲାଗି ରହିଛି । ଅଥଚ ମୃତ୍ୟୁ ଭଳି ଗୋଟାଏ ନିଷ୍ଠୁର ସତ୍ୟକୁ ଏଡ଼ାଇ ଯିବାକୁ ସମସ୍ତେ ବ୍ୟାକୁଳ । କିନ୍ତୁ ସେ ଠିକ୍‌ ସମୟରେ ଆସେ କାହାରି କାତର ପ୍ରାର୍ଥନାକୁ ସେ କାନ ଡେରି ଶୁଣେ ନାହିଁ । ଅସମୟରେ ସେ ନେଇଯାଏ ଗୋଟିଏ ଜୀବନ, ମାତ୍ର ଅସହାୟ କରି ଦିଏ କେତୋଟି ଜୀବନ । ଗୀତା ମରିଛି । ଦୀପାକୁ ବଞ୍ଚିଥାଇ ମଧ୍ୟ ମାରିଦେଇ ଯାଇଛି ! ମା’କୁ ହରାଇ ଗୋଟିଏ ଜୀବନ ଅକାଳରେ ଅବେଳରେ ଝରି ଯାଉଛି ଝରା ଶେଫାଳୀ ପରି । ମା ବ୍ୟତୀତ ଆଜି ତା’ ପାଖରେ ସମସ୍ତ ମୂଲ୍ୟହୀନ । ସେ ଖାଲି ଖୋଜୁଛି ବୋଉକୁ । ତା’ର ପରିଚୟ କେବଳ ସେଇ....ନାହିଁ ନାହିଁ, ସେ ସବୁଦିନ ପାଇଁ ଯାଇଛି !

 

ଦୀପାର କପାଳ ଚୁମ୍ବନ କଲେ ମଳୟ । ମୁଣ୍ଡର ଅଲରା ବାଳ କେତୋଟି ସଜାଡ଼ି ଦେଇ କହିଲେ ମୋ ସାଙ୍ଗରେ ଯିବୁ । ମୁଁ ତତେ ନେଇଯିବି !

 

ଝାଉଁଳା ମୁହଁଟି ଆହୁରି ମଳିନ ଦିଶିଲା ଦୀପାର । ସେ କମ୍ପି ଉଠିଲା । ତା’ର ମନେହେଲା ନୂଆବୋଉ ଓ ବାପା ଯେପରି ମାଡ଼ି ଆସୁଛନ୍ତି ! ତାକୁ ଟାଣି ଟାଣି ନେଇ ପିଟି ପିଟି ମାରିଦେବ । ସେ ଦୁଇ ହାତରେ ମଳୟଙ୍କ ବେକକୁ ଜାବୁଡ଼ି ଧରିଲା–ଥରିଲା କଣ୍ଠରେ କହିଲା...ନାହିଁ....ବାପା ମାରିବେ !

 

ଦୁଃଖିତ ହେଲେ ମଳୟ । ପିଲାଟାକୁ ଏତେ ମାରିଛନ୍ତି ଯେ ପ୍ରତି ମୁହୂର୍ତ୍ତରେ ସେ ଖାଲି ସେ କଥା ଭାବୁଛି ! ସୁରଟା କି ନିର୍ମମ ହୋଇଯାଇଛି ! ହଠାତ୍‌ ତାଙ୍କର ମନ ବିଦ୍ରୋହୀ ହୋଇ ଉଠିଲା । ଅବଚେତନ ମନ ଭିତରୁ ବହୁ ଦିନର ପୁଞ୍ଜୀଭୂତ ଈର୍ଷା କ୍ରୋଧ ରୂପରେ ଦେଖା ଦେଲା । ସେଇ ସୁର ପାଇଁ ତାଙ୍କ ଜୀବନ ମରୁଭୂମିରେ ପରିଣତ ହୋଇଛି । ସେଇ ଛଡ଼ାଇ ନେଇଛି ଏକଦା ମାନସୀ ଗୀତାକୁ । ଆଉ ଆଜି ତା’ର ପାଳିତା କନ୍ୟାକୁ ନିର୍ଯ୍ୟାତନା ଦେଉଛି ! ମଦମତ୍ତ ମାନବ ଆଜି କୁହୁକିନୀର ଫାନ୍ଦାରେ ଆତ୍ମବିସ୍ମୃତ । ଦୀପା ଉପରେ ତା’ର କି ଅଧିକାର ଅଛି । ରାସ୍ତା ଧାରରୁ ଗୋଟାଇ ଆଣିଥିଲେ ମଳୟ । ସେ ମଳୟର !

 

ମଳୟ ମନକୁ ମନ କହି ଚାଲିଲେ, ‘‘ଗୀତାକୁ ସୁର ପାଖରୁ ଛଡ଼ାଇ ନେଇ ପାରିନଥିଲେ-। ଜୀବନ ଜୁଆ ଖେଳରେ ଜିତାପଟ ହୋଇଯିବାରେ ଗୀତାକୁ ସେ ରଖିଥିଲା । ହେଲେ ଦୀପାକୁ ମୁଁ ନେବି ! ନିଶ୍ଚୟ ନେବି ! ଅତୃପ୍ତ ମନର ଅଶାନ୍ତ ପ୍ରେତଟା ଏଇ ପ୍ରତିଶୋଧ ନେଇ ଅନ୍ତତଃ ଶାନ୍ତି ପାଇପାରେ ।’’ ଦାଉ ଦାଉ ହୋଇ କ୍ରୋଧର ନିଆଁ ଜଳି ଉଠିଲା ମଳୟଙ୍କ ଛାତିରେ । ମୁହଁର ସମସ୍ତ କୋମଳତା ଅପସରି ଦେଖାଗଲା ଦୃଢ଼ତା, ସେ ଦୁଇ ହାତକୁ ଛାତି ଉପରେ ଛକି ପକାଇ ଅସ୍ଥିର ଚିତ୍ତରେ ପଦ ଚାରଣା କରିବାକୁ ଲାଗିଲେ । ଦୀପା ଓ ଫଟୋପ୍ରତି ତାଙ୍କର ନଜର ନଥିଲା-!

 

......ଦୀପା....ହେ.....ଦୀପା...ମା ମୋର....କେଉଁଠି ଅଛୁ ଆସିଲୁ, କହି କଇଁ ପୋଖରୀ ହୁଡ଼ା ଉପରକୁ ଉଠିଲା ଦୀନା–

 

ଦୀନାକୁ ଦେଖି ମଳୟ ମୁହଁକୁ ବିକଳରେ ଚାହିଁଲା ଦୀପା, ବାବୁ ! ମତେ ନବାକୁ ଆସିଲାଣି, ମୁଁ ଯିବିନି ବାବୁ...ମତେ ତମେ ନେଇଯାଅ ବାବୁ...

 

......କୋଳକୁ ଦୀପାକୁ ନେଉଁ ନେଉଁ ମଳୟ କହିଲେ....ଛି....ମତେ ବାବୁ ବୋଲି ଡାକିବୁ ନାହିଁ । ମୁଁ....ପରା ତୋ ବାପା । ମତେ ବାପା ଡାକିବୁ ! ମୁଁ ତତେ ନେଇଯିବି ! ତୁ ଆଉ ଘରକୁ ଯିବୁନାହିଁ । ଡରୁଛୁ କାହିଁକି !

 

.....ସତ କହୁଛ ବାବୁ.....

 

....ଏଁ–କହିଲି ପରା ବାପା ଡାକିବୁ !

 

....ହେଲେ ତମେ ତ ମୋ ବାପା ନୁହଁ !

 

.....ମୁଁ ତୋ ବାପା ନୁହେଁ ତ ତୋ ନାଆଁ କେମିତି ଜାଣିଲି !

 

.....ହଁ ସତେତ ! ମୋ ନାଆଁ ତମେ ଜାଣିଛ ! –କିମିତି ଜାଣିଲ !

 

.....ଆରେ....ତୋ ବୋଉ ନାଁ ବାପା ନାଁ ମୁଁ ଜାଣେ । ଏଇ ବୁଢ଼ା ଯିଏ ଆସୁଛି ତା’ ନାଁ ଦୀନା ନୁହେଁ ? ତୁମ ଘରେ ସେ କାମ କରେ । କ’ଣ ସତ ନା ମିଛ କହତ ?

 

ଆଶ୍ଚର୍ଯ୍ୟ ମିଶା ଆଖିରେ ଦୀପା ଚାହିଁଲା ମଳୟକୁ ! ଏ ମ୍ୟାଜିକ୍‌ବାଲା ନୁହେଁ ତ ! ସେଦିନ ସ୍କୁଲ ପଡ଼ିଆରେ ସେ ମ୍ୟାଜିକ୍‌ ଦେଖାଉଥିଲା । ବାପାଙ୍କ ସାଥିରେ ସେ ଦେଖିବାକୁ ଯାଇଥିଲା । ଗୋଡ଼ିକୁ ଟଙ୍କା କରୁଥିଲା । ଟିକିଏ କାଗଜକୁ ଗିଳି କେତେ କାଗଜ ଗଦା କଲା–ଧଳା ରିବନ ଭଳିଆ କାଗଜଗୁଡ଼ାକ ଦିଶୁଥିଲା । ସବାଶେଷରେ ଟିକି ଝିଅଟିକୁ ଦିଗଡ଼କରି ହାଣି ପକାଇଲା ! ତାକୁ ଦେଖି ସେଦିନ ଯୁ ଡର ମାଡ଼ିଲା ନା, ବାପାଙ୍କ ସାଙ୍ଗରେ ସେ ପଳାଇ ଆସିଥିଲା-। ଏ ସେମିତି ଯଦି ମ୍ୟାଜିକ୍‌ବାଲା ହୋଇଥାଏ ! ତାକୁ ଭୁଲାଇ ନେଇ ହାଣି ଦେବ । ଭୟରେ ଦି’ ହାତରେ ଆଖି ବୁଜି ଧରିଲା ଦୀପା–

 

....ବାବୁ....ତମେ ଆଇଚ କେତେବେଳେ ।

 

ଏଇ ସାଙ୍ଗେ ସାଙ୍ଗେ–ଦୀନା । ଦୀପାକୁ ଏଠାରେ ଦେଖି ଟିକିଏ ଅଟକି ଯାଇଛି । ପ୍ରଥମରୁ ତାକୁ ଚିହ୍ନି ପାରିଲି ନାହିଁ ।

 

କେମିତି ଚିହ୍ନନ୍ତ ବାବୁ । ବକଟେ ହେଇଥିଲା ଦେଖିଥିଲ । କେତେଦିନ ହେଲା ଆସି ନ ଥିଲ । ତା’ପରେ ତା’ର କ’ଣ ଆଗ ରୂପ ଅଛି ! ମା’ ମଲାଠୁ ପିଲାଟାର ଶିରୀ ତୁଟି ଯାଇଛି ।

 

....ତୋ ମା ତା’ହେଲେ ମରି ଯାଇଛନ୍ତି ଦୀନା.....

 

–ତମେ କ’ଣ ଏକଥା ଜାଣିନା ବାବୁ ! ଆମ ବାବୁ ତମକୁ ଜଣାଇ ନାହାଁନ୍ତି ?

 

ନାଇଁରେ ଦୀନା–ଜାଣିଥିଲେ କ’ଣ ଆଜିଯାଏ ନ ଆସି ରହିଥାନ୍ତି ! ଦୀପା ଏପରି ଅବସ୍ଥା ହୋଇଥାନ୍ତା !

 

ମୁଁ ମନେମନେ ସେଇଆ ଭାବୁଥିଲି ବାବୁ ! ମୋ ମନ କହୁଥିଲା ତମେ ଜାଣିଥିଲେ ଥରେ ଆସି ପିଲାଟାକୁ ଦେଖି ଯାଆନ୍ତଣି । ତମେ ବୋଧେ ଜାଣିନା ? ପିଲାଟାର ମାଡ଼ ଗାଳି ଦେଖି ମୋର ମନ ସମ୍ଭାଳି ହୁଏନି । ତମ କଥା ମନେପଡ଼େ–ହେଲେ ବାବୁ.... । ମୁଁ ତ ମୂରୁଖ ଲୋକ ! ପାଠ କ’ଣ ପଢ଼ିଛି ଭାଷା ଲେଖିବି ! ତୁମେ କୁ ସହରରେ ଅଛ ମୁଁ କ’ଣ ଜାଣେ ? ଆମ ବାବୁଙ୍କର ତୁମର କେତେ ସାଙ୍ଗ, ହେଲେ ବାବୁ ତମକୁ ଏତେ ବଡ଼ କଥା ଜଣେଇଲେନି କିମିତି !

....ଥାଉ ଦୀନା, ସେକଥା କହନା ଦୁଃଖ ଲାଗୁଛି । ସେ ଦିନର ସୁର କେତେ ବଦଳି ଯାଇଛି–ଭାବିଲେ ଆଶ୍ଚର୍ଯ୍ୟ ଲାଗେ !

–ସେ ଭଲ ଥିଲେ ବାବୁ–ହେଲେ ଏଇ ପଛ ବାହାଠାରୁ ତାଙ୍କର କ’ଣ ମନ ଠିକ୍‌ ଅଛି । ସେଇ ମାଇକିନିଆଁ କଥାରେ ପଡ଼ି ପିଲାଟାକୁ ପରା ପଚାରୁ ନାହାନ୍ତି, ତାରିପାଇଁ ମୁଁ ଖାଲି ସେ ଘରେ ପଡ଼ି ରହିଛି ବାବୁ । ନଇଲେ ମୋ ଝିଅ ଘରକୁ ପଳାନ୍ତି । ମା’ ମରିଛନ୍ତି ସେ ଘରୁ ଶିରୀ ତୁଟିଛି । ସେ ଘରେ ପାଣି ଛୁଇଁବାକୁ ମୋ ଆତ୍ମା କହୁନି । ଖାଲି ଏଇ ପିଲାଟା ପାଇଁ । ସବୁବେଳେ ଏଇ ମଶାଣିଟାରେ ଆସି କାନ୍ଦିଲା । କେହି ତ ଖୋଜିବେନି । ଖାଇବା ନଖାଇବା ବୁଝିବେନି । କ’ଣ ହେଲାଣି ଦେଖୁନା ତା’ ରୂପକୁ !

–ମୁଁ ତାକୁ ନେଇ ଯାଉଛି ଦୀନା–ଆଜି–ଏଇଠୁ ।

ସତରେ ବାବୁ...ଭାରି ଭଲ ହେବ, ପିଲାଟା ମଣିଷ ହେଇ ଯିବ ! ହେଲେ ଘରକୁ ଚାଲ-। ଖରା ତରାରେ ଦଉଡ଼ି ଦଉଡ଼ି ଆସିଛ । ମୁହଁ କଳା ଖପରା ଦିଶୁଛି, ଗଣ୍ଡାଏ ଖାଇ ବିଶ୍ରାମ ନେବ-। ତା’ପରେ ଯାହା କଥା ହେବ !

ନାଇଁ...ଦୀନା–ସେ ଘରକୁ ଗଲା ଭଳି ଧୈର୍ଯ୍ୟ ମୋର ନାହିଁ । ମୁଁ ଏଇଠୁ ଫେରି ଯାଉଛି-

ହେଲେ–ବାବୁ । –ଦୀପାକୁ ନଉଚ ? ବାବୁ ରାଗିବେ, ଏକେତ ବଦରାଗୀ ମଣିଷ । ସେଥିରେ ପୁଣି ପୁଲିସ ଚାକିରି କରି ବେଶି ରାଗ ବଢ଼ିଗଲାଣି । କ’ଣ ନାଇଁ କ’ଣ ହବ ! ମତେ ଡର ଲାଗୁଛି, ତୋର ଭୟ କ’ଣ ।

ମୁଁ ଦୀପାକୁ ନେଲି । ତୁ କ’ଣ ମତେ ଶିଖାଇ ଥିଲୁ ।

ନାଇଁ–ବାବୁ–ତମେ ଘରକୁ ଚାଲ ।

ନା....ଦୀନା....ମୁଁ ଯାଉଛି । ତୁ କହିଦବୁ ସୁରକୁ । ରାସ୍ତା କଡ଼ରୁ ଦିନେ ମୁଁ ଦୀପାକୁ ଗୋଟାଇ ଆଣିଥିଲି । ଆଜି ରାସ୍ତା କଡ଼ରୁ ମଧ୍ୟ ତାକୁ ନେଇ ଯାଉଛି । ଯାହାକୁ ମଣିଷ କରିବା ପାଇଁ ଦେଇଥିଲି ସେ ନାହିଁ । ସେଇଥିପାଇଁ ମୋ ଝିଅକୁ ମୁଁ ନେଇ ଯାଉଛି । ଏତିକି କହିବୁ ଦୀନା–ଆଉ ଡାକ୍ତର ବାବୁଙ୍କ ସ୍ତ୍ରୀଙ୍କୁ କହିବୁ, ମୁଁ ତାଙ୍କ ସହ ଦେଖାନକରିପାରି ଫେରି ଯାଉଛି । ଦୁଃଖ କରିବେ ନାହିଁ । ତାଙ୍କୁ ତୁ ଚିହ୍ନିଚୁ ତ !

.....ଏ କ’ଣ ....କହୁଚ ବାବୁ । ବନ୍ଦନା ମା’ଙ୍କୁ ମୁଁ ଚିହ୍ନିନି !

–ହଁ....କହିବୁ–ଦୀପାକୁ ମୁଁ ନେଇ ଯାଇଛି ।

....ବାବୁ...ଦୀନା ଆଖିରେ ଲୁହ....

....ଆ....କହି ଦୀପାର ହାତ ଧରିଲେ ମଳୟ ।

ଗୋଟିଏ ହାତରେ ବୋଉର ଫଟୋ ଓ ଅନ୍ୟ ହାତରେ ମଳୟଙ୍କ ହାତ ଧରି ଦୀନାକୁ ଚାହିଁଲା ଦୀପା....

ଯା....ରେ...ମା’ ତୁ ଗଲୁ, ଏଥର ମୋର ଛୁଟି ।

...ଆସୁନୁ ଯିବୁ.....ମୋ ସାଙ୍ଗେ ?

ତୁ ଭଲରେ ରହ । ଏତିକି ମୋର ପ୍ରାର୍ଥନା ! ଆଉ କୁଆଡ଼େ ଯିବିନିରେ ମା–ଯିବି ଯମ ପୁରକୁ । କହି ଆଖିରୁ ଲୁହ ଫୋଛିଲା ଦୀନା ।

ଦୀପା କଇଁ ପୋଖରୀ ହୁଡ଼ାରୁ ଗଡ଼ିଲା ତଳକୁ । ଶେଷଥର ପାଇଁ ସେ ଆଖି ବୁଲାଇ ଆଣିଲା ବୁଢ଼ା ବରଗଛ ମୂଳରେ । ଯେଉଁଠି ବୋଉ ତା’ର ଲୁଚି ଯାଇଛି ସବୁଦିନ ପାଇଁ । ଆଖି ତା’ର ଛଳ ଛଳ ହେଲା ! ମଳୟ ଦେଖିପାରି କହିଲେ–କାନ୍ଦୁଛୁ–କାହିଁକି !

ତମ ଘରେ ମତେ କେହି ମାରିବେ ନାହିଁତ !

...ନା...କିଏ ମାରିବ ! ତୋର ଭାଇ ଅଛି । ତା’ ସାଙ୍ଗେ ଖେଳିବୁ । ପାଠ ପଢ଼ିବୁ ।

ଖୁସି ହେଲା ଦୀପା....

ଅନାବନା ପ୍ରଶ୍ନର ଜାଲ ଭିତରେ ଛନ୍ଦି ପକାଇଲା ମଳୟଙ୍କୁ !

ମଳୟ ଦୀପାକୁ–ତା’ ପ୍ରଶ୍ନର ଉତ୍ତର ଦେଉଥିଲେ ମଧ୍ୟ–ମନ ତାଙ୍କର ଭାବୁଥିଲା ଅନେକ କିଛି ।

କେତେ ଖଣ୍ଡି ଫ୍ରକ୍‌ ପ୍ୟାଣ୍ଟ ରିବନ କିଣି ମଳୟ ବସରେ ବସି ପଡ଼ିଲେ । ଦୀପା ଘୁମେଇଁ ପଡ଼ିଲା ମଳୟଙ୍କ କୋଳରେ ମଥାରଖି । ସିଟ୍‌ ଉପରେ ନିଜର ଅବସନ୍ନ ଦେହଟାକୁ ଆଉଜାଇ ରଖି ମଳୟ ଅନ୍ଧାରିଆ ଆକାଶ ଆଡ଼କୁ ଚାହିଁ ରହିଲେ । ତନୁ ଉପରେ ପରସ୍ତ ପରସ୍ତ କ୍ଳାନ୍ତି । ଉଦାସ ଆଖି ଆଗରେ ନର୍ତ୍ତନ କରୁଛି ବିରାଟ ଉପେକ୍ଷିତ ଅତୀତ । ଶତ ଚେଷ୍ଟା କରି ଅତୀତଟାକୁ ସେ ଭୁଲି ପାରିଲେ ନାହିଁ । ଯୌବନର ଅସ୍ତରାଗ ଅନ୍ଧକାରର ମାୟା ଭିତରେ ଲୁଚି ଯିବାକୁ ବସିଲାଣି । ତଥାପି ମନ ଭିତରେ ଘନ ଘନ ନିନାଦିତ ହେଉଛି ଚିରନ୍ତନ ଆଦିମ ସଙ୍ଗୀତ । ମଣିଷର ମନ ଉପରେ ବୟସର ଯେତେ କଳାଛାପ ପଡ଼ିଲେ ମଧ୍ୟ ମନ ଅରଣ୍ୟର ସବୁଜଶ୍ରୀ ସବୁବେଳେ ବସନ୍ତର ସମ୍ଭାର ନେଇ ଉକୁଟି ଉଠେ ।

ନିଜର ଦେହକୁ କରୁଣାର୍ଦ୍ର ଦୃଷ୍ଟିରେ ମଳୟ ଚାହିଁଲେ । ରୂପର ପ୍ଳାବନ ଅତୀତରେ ହୁଏତ କରାଳ ବିଭୀଷିକା ସୃଷ୍ଟି କରିଥିଲା । ସେଇ ପ୍ରାଗୈତିହାସିକ ବନ୍ୟାର ଅବକ୍ଷୟୀ ପଟୁ ମାଟିହିଁ ମୃତ ଅତୀତର ଗୌରବ-ସ୍ମାରକୀ ।

ତା’ର ଯୌବନ ସିନା ସରି ଯିବାକୁ ବସିଛି, ହେଲେ ଗୀତା ଯେ ସବୁଦିନ ପାଇଁ ଚାଲିଗଲା । ରଖିଦେଇ ଗଲା ଖାଲି ଜ୍ୱାଳା । ଭରିଦେଇ ଗଲା ଖାଲି ଅୟୁତ ଯୁଗର ବ୍ୟଥା । ଝୁରି ଝରିବା ପାଇଁ ସୀମାହୀନ ରେଖା–ଦୀପାର ଉପସ୍ଥିତିରେ ସେ କ’ଣ ଗୀତାକୁ ଭୁଲି ପାରିବ । ଗୋଟାଏ ଖିଆଲରେ ଦୀପାକୁ ନେଇ ଆସି ସେ କ’ଣ ଭୁଲ କରିଛନ୍ତି ! ପାରିବେ ତ ତାକୁ ମଣିଷ କରି । ଧନର ଅଭାବ ଅବଶ୍ୟ ତାଙ୍କର ନାହିଁ । ହେଲେ ମାତୃଶୂନ୍ୟା କୋମଳମତି ବାଳିକା ପାଖରେ ଧନର ମୂଲ୍ୟ କ’ଣ । ସେ ଖୋଜିବ ସ୍ନେହ । ସାରା ଦିନ ତାଙ୍କର କଟିବ ବାହାରେ । ସରୋଜଟା ଭୀଷଣ ଜିଦଖୋର । ସେ ଦୀପାକୁ ଯେ କେଉଁ ଦୃଷ୍ଟିରେ ଦେଖିବ, କିଏଜାଣେ ଯଦି ହତାଦର କରେ-! ଘୃଣା କରେ । ମାଡ଼ଗାଳି ଦିଏ–ପିଲା ମନତ...ଓ....ମୁଣ୍ଡଟା ଧକ୍‌ଧକ୍‌ ହୋଇ ଉଠିଲା ମଳୟଙ୍କର-। ଦୁଇ ହାତରେ ମଥାକୁ ଚାପୁ ଚାପୁ ସେ ଆଖି ବୁଜିବାକୁ ଚେଷ୍ଟା କଲେ । ହେଲେ ବସ୍‌ର ଧକ୍‌ଚକ୍‌ ଭିତରେ କ’ଣ ଆଖିକୁ ନିଦ ଆସିବା ସହଜ...ହେଲେ ପରମ ନିଶ୍ଚିନ୍ତରେ ସମସ୍ତେ ବସିବା ସ୍ଥାନରେ ଘୁମାଇଁ ପଡ଼ିଛନ୍ତି । ଜୋର୍‍ କରି ଶୋଇବାକୁ ଚେଷ୍ଟା କଲେ ମଳୟ ।

 

ସକାଳ ଆଠଟା, ରାତ୍ରି ଜାଗରଣ ତାଙ୍କ ଦେହରେ ଲେପିଛି କ୍ଳାନ୍ତିର କାଳିମା ! ଗୋଟିଏ ହାତରେ ବ୍ୟାଗ ଓ ଅନ୍ୟ ହାତରେ ଦୀପାର ହାତ ଧରି ମଳୟ ପଶିଲେ ଘର ଭିତରକୁ । କାଲି ରାତିରେ ସରୋଜ ଯେ କିପରି ଏକଲା ଶୋଇଥିବ ! ପୂଝାରିଟାତ ନିହାତି ଡରୁଆ: କହିଥିଲେ ଦୀଲ୍ଲିପକୁ ରାତିରେ ଡାକି ଆଣିବୁ । କ’ଣ କରିଛି କେଜାଣି । ଅସ୍ଥିର ମନ ଦେଇ ସେ ଡାକ ପକାଇଲେ–ସରୋଜ ! ସରୋଜ ! ଗୋଟାଏ ହାତରେ ଦର୍ପଣ ଗୋଟାଏ ହାତରେ ପାନିଆଁ ଧରି ଧାଇଁ ଧାଇଁ ଆସିଲା ସରୋଜ ।

 

‘‘କାଲି ରାତିରେ କ’ଣ ଏକଲା ଶୋଇଲୁ, ଦୀଲ୍ଲିପକୁ ଡାକିବାକୁ କହିଥିଲି, ଡାକିଲୁଟି । ଆଉ ଭାଇନା କାହିଁ !

 

ଭାଇନା ପରିବା ପାଇଁ ବଜାରକୁ ଯାଇଛି ! –ବାପାଙ୍କୁ ଉତ୍ତର ଦେଉ ଦେଉ କୌତୂହଳ ନେଇ ସରୋଜ ଦେଖୁଥାଏ ଦୀପାକୁ; ଆଖିରେ ତା’ର ପଚାରିଲା ପଚାରିଲା ଭାବ ! ହେଲେ ସେ ଭୟରେ ପଚାରି ପାରୁ ନଥାଏ, କାଳେ ବାପା ବିରକ୍ତ ହେବେ ।

 

‘‘ଦୀଲ୍ଲିପ ଆସିଥିଲା !

 

‘‘ହଁ ମଉସା ମୁଁ ଆସିଛି’’ କହି ବାଥ୍‌ରୁମ୍‌ ଭିତରୁ ବାହାରି ଆସିଲା ଦୀଲ୍ଲିପ ! କାନ୍ଧରେ ତା’ର ଓଦା ପ୍ୟାଣ୍ଟ, ଅଣ୍ଟାରେ ଓଦା ଗାମୁଚ୍ଛା ।

 

ଆଖିର ଇସାରାରେ ସରୋଜ ଡାକିଲା ଦୀଲ୍ଲିପକୁ । ସେଇ ଓଦା ଦେହରେ ଦୀଲ୍ଲିପ ଠିଆ ହେଲା ସରୋଜ ପାଖରେ !

 

ଉଭୟଙ୍କ ଆଖିରେ ଜିଜ୍ଞାସା–ଏ କିଏ ?

 

ହେଲେ ଏ ପ୍ରଶ୍ନ କିଏ ପଚାରିବ !

 

ମଳୟ ସବୁ ଲକ୍ଷ୍ୟ କରୁଥାନ୍ତି । ସେମାନଙ୍କୁ ଠିକ୍‌ ସେଇ ଦ୍ୱନ୍ଦ୍ୱ ଭିତରେ ରଖି ମଳୟ ପଶିଲେ ଘର ଭିତରକୁ । ପୋଷାକ ବଦଳାଉ ବଦଳାଉ କହିଲେ, ଗାଧୋଇ ସାରିଲୁଣି ସରୋଜ ! କୁଣ୍ଡରେ ପାଣି ଅଛିତ, ମୁଁ ଗାଧୋଇବି !

 

ହଁ ମଉସା ପାଣି ଅଛି । ଆପଣ ଯାଆନ୍ତୁ । ଆମେ ସମସ୍ତେ ଗାଧୋଇ ସାରିଛୁ–କହିଲା ଦୀଲ୍ଲିପ ?

 

ଆଖିରେ ଆଖିଏ କୌତୂହଳ ନେଇ ଦୀପା ଦେଖୁଥିଲା ସବୁ, ହେଲେ ନୂଆ ଜାଗାରେ ତାକୁ ଆଦୌ ଭଲ ଲାଗୁ ନଥିଲା । ତା’ର ଖାଲି ମନେ ପଡ଼ୁଥିଲା ଘର କଥା–ଦୀନା କଥା–ଯେତେ ଯାହା ହେଲେ ବି ତାଙ୍କ ଘର ଭଳି କେହି ଭଲ ନୁହେଁ । ତାଙ୍କ ଫୁଲ ବଗିଚା, ପିଜୁଳି ଗଛ । କାଳିଆ କୁକୁର ‘‘ପପି’’ ବନ୍ଦନା ମାଉସୀ ଘର ସଙ୍ଖି ବିଲେଇ ! କେତେ ସାଙ୍ଗସାଥୀ । ହେନା, ଝରଣା ସୁବାସ–ପୋଖରୀ ହୁଡ଼ାର କଇଁଫୁଲ, କିଛି ଏଠାରେ ନାହିଁ । ନା–ସେ ଏଠାରେ ରହିବ ନାହିଁ ।

 

...ହେ....ତୋ ନାଁ କ’ଣ ପଚାରିଲା ସରୋଜ !

 

....ଆଖି ଟେକି ଚାହିଁଲା ଦୀପା....ଆଗରେ ତା’ର ସେଇ ପିଲା ଦୁଇଟା । ଏଇମାନେ ତା’ହେଲେ ତା’ର ଭାଇ । ଭାଇ–ନା–ଛେନା; ଭାଇମାନେ ସିନା କୋଳକୁ ନେଇ ଗେଲ କରନ୍ତି । ଏଗୁଡ଼ାକ କି ଭାଇ ହେବେମ । ପଚାରିଛି ପୁଣି-ହେ-ତୋ ନାଁ କ’ଣ । ହେଲେ ପିଲା ଦୁଇଟା ଖୁବ୍‌ ସୁନ୍ଦର । କେତେ ମୋଟା ମୋଟା ହାତ ଗୋଡ଼ । ସୁନ୍ଦର ଜାମା ପ୍ୟାଣ୍ଟ ପିନ୍ଧିଛି । ବେକଯାକ ପାଉଡର ବୋଳିଛି । ସେ ପିଲାଟା ଗାଧୋଇ ଆସିଛି ଯେ କେଡ଼େ ଗୋରା ଦିଶୁଛି । ନିଜ ଦେହକୁ ଚାହିଁଲା ଦୀପା । ଦେହଯାକ ଖାଲି ମଳି । ଜାମା ଯାକ କଳା । ଗୋଡ଼ ଯାକ ଫୋଟକା । ନଖ ସନ୍ଧିରେ ମଳି ଲାଗି କି ଅସୁନ୍ଦର ଦିଶୁଛି । ମୁଣ୍ଡ ବାଳଗୁଡ଼ା ମଇଳା ଯେ କୁଣ୍ଡେଇ ହଉନି, ସେମାନେ କେତେ ସଫା । ଆଉ ସେ ନିଜେ କେତେ ଅସନା ।

 

–ତୋ ନାଁ କ’ଣ–

 

–ନିଜ ଦେହରୁ ଆଖି ଫେରାଇ ସରୋଜକୁ ଚାହିଁଲା ଦୀପା–ଟିକି ଆଖି ଦୁଇଟାରେ ରାଗର ଲାଲିମା–ସେଇ ଆଖିର ଇଙ୍ଗିତରେ ସେ ଯେପରି କହୁଥିଲା । ମୁଁ କହିବି ନାହିଁ ।

 

...ସେ କିଏ ସରୋଜ । ପଚାରିଲା ଦୀଲ୍ଲିପ !

 

...ଶୁଣୁଛୁ ମୁଁ ଚିହ୍ନିନି, କି ଜାଣିନି । ଆଉ ମତେ ପଚାରୁଛୁ କ’ଣ !

 

...ତୋ–ନାଁ କ’ଣ କହିଲୁ–କହ କଣ୍ଠକୁ ଯଥା ସମ୍ଭବ କଅଁଳ କରି ପଚାରିଲା ଦୀଲ୍ଲିପ–

 

...ଦୀପାଳି !

 

...ତମ ଘର କେଉଁଠି !

 

...ପ୍ରତାପପୁର

 

...ତମ ଘରେ ଆଉ କିଏ ଅଛି...

 

...ବାପା–ବୋଉ–ଦୀନା...

 

...ତୁ କିମିତି ଆସିଲୁ–

 

...ବାପା ଆଣିଲେ

 

....କିଏ ତୋ ବାପା...

 

...ଯାହାଙ୍କ ସାଥିରେ ମୁଁ ଆସିଲି ।

 

....ସେ ତୋର କ’ଣ ହୁଅନ୍ତି ?

 

....କେଜାଣି–ସେ ମତେ କହିଲେ ବାପା ବୋଲି ଡାକିବାକୁ ।

 

...ତମ ଘରେ କେହି କିଛି କହିଲେ ନାଇଁ ।

 

....ନା....ବାପା ବୋଉ କ’ଣ ଜାଣିଛନ୍ତି ! ଦୀନା ଜାଣିଛି । ସେଇ ଘରେ କହିଥିବ !

 

...ତୋ ବୋଉ–ତତେ ଖୋଜିବ ନାହିଁ ?

 

...ମୋର କ’ଣ ବୋଉ ଅଛି । ଦୀପାର କଣ୍ଠ ଭାରି ଭାରି ଜଣା ପଡ଼ିଲା ?

 

...ଆଉ...

 

...ମୋ ବୋଉ ମରି ଯାଇଛି !

 

...ଆଉ କହୁଛୁ ଘରେ ବୋଉ ଅଛି ବୋଲି ।

 

...ସେ ନୂଆ-ବୋଉ, ମତେ ବହୁତ ମାରେ । ଦୀପା ଆଖିରେ ଲୁହ ।

 

...ତୁ କ’ଣ ଏଇଠି ରହିବୁ...

 

...ହଁ...ପାଠ ପଢ଼ିବି ! ଦୀପାର ଜଡ଼ତା କମି ଆସୁଥିଲା ।

 

...ଘରକୁ ଯିବୁ ନାହିଁ ?

 

ନା...ଏଇଠି ରହିବି । ବାପା କହିଛନ୍ତି ବହି କିଣିଦେବେ । ସିଲଟ୍‌ କିଣିଦେବେ । ...ପାଠ ପଢ଼ିବି । ଭାଇ ମତେ ପାଠ ପଢ଼େଇବେ !

 

...ତୋ ଭାଇ କିଏ–ଏତେବେଳକେ ସରୋଜ ମୁହଁ ଖୋଲି ପଚାରିଲା ।

 

...ତମେ–ତମରି ନାଆଁ ସରୋଜ ପରା । ବାପା କହୁଥିଲେ ତମକୁ ମୁଁ ସରୋଜ ଭାଇ ବୋଲି ଡାକିବି ? କହି ସରୋଜ ପାଖକୁ ଲାଗିଗଲା ଦୀପା...

 

...ହଁ...ଏଇ ଅସନା ପିଲାଟାର ଭାଇ ହେବି ବୋଲି ଦଉଡ଼ୁ ଥିଲି କହି ପଛକୁ ଘୁଞ୍ଚିଗଲା ସରୋଜ !

 

...ଚମକି ଠିଆ ହେଲା ଦୀପା–ଆଖି କଣରେ ତା’ର ଲୁହ ଜମିଗଲା । ହଁ ସତେତ ସେ !

 

...ଅସନା–ମଇଳା ବୋଲି ବୋଉ ଦୂର୍‌ ଦୂର୍‌ ମାର୍‌ ମାର୍‌ କରେ ! ମାଡ଼ ମାରେ ।

 

...ଏଠାରେ ବି ତାକୁ ସେମିତି ମାରିବେ । ଭୋ କରି କାନ୍ଦି ଉଠିଲା ଦୀପା...

 

...ଥାଉ...କାନ୍ଦେନା–ସେ ତୋ ଭାଇ ନହେଉ ମୁଁ ହେବି !

 

...ମତେ ଭାଇ ବୋଲି ଡାକିବୁ । ମୁଁ ତତେ ପାଠ ପଢ଼େଇବି । ଆ ମୋ ପାଖକୁ କହି ହାତ ବଢ଼ାଇଲା ଦୀଲ୍ଲିପ ! ଚଟ୍‌କରି ଦୀପା ଆଉଜି ପଡ଼ିଲା ଦୀଲ୍ଲିପ କୋଳରେ ।

 

...ଦୀଲ୍ଲିପ ଓଦା ପ୍ୟାଣ୍ଟରେ ମୁହଁ ପୋଛିଦେଇ ଦୀପାର ଅଲରା ବାଳକୁ ସ୍ନେହରେ ସଜାଡ଼ି ଦେଲା । ଦୀଲ୍ଲିପର ଖୋଲା ଦେହରେ ଆଉଜି ରହି ଦୀପା ମନେମନେ ଭାବୁଥିଲା ଭାଇର ଦେହଟା କି ଥଣ୍ଡା ପୁଣି କେଡ଼େ ସୁନ୍ଦର ବାସନା । ସେ ଆହୁରି ଜୋରରେ ଦୀଲ୍ଲିପ ଦେହକୁ କୁଣ୍ଢାଇ ପକାଇଲା ।

 

ଲୁଗା ବଦଳି ବାହାରକୁ ଆସିଲେ ମଳୟ ! ଦୀଲ୍ଲିପ ଓ ଦୀପାର ଆନନ୍ଦରେ କୋଳାକୋଳି ହେବା ଦେଖି ତାଙ୍କ ମନ ଆନନ୍ଦରେ ନାଚି ଉଠିଲା । ହେଲେ ଠିଆ ହୋଇଥିବା ସରୋଜ ମୁହଁରେ ଅସହିଷ୍ଣୁତାର ଚିହ୍ନ ଦେଖି ସେ ବିଷଣ୍ଣ ହୋଇ ପଡ଼ିଲେ । ପରିସ୍ଥିତିକୁ ସରଳ ସହଜ କରିବା ପାଇଁ କହିଲେ –

 

...ଦୀପା ! ଏ ତୋର ସରୋଜ ଭାଇ ।

 

...ଆଉ–ଏ ମୋର କ’ଣ ହେବେ ବାପା । ଦୀଲ୍ଲିପକୁ ଦେଖାଇ ପଚାରିଲା ଦୀପା !

 

...ସେ–ଦୀଲ୍ଲିପ ଭାଇ ।

 

...ଆଉ ସରୋଜ, ଏ ହେଲା ତୋର ସାନ ଭଉଣୀ ଦୀପାଳି ।

 

ଆଚ୍ଛା କହତ ଦୀପା–ଏ ଦୁହିଁଙ୍କ ଭିତରୁ କିଏ ଭଲ !

 

...ସରୋଜ ଭାଇ ସୁନ୍ଦର–ଆଉ ଦୀଲ୍ଲିପ ଭାଇ ଭଲ ।

 

ପାଗେଳୀଟା କ’ଣ ଯେ କହେ, କହି ହସି ପଳାଇଲେ ମଳୟ ।

 

ରୋଷେଇ ଘରୁ ପୂଝାରି ଡାକ ପକାଇଲା । ଭାତ ବଢ଼ାହେଲା–ବାବୁ, ଖାଇବ ଆସ–ସରୋଜ ଦୀଲ୍ଲିପକୁ ଖାଇବାକୁ କହି, ଦୀପାକୁ ନେଇ ଗାଧୋଇବାକୁ ଗଲେ ମଳୟ ।

Unknown

 

ଅଭ୍ୟସ୍ତ ହାତରେ ସେ ଦୀପାକୁ ସାବୁନ ଲଗାଇ ଗାଧୋଇ ଦେଲେ ପରିଷ୍କାର କରି । ଶୁଖିଲା ଗାମୁଛାରେ ପୋଛିଦେଇ, କିଣି ଆଣିଥିବା ଫ୍ରକ୍‌ ପ୍ୟାଣ୍ଟ ପିନ୍ଧାଇ ଦେଲେ । ମୁଣ୍ଡ କୁଣ୍ଡାଇ ରିବନ ବାନ୍ଧି ଦେଇ କହିଲେ ଯା, ଭାତ ଖାଇବୁ–ସୁନା ପିଲାଟି ପରି ଦୀପା ଯାଉଁ ଯାଉଁ ଦୁଆର ମୁହଁରୁ ଫେରି ଆସିଲା ।

 

...କ’ଣ ହେଲା ଫେରି ଆସିଲୁ କାହିଁକି ।

 

କଳା ଆଖିରେ ଲଗେଇନି । କୁଙ୍କୁମ ଲଗେଇନି । ...ବୋଉ ମତେ ଲଗେଇ ଦିଏ । ତମେ ଲଗେଇ ଦିଅ ।

 

ହସି ପକେଇଲେ ମଳୟ ।

 

...ନାରୀ ବିହୀନ ଘରେ କଳା କୁଙ୍କୁମ ଆସିବ କୁଆଡ଼ୁ । ସେ ଦୀପାର ପିଠି ଆଉଁଷି କହିଲେ କଳା କୁଙ୍କୁମ ପରା ନାହିଁ । ମୁଁ ସନ୍ଧ୍ୟାବେଳକୁ ବଜାରକୁ ଗଲେ ତୋ ପାଇଁ କିଣି ଆଣିବି । ଯା ଖାଇବୁ ଯା–

 

....ଆଉ ତମେ ଖାଇବ ନାହିଁ ?

 

...ହଁ–ତୁ ଆଗ ଖାଇ ଦେ–ଠାକୁର ପୂଜା ସାରି ମୁଁ ପଛରେ ଖାଇବି ।

 

...ରୋଷେଇ ଘରକୁ ପଶିଲା ଦୀପା–ଦୀଲ୍ଲିପ ଓ ସରୋଜ ଖାଇ ବସିଛନ୍ତି ।

 

...ପୂଝାରି ଦୀପା ପାଇଁ ଭାତ ବାଢ଼ି ଥୋଇଲା । ହେଲେ ଦୀପାର ମନ ହେଲାନି ଏକୁଟିଆ ଖାଇବାପାଇଁ । ଏଣେ ଭୋକରେ ପେଟ କ’ଣ ହେଇଯାଉଛି, ବୋଉ ସାଙ୍ଗରେ ସେ ଖାଉଥିଲା । ବୋଉ ମରିଗଲା ପରେ ବାପାଙ୍କ ସାଥିରେ ଖାଏ ନାହିଁ ସତ–କିନ୍ତୁ ଦୀନା ସାଥିରେ ଖାଏ ! ହେଲେ ଏଠି ସେ ଏକୁଟିଆ ଖାଇବ କେମିତି । ଭାତଥାଳି ପାଖରେ ଠିଆ ହେଲା ଦୀପା–

 

ଭାତରେ ମାଛି ବସୁଛି, ଖାଇଦେ; କହିଲା ଦୀଲ୍ଲିପ;

 

ଥାଳି ପାଖରେ ବସି ମଧ୍ୟ ଖାଇଲା ନାହିଁ ଦୀପା ।

 

ଦୀଲ୍ଲିପ କହିଲା–ବସିଲୁ କାହିଁକି । କ’ଣ ଭୋକ ଲାଗୁନି ? ହଁ ।

 

...ତେବେ ଖାଉନୁ କାହିଁକି ।

 

...ଏକା ଖାଇବାକୁ ଭଲ ଲାଗୁନି !

 

...ତେବେ ସରୋଜ ଭାଇ ସାଙ୍ଗରେ ଖାଇ ବସ–

 

...କାହିଁକି ତୋ ସାଙ୍ଗରେ ବସୁନାହିଁ–ସେ ପରା କହିଲା ତୁ ଭଲ–କହିଲା ସରୋଜ ।

 

...ଆ–କହି ଦୀପାର ହାତଧରି ପାଖରେ ବସାଇ ଦେଲା ଦୀଲ୍ଲିପ ।

 

...ହସ ଖୁସି ପରେ ଖାଇବା ପର୍ବ ସରିଗଲା । ଘରକୁ ବାହାରିଲା ଦୀଲ୍ଲିପ, ସ୍କୁଲ ସମୟ ହୋଇ ଯାଉଛି । ତରବରରେ ପାହାଚରେ ପାଦଦେଲା ।

 

...ଭାଇ...ତମେ କୁଆଡ଼କୁ ଯାଉଛ ?

 

...ଆମ ଘରକୁ, ବହି ଖାତା ନେଇ ସ୍କୁଲ ଯିବି । ଦଶଟା ବାଜିଗଲାଣି ।

 

...ତମ ଘର କେତେ ବାଟ ଭାଇ ?

 

...ନା ବେଶି ବାଟ ନୁହେଁ । ସେଇ ହଳଦିଆ କୋଠା ଦେଖି ପାରୁଛୁ ?

 

...ହଁ...ସେଇ ତମଘର !

 

...ହଁ...

 

...ତମେ ଆସିବନି ଭାଇ ?

 

...ହଁ ସ୍କୁଲ ଛୁଟି ହେଲେ । ଆସିବି ସନ୍ଧ୍ୟା ବେଳକୁ । ତୁ ଘରକୁ ଯାଆ କି ମୁଁ...ଯାଉଛି–ହେଲା । ଆସିବି...ଆସିଲେ ଖେଳିବା, ଯା...

 

...ଦୀପା...ମୁହଁ ଶୁଖାଇ ଠିଆ ହୋଇ ରହିଲା । ଦୀଲ୍ଲିପ ତା’ ଆଖି ଆଗରୁ ଅଦୃଶ୍ୟ ହେବାପରେ ସେ ଘର ଭିତରକୁ ମୁହଁ ଫେରାଇ ଦେଖିଲା । ସରୋଜ ଭାଇ ସୁନ୍ଦର ଚକ ଚକିଆ ଜାମା ପ୍ୟାଣ୍ଟ ପିନ୍ଧି ଜୋତା ମୋଜା ପିନ୍ଧୁଛି । ପାଖରେ ବହି ଖାତା । ଆଉ ସୁନା ଭଳି ଗୋଟାଏ କଲମ !

 

ଆଗ୍ରହରେ ଦୀପା କଲମଟାକୁ ଧରି ପକାଇଲା, କଣ୍ଠରେ ବିରକ୍ତିର ଝଙ୍କାର ତୋଳି ସରୋଜ କହିଲା–ଥାଉ ସେ କଲମ ସାଙ୍ଗରେ ଲାଗୁଛୁ କାହିଁକି, ଖରାପ ହୋଇଯିବ ।

 

ଭୟରେ ଦୀପା କଲମଟି ଥୋଇ ଦୂରକୁ ଘୁଞ୍ଚିଗଲା ।

 

ସ୍କ୍ରିନ୍‌ ଆଢ଼ୁଆଳରେ ଥାଇ ମଳୟ ଏ ଦୃଶ୍ୟ ଦେଖିଲେ । ମନ ତାଙ୍କର ଖରାପ ହୋଇଗଲା । ସେ ଘର ଭିତରକୁ ପ୍ରବେଶ କରି କହିଲେ ।

 

...କାହିଁକି ପାଟି କରୁଥିଲୁ–ସରୋଜ । କ’ଣ ହେଲା !

 

...ମୋ କଲମଟା ଏଇଲେ ଭାଙ୍ଗି ଦେଇଥାନ୍ତା ।

 

...ଭାଙ୍ଗି ନାହିଁତ; ଏତେ ରାଗି ପାଟି କରୁଥିଲୁ କାହିଁକି ?

 

...ସେ ମୋ ଜିନିଷରେ ଲାଗିବ ନାହିଁ ।

 

....ସେ ତୋ ଭଉଣୀ । ତୋ’ଠାରୁ ସାନ । ତୋ ଜିନିଷରେ ଲାଗିବ ନାହିଁ ଏକଥା କହିପାରୁଛୁ । ସେ ଆସିବା ବେଳରୁ ମୁଁ ଦେଖୁଛି ତୁ ଅସହିଷ୍ଣୁ ହୋଇ ଉଠିଛୁ । ତୁ ଏକା ରହୁଥିଲୁ ତୋର ସାଙ୍ଗକୁ ସେ ଆସିବା ଦେଖି ତୁ ଖୁସି ହୁଅନ୍ତୁ ସିନା ! କିନ୍ତୁ ତୁ ତାକୁ ବିରକ୍ତ ହେଉଛୁ । ପର ପିଲାଟା ଦୀଲ୍ଲିପ । ସେ ଦୀପାକୁ ଦେଖି ଆନନ୍ଦ ହେଲା । ଅଥଚ ତୁ କହୁଛୁ ସେ ମୋ ଜିନିଷରେ ଲାଗିବ ନାହିଁ । ଦେଖ୍‌, ସେ ତୋର ସାନ ଭଉଣୀ...ତାକୁ ଯଦି ତୁ ବିରକ୍ତ ହେଉ ସେ କାନ୍ଦିବ ନାହିଁ ? ଆଉ ଥରେ ହେଲେ ଯେପରି ଏଭଳି କଥା ମୁଁ ତୋ ମୁହଁରୁ ନଶୁଣେ, କହି ଘର ଭିତରୁ ଅପସରି ଗଲେ ମଳୟ ।

 

ବାପାଙ୍କଠାରୁ ଏପରି କଥା ଶୁଣି ସରୋଜ ମନରେ ଦୁଃଖ ଆସିଲା । ସେ ପାଖ ଚେୟାର ଉପରେ ବସି ପଡ଼ିଲା ।

 

ବୋଉ ମରିବା ପରଠାରୁ ତାକୁ ରାଗ କରି କଥା କହିବା ବାପାଙ୍କର ଏହି ପ୍ରଥମ ! କେଉଁଠାର ଅଳିଆ ଅସନା ପିଲାଟା ଲାଗି ତାକୁ ଗାଳି ଦେବା ଦେଖି ସବୁ ରାଗ ତା’ର ଦୀପା ଉପରେ ଅଜାଡ଼ି ହୋଇ ପଡ଼ିଲା । ବାର ବର୍ଷର ସୁସ୍ଥ ସୁନ୍ଦର ପିଲା ସରୋଜ, ସପ୍ତମ ଶ୍ରେଣୀର କୃତି ଛାତ୍ର । ପିଲାଟି ଦିନରୁ ଅଭାବ ଅସୁବିଧାର ପରିଚୟ ପାଇନାହିଁ । ବାପାଙ୍କର ସମସ୍ତ ସ୍ନେହର ଭଣ୍ଡାର ତା’ ପାଇଁ ଚିର ଉନ୍ମୁକ୍ତ । ତେଣୁ ଟିକିଏ ଅତି ମାତ୍ରାରେ ଅଭିମାନୀ ଓ ବିଳାସୀ ପ୍ରକୃତି ତା’ର-। ସେଇ ପୋଷାକ ପରିଚ୍ଛଦ ଆଡ଼ମ୍ବରପ୍ରିୟ ସରୋଜ, ଦୀପାର ଏ ମଇଳା ଦେହକୁ ଦେଖି ସହଜରେ ଗ୍ରହଣ କରି ପାରିଲା ନାହିଁ । ବାପାଙ୍କ ସ୍ନେହର ଭଣ୍ଡାରରୁ ଅନ୍ୟ କେହି ଭାଗନେଉ ତାହା ତା’ର ଚପଳ କିଶୋର ମନ ଚାହୁଁନଥିଲା । ପୁଣି ସେଇ ମାଗିଖାଇ ପିଲାଟା କହୁଛି–ଦୀଲ୍ଲିପ ଭାଇ ଭଲ, ଆମ ଘରେ ଖାଇ, ଆମ ଘରେ ରହି, ମତେ ଖରାପ କହିବ ? ସରୋଜ ମନ ଅତି ମାତ୍ରାରେ ରାଗି ଉଠିଲା । ତା’ର ମନ ହେଲା–ସେ ଦୁମ୍‌ ଦୁମ୍‌ କରି ଦୀପାକୁ ପରସ୍ତେ ଛେଚି ଦିଅନ୍ତା କି-!

 

...ହେଲେ ବାପା ଅଛନ୍ତି । ରାଗିବେ । ମାରି ପାରନ୍ତି ମଧ୍ୟ । ପର ପିଲାଟା ଲାଗି ବାପା ତାକୁ ଆଜି ଗାଳି ଦେଲେ । ସରୋଜର ଅଭିମାନୀ ମନଟା ଭାରି ହୋଇଉଠିଲା । ଆଖିରେ ଦେଖାଦେଲା ଲୁହ !

 

କବାଟକୁ ଆଉଜି ଠିଆ ହୋଇଥିଲା ଦୀପା–ସରୋଜ ଆଖିରେ ଲୁହ ଦେଖି ସେ ନିଜକୁ ଦୋଷୀ ମନେ କଲା । ଧୀରେ ଧୀରେ ପାଖକୁ ଆସି କହିଲା–ଭାଇ ! ତୁମେ କାନ୍ଦନା, ତମ ଜିନିଷରେ ମୁଁ ଜମା ଲାଗିବି ନାହିଁ–ସତ କହୁଛି ।

 

ସିଧା ହୋଇ ଦୀପା ମୁହଁକୁ ଚାହିଁଲା ସରୋଜ ! ଦେଖିଲା ତା’ ଟିକି ଟିକି ଆଖି ଦୁଇଟାରେ କରୁଣତା ଭରି ରହିଛି !

 

ସେ ମଇଳା ଦେହ ଗାଧୋଇ ସାରିବା ପରେ ସଫା ହୋଇ ନିଜର ଅପୂର୍ବ କାନ୍ତି ବିରାଜ କରୁଛି । ଅଲରା କେଶଗୁଡ଼ିକ ସଯତ୍ନରେ କୁଣ୍ଡାଯାଇ ଗୋଲାପି ରିବନ ବନ୍ଧା ଯାଇଛି । ସୁନ୍ଦର ଫ୍ରକ୍‌ ଖଣ୍ଡି ପିନ୍ଧି ଦୀପା ଦେଖା ଯାଉଛି ଖୁବ୍‌ ସୁନ୍ଦର ।

 

ସରୋଜର ରାଗ ଥମିଗଲା ଆଉ ସେଇ ସ୍ଥାନରେ ଦେଖାଦେଲା ସ୍ନେହ, ସେ ଦୀପାକୁ ପାଖକୁ ଡାକିଲା !

 

...ଦୀପା ଭୟରେ ସରୋଜ ପାଖରେ ଠିଆ ହୋଇ କେବଳ ଜୁଳୁ ଜୁଳୁ କରି ଚାହିଁରହିଲା ତା’ ମୁହଁକୁ ।

 

–ସରୋଜ ସେଇ ଆଖି ଦିଓଟିରୁ କ’ଣ ପାଇଲା କେଜାଣି । ଦୀପାକୁ କୋଳକୁ ଟାଣି ନେଲା । ପିଠିକୁ ସ୍ନେହରେ ସାଉଁଳୁ ସାଉଁଳୁ କହିଲା ମୋ ବହି ଖାତା ଚିରିବୁନି, ତା’ହେଲେ ମୁଁ ତତେ ରାଗିବି ନାହିଁ–

 

...ନା...ଭାଇ...ମୁଁ ତୁମର କ’ଣ ଭାଙ୍ଗିଲିଣି କି । ତମେ ତ ଖାଲି ମୋ ଉପରେ ରାଗୁଛ :

 

...ତୁ କାହିଁକି କହିଲୁ ମୁଁ ଖରାପ ଆଉ ଦୀଲ୍ଲିପ ଭଲ ବୋଲି ।

 

....କେତେବେଳେ ମ.....ମୁଁ ତ କହିନି ।

 

...ମିଛୋଇ...ସକାଳେ କହିନୁ ।

 

...ଆଚ୍ଛା–କହିଲୁ–ମୁଁ ଭଲ ନା ଦୀଲ୍ଲିପ ଭଲ ।

 

...ତମେ ସୁନ୍ଦର ଭାଇ–ହେଲେ ଦୀଲ୍ଲିପ ଭାଇ ଭାରି ଭଲ : ମୁଁ ଭଲ ନୁହେଁ...

 

...ହଁ–ହଁ ତମେ ଭଲ । ଦୀଲ୍ଲିପ ଭାଇ ସୁନ୍ଦର ।

 

...କାଇଁ ମୁଁ କ’ଣ ସୁନ୍ଦର ନୁହେଁ...

 

.....ଏଁ....ଦି’ଟାଯାକ ତମେ କିମିତି ହବମ । ମୁଁ କହିଲି ତମେ ସୁନ୍ଦର :

 

....ଆଉ ତୁ ଭଲ ନା ସୁନ୍ଦର କହିଲୁ !

 

....ଉଁ....ମୁଁ କିମିତି ଜାଣିବିମ ଭାଇ–ତମେ କହୁନା...

 

...ନା ତୁ କହ । ଯଦି ଭଲ ହେଉ, ତା’ହେଲେ ଦୀଲ୍ଲିପ ସାଙ୍ଗ ହେବୁ ! ସୁନ୍ଦର ହେଲେ ହବୁ ମୋ ସାଙ୍ଗ, କହ, କ’ଣ ହବୁ ତୁ !

 

...ମୁଁ–ସୁନ୍ଦର ହେବି ଭାଇ; ତମ ସାଙ୍ଗ ହେବି ! ତମେ ସୁନ୍ଦରକୁ ମୁଁ ସୁନ୍ଦର ।

 

...ସତରେ ଦୀପା–ତୁ ମୋ ସାଙ୍ଗ ହବୁ ?

 

...ଆରେ–ତମେ ପରା ମୋ ଭାଇ । ସାଙ୍ଗ ହେବି କଅଣମ !

 

...ତୁ ସୁନାପିଲା–ମୋ ଭଉଣୀ ନୁହଁ !

 

...ହଁ ତମେ ମୋ ଭାଇ–କହି ଖୁସିରେ ନାଚି ଗଲା ଦୀପା–

 

ସ୍କୁଲକୁ କେତେବେଳକୁ ଯିବୁ ସରୋଜ, ଘରୁ ମଳୟଙ୍କ ପାଟି ଶୁଭିଲା !

 

...ଦୀପାକୁ କୋଳରୁ ଠେଳିଦେଇ ସରୋଜ ବହି ଖାତାଧରି ମାଇଲା ଡିଆଁ ।

 

...କଲମଟାକୁ ଛାଡ଼ିଯିବା ଦେଖି, ଦୀପା ଡାକ ପକାଇଲା–ଭାଇ ! ଭାଇ !

 

...ମୋର ଡେରି ହେଲାଣି–ମତେ ଆଉ ଡାକନା ।

 

...କଲମ ଛାଡ଼ିଗଲ ଭାଇ !

 

...ଆରେ ସତେତ, ଦେଇଯା ମତେ ! ଦେଇଯା !

 

...ବନ୍ୟ ହରିଣୀର ଚଞ୍ଚଳତା ନେଇ ଦୀପା ଧାଇଁଲା ସରୋଜ ପାଖକୁ !

 

ଝରକାଦେଇ ମଳୟ ଏ ଦୃଶ୍ୟ ଦେଖିଲେ ! ଅଧର ଫାଙ୍କରେ ତାଙ୍କର ଚହଲି ଉଠିଲା ହସ !

 

X X X

 

ଦିନପରେ ମାସ ବର୍ଷ ଗଡ଼ି ଚାଲିଛି ପ୍ରକୃତିର ନିର୍ଦ୍ଦେଶନେଇ । କେତେ ଫୁଟିଛି, କେତେ ଝଡ଼ିଛି, ସେଇ ଫୁଟା ଝରାର ମଉଛବ ତଳେ–ଦୀପାର ହୋଇଛି ଅନେକ ପରିବର୍ତ୍ତନ । ସେଦିନର କିଶୋରୀ ଜୀବନରୁ ଆସି ଠିଆ ହୋଇଛି ଯୌବନର ପ୍ରଥମ ପାହାଚରେ । ସେଇ ଅସନା ମଇଳା ଦୀପା ଦେହରେ ଆଜି ଯୌବନ ଦେଇଛି ଅସରନ୍ତି ରୂପର ଶ୍ରୀସମ୍ଭାର । ଗଣ୍ଡରେ ତା’ର ଗୋଲାପର ଆଭା ! ନିଘଞ୍ଚ କବରୀ ଭିତରେ ଆଦ୍ୟ ଆଷାଢ଼ର ମୋହକରି ମାୟା, ଶରୀରର ଗୌର ରଙ୍ଗ ସାଥିରେ ସଜଫୁଟା ଶ୍ୱେତ କଇଁର ଦୀପ୍ତି । ତା’ର ନୀଳ ନୟନର ଧାରେ ଧାରେ ଅନେକ କବିତାର କଳ-କଲ୍ଲୋଳ ଶୈଳୀ । ଏତେ ରୂପର ରୋଷଣି ଭିତରେ ଦୀପା ମନରେ ଗର୍ବ ନ ଥାଏ । ନିଜକୁ ସଜାଇବା ପାଇଁ ଆଗ୍ରହ ନାହିଁ । ଯାହା ପାଇଲା ପିନ୍ଧିଲା । ତଥାପି ସେଇ ସରଳିଆ ବେଶ ପୋଷାକରେ ଉଛୁଳା ଯୌବନର ତରଙ୍ଗ ଫୁଟେ । ରସଣିଆ ଦେହରୁ ବୟସର ମନଟଣା ଗନ୍ଧଛୁଟେ-। ଦୀପା ନିଜ ମୁହଁରେ ନିଜ ରୂପ ଗୁଣର ପ୍ରଶଂସା କେବେ କରେ ନାହିଁ । ତା’ର ଚାହାଣିରେ ରୂପ ପାଇଁ ଉଦ୍ଧତ ମନୋଭାବ ନ ଥାଏ, ସବୁବେଳେ ସେ ସହଜ ସରଳତା ନେଇ ହସ ହସ, କଳ କଳ, ଛଳ ଛଳ । ଦୀପାକୁ କେନ୍ଦ୍ରକରି କେତେ ଯୁବକ ପ୍ରାଣରେ ଆଲୋଡ଼ନ ସୃଷ୍ଟି ହୁଏ । ତା’ର ସାନ୍ନିଧ୍ୟକୁ କଳ୍ପନାରେ ନିଜ ମନ ମୁକୁରରେ ଆଙ୍କି ଆନନ୍ଦ ପାଏ ବିଭ୍ରାନ୍ତ ତରୁଣ ।

 

ହେଲେ ଦୀପା ଉପରେ ତାରୁଣ୍ୟର ଉଛୁଳା ତରଙ୍ଗ ସୃଷ୍ଟି ହୋଇ ପାରେନା ! ବର୍ଦ୍ଧିଷ୍ଣୁ ଯୌବନର ଅପରୂପ ବର୍ଣ୍ଣାଳୀ ଭିତରେ ତା’ର ମନଟି ଠିକ୍‌ ଶିଶୁଭଳି ରହିଥାଏ : ବାହାର ଜଗତର କୌଣସି ପ୍ରଭାବ ତା’ ମୁଖମଣ୍ଡଳରେ ଦାଗ ରଖେନାହିଁ । ଯେପରି ପୂର୍ଣ୍ଣଗର୍ଭା ନଦୀର ସ୍ୱଚ୍ଛ ସଲିଳା ଜଳ ଧାରା । ହାତମାରି ଭାଗ ଭାଗ କଲେ ବି ସହସା ମିଶିଯାଏ । କେତେବେଳେ କେମିତି ପତଳା ଲହଡ଼ାଟାଏ କି ହାଲୁକା ଭଉଁରୀଟିଏ ସୃଷ୍ଟି ହୁଏ, ସବୁ ସାମୟିକ । ଘାତ ପ୍ରତିଘାତର ସଂକେତ ନାହିଁ–କି ପ୍ରତିଉତ୍ତର ନାହିଁ । ନିରାଡ଼ମ୍ବରା ଦୀପା କିନ୍ତୁ ଅଲକ୍ଷ୍ୟରେ କେତେ ମନରେ ଜଳୁଥିଲା ପ୍ରଣୟର ଦୀପାଳି ହୋଇ: ମାଟ୍ରିକ ପରୀକ୍ଷା ପରେ ତା’ର ପଢ଼ା ପାଇଁ ମଳୟ ଆଗ୍ରହୀ ଥିଲେ ! ସରୋଜର ଏକାନ୍ତ ଇଚ୍ଛା ଦୀପା ପଢ଼ୁ । ହେଲେ ସବୁରି ଆଗ୍ରହକୁ ଦୀପା ମିନତିକରି ଚପାଇ ଦେଲା-। ସେ ଯେ ଭଲ ପଢ଼ୁ ନ ଥିଲା ତା’ ନୁହେଁ । ସେ ଯୁକ୍ତି କରୁଥିଲା, ସେ ଯଦି ଅଧିକ ଶିକ୍ଷାପାଇଁ ନିଜକୁ ନିୟୋଜିତ କରେ, ତେବେ ବାପାଙ୍କୁ ଦେଖିବ କିଏ । ସେ କ୍ରମାଗତ ଅସୁସ୍ଥ ରହୁଛନ୍ତି-। ଅବସର ନେବା ପରେ, ତାଙ୍କର ସମୟ କଟୁଛି ବିଛଣାରେ ପଡ଼ି ପଡ଼ି, ଟିକିଏ ନିଜକୁ ସୁସ୍ଥ ଭାବିଲେ ସେ ଦୀପାକୁ ବେହେଲା ଶିକ୍ଷା ଦିଅନ୍ତି । ଦୀପାର ସରୁ ଅଙ୍ଗୁଳିଗୁଡ଼ିକ ବେହେଲା ବଜାଇବାରେ ଖାଲି ଅଭ୍ୟସ୍ତ ନୁହେଁ–ସେ ସୁନ୍ଦର ଗାଇପାରେ । ତା’ କଣ୍ଠର ପଲ୍ଲୀସ୍ୱର ଗୀତ ଶୁଣି ରାଜପ୍ରସାଦର ରାଜକୁମାରୀ,–ପଲ୍ଲୀ ସୌନ୍ଦର୍ଯ୍ୟ ଦର୍ଶନପାଇଁ ବ୍ୟାକୁଳ ହେବ । ମୀରା ଭଜନ ଶୁଣି ନାସ୍ତିକ ପ୍ରାଣରେ ବି ଭକ୍ତିର ଉଦ୍ରେକ ହେବ ! ମାତ୍ର କେତୋଟି ବର୍ଷର ସଙ୍ଗୀତ ସାଧନାରେ ଦୀପାର ଏ ଅଲୌକିକ ପ୍ରତିଭାରେ ମଳୟ ଉତ୍‌ଫୁଲ୍ଲ ହୋଇ ଉଠନ୍ତି । ସାଧାରଣ କବିତାକୁ ମଧ୍ୟ ସୁନ୍ଦର ସ୍ୱର ବିନ୍ୟାସ କରି ଗାଇବାରେ ଦୀପାଥିଲା ଧୁରନ୍ଧରା, ପାଠପଢ଼ା ଛାଡ଼ି ଘରର ସମସ୍ତ ଦାୟିତ୍ୱ ଦୀପା ନେଲା ହାତକୁ-। ମଳୟ ଓ ସରୋଜଙ୍କର ପ୍ରତ୍ୟେକ କାର୍ଯ୍ୟ ସେ ନିଜ ହାତରେ କରି ଆନନ୍ଦ ପାଏ, ଅବଶିଷ୍ଟ ସମୟ କଟେ ସଙ୍ଗୀତ ସାଧନାରେ ।

 

ଗ୍ରୀଷ୍ମର ଗୋଟିଏ ଉଦାସ ଅପରାହ୍ନ । ଦୀପା କୋଳରେ ବେହେଲାଟି ଧରି ଅନ୍ୟମନସ୍କ ଭାବରେ ବସିଛି । ଆଖି ଦୁଇଟି ତା’ର ଅପଲକ ସ୍ଥିର ଅଚଞ୍ଚଳ–ମନରେ ଅନେକ ଭାବନାର ତରଙ୍ଗ-। ପାଖରେ ଗୋଟାଏ ମ୍ୟାଗାଜିନ ! ହଠାତ୍‌ ଦୀପା ସଚେତନ ହୋଇଉଠିଲା, ମ୍ୟାଗାଜିନର ପୃଷ୍ଠା ଖେଳାଇ ସେ ଗୋଟିଏ କବିତାକୁ ଆବୃତ୍ତି କଲା: କବିତାଟିକୁ କିପରି ଗୋଟିଏ ସୁନ୍ଦର ଆଧୁନିକ ସ୍ୱରରେ ସଜାଇବ, ତାହାହିଁ ଥିଲା ଦୀପା ଭାବନାର ବିଷୟବସ୍ତୁ ! ଦୀପା ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ଘର ଭିତରକୁ ପଶି ଆସିଲା ସରୋଜ ! କଣ୍ଠରେ ତା’ର ଗୋଟାଏ ହିନ୍ଦୀ ଫିଲ୍ମର ସଙ୍ଗୀତ : ତର ତର ହୋଇ ଦୀପା ଉଠିପଡ଼ିଲା–ଆରେ ଉଠିଲୁ କାହିଁକି ! କହିଲା ସରୋଜ !

 

...ତମେ ଏତେ ସମୟ ହେଲା କେଉଁଠି ଥିଲ, ବାପା ଖୋଜୁଥିଲେ !

 

...ସତରେ ଦୀପା–ବାପା ମତେ ଖୋଜୁଥିଲେ ?

 

....ମୁଁ କ’ଣ ମିଛ କହୁଛି । ବାପାଙ୍କୁ ଯାଇ ପଚାରୁନା ।

 

...ତେବେ ମୁଁ ଆସେ...

 

...ଜଳଖିଆ ଆଣୁଛି–ଜଲଦି ଆସ ।

 

...ଏଇ–ଆସିଲି ! କହି ମଳୟଙ୍କ ପାଖକୁ ଗଲା ସରୋଜ !

 

...ଆରାମ ଚେୟାରକୁ ଆଉଜି ମଳୟ ଗୋଟାଏ ବହି ପଢ଼ୁଥିଲେ !

 

...ମତେ ଖୋଜୁଥିଲେ ବାପା...

 

...ହଁ...ତୁ ସବୁ ସମୟରେ / ବାହାରେ ବୁଲୁଛୁ । ବିଚରା ଦୀପାଟା ଘରେ କେତେ ହୈରାଣ ହେଉଛି । ଗୋଟିଏ ପିଲା ବୁଝୁତ ! ଘରେ ଦୀପାକୁ କାମରେ ସାହାଯ୍ୟ କରିବ !

 

...ହଉ–କହି ମଳୟଙ୍କ ପାଖରୁ ସରୋଜ ଆସିବାକୁ ବ୍ୟଗ୍ର ହୋଇ ପଡ଼ିଲା !

 

...ଏତେ ବ୍ୟସ୍ତ ହେଉଛୁ ଯେ, କ’ଣ ବାହାରକୁ ଯିବାର ଅଛି ?

 

...କିଛି କହିବ କହିବ ହୋଇ–ଛେପ ଢୋକିଲା ସରୋଜ !

 

...ଆରେ କ’ଣ କହିବାର ଅଛି କହ ?

 

....ବାପା....ଏଇ ସିନେମା ଯିବାକୁ ଦୀପା କହୁଥିଲା ଯେ... ବାଧ୍ୟହୋଇ ମିଛ କହିଲା ସରୋଜ !

 

...ମଳୟଙ୍କ ପାଇଁ ଜଳଖିଆ ପ୍ଲେଟ୍‌ ଧରି ଘର ଭିତରକୁ ଆସୁ ଆସୁ କଥାଟା ଦୀପା କାନରେ ବାଜିଲା । ବାପାଙ୍କ ପାଖରେ ସରୋଜ ମିଛ କହୁଥିବା ଦେଖି ସେ ହସି ଉଠିଲା । ସରୋଜ ବୁଲି ଚାହିଁଲା ଦୀପାକୁ । ଆଖିର ଇଙ୍ଗିତରେ ସେ ଦୀପାକୁ କିଛି ନକହିବାକୁ ସୂଚନା ଦେଲା, ହେଲେ ବାପାଙ୍କ ଆଗରେ ଭାଇର ଏ ଭୟାତୁର ରୂପ କାକୁସ୍ତ ଚାହାଣି ଦେଖି ଦୀପାର ହସ ବଢ଼ିଲା ସିନା କମିଲା ନାହିଁ ! ଟେବୁଲ ଉପରେ ଜଳଖିଆ ଥୋଇ ଦୀପା ହସି ହସି ବସି ପଡ଼ିଲା !

 

...କ’ଣ ହେଲା ! ଏତେ ହସୁଛୁ କାହିଁକି ? ପଚାରିଲେ ମଳୟ ।

 

...ଏଇ ଭାଇଙ୍କ କଥା ଶୁଣି :

 

...ଚୁପ୍‌...

 

...ଚୁପ୍‌....କ’ଣ ମ ତମେ କାହିଁକି ବାପାଙ୍କୁ ମିଛ କ....

 

....ଦୀପାର ପାଟିଟାକୁ ଦୁଇ ହାତରେ ଚାପି ଦେଲା ସରୋଜ !

 

...କଥାଟାକୁ ସମ୍ପୂର୍ଣ୍ଣ କହିବାପାଇଁ ଦୀପା ସରୋଜର ହାତକୁ ପାଟିରୁ ଠେଲିବାରେ ଥାଏ-

 

...ଏ ଦୃଶ୍ୟ ଦେଖି ମଳୟ ମଧ୍ୟ ହସି ପକାଇଲେ !

 

...ଛାଡ଼ ଭାଇ । ସତ କହୁଛି । କିଛି କହିବି ନାହିଁ ।

 

...କ’ଣ କହିବୁ ନାଇଁ, ଏଇ ସିନେମା ଯିବା କଥାତ ! ପଚାରିଲେ ମଳୟ !

 

...ହଁ ଭାଇ ଯିବେ, କିନ୍ତୁ ମୋ କଥା ମିଛ...

 

...ଚୁପ୍‍...

 

...ବାପା । ଦୀପା ଖାଲି ମିଛ କହିବାରେ ଲାଗିଛି !

 

...ହଉ ସେ ମିଛ କହୁ । ଯଦି ସିନେମା ଯିବ, ତାହାହେଲେ ଦୁହେଁ ଯାଅ ।

 

ଦୀପାକୁ ଟାଣି ଟାଣି ଘର ଭିତରୁ ଆସିଲା ସରୋଜ ।

 

...ଆଚ୍ଛା । ଭାଇ । ମତେ ଏମିତି ଟାଣୁଛ କାହିଁକି । ସତ କଥା କହିଥିଲେ ବାପା ତ ମନାକରି ନ ଥାନ୍ତେ ।

 

ନିଜେ ତ ଯିବ ମୋ ନାଁରେ ମିଛ କାହିଁକି କହିଲ ?

 

...ହଉ କହିଲେ କହିଲି, ଭଲ କଲି । ତୁ ଗଲୁ ପ୍ରସ୍ତୁତ ହୋଇ ଆ । ସମୟ ହୋଇଯାଉଛି ଟିକେଟ୍‌ ମିଳିବ ନାହିଁ–ଫାଇନ୍‌ ଫିଲିମ୍‌, ସେଇଥିପାଇଁ ବାପାଙ୍କୁ ମିଛ କହିଲି । ତୋ ନାଁ ନ କହିଥିଲେ ବାପା ଆଦୌ ରାଜି ହୋଇ ନ ଥାନ୍ତେ :

 

–ହଉ ଜଳଖିଆ ଖାଇଦିଅ ମୁଁ ଆସୁଛି କହି ଦୀପା ସେ ଘରୁ ବାହାରି ଗଲା–ଖାଇ ସାରି ସରୋଜ ପ୍ୟାଣ୍ଟ ପିନ୍ଧିଲା, ମୁଣ୍ଡ କୁଣ୍ଡାଇ ସାର୍ଟ ଖଣ୍ଡକ ଗଳାଇ ଦେଖିଲା ପାଉଡର ଡବାଟା ଟେବୁଲ ଉପରେ ନାହିଁ । ସେ ସାର୍ଟର ବଟମ ଦେଉଁ ଦେଉଁ ପାଉଡର ପାଇଁ ପଶିଲା ଦୀପାର ବେଡ୍‌ରୁମ୍‌କୁ । ଦରଆଉଜା କବାଟ ଠେଲି ସରୋଜ ଯାହା ଦେଖିଲା ସେଥିରେ ସେ ବିମୂଢ଼ ହୋଇ ପଡ଼ିଲା ।

 

ଡ୍ରେସିଂ ଟେବୁଲ ଆଗରେ ଠିଆ ହୋଇ ଦୀପା ପ୍ରସାଧନ କରୁଛି । କିଛି ସମୟ ଆଗରୁ ଝରଣାରେ ପହଁରି ଯାଉଥିବା ଜଳବେଣୀ ପରି ଗୁଡ଼ାଏ କେଶ ଦୀପାର ସୁଗୌର ପୃଷ୍ଠଭାଗରେ ଲୋଟି ପଡ଼ିଥିଲା । ସେସବୁ ଏବେ ସୁନ୍ଦର ପାଲିସ୍‌ ବଡ଼ ଖୋଷାଟିଏ ହୋଇ ତା’ ମନୋହର ଗ୍ରୀବା ତଳେ ଶୋଭା ପାଉଛି । ବେକ ତଳର ଚୂନାଚୂନା ବାଳ କେତୋଟି, ମାଉଁସିଆ ଗଳା ଉପରେ ଚକା ଭଉଁରୀ ଖେଳୁଛି, ଛାତି ଉପରୁ ସମସ୍ତ ଆବରଣ ଖୋଲି ଦୀପା ପାଉଡର ବୋଳୁଛି । ଅଣ୍ଟାଠାରୁ ତଳକୁ ପିନ୍ଧିଥିବା ଶାଢ଼ି ଖଣ୍ଡକ ବେଢ଼େଇ ରହି ତଳେ ଲୋଟୁଛି । ଦର୍ପଣରେ ତା’ର ସ୍ୱର୍ଣ୍ଣ ଘନ ସମ ବକ୍ଷୋଜ ଦୁଇଟି ପ୍ରତିବିମ୍ବିତ ହେଉଛି ।

 

ସରୋଜ ଏ ଦୃଶ୍ୟ ଦେଖି ପଛକୁ ଫେରି ଆସିଲା । ମନରେ ତା’ର ଆଙ୍କି ହୋଇଗଲା ଦୀପାର ମନଲୋଭା ନଗ୍ନ ସୌନ୍ଦର୍ଯ୍ୟ । ଆଃ... ଦୀପାଟା କି ସୁନ୍ଦର ହୋଇଯାଇଛି ଏଥି ଭିତରେ ?

 

ଅଠର ବର୍ଷର ଦୀପା, ଅଠରଟି ବସନ୍ତ ଆସି ତାକୁ ନିଜର ସ୍ନେହ ସୋହାଗ ପରଷି ଦେଇଯାଇଛି । କେତୋଟି ମନୋମୁଗ୍ଧକର ଶରତର ଶୁଭ୍ର ସ୍ୱଚ୍ଛଳ ସ୍ପର୍ଶ ସେ ପାଇଛି, ଆଷାଢ଼ର ଘୁମନ୍ତ ମେଘପରି ତା’ର ଯୌବନ । ଶ୍ରାବଣର ଭରା ନଈ ପରି ତା’ର ଉଚ୍ଛୁଳା ସ୍ରୋତ । ସରୋଜର ମନେହେଲା, ଆଜି ଭଳି ଦୀପାକୁ ସେ କେବେ ଏତେ ସୁନ୍ଦର ବୋଲି ଭାବି ନଥିଲା । ତା’ ଦେହରେ ଏତେ ଲାବଣ୍ୟ କେବେ ଦେଖି ନ ଥିଲା । ଦୀପା ଯେପରି ଗୋଟିଏ ଅପ୍‌ସରା ଥିଲା, ଭୁଲରେ ବାଟ ଭୁଲି ପୃଥିବୀକୁ ଆସି ଅଟକି ଯାଇଛି । ନ ହେଲେ ଏତେ ରୂପ ଏତେ ଯୌବନ କ’ଣ ସାଧାରଣ ନାରୀ ଦେହରେ ସମ୍ଭବ ! ସରୋଜ ମୋହ ମୁଗ୍ଧ ହୋଇ ଭାବିଲା ଫେରିଯାଇ ସେ ଦୃଶ୍ୟ ଆଉଥରେ ଦେଖି ଆସିବ । ଚୋରା ଚାହାଣି ଆରାମ ପଦ, କୁଶଳୀ କବିର ଶୃଙ୍ଗାର କବିତା ପରି ରୋମାଞ୍ଚକର, ଏ ଲୁଚାଛପା ଦେଖାରେ ମାଦକତା ଓ ମହୁଲ ଫୁଲର ଗନ୍ଧ ଅଛି । ମନକୁ ତତାଇ ଦିଏ, ଶରୀରକୁ ମତାଇଦିଏ । ପ୍ରତି ଲୋମକୂପରେ ଫୁଲଶର ବାଜେ ।

 

କିନ୍ତୁ ସରୋଜ ପଛକୁ ଫେରି ପାରିଲା ନାହିଁ । ଗୋଟିଏ ନୂଆ ଅନୁଭୂତି ଦେଇ ସେ ନିଜ ରୁମରେ ପାଦଦେଲା । ମନରେ ତା’ର ବାଜି ଉଠୁଥିଲା ଅଜସ୍ର ଶିହରଣର ନୂପୁର । ସତେ ସେ ଏଭଳି ସୁନ୍ଦରୀ ତରୁଣୀଟିଏ ଜନମାବଧି ଦେଖି ନାହିଁ । ଏଇ ପ୍ରଥମ ଥର ପାଇଁ ଦେଖି ସେ ଆଶ୍ଚର୍ଯ୍ୟ ହେଉଛି । ବାସ୍ତବିକ ଅନେକ ଝିଅଙ୍କୁ ସେ ଦେଖିଛି । କେତେ ଝିଅଙ୍କ ସହ ମିଶିଛି । କଲେଜ ଜୀବନରେ କେତେ ସହପାଠିନୀଙ୍କ ସୌନ୍ଦର୍ଯ୍ୟକୁ ନିରେଖି ଦେଖିବାରେ ଆନନ୍ଦ ପାଇଛି; ରାସ୍ତାଘାଟ ସିନେମା ସାମନାରେ । ରଙ୍ଗିନ ଶାଢ଼ି, ଚୁସ୍ତ କମିଜ, ରେଶମୀ ସଲବାର, ତରଙ୍ଗାୟିତ ଦୁପଟାରେ ସଜ୍ଜିତ ମନଭୁଲା ତରୁଣୀଙ୍କ ଫେଶନ୍‌ ପରେଡ଼ ପ୍ରାୟ ନିତ୍ୟ ନୈମିତ୍ତିକ ଦୃଷ୍ଟିରେ ପଡ଼େ । ହାଇହିଲ୍‌ ଜୋତା ଅଣ୍ଟାଭଙ୍ଗା ଚାଲି । ରଙ୍ଗିନ ଓଠ ତୁଳି ଅଙ୍କା ଧନୁ ଆକୃତିର ଭ୍ରୂ । ପାଉଡର ରୋଜ ମଖା ଗାଲ, ସେମ୍ପୁ କରା ବାଳ । ମଦମତ୍ତା ଯୌବନର ବିପୁଳ ପ୍ରଦର୍ଶନୀ ଭିତରେ ଏପରି ଲାଳିତ୍ୟଭରା ସୌନ୍ଦର୍ଯ୍ୟ ତ କେବେ ଦୃଷ୍ଟି ପଥାରୂଢ଼ ହୋଇ ନ ଥିଲା । ଦୀପାର ଅଙ୍ଗରେ ଯେଉଁ ଯୌବନର ଉଚ୍ଛଳ କଲ୍ଲୋଳ, ତାହା ତ କେତେ ତା’ର କଳ୍ପନାର ପର୍ଯ୍ୟାୟଭୁକ୍ତ ହୋଇ ନ ଥିଲା । ....ଆ....ଦୀପାଟା ଖାଲି ସୁନ୍ଦରୀ ନୁହେଁ–ସାଙ୍ଘାତିକ ଭାବରେ ସୁନ୍ଦରୀ । ତା’ ସୁଲଳିତ ଅଙ୍ଗରେ ଖାଲି ମଦମତ୍ତ ମହୋତ୍ସବ । ତା’ ବେକ ପାଖରେ ଭାଙ୍ଗି ପଡ଼ିଥିବା ମାଂସପେଶୀ କି ଚମତ୍କାର । ଗଳା ପାଖଟା ଶଙ୍ଖ ପରି ଦେଖାଯାଏ ସତେ ଯେପରି କାମ ଦେବତା ତା’ ବେକକୁ ଶଙ୍ଖ ଭାବି ବଜାଏ । ସେ କଥା କହେ ନାହିଁ ଯେ ଗୀତ ଗାଏ । ତା’ କଅଁଳ କଣ୍ଠରେ ମୁଠା ମୁଠା ଅଳସ । ତା’ ତରଳ ଚାହାଣିରେ ମନବିନ୍ଧା ଆହ୍ୱାନ....ସରୋଜର ଯୁବକ ବୁକୁ ତଳେ ଉନ୍ମାଦନାର ଢେଉ । ସେ ଥରୁଛି । ଦେହସାରା ଝାଳ । ଆଖି ଆଗଟା ଅସ୍ପଷ୍ଟ ଧୂଆଁଳିଆ । ଆଖିଟାକୁ ଦୁଇ ହାତରେ ବନ୍ଦ କରି ସେ ବସି ପଡ଼ିଲା ।

 

....ଓଃ....କି କଦର୍ଯ୍ୟ ଚିନ୍ତା ତା’ ମନକୁ ଆସୁଛି କାହିଁକି । ଦୀପା ତା’ର ଭଉଣୀ ! ତା’ ପ୍ରତି ଏଭଳି ଧାରଣା ମନରେ ଆଣିବା କ’ଣ ଠିକ୍‌ । ସେ ଶିକ୍ଷିତ ଆଭିଜାତ୍ୟ ପରିବାରର ସନ୍ତାନ ହୋଇ ଗୋଟିଏ ନୀଚ ମନୋବୃତ୍ତି ପୋଷଣ କରି ନିଜକୁ କେତେ ତଳକୁ ଖସାଇ ନେଇଛି । ଦୀପା ତା’ର ଭଉଣୀ । ହୁଏତ ରକ୍ତର ସମ୍ପର୍କ ନ ଥାଇପାରେ । ତଥାପି ବାପାଙ୍କର ପାଳିତା କନ୍ୟା ହିସାବରେ ସେ ନ୍ୟାୟତଃ ତା’ର ଭଉଣୀ । ତଥାପି–ତଥାପି ସେ ଥୟଧରି ପାରୁନାହିଁ । ଲୋକ ଦେଖାଣିଆ ଭଉଣୀ ବୋଲି ଅଭିନୟ କଲେ ମଧ୍ୟ ମନ ତା’ର ଚାହିଁଛି ଅନେକ କିଛି । ସେଇଥିପାଇଁ ସେ ଦୀପାଠାରୁ ଦୂରରେ ରହିବାକୁ ଚେଷ୍ଟା କରିଛି । ହସି ହସି ସହଜ ସାରଲ୍ୟ ନେଇ ଦୀପା ଯେତେବେଳେ ତା’ର ପାଖକୁ ଆସିଛି ସେତେବେଳେ ତା’ର ସମସ୍ତ ମାନବିକତାକୁ ପଦ ଦଳିତ କରି ତା’ ଭିତରର ସେଇ ଆଦିମ ପଶୁଟା ହିଂସ୍ର ହୋଇ ଚିତ୍କାର କରିଛି । ଦୀପାର କର ପରଶରେ ତା’ର ଦେହରେ ଜାଗିଛି ରୋମାଞ୍ଚ, ନିଜକୁ ସହଜ ସରଳକରି ମଧ୍ୟ ସେ କରିପାରିନି । ମନ ଭିତରୁ ଯେପରି କିଏ କହି ଉଠୁଛି ଦୀପା ତୋର–ତା’ର ହସ, ଅଶ୍ରୁ, ଆନନ୍ଦ, ବିଷାଦ ସବୁଥିରେ ତୋର ଏକାନ୍ତ ଦାବି ।

 

ସେଇଥି ପାଇଁ ଦୀପା–ଯେତେବେଳେ, ହସି ହସି ଦୀଲ୍ଲିପକୁ କଥା କହେ ତା’ ଦେହରେ ଛୁରି ଚାଲିଗଲା ପରି ଲାଗେ । ଭଦ୍ରାମିର ବରଷାତି ପିନ୍ଧି ସେ ନିଜେ ମନର କୁତ୍ସିତ ବର୍ଷା ବିଦ୍ୟୁତ୍‌କୁ ଘୋଡ଼ାଇ ରଖେ । ବନ୍ଧୁ ପାଖରେ ଅଭିନୟ କରି ମୁହଁରେ ହସ ଫୁଟାଏ । ଏହା ମୂଳରେ ଦୀପାପ୍ରତି ତା’ର ଭଲ ପାଇବାର ପ୍ରଗାଢ଼ତା ଦୀପ୍ତ ହୋଇ ଉଠେ । ଯିଏ ଯାହାକୁ ଯେତିକି ବେଶି ଭଲପାଏ ତାରି ଉପରେ ହିଁ ତା’ର ସମସ୍ତ ମାନ ଅଭିମାନ, ରାଗ ହିଂସା ଓ ସର୍ବୋପରି ସନ୍ଦେହ ଜମାଟ ବାନ୍ଧେ-। ପର ମଣିଷ ପାଖରେ ଏ ସବୁର ଯଥାର୍ଥତା ନ ଥାଏ । ଦୀପାକୁ ସେ ଭଲପାଏ । ସେଇଥିପାଇଁ ଦୀଲ୍ଲିପ ସହ ଦୀପାର ଆନ୍ତରିକତାକୁ ସେ ସହଜରେ ମାନି ନେଇ ପାରେନା । ଯଦିଓ ସେ ଭଲ ଭାବରେ ଜାଣେ ଦୀଲ୍ଲିପ, ଦୀପାକୁ ଭଉଣୀ ଦୃଷ୍ଟିରେ ଦେଖେ । ତଥାପି–ତଥାପି–ତା’ ଭାବନା ଭିତରେ କେଉଁଠି ଟିକିଏ ଚୋରାବାଲି ରହିଯାଏ । ସେ ଯେତେବେଳେ ଦୀପାକୁ ଅନାବିଳ ଭଗ୍ନୀର ମମତା ଦେଇ ପାରୁନି ଦୀଲ୍ଲିପ ଯେ ସେହିପରି ମନରେ କୌଣସି ଉଦ୍ଦେଶ୍ୟ ରଖି ଦୀପାକୁ ଛଳନାରେ ଭଲପାଉ ନଥିବ ଏକଥା କିଏ କହିବ ! ସେ ଦୁହିଁଙ୍କର ମିଳାମିଶା ତ ଅବାଧ-। ବରଂ ସେ ବେଳେ ବେଳେ ଦୀପା ଉପରେ ବିନା କାରଣରେ ବିରକ୍ତ ହେଲେ ଦୀପା ମୁହଁ ଶୁଖାଇ ଦୀଲ୍ଲିପ ପାଖରେ ଅଭିଯୋଗ କରେ । ଆଉ ଦୀପା ପକ୍ଷ ନେଇ ଓକିଲାତି କରେ ଦୀଲ୍ଲିପ । ତା’ କଥା ମନେ ପଡ଼ିଯାଏ ।

 

–ତୁ ସବୁବେଳେ ଦୀପା ଉପରେ ଚିଡ଼ୁଛୁ ସରୋଜ । ଅଥଚ ସେ ନିରପରାଧ । ପ୍ରଥମ ଦେଖାଠାରୁ ତା’ ପ୍ରତି ତୋର ଧାରଣା ଭଲନଥିଲା ଆଉ ଆଜି ଯଥେଷ୍ଟ ବଡ଼ ହୋଇ ମଧ୍ୟ ତାକୁ ସେହିପରି ବ୍ୟବହାର ଦେଖାଇ ଚାଲିଛୁ । ଅଥଚ ତୋ ପାଇଁ ତା’ ମନରେ କେତେ ଶ୍ରଦ୍ଧା, ଭକ୍ତି, ସ୍ନେହ ।

 

ଦୀଲ୍ଲିପଟା ପାଗଳ । ନଚେତ୍‌ ବୋକା । ଯିଏ ଯାହାକୁ ଭଲପାଏ, ସେ କ’ଣ ସର୍ବ ସମକ୍ଷରେ ପ୍ରଚାର କରେ । ତା’ର ଗତି ଅନ୍ତଃସ୍ରୋତା ପରି । ସେ ପ୍ରାଣକୁ ରସାଣିତ କରେ ଅପୂର୍ବ ମାଧୁର୍ଯ୍ୟରେ । ତା’ର ଭଲ ପାଇବା ଜିଇ ରହେ ଅନ୍ତରର ଗଭୀରତମ ପ୍ରଦେଶରେ । ତେବେ–ସତେ କ’ଣ ସେ ଦୀପାକୁ ଭଲପାଏନା–ତା’ପାଇଁ ସରୋଜଙ୍କ ମନ-ବନରେ ମମତାର ଫୁଲ ଫୁଟେନା । ମାତ୍ର ତାହା ମୁହଁରେ ପ୍ରକାଶ କରି ହୁଏନା । ତା’ର ସାମାନ୍ୟତମ ପ୍ରକାଶରେ ନିଜର ସମସ୍ତ ମାନବିକତା ପଦଦଳିତ ହେବ । ସେ ମନୁଷ୍ୟ ହୋଇ ମଧ୍ୟ ପଶୁର ଆଖ୍ୟା ପାଇବ । ଅଥଚ ମନରେ ଅନେକ ବିକଳାଙ୍ଗ କାମନା ନେଇ ସେ ଅଭିନୟ କରି ଚାଲିଛି । ସମସ୍ତଙ୍କ ଆଖିରେ ସେ ମାର୍ଜିତ, ଶିକ୍ଷିତ, ଶାନ୍ତ, ଭଦ୍ର ।

 

କେତେବେଳେ କେଜାଣି ତା’ ମନର କୁହୁଳା ନିଆଁ ବାହାରି ପଡ଼ିବ ସେଇଥିପାଇଁ ସେ ଦୀପା ପାଖରେ ବେଶି ସମୟ ରହେନା । ବାହାରକୁ ସାଥିରେ ନିଏନା । ଏକା ବସିବସି କଥା ହୁଏନା । କେବେ କେବେ ସରଳା ଦୀପା ପାଖରେ ବସି ପଡ଼ିଲେ, ବିରକ୍ତ ହୋଇ ଉଠି ପଳାଏ । ସେଇନେଇ ସମସ୍ତଙ୍କର ଧାରଣା ଦୀପାକୁ ସରୋଜ ଭଲପାଏ ନାହିଁ । ନା–ସେ ଦୀପାକୁ ବାସ୍ତବିକ ଭଉଣୀ ଭଳି ଭଲ ପାଇନାହିଁ । ଦୀପାର ସେଇ ଅନାବିଳ ଭ୍ରାତୃତ୍ୱ ଭିତରେ ଆଉକିଛି ପାଇବାକୁ ମନ ଚାହେଁ, ସେଇତକ ନ ପାଇ ମନ ବିରକ୍ତ ହୁଏ । ଘୁଣଖିଆ ମନରେ ବିଦ୍ରୋହାଗ୍ନି ଜଳେ । ନା–ଦୁନିଆଁରେ ସମସ୍ତଙ୍କୁ ଭଉଣୀ ବୋଲି ଖାଲି ଭାବିଲେ, ସମସ୍ତ ସମସ୍ୟାର ସମାଧାନ ହୁଏନା, ହୃଦୟ ସମର୍ଥନ କରେନା । ରକ୍ତର ସମ୍ପର୍କ ନଥାଇ ଏ ଭାଇ ଭଉଣୀର ଲୋକ ଦେଖାଣିଆ ସମ୍ପର୍କ ଖାଲି ଗୋଟାଏ ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ଦୀପା ଯଦି ପ୍ରକୃତରେ ତା’ର ଭଉଣୀ ହୋଇଥାନ୍ତା, ତେବେ ଆଜିର ଏ ଦୃଶ୍ୟ ତା’ ମନରେ ଏପରି ଭାବାନ୍ତର ସୃଷ୍ଟି କରି ନ ଥାନ୍ତା । ପବିତ୍ରତାର ସର୍ବୋଚ୍ଚ ଶୃଙ୍ଗରେ ଉଲଗ୍ନ ଦେହ ମଧ୍ୟ ମନରେ କୌଣସି ବିକାର ଆଣେନା । ତେବେ ସେ କ’ଣ କରିବ । କେତେ ଦିନ ନିଜ ସହ ନିଜେ ଲୁଚକାଳି ଖେଳିବ...ଓଃ...କହି ସରୋଜ ହାତରେ ମୁଣ୍ଡ ବାଳକୁ ଟାଣିବାରେ ଲାଗିଲା ।

 

ନିଜକୁ ସୁନ୍ଦରଭାବେ ସଜାଇ ଘର ଭିତରକୁ ଆସିଲା ଦୀପାଳି, ହାତରେ ତା’ର ପାଉଡର ଡବା ।

 

...ଭାଇ...

 

...ଉଁ...

 

...ତୁମ ପାଉଡର ଟିଣଟା ମୁଁ ନେଇଥିଲି ନିଅ...

 

...ରଖ–ସେଇଠି–

 

...ଲଗାଇବ ନାହିଁ...

 

...ନା...

 

...କାହିଁକି–

 

...ନା–ଥାଉ...

 

...ଆରେ କେତେ ଗରମ ଲାଗୁଛି । ଝାଳରେ ସାର୍ଟ ଓଦା ହେଲାଣି । ତମେ ମୁହଁ ଟେକିଲ...ମୁଁ ବେକ ପାଖରେ ପାଉଡର ଦେଇ ଦେଉଛି ।

 

ସାର୍ଟରୁ ଦୁଇଟା ବଟମ ଖୋଲି ସିଧା ବସିଲା ସରୋଜ ।

 

ହାଲକା ଭାବରେ ପାଉଡର ପପ୍‍ଟା ବେକ ପାଖରେ ବୁଲାଉ ବୁଲାଉ ଦୀପାର ହାତ ଅଙ୍ଗୁଳି ସରୋଜର ଦେହ ସହ ଲାଗିଗଲା । ବିଜୁଳି କରେଣ୍ଟ ଲାଗିଲା ପରି ସରୋଜ ଏ ହାତ ପରଶରେ ଚମକି ଉଠିଲା । ନିଜକୁ ଆୟତ୍ତ କରିବାକୁ ଚେଷ୍ଟାକରି ପାଟିକରି ଉଠିଲା....ଥାଉ...

 

ସରୋଜର ଏପରି ହଠାତ୍‌ ଚିତ୍କାରରେ ଦୀପା–ସାମାନ୍ୟ ଶଙ୍କିଗଲା । ପପ୍‌ଟା ହାତରେ ଧରି ସେ ସରୋଜର ଆଗ ପାଖକୁ ଆସି ପଚାରିଲା–କ’ଣ ହେଲା ଭାଇ ।

 

...ତୁ ଗଲୁ...କିଛି ନାହିଁ–

 

....ସିନେମା ଯିବା ପରା...

 

...ଓ...ହଁ...ହଁ...ଆଚ୍ଛା ଗଲୁ...ମୋ ପାଇଁ ପାଣି ଗ୍ଲାସେ ଆଣିବୁ ।

 

...ପାଦ ଦୁଇଟାରେ ହରିଣୀର ଚଞ୍ଚଳତା ନେଇ ଦୀପା ଗଲା ପାଣି ପାଇଁ ।

 

...ନିଜକୁ ସଂଯତ କରିବାକୁ ସରୋଜ ଶୋଇ ପଡ଼ିଲା ଖଟ ଉପରେ–ଛାତିରେ ତା’ର କାମନାର ଜୟରେଖା ।

 

ପାଣି ଗ୍ଲାସ ଧରି ଘର ଭିତରକୁ ପଶିଲା ଦୀପା–ଘର ଭିତର ଅନ୍ଧାର । ସେ ଅଣ୍ଡାଳି ଅଣ୍ଡାଳି ସୁଇଚ ଟିପିଲା, ହେଲେ ଲାଇନ୍‌ କଟିଛି । କ’ଣ କରିବ କିଛି ନ ଭାବି, ବାହାରପଟ ଝରକାର ତଳ କବାଟ ଦୁଇଟି ଖୋଲି ଦେଲା । ବାହାରର ସ୍ୱଳ୍ପାଲୋକ ଭିତରେ ଘରଟି ସାମାନ୍ୟ ଆଲୋକିତ ଦେଖାଗଲା । ତାରି ଭିତରେ ଦୀପା ଦେଖିଲା ସରୋଜ ଶୋଇଛି । ଚୁପ୍‍ଚାପ୍‌ ।

 

ଆଶଙ୍କାରେ ଦୀପାର ମୁହଁ ବିବର୍ଣ୍ଣ ହୋଇଗଲା । ସେ ଥରା କଣ୍ଠରେ କହିଲା–ଭାଇ ।

 

‘‘ପାଣି ନିଅ ।’’

 

‘‘ସେଇଠି ରଖ ।’’

 

‘‘ପିଇବ ନାହିଁ, ଶୋଷ ହେଉଥିଲା ପରା ।’’

 

‘‘ଆଚ୍ଛା ଦେ, କହି ପାଣି ଗ୍ଲାସକୁ ଏକା ନିଃଶ୍ୱାସରେ ଶେଷ କଲା ସରୋଜ । ଗ୍ଲାସଟା ଦୀପା ହାତକୁ ବଢ଼ାଇ ସରୋଜ ପୁଣି ଖଟ ଉପରେ ଶୋଇ ପଡ଼ିଲା ।

 

...ଉଠୁନା ଭାଇ; ଯିବା ପରା ।

 

...ନ ଗଲେ, ହୁଅନ୍ତା ନାହିଁ !

 

...ମୁଁ ଯିବା ପାଇଁ କହି ନାହିଁ ତ !

 

...ମୋ ମୁଣ୍ଡ ଭାରି ଜୋରରେ ବିନ୍ଧୁଛି ଦୀପା ।

 

...ଚିପି ଦେବି !

 

...ନାହିଁ, ଥାଉ !

 

...ଦେଖାଅ–ବାଳ ଟାଣି ଟାଣି ଦେଲେ ଭଲ ଲାଗିବ ।

 

...ନାଇଁ–ମନକୁ ଭଲ ହେବ ଯେ ।

 

ସରୋଜର କଥାକୁ କର୍ଣ୍ଣପାତ ନକରି ଦୀପା ବସି ପଡ଼ିଲା ସରୋଜ ପାଖରେ ! ଆଉ ତା’ର କଅଁଳ ଉଷୁମ ହାତରେ ସରୋଜ ମୁଣ୍ଡକୁ ଟିପିବାରେ ଲାଗିଲା ।

 

–ଦୀପା ଦେହର ନିବିଡ଼ ପରଶ ପାଇ ସରୋଜ ଆଗରେ ଉନ୍ମୋଚିତ ହେଲା କିଛିକ୍ଷଣ ଆଗରୁ ଦୀପାର ପ୍ରସାଧନ ସମୟର ନଗ୍ନ ବନ୍ୟ ଯୌବନର ମନଲୋଭା ଦୃଶ୍ୟ ! ଏଇ ଶାଢ଼ି ବ୍ଲାଉଜ୍‌ ତଳେ, ଦୀପା ଏତେ ଶୋଭା ଲୁଚାଇ ରଖିଛି ସରୋଜ ମନ ଭିତରୁ କିଏ ଯେପରି କହିଉଠୁଥିଲା, ଏ ଯୌବନ କୁଞ୍ଚ ବନରେ ମଧୁଲିଟ ହୋଇ ଗୁଞ୍ଜନ କରିବାକୁ କେବଳ ଅନୁମତିହିଁ ବାକି । ଦିବା ରାତ୍ରୀ କେବଳ ଦୀପାର ଅଞ୍ଚଳ ତଳେ ଲୁଚି ରହିବା ହିଁ ସର୍ବଶ୍ରେଷ୍ଠ ଆନନ୍ଦ ।

 

ହେଲେ ସମସ୍ତ ଦୁର୍ବଳତାକୁ ଚପାଇ ସରୋଜ ଚଟ୍‌କରି ଉଠି ପଡ଼ିଲା, ଆଗେ ଆଗେ ବଡ଼ ବଡ଼ ପାହୁଣ୍ଡ ପକାଇ ବାହରକୁ ଯାଉଁ ଯାଉଁ କହିଲା, ବାପାଙ୍କୁ କହି ଜଲଦି ଆ ଦୀପା–ମୁଁ ରିକ୍‌ସା ଡାକୁଛି !

 

ରିକ୍‌ସାରେ ବସି ଦୁହେଁ, ଚାଲିଲେ ସିନେମା ଅଭିମୁଖେ । ସେଦିନ କି ତିଥି ଥିଲା କେଜାଣି, ଆକାଶ ଦେହରେ ଚନ୍ଦ୍ର ନିଜର ହସ ହସ ମୁହଁ ଦେଖାଇ, ଲୁଚକାଳି ଖେଳୁଥିଲେ, ବାଦଲସହ । ଚାରିଆଡ଼େ ଚନ୍ଦ୍ରଙ୍କର ମଳିନାଲୋକ ସହ, ରାଜରାସ୍ତାର ବିଦ୍ୟୁତାଲୋକ ମିଶି ଗୋଟିଏ ସ୍ୱପ୍ନିଳ ପରିବେଶ ସୃଷ୍ଟି କରୁଥାଏ । ମନ ଆନନ୍ଦରେ ଦୀପା ପାଖ ଦୋକାନମାନଙ୍କରେ ନିଜ ଦୃଷ୍ଟି ନିକ୍ଷେପ କରୁଥାଏ ! ବେଳେ ବେଳେ ଗୋଟାଏ ଗୋଟାଏ ପ୍ରଶ୍ନ ପଚାରୁଥାଏ ସରୋଜକୁ-!

 

ମାତ୍ର ସରୋଜର ଅମାନିଆଁ ଆଖି ଦୀପା ଦେହରେ ଖେଳିବୁଲୁଥାଏ । ଦୀପା ଅସାମାନ୍ୟା ସୁନ୍ଦରୀ ନ ହେଲେ ମଧ୍ୟ, ତା’ର ନିରାଡ଼ମ୍ବର ବେଶପୋଷାକରେ ଭରି ରହିଥାଏ ଗୋଟାଏ ସ୍ନିଗ୍ଧତା ଯାହାକି ଅନ୍ୟାନ୍ୟ ରୂପସୀମାନଙ୍କଠାରେ ବହୁ ଗୁଣରେ ଆଲୌକିକ ଚମକପ୍ରଦ । କିନ୍ତୁ ସେଇ ନିରାଡ଼ମ୍ବର ଦୀପାର ଆଜି କି ଖିଆଲ । ଡ୍ରେସିଂ ଟେବୁଲ ପାଖ ଯେ କେବେ ଦେଖେ ନାହିଁ ସେ ଆଜି ଅତ୍ୟାଧୁନିକ ପରିପାଟିରେ ସୁସଜ୍ଜିତା ! ଏଇ ଦେହଟା ଭିତରେ ଦୀପା, ଏତେ ରୂପ କିପରି ଲୁକ୍‌କାୟିତ କରି ରଖିଛି ? ପ୍ରସାଧନ ପରେ ଅସମ୍ଭବ ଭାବରେ, ତେଜି ଉଠିଛି ରୂପର ମାଧୁରୀ !

 

...ଭାଇ...

 

...ଭାବନା ଭିତରେ ନିଜକୁ ହଜାଇ ସରୋଜ ଅନ୍ୟମନସ୍କ, ଦୀପାର ଡାକ ତା’ କାନ ପାଖକୁ ଯାଇପାରିନି ।

 

...ଭାଇ, କ’ଣ ଚୁପ୍‌ଚାପ୍‌ ବସି ଭାବି ଚାଲିଛ !

 

...ଏଁ...ସ୍ୱପ୍ନତ୍‌ଥିତ ପରି ସରୋଜ ନିଜକୁ ସଜାଡ଼ି ବସି ପଡ଼ିଲା ।

 

...କ’ଣ ଏତେ ଭାବୁଛ ଯେ !

 

...ଏଁ–କ’ଣ କହିଲୁ...ନାଇଁ କ’ଣ ଭାବିବି ! ଖାଲି ଭାବୁଥିଲି ତୋରି କଥା...

 

...ଅପ୍ରତ୍ୟାଶିତ ଭାବରେ ସରୋଜ ପାଟିରୁ ସତ କଥାଟା ବାହାରି ପଡ଼ିଲା–

 

...ମୋ କଥା–କ’ଣ ଭାବୁଥିଲ ! ଦୀପା ଆଖିରେ ବିସ୍ମୟ ।

 

–କଥାର ମୋଡ଼ ଘୂରାଇବା ପାଇଁ ସରୋଜ କହିଲା–ଭାବୁଥିଲି, ତୁ ଚାଲିଗଲା ପରେ ଆମ କଥା କିଏ ବୁଝିବ !

 

...ଆମ କଥା...ମାନେ ?

 

ମାନେ, ମୋ କଥା ଆଉ ବାପାଙ୍କ କଥା–

 

...ଓ-ହୋ–ତେବେ ଏ ପ୍ରଶ୍ନଟା ହଠାତ୍‌ ତୁମ ମନକୁ କାହିଁକି ଆସିଲା ଶୁଣେ ?

 

...ହଠାତ୍‌ କାହିଁକି ଆସିବ, ଅନେକ ଦିନରୁ ଏ ଭାବନା ମୋ ମନକୁ ଛୁଇଁଛି !

 

...କାହିଁକି–

 

–ତୁ ଚାଲିଗଲା ପରେ, ମୋ ପ୍ୟାଣ୍ଟ ସାର୍ଟକୁ କିଏ ପ୍ରତ୍ୟେକ ଦିନ ସଫାକରି ଇସ୍ତ୍ରୀ କରିବ କହିଲୁ, ଥଟାଳିଆ ସ୍ୱରରେ କହିଲା ସରୋଜ । ନିଜକୁ ସହଜ କରିବା ପାଇଁ ଲାଜରେ ଅପ୍ରତିଭ ହେଲା ଦୀପା–କୃତ୍ରିମ କ୍ରୋଧ ପ୍ରକାଶ କରି କହିଲା –

 

.....କାଇଁ–ନୂଆବୋଉ କରିବେ ନାହିଁ ।

 

...ନୂଆବୋଉ ତୋର ଆସିବ ନାହିଁ, ସରୋଜ କଣ୍ଠରେ ବେଦନାର ବ୍ୟଞ୍ଜନା ।

 

...ନିଶ୍ଚୟ ଆସିବେ, ତା’ ବ୍ୟତୀତ ମୁଁ ଆମ ଘର ଛାଡ଼ି କାହିଁକି କେଉଁଠାକୁ ଯିବିମ !

 

...ଶାଶୁଘରକୁ...

 

...ଦେଖ ଭାଇ–ତମେ ମତେ ଚିଡ଼ାଇବା ପାଇଁ, ସାଙ୍ଗରେ ଆଣିଥିଲ ?

 

...ତତେ ମୁଁ ଚିଡ଼ାଇଛି, ଝିଅମାନେ, ଶାଶୁଘରକୁ ତ ନିଶ୍ଚୟ ଯାଆନ୍ତି ।

 

...ଯିଏ ଯାଉଛି ଯାଉ ! ମୁଁ ଯିବିନାହିଁ, ତମେ ସେ କଥା ବନ୍ଦ କର ?

 

...ସତ କହୁଛୁ–ଯିବୁ ନାହିଁ ସରୋଜ କଣ୍ଠରେ ଆବେଗ ।

 

....ନା–ନା ଆଦୌ ଯିବି ନାହିଁ ?

 

...ସତ କଥା...

 

...ଆଉ କ’ଣ ମିଛ କଥା.... !

 

...ଯଦି ଯାଉ–

ବା...ଭାରି କଥା ତ, ତମେ ମତେ ତଡ଼ିଦେଲେ, ମୁଁ ନ ଯାଇ କ’ଣ କରିବି ।

 

...ଗୋଟାଏ ଦୀର୍ଘଶ୍ୱାସ ପକାଇ ସରୋଜ କହିଲା–

 

–ତତେ ରଖିବାଭଳି ସାମର୍ଥ୍ୟ ମୋର ନାହିଁରେ–ଦୀପା...

 

...ଭାଇ

 

...ହଁ–ଦୀପା–ଇଚ୍ଛା କଲେ ମଧ୍ୟ ମୁଁ ତତେ ରଖି ପାରିବି ନାହିଁ ।

 

ଦୀପା ସରୋଜ କଣ୍ଠରେ କିଛି ନୂତନତ୍ୱ ଦେଖି ପାରିଲା; ଆଖି ଟେକି ସେ ଚାହିଁଲା ସରୋଜର ଆଖି ଉଦାସ । ଝିମିଟି ଖେଳରୁ ମହାଭାରତ ପରି, ସାମାନ୍ୟ ଥଟ୍ଟା ପରିହାସ ଭିତରୁ ଭାଇ ଯେ ଏପରି ଆଘାତ ପାଇବେ, ଦୀପା ଭାବିପାରି ନ ଥିଲା । ମନ ତା’ର ଭାଇପ୍ରତି ସହାନୁଭୂତିରେ ନଇଁ ପଡ଼ିଲା । ବାସ୍ତବିକ ଭାଇ ତାକୁ କେତେ ଭଲ ପାଆନ୍ତି ।

 

...ଅଥଚ ସେ ନିଜେ ? ଭାଇ ତାକୁ ଭଲ ପାଆନ୍ତି ନାହିଁ, ବିରକ୍ତ ହୁଅନ୍ତି ବୋଲି, ମନରେ ଅନେକ ସଂଶୟ ରଖି ଭୁଲ କରିଛି ! ପିଲାଟି ଦିନରୁ ମା ହରାଇ ବାପାଙ୍କ ପାଖରେ ବଢ଼ି ଆସିଥିଲେ-! ସ୍ନେହମୟୀ ଭଉଣୀଟି ବଡ଼ ହେଲାଣି, ଖୁବ୍‌ ଶୀଘ୍ର ସେ ଏ ଘରୁ ପର ଘରକୁ ଚାଲିଯିବ ଭାବି ତାଙ୍କର ମନ ଭାରାକ୍ରାନ୍ତ, ଆଖି ଛଳ ଛଳ । ଦୀପା–ପରିସ୍ଥିତିକୁ ଲଘୁ କରିବା ପାଇଁ, ଅଧର ଫାଙ୍କରେ ହସ ଉକୁଟାଇ କହିଲା–

 

ଭାଇ–ଆମ ନୂଆବୋଉ ଆସିଲେ, ମତେ କାମରୁ ଛୁଟି ମିଳିବ, ମୁଁ ବସି ବସି ସମୟ କଟାଇବି, ଯିଏ ଆମ ନୂଆବୋଉ ହୋଇ ଆସିବ, ସେ ନିଶ୍ଚୟଁ ଖୁବ୍‌ ସୁନ୍ଦରୀ ହୋଇଥିବେ....

 

–ଦୀପା...

 

–ହଁ–ଭାଇ ଖାଲି ସୁନ୍ଦରୀ ନୁହେଁ, ସୁଗୁଣବତୀ ମଧ୍ୟ ହୋଇଥିବେ । ବାଛି ବାଛି ସେଇଭଳି ନୂଆଭାଉଜ ମୁଁ ଖୋଜି ଆଣିବି !

 

...ଯଦି ନ ମିଳେ, ତୋ ପସନ୍ଦ ମୁତାବକ–

 

...କ’ଣ କହିଲ, ଏ ଦୁନିଆଁରେ କ’ଣ ସୁନ୍ଦରୀ ଝିଅ ନାହାନ୍ତି ?

 

...ଅଛନ୍ତି–କିନ୍ତୁ ସୁଗୁଣବତୀ ଝିଅ ଅବଶ୍ୟ ନାହାନ୍ତି ?

 

...ଦେଖ୍‌–ଭାଇ–ଏଭଳି ଆକ୍ଷେପ ତମେ କରିପାରିବ ନାହିଁ । ଆଜିକାଲିର ଝିଅମାନେ କ’ଣ ଖାଲି ଦୁର୍ଗୁଣଗୁଡ଼ାକ ବୋଳି ହୋଇଛନ୍ତି !

 

....ଏ କଥା ତ ମୁଁ କହିନାହିଁ :

 

...କହି ନାହଁ, ବର୍ତ୍ତମାନ ତ କହିଛ, ଫାଙ୍କିଲେ ଚଳିବ ନାହିଁ । ତମେ କୁହ, କିଭଳି ଝିଅଟିଏ ହେଲେ ତମେ ଖୁସି ହେବ । ମୁଁ ବାପାଙ୍କୁ କହିବି–

 

...ବାପାଙ୍କୁ–କ’ଣ କହିବୁ ?

 

...ଏଇ ତୁମର ପସନ୍ଦ ଝିଅମାନଙ୍କ ବିଷୟ ନେଇ !

 

...ଥାଉ–ସେ ବିଷୟ ନେଇ, ତତେ ମୁଣ୍ଡ ଖେଳାଇବାକୁ ପଡ଼ିବ ନାହିଁ ।

 

...ନା–କୁହ ଅନ୍ତତଃ ଆଗରୁ ଜାଣିଥିବା ଭଲ ।

 

...ସରୋଜ କିଛି କହିବା ପୂର୍ବରୁ ରିକ୍‌ସା ସିନେମା ହଲ୍‌ ପାଖରେ ପହଞ୍ଚି ସାରିଥିଲା ।

 

X X X

 

ଦୀପାର ଜନ୍ମଦିନ । ବୈଠକଖାନାରେ ବସିଥାଏ କେତେଗୁଡ଼ିଏ ଫୁଲ ଓ ଭଅଁରଙ୍କର ସଭା । ନାନା ରଙ୍ଗର ଫୁଲମାନଙ୍କର ତନୁ ସୁବାସରେ ଉତ୍ତଳାହୋଇ ଉଠୁଥାଏ, ସାନ୍ଧ୍ୟ ସମୀରଣ । ଗଛଡାଳରେ ଫୁଟି ହସୁଥିବା କଅଁଳ ଛନ୍ନ ଛନ୍ନ ପାଖୁଡ଼ା ମେଲା ମଲ୍ଲି କି ତରାଟ ସେମାନେ ନୁହଁନ୍ତି । ନୁହଁନ୍ତି ମନଲୋଭା ରକ୍ତକରବୀ କି କୃଷ୍ଣଚୂଡ଼ା କିମ୍ବା ଅପରାଜିତା ରଜନୀଗନ୍ଧାର ଫୁଲ । ସହରର ବିଶିଷ୍ଟ ଧନୀ ପରିବାରର ସୁକୁମାରୀ ଫୁଲଟିମାନ ସିଏ । ଦୀପାର ବାନ୍ଧବୀଗଣ !

 

ଅନ୍ୟ ପାଖରେ ନୀଳ, ଧଳା ପ୍ୟାଣ୍ଟ ସାର୍ଟ ପିନ୍ଧା ଯୁବକ ଗୋଷ୍ଠୀ, ସରୋଜର ବନ୍ଧୁ ସେମାନେ । ଝିଅମାନଙ୍କ ଦେହର ଟଏଲେଟ ଓ ଦାମୀ ସେଣ୍ଟର ସୁରଭି ସହ–ପୁଅମାନଙ୍କ ହାତର ଦାମୀ ସିଗାରେଟ ଧୂଆଁର ସମ୍ମିଶ୍ରଣରେ ଗୋଟାଏ କଡ଼ା ମିଠା ସୁବାସ ଖେଳି ବୁଲୁଥାଏ ସାରା ପ୍ରକୋଷ୍ଠଟିରେ ! ଅନେକ ଦାମୀ ଉପହାରଗୁଡ଼ିକ ଟେବୁଲ ଉପରେ ଗଦା ହୋଇଥାଏ । ଦାମୀ ନୀଳ ଶାଢ଼ି ପିନ୍ଧି ଦୀପା–ନୀଳ ଆକାଶର ପରୀ ଭଳି ସେ ଘରେ ପାଦ ଦେଲା । ଶୁଭେଚ୍ଛାର ସମ୍ମିଳିତ ଅର୍କେଷ୍ଟ୍ରା ବାଜି ଉଠିଲା । ଦୀପା ସ୍ମିତ ହସି ବିସ ପଡ଼ିଲା ବାନ୍ଧବୀମାନଙ୍କ ଗହଣରେ–ଗଳ୍ପ ହସ ଆନନ୍ଦ ଭିତରେ ସମୟ ଆଗେଇ ଥିଲା । ତା’ ପରକୁ ଥିଲା ଏକ ଅପୂର୍ବ ବ୍ୟବସ୍ଥା : ଚଳିତ ବର୍ଷ ମଧ୍ୟରେ ପ୍ରସ୍ତୁତି ତାଙ୍କର ସମସ୍ତ ରେକର୍ଡ଼ ବାଜିବାର କାର୍ଯ୍ୟକ୍ରମ । ନିମନ୍ତ୍ରିତ ବନ୍ଧୁ ବାନ୍ଧବୀ ସମ୍ମୁଖରେ କେଉଁଟି ସର୍ବଶ୍ରେଷ୍ଠ ନିର୍ବାଚିତ ହେବ ସେଇ ଉଦ୍ଦେଶ୍ୟରେ ଦୀପା ନିଜେ ବସି ଗ୍ରାମଫୋନ୍‌ ବଜାଉଥାଏ ।

 

ଗୋଟିଏ ପରେ ଗୋଟିଏ ସଙ୍ଗୀତ ବାଜି ଚାଲିଥାଏ । ଭାଷାର ଲାଳିତ୍ୟ, ଛନ୍ଦର ସାବଲୀଳତା, ଆଉ ସ୍ୱରର ଆକର୍ଷଣ ମନକୁ ବିଭୋର କରି ତୋଳୁଥାଏ ।

 

ଗୋଟିଏ ଗୀତ ସରିବାପରେ, ସେଇ ଗୀତଟି ଉପରେ ନିଜ ନିଜର ମତ ବ୍ୟକ୍ତ କରି ଆଲୋଚନାରେ ପ୍ରକୋଷ୍ଠଟି ସରଗରମ ହୋଇ ଉଠୁଥିବା ବେଳେ, ଅନ୍ୟ ରେକର୍ଡଟି ବାଜିଉଠେ । ହଠାତ୍‌ ସବୁ କିଛି ସମୟ ପାଇଁ ଚୁପ୍‍ଚାପ୍‌ । ସମସ୍ତେ ସ୍ୱର ଲହରୀରେ ଡୁବି ଯାଇ ନିଜକୁ ଭୁଲି ଯାଆନ୍ତି । ଆଉ କେହି, ଦୀପା–ସୌନ୍ଦର୍ଯ୍ୟର ଉଜାଣି ବନ୍ୟାରେ ନିଜକୁ ଭସାଇ ଅସହାୟ ହୋଇଉଠୁଥାଏ ।

 

ସବୁଠାରୁ ଶେଷ ରେକର୍ଡଟି ଗ୍ରାମଫୋନରେ ଆଡ଼୍‌ଜଷ୍ଟ କରୁ କରୁ ଦୀପା, ମୁହଁଟେକି, ଚାହିଁଲା ଦୀଲ୍ଲିପ ଆଡ଼କୁ, ଘରର ଗୋଟାଏ ପାଖକୁ ବସିଛି ଦୀଲ୍ଲିପ, ପାଖରେ ସରୋଜ, ଅନ୍ୟ ପାଖରେ ଅନ୍ୟ ବନ୍ଧୁମାନେ ।

 

ଦୀପା ମୁହଁଟେକି ଚାହିଁବା ଅବସରରେ ଦେଖିଲା ଦୀଲ୍ଲିପ ଭାଇ ତାରି ଆଡ଼କୁ ଚାହିଁଛନ୍ତି-। ଅଧରରେ ସୁପ୍ରଶଂସ ହସରୁ ଧାରେ, ତାଙ୍କର ମୁହଁକୁ ଆଉରି ସୁନ୍ଦର ମନାଉଛି । ଦୀପା କେଜାଣି କାହିଁକି ଉଚ୍ଛ୍ୱସିତ କଣ୍ଠରେ ସମସ୍ତଙ୍କ ଉଦ୍ଦେଶ୍ୟରେ କହି ଉଠିଲା–ଏଇଟି ଏ ବର୍ଷର ଶେଷ ଓ ସଦ୍ୟ ପ୍ରକାଶିତ ରେକର୍ଡ !

 

ସାଉଣ୍ଡ ବାକ୍‌ସରେ ପିନ୍‌ ଦେଇ ରେକର୍ଡ ଲଗାଉ ଲଗାଉ ଝଙ୍କୃତ ହେଲା ବଂଶୀର କରୁଣ ସ୍ୱର । ତା’ପରେ ଆରମ୍ଭ ହେଲା ଗୀତ ।

 

ଦୀଲ୍ଲିପ ଚମକି ପଡ଼ିଲା । କାହାର ଏ ରଚନା । ଆଉ କି ମନୋଜ୍ଞ ସ୍ୱର ବିନ୍ୟାସରେ ରୂପାୟିତ ହୋଇଛି ସେ ଗୀତଟି ।

 

ସମସ୍ତେ ନୀରବରେ ସେଇ ବିଧୁର ଆଧୁନିକ ଗୀତଟି ଶୁଣି ବିଭୋର ହୋଇ ପଡ଼ୁଥିଲେ-

 

ଜଣା ପଡ଼ୁଥିଲା, ସତେ ଯେପରି ସେଇ ଗୀତଟିର ଅପୂର୍ବ ସ୍ୱର-ଲହରୀ ପ୍ରତିଟି ହୃଦୟରେ ତୋଳି ପାରିଛି ଏକ କରୁଣ ପ୍ରତିଧ୍ୱନି ! ସାଉଣ୍ଡ ବକ୍‌ସର ବୁକୁ ଥରାଇ ରେକର୍ଡ ବାଜି ଚାଲିଛି ।

 

ଏ ମନରେ ଏତେ ରଙ୍ଗ, ବୋଳି ଦେଇ ଲିଭାଇଲ କିଆଁ

ହେ ମୋର ମାନସୀ, ବୁକେ ଦେଲ ଜାଳି ବିରହର ନିଆଁ...

ତଥାପି ପାରିନି ଭୁଲି ସଖୀ

ଭୁଲିବି କେବଳ ଯେ ଦିନ ଏ ଦେହୁ ଉଡ଼ି ଯିବ

ମୋର ପ୍ରାଣ ପକ୍ଷୀ ।

 

ଅବିକଳ ତାରି କବିତାଟି । ଯାହା ଏଇ ମାସର କଲେଜ ମ୍ୟାଗାଜିନରେ ପ୍ରକାଶ ପାଇଥିଲା–ଦୀଲ୍ଲିପ ମନ ଆନନ୍ଦରେ ନାଚି ଉଠିଲା । ତା’ର କବିତାଟି ଗ୍ରାମଫୋନରେ କି ସୁନ୍ଦର ଶୁଭୁଛି ?

 

ସେ ଆନନ୍ଦରେ ଦୀପା ଆଡ଼କୁ ପୁଣିଥରେ ଚାହିଁ ଦେଖିଲା–ଦୀପା ମୁହଁ ପୋତି ବସିଛି । ସତେ ଯେପରି ଏ ଗୀତଟି ବଜାଇ ସେ ଚରମ ଅପରାଧ କରିଛି । ଚେଷ୍ଟା କରି ସେ ଦୀଲ୍ଲିପ ମୁହଁକୁ ସିଧାସଳଖ ଅନାଇଁ ପାରିଲା ନାହିଁ । ମୁହଁ ତା’ର ଲାଜର ଲାଳିମାରେ ଉକୁଟି ଉଠିଲା । ସେ ସରମ କୁଣ୍ଠିତ ନୟନରେ ଦୀଲ୍ଲିପକୁ ଚାହିଁ ପରକ୍ଷଣରେ ନୟନକୁ ନିମ୍ନମୁଖୀ କଲା ।

 

ଏ ଦୃଶ୍ୟ ମଳୟ ତଥା ସରୋଜର ଆଖିକୁ ଏଡ଼େଇ ପାରିଲା ନାହିଁ ।

 

ମଳୟ ମନେମନେ ଭାବିଲେ । ....ତେବେ–ଦୀଲ୍ଲିପକୁ କ’ଣ ଦୀପା–ଭଲପାଏ !

 

ବେଶ୍‌–ତାହା ଯଦି ହୋଇଥାଏ ତା’ହେଲେ ଆନନ୍ଦର କଥା–ଦୀଲ୍ଲିପ ଦୀପା ପାଇଁ ଉପଯୁକ୍ତ । ହଁ–ଏ ବିଷୟ ନେଇ କାଲି ସେ ଦୀଲ୍ଲିପର ବାପା ବିନୋଦ ବାବୁଙ୍କ ସହ କଥାବାର୍ତ୍ତା କରିବେ ।

 

ଏକ ଧୂସର ଗୋଧୂଳିରେ ମଳୟ ବସିଥିଲେ ଚେୟାରଟିରେ । ମନରେ ଅନେକ ଭାବନାର ଅଡ଼ୁଆ ତଡ଼ୁଆ ଖିଅ; ଦୀଲ୍ଲିପ ସହ ଦୀପାର ବିବାହ ପ୍ରସ୍ତାବ ନେଇ ସେ ଯାଇଥିଲେ ବିନୋଦ ବାବୁଙ୍କ ପାଖକୁ । ଆଗ୍ରହରେ ବିନୋଦ ବାବୁ ସମର୍ଥନ କଲେ । କେବଳ ଦୀଲ୍ଲିପର ମତାମତ ପରେ ସେ ନିର୍ଭର ପ୍ରତିଶ୍ରୁତି ଦେବେ ! ଆଉ ସେ ଦାୟିତ୍ୱ କେବଳ ସରୋଜ ମାଧ୍ୟମରେ ଜାଣିବା ସମ୍ଭବ, ଯଦି ଦୀଲ୍ଲିପ ହଁ ଭରେ, ତେବେ ଆସନ୍ତା ତିଥିରେ ବିବାହ କାର୍ଯ୍ୟ ସାରିଦେବା ପ୍ରୟୋଜନ; ଦୀପାର ଦାୟିତ୍ୱ ତୁଟାଇ ଦେଲେ ତାଙ୍କର ମୁକ୍ତି ।

 

ତେବେ ଦୀପା–ଚାଲିଯିବ ? ଏଇ ଭାବନାଟି ଆସିବା ପରେ ମଳୟଙ୍କ ମନ ଆକାଶରେ ଘୋଟିଗଲା କଳା ବାଦଲ ।

 

–ନା–ଦୀପାକୁ ଛାଡ଼ି ସେ ବଞ୍ଚି ପାରିବେ ନାହିଁ–ହେଲେ ଝିଅ ଜନ୍ମ ତ ପର ଘରକୁ ସୁନ୍ଦର କରିବା ପାଇଁ, ଚେଷ୍ଟା କଲେ ମଧ୍ୟ ସେ ଦୀପାକୁ ରଖି ପାରିବେ ନାହିଁ । ସେ ତାଙ୍କର କୋଳ ଶୂନ୍ୟ କରି ଚାଲିଯିବ । ସେମିତି ତାଙ୍କ ଘରକୁ ଆସିବ କାହା କୋଳର ଅଲିଅଳୀ କନ୍ୟା, କାହା ଘର ଖାଲି କରି । ଏଇତ ଦୁନିଆର ନିୟମ, ହେଲେ–ଦୀପା ! ତା’ପରି ଝିଅ କ’ଣ ମିଳିପାରିବ ?

 

–ତେବେ–ଦୀପା ବି ଏଇ ଘରେ ରହି ପାରନ୍ତା, ଚପଳା ଚଞ୍ଚଳା କନ୍ୟା ହୁଅନ୍ତା ଏଇ ଘରର ଲଜ୍ଜାଶୀଳା କୁଳବଧୂ, କୋଳ ତାଙ୍କର ଶୂନ୍ୟ ହୁଅନ୍ତା ନାହିଁ । ମଥାରେ ଓଢ଼ଣା ଟାଣି ସେମିତି ସେ ହସି ହସି ଡାକନ୍ତା–ବାପା ! ଝିଅ ହୋଇ ସେ ହୁଅନ୍ତା ବୋହୂ ।

 

କିନ୍ତୁ ତା’ କ’ଣ ସମ୍ଭବ; କ’ଣ କହିବେ, ବାହାରର ଲୋକ । ବାହାରେ ନିଜର ଝିଅ ବୋଲି ପରିଚୟ ଦେଇ, ଶେଷକୁ ନିଜ ପୁଅ ସହ ବିବାହ କଲା, ଭାଇ-ଭଉଣୀର ବିବାହ ! କ’ଣ କହିବ ସୁର–ଏଇ ସ୍ୱାର୍ଥ ପାଇଁ ତୁ ମୋ ପାଖରୁ ଦୀପାକୁ ଛଡ଼ାଇ ନେଇଥିଲୁ; ଦୁନିଆରେ ଅନେକ ମାତୃହରା ପିଲା ନିର୍ଯ୍ୟାତନା ଭିତରେ ବଢ଼ି ଉଠୁଛନ୍ତି । ଦୀପା ପ୍ରତି ତୋର ଆଗ୍ରହ କ’ଣ କେବଳ ଏଇ ଲକ୍ଷ୍ୟ ନେଇ ବଢ଼ି ଉଠୁଥିଲା !

 

କ’ଣ କହିବ ଗୀତାର ଅଶରୀରୀ ଆତ୍ମା–ମତେ ଭଲ ପାଇ, ହରାଇ ଥିଲ ବୋଲି, ମୋରି କନ୍ୟାକୁ, ତୁମ ପୁଅକୁ ସମର୍ପି ଦେଇ, ତୁମର ଅତୃପ୍ତ ଇଚ୍ଛାକୁ ପୂର୍ଣ୍ଣ କରିବାକୁ କାହିଁକି ଚେଷ୍ଟା କଲ ମଳୟ, ଦୀପାକୁ ସୁଖୀ କରିବା ପାଇଁ ତମେ ପରା ଦୃଢ଼ ପ୍ରତିଜ୍ଞ ହୋଇ ମଶାଣି ପଦାରୁ ତାକୁ ଘେନି ଆସିଥିଲ ! ହେଲେ ସରୋଜକୁ ବିବାହ କଲେ ଦୀପା ସୁଖୀ ହେବ ନାହିଁ, ସରୋଜ ଦୀପାକୁ ଭଲପାଏ ନାହିଁ ମଳୟ !

 

–ଚାଉଁକିନା ଚମକି ପଡ଼ିଲେ ମଳୟ ! କାହିଁ ଗୀତା–ନା–ଗୀତା ନାହିଁ । ସୁର ନାହିଁ, ନାହାନ୍ତି ବି ଏ ଦୁନିଆଁର ସମାଲୋଚକ ଦଳ । ତାଙ୍କରି ବିବେକହିଁ, ତାଙ୍କୁ ସଚେତନ କରିଛି–ସେ ହଠାତ୍‌ ପ୍ରକୃତିସ୍ଥ ହେଲେ । ଦୀଲ୍ଲିପକୁ ହିଁ ଦୀପା ବିବାହ କରିବ ? ନିଜ ମନର ଗୋପନ ଆଶାକୁ ଚରିତାର୍ଥ କରିବା ପାଇଁ ସେ ଅନ୍ୟ ଆଖିରେ ସମାଲୋଚିତ ହେବେ ନାହିଁ ସେ ନିଜକୁ ଦୃଢ଼ କରି ଡାକିଲେ ? ସରୋଜ–ସରୋଜ ?

 

ଆଜ୍ଞା–କହି ଘର ଭିତରକୁ ପଶିଲା ସରୋଜ,

 

‘‘ମତେ ଡାକିଲେ ବାପା’’

 

‘‘ହଁ, ବସ୍‌ ତୋ ସହ କଥା ଅଛି ।’’

 

ଟେବୁଲ ଉପରେ ଭରା ଦେଇ ସରୋଜ ବାପାଙ୍କ ପ୍ରଶ୍ନକୁ ଅପେକ୍ଷା କଲା ।

 

‘‘ଠିଆ ହେଲୁ ଯେ–ବସ୍‌–ଦୀଲ୍ଲିପ ଆସିଛି ?’’

 

‘‘ନା’’–

 

କେତେ ଦିନ ଧରି ତା’ର ଦେଖା ନାହିଁ । ସେ ଭଲ ଅଛି ତ ।

 

ହଁ–ପରୀକ୍ଷାରେ ଟିକେ ଖରାପ ହୋଇଛି; ସେଇଥିପାଇଁ ସେ ଟିକେ ବିବ୍ରତ ଅଛି...

 

ୟା ପରେ ସେ କ’ଣ କରିବ ବୋଲି ଭାବିଛି ।

 

ରେଜାଲ୍‍ଟ ବାହାରି ନାହିଁ । ପାସ୍‍ କଲା ପରେ ଯାହା କରିବା କଥା, ଏଇ କଥା ଜାଣିବା ପାଇଁ ବାପା ତାକୁ ଡାକୁଥିଲେ ଜାଣି ସରୋଜ ଟିକେ ଆଶ୍ୱସ୍ତ ହେଲା । କେମିତି ଏ ଘରୁ ଖସି ପଳାଇଲେ ରକ୍ଷା । ଏତେ ବଡ଼ ହେଲା ପରେ ବି, ବାପାଙ୍କୁ ତା’ର ଭୀଷଣ ଡର ! ତାଙ୍କ ସହ କଥା କହିଲାବେଳେ, ତା’ ପାଟି ଖନି ମାରିଯାଏ, ଶୀତ ଦିନେ ବି ଝାଳ ବହିଯାଏ, ଗୋଡ଼ ହାତ ଥରି ଉଠେ, ଖୁବ୍‌ ସଂକ୍ଷିପ୍ତ ଉତ୍ତର ଦେଇ ସେ ପଳାଇବାକୁ ଚେଷ୍ଟା କରେ । ପୁଅର ଏ ଭୟାତୁର ଭଙ୍ଗି ଦେଖି ମଳୟ ମନକୁ ମନ ହସନ୍ତି । ଅଥଚ ବାହାରକୁ ତାଙ୍କର ହସିଲା ମୁହଁର ପରିଚୟ ଦିଅନ୍ତି ନାହିଁ-। ସେଇ କପଟ ଗାମ୍ଭୀର୍ଯ୍ୟ ରଖି ସେ ସରୋଜକୁ କଥା କହନ୍ତି, ସରୋଜ ବାହାରେ ଯେତିକି ଅବାଧ୍ୟ ବାପାଙ୍କ ପାଖରେ ସେତିକି ବାଧ୍ୟ । ସରୋଜ ଦେଖିଲା ତା’ପାଇଁ ଆଉ କିଛି ପ୍ରଶ୍ନ ନାହିଁ । ପଳାଇବା ଦରକାର ! ଧୀର ପଦକ୍ଷେପରେ ସେ ବାହାରକୁ ଆସି ନିଃଶ୍ୱାସ ମାରିଲା ।

 

‘‘ସରୋଜ ! ତତେ କିଛି କହିବି ବୋଲି ଡାକିଥିଲି ! ଅଥଚ ତୁ ଚାଲି ଯାଉଛୁ । କ’ଣ କାମ ଅଛି ।’’ ‘‘ନା, ଆପଣ କୁହନ୍ତୁ,’’ କହି ସାମନା ଚେୟାର ପାଖରେ ଠିଆ ହେଲା ସରୋଜ ।

 

‘‘ମୁଁ ଦୀଲ୍ଲିପ ସହ ଦୀପାର ବିବାହ ସ୍ଥିର କରିଛି, ଏଥିରେ ତୋର ମତାମତ କ’ଣ ।’’

 

ଏତିକି କହି ସିଧାସଳଖ ସରୋଜ ମୁହଁକୁ ଚାହିଁଲେ ମଳୟ ।

 

ଏଇ ଗୋଟିଏ ମାତ୍ର କଥାରେ ସରୋଜ ମୁହଁ ଶୁଖିଗଲା । ଆଖି ହେଲା କରୁଣ, କଣ୍ଠନଳୀ ଶୁଖିଗଲା । କିଛି କହିବାକୁ ଚେଷ୍ଟା କରି ସେ କିଛି ବି କହି ପାରିଲା ନାହିଁ ।

 

ମଳୟ ସରୋଜ ମୁହଁର ପରିବର୍ତ୍ତନ ସ୍ପଷ୍ଟ ଦେଖି ପାରିଲେ, ହେଲେ କାହିଁକି, ଦୀଲ୍ଲିପକୁ କ’ଣ ସରୋଜ ପସନ୍ଦ କରୁନାହିଁ । ନା–ଆଦରର ଭଉଣୀଟିର ଆକସ୍ମିକ ବିଦାୟ ଲାଗି ଦୁଃଖିତ ହେଉଛି ? ହଁ ହେବାର କଥା । ପିଲାଟି ଦିନରୁ ମାତୃହରା ହୋଇ ସ୍ନେହ ମମତା ପାଇନାହିଁ । ବାପର ଯେତେ ଆଦର ପାଇଲେ ବି ମାତୃସ୍ନେହରୁ ବଞ୍ଚିତ ହୋଇ ସେ ବଢ଼ି ଉଠିଛି; ଭଉଣୀଟିର ବିଦାୟରେ ତା’ ମନରେ ଦୁଃଖ ଆସିବା ସ୍ୱାଭାବିକ; ବାପାକୁ ସେ ଭୟକାତର । ମନକଥା ପ୍ରକାଶ ପାଇଁ ସୁଯୋଗ ପାଏନା–ଯାହା କେବଳ ସେ ତା’ ମାଆ ପାଖରେ କରିପାରନ୍ତା । କେତେ ମନ କଥାକୁ ମନରେ ଚାପି ସେ ହୋଇଛି ବଡ଼ ଆଉ ଶିକ୍ଷିତ ।

 

ମଳୟ ମମତାସିକ୍ତ ନୟନରେ ସରୋଜକୁ ଆଉଥରେ ଚାହିଁଲେ, ପାଞ୍ଚଫୁଟ ଚାରିଇଞ୍ଚର ସୁଦୀର୍ଘ ସୁନ୍ଦର ସୁକୁମାର ଯୁବକଟି । ତାଙ୍କ ଆଖିକୁ ଦେଖାଗଲା ଛୋଟ ପିଲାଭଳି । ତାଙ୍କର ମନ ହେଲା ସରୋଜକୁ ସେ କୋଳରେ ବସାଇ ବୁକୁରେ ଚାପି ଧରନ୍ତେ, ଅଗଣନ ଚୁମା ତା’ର ଗଣ୍ଡରେ ଥାପି ମନରେ ଅସରନ୍ତି ଭାବ-ପ୍ରବାହକୁ କିୟତ୍‌ ଶାନ୍ତ କରନ୍ତେ; କ’ଣ ପାଇଁ ତା’ର ହସିଲା ମୁହଁରେ ବିଷାଦର ଘନ କୁହେଳି ଘେରିଗଲା ପଚାରି ବୁଝନ୍ତେ ।

 

–ନା–ତା’ ସମ୍ଭବ ନୁହେଁ ସେ ବଡ଼ ହୋଇଛି, ତାଙ୍କ ମନର ସ୍ନେହ ମମତାଠାରୁ ସେ ବହୁ ଦୂରକୁ ଚାଲି ଯାଇଛି । ତଥାପି କ’ଣ ପାଇଁ ତା’ ମନରେ ଅଶାନ୍ତି । ସେ ନିଶ୍ଚୟ ବୁଝିବେ । ସେ ତା’ର ପ୍ରତିକାର ନ କରିଲେ ଆଉ କିଏବା କରିବ । ସେ ମାତୃହରା ?

 

‘‘କିଛି କହିଲୁ ନାହିଁ ଯେ ସରୋଜ !’’

 

ଆପଣ ଯେତେବେଳେ ଠିକ୍‌ କରିଛନ୍ତି ମୋର କିଛି କହିବାର ନାହିଁ । ଅଳ୍ପ ମୁହଁ ଟେକି କହିଲା ସରୋଜ, କଣ୍ଠରେ ତା’ର ଆହତର ସ୍ୱରଲିପି ।

 

ତେବେ ଦୀଲ୍ଲିପର ମତାମତ ପ୍ରୟୋଜନ । ତା’ ବାପା ବୋଉଙ୍କର ସମ୍ପୂର୍ଣ୍ଣ ଇଚ୍ଛା ଅଛି । ଦୀଲ୍ଲିପର ଇଚ୍ଛା ଜଣାଇ ସାରିବା ପରେ ସିନା ଆପଣ ନିର୍ଭର ପ୍ରତିଶ୍ରୁତି ପାଇବେ ! ଦୀଲ୍ଲିପର ମତାମତ ଜଣାଇବା, ତୋର ଉପରେ । ସେ ତୋର ବନ୍ଧୁ; ତତେ ସେ ତା’ ଆନ୍ତରିକ ଇଚ୍ଛା ପ୍ରକାଶ କରିବା ସମ୍ଭବ !

 

‘ବେଶ୍‌, ଆଜି ମୁଁ ଆପଣଙ୍କୁ ଜଣାଇବି !’

 

ଭାଇ, ଘର ଭିତରୁ ଦୀପାର ପାଟି ଶୁଭିଲା ।

 

ସରୋଜ ଉଦ୍‌ଗତ ଅଶ୍ରୁ ପ୍ରବାହକୁ ଦମନ କରି ପଶିଲା ନିଜ ରୁମରେ । ହାତରେ ଜଳଖିଆ ପ୍ଲେଟ୍‌ଧରି ଦୀପା ଦେଖିଲା ଭାଇର ଆଖି ଛଳ ଛଳ । ଦୀପା କିଛି ପଚାରିବା ଆଗରୁ ସରୋଜ ଝଡ଼ ବେଗରେ ଘରୁ ବାହାରି ଗଲା । ସନ୍ଧ୍ୟାର ପତଳା କଳା ଅବଗୁଣ୍ଠନ ଭିତରେ । ଦୀଲ୍ଲିପ ଏକାଗ୍ର ଚିତ୍ତରେ ଗୋଟିଏ ମ୍ୟାଗାଜିନ୍‌ ପଢ଼ାରେ ନିଜକୁ ହଜାଇ ଥିବା ସମୟରେ ସେଇ ଘର ଭିତରେ ପ୍ରବେଶ କଲା ସରୋଜ । ଚିର ପ୍ରଫୁଲ୍ଲ ମୁଖମଣ୍ଡଳରେ ଉଦାସର ସୂକ୍ଷ୍ମ ପ୍ରଲେପ: ବିନା ବାକ୍ୟ ବ୍ୟୟରେ ସେ ଗୋଟିଏ ଚେୟାର ଅଧିକାର କରି ବସୁ ବସୁ ପଚାରିଲା–

 

ଆମ ଘର ଆଡ଼କୁ ଯାଉ ନାହୁଁ–ବାପା ଆଜି ପଚାରୁ ଥିଲେ !

 

ଦେହ ଭଲ ନାହିଁ, ସେଥିପାଇଁ କିଛି ବି ଭଲ ଲାଗୁ ନାହିଁ, କହିଲା ଦୀଲ୍ଲିପ । ଦେହ ଭଲ ନ ଥିବାର କିଛି ସୂଚନା ମୁଁ ପାଉ ନାହିଁ ତ, ଠିକ୍‌ତ ? ଥଟ୍ଟା ସ୍ୱରରେ କହିଲା ସରୋଜ । ହୁଏତ ମୋର ଅନୁମାନ ଦେହ ଠିକ୍‌ ଅଛି । ହେଲେ ଭଲ ନାହିଁ ମନ, କ’ଣ ମୋର ଅନୁମାନ ସତ୍ୟ–ବାସ୍ତବିକ ଏଇ କେତେ ଦିନ ଧରି ମନ ମୋର ଆଦୌ ଭଲ ରହୁନାହିଁ । ମନ ଖରାପ ଥିଲେ ଦେହ ଆପେ ଆପେ ଖରାପ ହେବା କଥା ।

 

ବେଶ୍‌–ତୋ ମନରେ ପ୍ରପୁଲ୍ଲତା ଆଣିବା ଭଳି ଏକ ଶୁଭ ଖବର ଦେବି, କ’ଣ ଦେବୁ କହତ ?

 

ମୋ ଜୀବନରେ ଆଜି ସୁଦ୍ଧା ଅଶୁଭ ସମ୍ବାଦ କିଛି ଆସି ନାହିଁ । ତେଣୁ ତୋ’ଠାରୁ ଶୁଭ ଖବର ନେବା ମୋର ଆଦୌ ଦରକାର ନାହିଁ । ପୁଣି କିଛି ନ କହିବା ଆଗରୁ ତୁ ଦାବି କରିଲୁଣି । କ’ଣ ଦେବି । ଲାଞ୍ଚ ଦେଇ ତୋ’ଠାରୁ କିଛି ଶୁଣିବା ମୁଁ ଚାହୁଁନି । ହସି ହସି କହିଲା ଦୀଲ୍ଲିପ ।

 

କିଛି ନ ଦେଇ ଖବରଟା ଶୁଣିବାକୁ ଆଗ୍ରହୀ ଅଛୁକି ! ହେଲେ ମନେରଖ–ତୁ ନିଶ୍ଚୟ ଶୁଣିବୁ, ମତେ କହିବାକୁ ହେବ, ଏତେ ସୁନ୍ଦର ସୁସମ୍ବାଦଟାକୁ । ଖାଲି ଖାଲି କେବେହେଲେ ମୁଁ କହିବି ନାହିଁ । ଏହା ନିଶ୍ଚିତ ।

 

ଆଚ୍ଛା । କୁହ !

 

ତେବେ କ’ଣ ଦେବୁ ?

 

–କ୍ୟାଣ୍ଟିନରେ ଜଳଖିଆ, ଫାଷ୍ଟ ସୋ ସିନେମା । ଯଦି ଆପତ୍ତି ନ ଥାଏ ତା’ହେଲେ ବାରରେ ପାନୀୟ...

 

–ଥାଉ ଥାଉ । ଅନେକ ହେଲାଣି !

 

–ତେବେ ଶୁଭ ସମ୍ବାଦଟା ପରିବେଷଣ କର ବନ୍ଧୁ !

 

–ତୋର ପ୍ରକୃତ ମନ କଥା ମତେ କହିବୁ ଦୀଲ୍ଲିପ : ଏହା ବାପାଙ୍କର ଏକାନ୍ତ ଇଚ୍ଛା ।

 

ସରୋଜ କଣ୍ଠ ଉଦାସ !

 

–ଗୌରଚନ୍ଦ୍ରିକା ବାଦ ଦେଇ–ପ୍ରକୃତ କଥା କହିବାକୁ ଆରମ୍ଭ କର ସରୋଜ ।

 

–ଦୀପା ସହ ତୋର ବିବାହ ସ୍ଥିର ହୋଇଛି ! ବାପା ଓ ମଉସା ମାଉସୀ ତୋର ମତାମତକୁ ଅପେକ୍ଷା କରୁଛନ୍ତି !

 

–ଓ.....ଏଇ କଥାକୁ, ତୁ ମତେ ଏତେ ସମୟ ଧରି ଆଶା ଆଶଙ୍କା ଭିତରେ ଅଣନିଃଶ୍ୱାସୀ କରୁଥିଲୁ ! କହି ହାଲୁକା ଭାବରେ ହସି ଉଠିଲା ଦୀଲ୍ଲିପ ?

 

ଆଖି ଡୋଳାରେ ବିସ୍ମୟ ପ୍ରକାଶ କରି ସରୋଜ କହିଲା–କଥାଟାକୁ ବେଶ୍‌ ହାଲକା ଭାବରେ ହସି ଉଡ଼ାଇ ଦେଲୁତ !

 

ମୃଦୁ ହସର ଲହର ତୋଳି, ଦୀଲ୍ଲିପ କହିଲା ! ତୁ କ’ଣ ଭାବୁଥିଲୁ କାନ୍ଦି କାନ୍ଦି ତୋର କଥାଟାକୁ ଆଖି ଲୁହରେ ଭିଜାଇ ଓଜନ କରିଥାନ୍ତି ! ନା–ଆନନ୍ଦ ଉତ୍ସାହରେ ତୋତେ ଦୁଇ ବାହୁରେ ଆବଦ୍ଧ କରି ଧନ୍ୟବାଦର କୁଢ଼ ଭିତରେ ପୋତି ପକାଇଥାନ୍ତି ?

 

...ତେବେ, ଏ ବିବାହରେ ତୋର ସମ୍ମତି ନାହିଁ ?

 

...ନାହିଁ, ବୋଲି ଏପର୍ଯ୍ୟନ୍ତ କହି ନାହିଁତ ?

 

...ନାହିଁ କରି ନାହୁଁ, ଏକଥା ସତ । ହେଲେ ହଁ କରି ନାହୁଁ ଯେ !

 

...ମୋର ହଁ ନାହିଁ–କରିବା ଆବଶ୍ୟକ ନାହିଁରେ ସରୋଜ । ବାପାଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ-!

 

...ତୁ କ’ଣ ଦୀପାକୁ ଭଲପାଉ ନାହୁଁ । ସରୋଜ କଣ୍ଠରେ ଆବେଗ ।

 

...ହଁ–ଭଲପାଏ । ଭଲ ଲାଗେ ବୋଲି... !

 

...ତା’ ସହିତ ତୋର ବିବାହ ନ ହେଲେ !

 

...ଦୁଃଖ କରିବି ନାହିଁ ।

 

...ଯଦି ହୁଏ ।

 

...ଖୁସି ହେବି ।

 

...ଏ କ’ଣ ତୋର ମନର କଥା ଦୀଳ୍ଲିପ ।

 

...ହଁ ସରୋଜ ! ଦୀପାକୁ ମୁଁ ଭଲପାଏ, ହେଲେ ମନରେ କୌଣସି କାମନା ରଖି ନୁହେଁ-

 

...ନୟନରେ ପ୍ରଣୟରେ ଅଞ୍ଜନ ମାଖି ଦୀପାକୁ ମୁଁ କେବେ ଦେଖି ନାହିଁ । ତାକୁ ପାଇଲେ ସୁଖୀ ହେବି–ଏହା ସତ୍ୟ ହୋଇପାରେ । ମାତ୍ର ନ ପାଇଲେ ବ୍ୟଥିତ ହେବି ନାହିଁ । ତା’ର କୌଣସି ସ୍ମୃତି ମୋର ମନକୁ ଆନ୍ଦୋଳିତ କରିବନାହିଁ ! ଭଲ ପାଇବାର ମଧୁ ମୁହୂର୍ତ୍ତ ଏପର୍ଯ୍ୟନ୍ତ ମୋ ଜୀବନରେ ଆସି ନାହିଁ । କେବେ ଆସିବ ତା’ ମଧ୍ୟ ଅଜଣା ?

 

‘‘ଗୋଟାଏ ନୂଆ କଥା ଶୁଣାଇଲୁ–ଦୀଲ୍ଲିପ ? ଭଲ ପାଇବା ପାଇଁ ପୁଣି ଗୋଟାଏ ମଧୁଲଗ୍ନ ଅଛି !’’

 

‘‘ନିଶ୍ଚୟ, ସେଇ ଅନାମିକା ମଧୁମଦିର ମୁହୂର୍ତ୍ତରେ, ଯିଏ ଆଖି ଆଗକୁ ଆସେ, ଟିକିଏ ଦେଖା ଧାରେ ହସ, ପଦେ କଥା–ବାସ–ମନ ଆଗେଇ ଗଲା ପାହାଚ ପାହାଚ । ସିଏ ଯାହା ହେଉ ‘ପଛେ’ ମନ ଆକାଶରେ ସେ ରହିଗଲା ଧ୍ରୁବତାରା ହୋଇ ! ତା’ର ଅଦର୍ଶନରେ ମନପକ୍ଷୀ ବିଳପି ଉଠେ ।’’ ପୃଷ୍ଠା ପୃଷ୍ଠା ଚିଠି, ମନଛୁଆଁ କବିତା ଲେଖାହୁଏ । କେତେ ନିରବ ନିଶୀଥରେ ତା’ର ଅଙ୍ଗମଦିରାରେ ଆଉଟି ହୋଇ, ଖୋଲା ଆକାଶର ତୋଫା ଚନ୍ଦ୍ରାଲୋକ ଭିତରେ ମନ ଧାଏଁ ବାଧା ବନ୍ଧନ ନ ମାନି । ତା’ପରେ କିଏ ଆଶାର ଆଲୋକ ଜାଳି ପଥ ପାଏ, ପ୍ରେମିକା କୁଳବଧୂ ରୂପେ ପାଇ ଏ ଧୂଳିର ଧରଣୀକୁ ଧରା ସ୍ୱର୍ଗ କରି ଗଢ଼ି ତୋଳେ ! ଆଉ କେହି ହୁଏ ସର୍ବହରା । ପ୍ରିୟା ସ୍ମୃତିର ଚାଦର ଘୋଡ଼ାଇ ହୋଇ ଏ ଧରାକୁ ମଣେ ‘କାରା’ ଭଳି । ଆଉ କେହି ଅତୀତକୁ ଭୁଲି ଯାଆନ୍ତି ବା ଭୁଲି ଯିବାର ଅଭିନୟ କରି ନିଜକୁ ସୁଖୀ ବୋଲି ବୃଥାରେ ଅଭିନୟ କରନ୍ତି, ଅଥଚ ବିବାହିତା ସ୍ତ୍ରୀର ମୁହଁ ଭିତରେ ଖୋଜି ବସନ୍ତି ପ୍ରେମିକାର ସତ୍ତା । ଏଇମାନେ ହିଁ ଜୀବନରେ ସବୁଠାରୁ ଦୁଃଖୀ ! ସେ ଗୋଟାଏ ମୁହୂର୍ତ୍ତ ସମସ୍ତଙ୍କ ଜୀବନରେ ଆସେ, ଭାନୁମତୀର ମ୍ୟାଜିକ୍‌ ଭଳି-। କାଉଁରୀକାଠି ଛୁଆଁଇ ସବୁ କରିଦିଏ ଓଲଟ ପାଲଟ ! ସେ କେତେବେଳେ କେଉଁ ରୂପରେ ଆସେ ଜାଣି ହୁଏନା ।

 

‘‘ଭଲ ପାଇବା ଉପରେ ରିତିମତ, ରିସର୍ଚ୍ଚ ଆରମ୍ଭ କରି ଦେଲୁଣି ଦେଖୁଛି !’’

 

‘‘ନା–ସରୋଜ, ଏହାହିଁ ନିରାଟ ସତ !’’

 

‘‘ବେଶ୍‌ ମାନିଲି ! ତେବେ ଆକସ୍ମିକ ଦେଖା, ଟିକିଏ ହସ, ପଦେ କଥା ଭିତରେ ଭଲ ପାଇବାର ଆରମ୍ଭ ହୁଏ; ଆଉ ନିତି ଦିନର ଦେଖା, ଗାଳି, ରାଗ, ମାନ, ଅଭିମାନ, ଭିତରେ କ’ଣ ହୁଏ କହି ପାରିବୁ ଦୀଲ୍ଲିପ ?’’

 

‘‘ଏହା ବି ବେଳେ ବେଳେ ଦେଖାଯାଏ । ପିଲାବେଳରୁ ପୁଅଟିଏ ଓ ଝିଅଟିଏ ଦୁହିଁଙ୍କ ଭିତରେ କଳିକଜିଆ ମାଡ଼ଗୋଳ ଲାଗି ରହିଥାଏ । ଜଣକୁ ଦେଖିଲେ ଅନ୍ୟଜଣକ ରାଗରେ ତାତି ଉଠେ; କିନ୍ତୁ ଟିକିଏ ବଡ଼ ହେଲା ପରେ ଦେଖିବାକୁ ମିଳେ ସେମାନେ ପରସ୍ପରକୁ ପ୍ରାଣଭରି ଭଲପାଇ ବସିଛନ୍ତି ! ସେମାନଙ୍କ ଭିତରେ ଏତେ ସ୍ନେହର ପ୍ରଗାଢ଼ତା ଥାଏ । ଜଣକ ବିଚ୍ଛେଦରେ ଅନ୍ୟଟି ଆତ୍ମହତ୍ୟା ମଧ୍ୟ କରିପାରେ; ଆତ୍ମୀୟସ୍ୱଜନଙ୍କର ସମସ୍ତ ମାୟାମମତା ତୁଟାଇ ସେମାନେ ବେଳେବେଳେ ନିରୁଦ୍ଦିଷ୍ଟ ହୁଅନ୍ତି; ନୀଳ ଆକାଶର ପକ୍ଷୀଦମ୍ପତି ପରି । ସେମାନେ ଜୀବନକୁ ଆକଣ୍ଠ ଉପଭୋଗ କରନ୍ତି; ମନର ପରିପୂର୍ଣ୍ଣ ପିଆଲା ପାଖରେ ଧନ, ମାନ, ସମ୍ମାନର କ୍ଷଣିକ ପ୍ରଲୋଭନକୁ ସହଜରେ ସେମାନେ ଏଡ଼ାଇ ଦେଇ ଦେଖନ୍ତି; ଏ ଦୁନିଆଁ କେତେ ରଙ୍ଗଭରା, ଛନ୍ଦମୟ; ବାସ୍ତବିକ ! ରାଗ, ଈର୍ଷା, ମାନ ଅଭିମାନ ଭିତରେ ଭଲ ପାଇବାର ଗଭୀରତା ଯଥାର୍ଥରେ ଭରି ରହିଥାଏ !

 

ଦୀଲ୍ଲିପର କଥା ଶୁଣି ସରୋଜ ନିଜକୁ ସଞ୍ଜତ ରଖି ପାରିଲା ନାହିଁ । ତା’ର ମୁହଁରେ ଦେଖାଦେଲା ଉଦାସୀନତା । ଆଖି ହେଲା ଜଳ ପୂର୍ଣ୍ଣ ! ସେ ଅସ୍ଥିର ହୋଇ ଚେୟାର ଉପରୁ ଉଠି ଘର ସାରା ପଦଚାରଣା କରିବାରେ ଲାଗିଲା । ଗୋଟାଏ ହାତରେ ମୁଣ୍ଡ ବାଳକୁ ଟାଣି ଟାଣି ଅନ୍ୟ ହାତରେ ପକେଟରୁ ରୁମାଲ କାଢ଼ି ଲୁହ ପୋଛି ପକାଇଲା, ଦୀଲ୍ଲିପର ଅଲକ୍ଷ୍ୟରେ; ମାତ୍ର ଦୀଲ୍ଲିପ ଆଖିକୁ ସରୋଜର ଏ ହଠାତ୍‌ ପରିବର୍ତ୍ତନ, ବିଚଳିତ ଭଙ୍ଗି ଫାଙ୍କି ପାରିଲା ନାହିଁ । ସେ ଯଥା ସମ୍ଭବ ନିଜକୁ ସରଳ କରି ପଚାରିଲା, କ’ଣ ହେଲା ଏପରି ବିବ୍ରତ ହୋଇ ଉଠିଲୁ ଯେ–

 

‘‘ନା ସେ କିଛି ନୁହେଁ, ମୁଣ୍ଡଟା ବିନ୍ଧୁଛି !’’

 

‘‘ସତ କହ ତୋର କ’ଣ ହେଲା ସରୋଜ !’’

 

‘‘ଯାହା ହେଲା ଦିନେ କହିବି । ହେଲେ ଆଜି ନୁହେଁ । ଯାଉଛି, ଦୀଲ୍ଲିପ ! ବାପାଙ୍କୁ ତୋର ସ୍ୱୀକୃତିଟା ଜଣାଇଦେବି’’; କହି ଘରୁ ବାହାରି ଗଲା ସରୋଜ ।

 

ଦୀପାର ବିବାହ ! ଆନନ୍ଦ ମୁଖର ସମସ୍ତେ । କୋଳାହଳରେ ଛୋଟ କୋଠାଟି କମ୍ପି ଉଠୁଛି । ନିଜ ରୁମରେ ବସିଛି ଦୀପା ! ଦେହରେ ହଳଦୀ, ପାଦରେ ଅଳତା ବୋଳି ବସିଛି କନିଆଁ ବେଶରେ । ପାଖରେ ଥିବା ବାନ୍ଧବୀମାନେ କାର୍ଯ୍ୟ ଅବସରରେ ବାହାରକୁ ଉଠି ଯାଇଛନ୍ତି ! ଏକା ରହିବା ପରେ ଦୀପା ଭାବିବାକୁ ସମୟ ପାଇଲା । ଏତେ ଆନନ୍ଦ, ଏତେ ଗହଳ ଚହଳ ଭିତରେ ସେ ଯେମିତି ନିହାତି ଏକା, ନିଜର ବୋଲି କେହି ନାହିଁ; ସମସ୍ତେ ପର–ହଁ ପର ? ଏହି କଥାଟା ଭାବିଲା ବେଳକୁ ଦୀପା ଛାତିରେ କ’ଣ ଅଟକି ଗଲା ଭଳି ଲାଗିଲା । ତେବେ, ଆପଣାର କିଏ ? ବାପା–ନା, ସେ ଯଦି ତାକୁ ମନେ ରଖିଥାନ୍ତେ ଦୀର୍ଘଦିନ ପରେ ତା’ର ଖବର ବି ନ ଦେଇ ରହିଥାନ୍ତେ କି ? ସମସ୍ତଙ୍କ ଅଜଣାରେ ସେ କେତେ ଖଣ୍ଡ ଚିଠି ଲେଖିଛି । ଥରେ ଆସିବାକୁ ମିନତି କରିଛି, ହେଲେ ଉତ୍ତର ପାଇ ନାହିଁ ! ଆଠ ବର୍ଷରୁ ଆସି ଅଠର ବର୍ଷରେ ସେ ପାଦ ଦେଲାଣି । ତଥାପି ବାପା ଥରକ ପାଇଁ ଆସି ନାହାଁନ୍ତି । ଲେଖି ନାହାଁନ୍ତି ଧାଡ଼ିଏ । ଖବର ଟିକିଏ ରଖି ନାହାଁନ୍ତି ! ବୋଉ ମରିଗଲା ପରେ ବାପାମାନେ କ’ଣ ନିଜର ସନ୍ତାନକୁ ଏପରି ପାସୋରି ପକାନ୍ତି । ନା ସେ ନିଜେ ଭୁଲ କରିଛି । ବାପାଙ୍କୁ ନ ପଚାରି ନ ଜଣାଇ ଆସିବା ତା’ର ଠିକ୍‌ ହୋଇ ନାହିଁ । ପିଲା ମନ ତା’ର । ସେତେବେଳେ ଭଲମନ୍ଦ ବୁଝିବା ଭଳି ସ୍ତରରେ ନ ଥିଲା । ସେଇ ସାମାନ୍ୟ ଭୁଲ ପାଇଁ ବାପା ତାକୁ ଏପରି ନିର୍ମମ ଦଣ୍ଡ ଦେଲେ !

 

ବିବାହର ନିମନ୍ତ୍ରଣ କାର୍ଡ଼ ପାଇ ମଧ୍ୟ ସେ ନୀରବ ରହିଲେ !! ଲୁହ ଛଳ ଛଳ ଆଖିରେ ସେ ଅନୁରୋଧ କରିଥିଲା ସରୋଜ ଭାଇଙ୍କ ପାଖରେ, ବାପାଙ୍କୁ ଯାଇ ଡାକି ଆଣିବାକୁ ! ଭାଇ ବାପାଙ୍କୁ କହିଥିଲେ–ବାପା ମୁହୂର୍ତ୍ତକ ପାଇଁ ନୀରବ ରହି ଯାଇଥିଲେ । ହେଲେ, ଭାଇ ଫେରିଲେ ଆଖିରେ ଆଖିଏ ଲୁହ ନେଇ ! କାରଣ ପଚାରିବାକୁ ସାହସ ହୋଇ ନ ଥିଲା ଦୀପାର ! ଏତେ ବଡ଼ ଶୁଭ ଦିନରେ ତାକୁ ଆଶୀର୍ବାଦ କରିବାକୁ ବାପା ଆସିଲେନି, ଏଇ ବ୍ୟଥା ବେଦନାକୁ ନିଜ ଛାତିରେ ବହନ କରି ଦୀପା ଅହରହ କାନ୍ଦିଛି । ତା’ର ବୋଉ ଯଦି ଥା’ନ୍ତା....

 

ହଳଦିଆ ବଉଳ ପାଟରେ ନିଜର ଲୁହ ପୋଛି ଦୀପା ଚାହିଁଲା ସାମନା କାନ୍ଥରେ ଝୁଲୁଥିବା ବୋଉର ଫଟୋକୁ ! ଯେଉଁ ଫଟୋଟିକୁ ରକ୍ଷା କରିବା ପାଇଁ ମାଡ଼ଗାଳି ଖାଇ ଦୀପା ପ୍ରତାପପୁରକୁ ଛାଡ଼ି ପାଦ ଦେଇଥିଲା ଜୟପୁରରେ । ସେଇ ଫଟୋ ସେମିତି ଅବିକୃତ ଅବସ୍ଥାରେ ଝୁଲୁଛି: ମଥାର ଓଢ଼ଣାତଳୁ, ସୁନ୍ଦର ମୁହଁର ଦୀପ୍ତି ଔଜଲ୍ୟ ଝରାଉଛି ! ଆଖି ଦୁଇଟି ଯେପରି ଦୀପାକୁ ସସ୍ନେହ ଦୃଷ୍ଟିରେ ଚାହିଁ ରହିଛି ।

 

ନିଜକୁ ସମ୍ଭାଳି ପାରିଲା ନାହିଁ ଦୀପା ! ଫଟୋଟାକୁ କାଢ଼ି ଆଣି ନିଜ ଛାତି ଉପରେ ଚାପି ଧରି କାନ୍ଦି ଉଠିଲା କଇଁ କଇଁ ହୋଇ; ଆଖିର ଲୁହରେ ଫଟୋଟାର କାଚ ଭିଜିବାରେ ଲାଗିଲା । କାହାର ପାଦ ଶବ୍ଦର ଆଭାସ ପାଇ, ଦୀପା ଫଟୋଟାକୁ ଟାଙ୍ଗି ଆଖି ପୋଛି ଯଥା ସ୍ଥାନରେ ଆସି ବସିଲା !

 

ଘର ଭିତରକୁ ପଶି ଆସିଲା ପ୍ରିୟ ସଙ୍ଗିନୀ ତନ୍ଦ୍ରା ! ଦୀପା–ଆମ ଦାଣ୍ଡରେ ବର ଆସିଲେଣି ଟିକେ ଦେଖି ଆସିବୁ ! କୃତ୍ରିମ ରାଗ ପ୍ରକାଶ କରି ଦୀପା ତନ୍ଦ୍ରାକୁ ଠେଲିଦେଇ କହିଲା !

 

–ତୁ ଯାଆ ମୋ’ପାଇଁ ଦେଖି ଆସିବୁ !

 

–ହସି ହସି ତନ୍ଦ୍ରା ଦୀପା ଗାଲକୁ ଚିପି ଦେଇ କହିଲା–ସବୁ ଦିନ ତ ଦେଖିଛି, ଦେଖୁଛି ।

 

–ତୋ ଭଳି, ମନରେ ରଙ୍ଗ ମାଖି ମୁଁ କେବେ ଦେଖି ନାହିଁ । ସତେ ଦୀପା ତୁ ଏତେ ମଉନମୁହୀଁ । –ଭାଇ, ଭାଇ, ଡାକି ଏକାଥରେ ମନ-ଦେବତା ରୂପେ ବାଛି ଦେଲୁ !

 

–ମୃଦୁ ଧକ୍‌କା ମାରି ଦୀପା କହିଲା, ତୁ ଗଲୁ ଏଠୁ ତନ୍ଦ୍ରା । ଏତେ ଫାଜିଲ୍‌ ଚାଲାଖି କେଉଁ ଦିନୁ ହେଲୁଣି ? ତୋ ପାଳି ତ ଖୁବ୍‌ ନିକଟରେ ପଡ଼ିଯାଉଛି–ଦେଖିବା ବର ପାଖକୁ ଯିବୁ କି ନାହିଁ–

 

–ବାହାରେ ବାଜା ଜୋରରେ ବାଜି ଉଠିଲା । ବାଣ ଫୁଟିଲା । ଆବାଳବୃଦ୍ଧବନିତାଙ୍କ କଣ୍ଠରେ ଗୁଞ୍ଜରି ଉଠିଲା ବର ଆସିଲାଣି । ସମସ୍ତେ ଧାଇଁଲେ ଦାଣ୍ଡକୁ । ଦୀପାକୁ ପୁଳାଏ ଚିମୁଟିଦେଇ ତନ୍ଦ୍ରା ଉଠିଗଲା ଦାଣ୍ଡକୁ ! କହିଗଲା, ଝରକା ଫାଙ୍କ ବାଟେ ଟିକେ ଦେଖିବୁ ଦୀପା, ମୁଁ ଯାଉଛି ?

 

...ବର ଆସିଲାଣି । ଏଇ ପଦଟା ଦୀପାର କୁମାରୀ ତନୁର ସବୁଜିମାରେ ଲକ୍ଷ ଫୁଲ ଫୁଟାଇ ଦେଲା ! ଆନନ୍ଦର ଫୁଲ ଝରରେ ଆଖି ଝଲସି ଉଠିଲା । ବାଜା ଓ ବାଣରେ ଦାଣ୍ଡ କମ୍ପି ଉଠିଛି । ଲାଉଡସ୍ପିକରରୁ ଭାସି ଆସୁଛି ମଜା ମଜା ଗୀତ । ଦୀପା ମନର ଆଗ୍ରହ ସୀମା ଲଙ୍ଘନ କଲା । ସତର୍କ ଦୃଷ୍ଟିରେ ଚାହିଁଲା ଘର ଅଗଣାକୁ ନା, କେହି ଜଣେ ବି ନାହାଁନ୍ତି । ପୂଝାରି କେତେଜଣ ବି କେବଳ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ପାଦ ଚିପି ଚିପି ସେ ଆଗେଇଗଲା ଝରକା ପାଖକୁ । ଧୀରେ ଝରକା କବାଟକୁ ଆଉଜାଇ ଫାଙ୍କ ବାଟେ ଚାହିଁଲା ଦାଣ୍ଡକୁ ! ବିରାଟ ପ୍ରସେସନ୍‍ ଭିତରେ କାର୍‌ଟି ଆସି ଅଟକିଛି ଦାଣ୍ଡ ଦୁଆରେ । କାର୍‌ ଭିତରେ ବର ବେଶରେ ବସିଛି ତା’ର ଚିର ପରିଚିତ ଦୀଲ୍ଲିପ ଭାଇ ! ପାଖରେ ବରଯାତ୍ରୀ ! ଅଧିକାଂଶ ତା’ର ପରିଚିତ, ଏଇ ସହରର ସେମାନେ । ଟିକିଏ ଦୂରକୁ ବେଦୀର ଗୋଟାଏ ପାଖକୁ ଠିଆ ହୋଇଛନ୍ତି ସରୋଜ ଭାଇ । ରାତ୍ରି ଜାଗରଣ ଓ ପରିଶ୍ରମ ଭିତରେ ମୁହଁ ଶୁଖି କଳା ପଡ଼ିଯାଇଛି । ସରୋଜ ଭାଇର ଶୁଖିଲା ମୁହଁ ଦେଖି ଦୀପା ମନରେ ଭାବାନ୍ତର ସୃଷ୍ଟି ହେଲା । ସେ ଚାଲିଗଲା ପରେ ଏଇ ଅବୁଝା ଭାଇଟିର କଥା କିଏ ବୁଝିବ ! ମନକୁମନ ସାନ୍ତ୍ୱନା ଦେଲା ଦୀପା । କୁଆଡ଼କୁ ବା ସିଏ ଯାଉଛି । ଏଇ ଚାହିଁଲେ ଦୀଲ୍ଲିପ ଭାଇ ଘର ଦେଖା ଯାଉଛି । ଇଚ୍ଛା କଲେ ଯେକୌଣସି ସମୟରେ ସେ ଆସି ପାରିବ । ବାପା ଭାଇଙ୍କ କଥା ବୁଝି ପାରିବ ! ଦୀଲ୍ଲିପ ଭାଇ କ’ଣ ତାକୁ ଏତିକି ସ୍ୱାଧୀନତା ଦେବେ ନାହିଁ । ଦୀଲ୍ଲିପ ଭାଇ । ନା ଏଇ ଭାଇ ଡାକ ଏଇ ମୁହୂର୍ତ୍ତରୁ ତାକୁ ଛାଡ଼ିବାକୁ ପଡ଼ିବ ! ମୃଦୁହସର ରେଖାଟିଏ ଦୀପା ଅଧର ଉପରେ ଆଙ୍କି ହୋଇଗଲା !

 

ନାରୀ କଣ୍ଠର ହୁଳହୁଳି ଭିତରେ ବାଟବରଣ କରିବାକୁ ବାପା ଆଗେଇ ଗଲେ, ହେଲେ ସରୋଜ ଭାଇ ଘରକୁ ଆସୁଛନ୍ତି ।

 

ଦୀପା ଝରକା ପାଖରୁ ଘୁଞ୍ଚି ଆସି କବାଟ କଣକୁ ମୁହଁପୋତି ଠିଆ ହେଲା ! ଝଡ଼ ବେଗରେ ସରୋଜ ପଶିଲା ଘରେ, ଏପଟ ସେପଟ କିଛି ଗୋଟାଏ ଖୋଜି ସେ ହତାଶ ହେଲା ।

 

–କବାଟ ପାଖରେ ଥାଇ ଲକ୍ଷ୍ୟ କଲା ଦୀପା । ଭାଇ କ’ଣ ଖୋଜୁଛନ୍ତି !

 

–ଭାଇ–ଧୀର କଣ୍ଠରେ ଦୀପା ଡାକିଲା ।

 

–ଚମକି ଚାହିଁଲା ସରୋଜ, ଆଗରେ ଅବଗୁଣ୍ଠିତା ଦୀପା ।

 

–କ’ଣ ଖୋଜୁଛ ।

 

–ଗ୍ଲାସ୍‍ । ଖୋଜି ଖୋଜି କିଛିବି ଗୋଟାଏ ପାଉନି । ଓଃ, ହୋ ଭାରି ଶୋଷ !

 

–ମୁଁ ଆଣି ଦେଉଛି । କହି ଦୀପା ଗଲା ପାଣି ପାଇଁ । ବହୁତ ଖୋଜି ଖୋଜି ପାଣି ଗ୍ଲାସେ ଧରି ଫେରିଲା । ବିରକ୍ତ କଣ୍ଠରେ କହିଲା, ଢାଳ ଗ୍ଲାସ୍‍ଗୁଡ଼ାକ କ’ଣ ଏ ଘରୁ ଅନ୍ତର୍ଦ୍ଧାନ ହୋଇ ଯାଇଛି : ଖୋଜିଲାବେଳକୁ କିଛି ବି ମିଳୁନି ! କହି ଦୀପା ପାଣି ଗ୍ଲାସ୍‍ଟା ସରୋଜ ହାତକୁ ବଢ଼ାଇ ଦେଲା ।

 

–ପାଣି ଗ୍ଲାସ୍‌ ପାଟି ପାଖକୁ ଦେଉଁ ଦେଉଁ ସରୋଜ କହିଲା–ତୁ ଥାଉଁ ଥାଉଁ ଢାଳ ଗ୍ଲାସ୍‍ ଉଭେଇ ଯାଇଛନ୍ତି । ତୁ ଯିବା ପରେ ପରେ ଏ ଘରୁ ସବୁ କିଛି ଚାଲି ଯିବ ?

 

...ଭାଇ !

 

...ହଁ–ଦୀପା ! ତୋ ବିନା ଏ ଘରେ କିଛି ରହିବ ନାହିଁ ।

 

...ଭାଇ–ଦୀପା ଆଖିରେ ଲୁହ !

 

...ହଁ ରେ ପାଗଳୀ । ହୁଏତ ମୁଁ ବି ଘରୁ ବାଧ୍ୟ ହୋଇ ଚାଲିଯିବି ! ତୁ ନ ଥିବା ଘରେ ମୋ’ପାଇଁ ସାନ୍ତ୍ୱନା ନାହିଁ । ସରୋଜ ଆଖିରେ ଲୁହର ଛାୟା ।

 

ଭାଇ !

 

–ଦୀପା !

 

ଦୁହେଁ ଦୁହିଁଙ୍କୁ ମୁହଁ ଟେକି ଚାହିଁଲେ ।

 

ଦୁଇ ଜଣଙ୍କ ଆଖିର ଲୁହ ଗଣ୍ଡ ଭିଜାଇ ବହିଲା :

 

ସରୋଜ ଛାତି ଉପରେ ଢଳିପଡ଼ି ଦୀପା–ତା’ର ଲୋମଶ ଛାତିକୁ ନିଜ ଆଖି ଲୁହରେ ଭିଜାଇବାରେ ଲାଗିଲା !

 

–ଦୀପାର ମୁଣ୍ଡକୁ ନିଜ ହାତରେ ସାଉଁଳୁ ସାଉଁଳୁ ସରୋଜ ପିଲାଙ୍କ ପରି କାନ୍ଦି ଉଠିଲା !

 

ବିନା ମେଘରେ ବଜ୍ରପାତ ଭଳି ହଠାତ୍‌ ନାରୀ କଣ୍ଠର ହୁଳହୁଳି ସହ ବାଜା ମଧ୍ୟ ବନ୍ଦ ହୋଇଗଲା । ସମସ୍ତ କୋଳାହଳ ସ୍ତବ୍ଧ ହୋଇଯାଇ ତାରି ଭିତରେ ବିନୋଦବାବୁଙ୍କ ଗମ୍ଭୀର ଉତ୍ତ୍ୟକ୍ତ କଣ୍ଠସ୍ୱର ଗର୍ଜି ଉଠିଲା –

 

ଏ ବିବାହ ହୋଇପାରିବ ନାହିଁ । ବଞ୍ଚି ଥାଉ ଥାଉ ଏ ସମ୍ବନ୍ଧ ମୁଁ କେବେହେଲେ କରାଇ ଦେବି ନାହିଁ । ମୁଁ ଏଇ ମୁହୂର୍ତ୍ତରେ ମୋର ପୁଅକୁ ଫେରାଇ ନେବି ।

 

ମଳୟଙ୍କ ହାତରୁ ବାଟବରଣ ସରଞ୍ଜାମ ଭରା ଥାଳିଟା ସଶବ୍ଦରେ ଖସି ପଡ଼ିଲା ତଳେ । ସେ କମ୍ପିତ କଣ୍ଠରେ କହିଲେ, କ’ଣ ହେଲା, ବିନୋଦବବୁ ! ହଠାତ୍‌ ତୁମର ଏ ମତ ପରିବର୍ତ୍ତନ କାହିଁକି ? ତୁମର ସମସ୍ତ ଦାବି ତ ମୁଁ ପୂରଣ କରିଛି । କରିବାକୁ ପ୍ରତିଶ୍ରୁତି ଦେଇଛି । ତେବେ...କଥା ତାଙ୍କର ଅଧା ରହିଲା ।

 

‘‘ଧନୀ ଲାଗି ବିନୋଦ ପଟ୍ଟନାୟକ ତୁମ ଘରେ ବନ୍ଧୁ ବାନ୍ଧିବାକୁ ଆଗ୍ରହୀ ନ ଥିଲା ମଳୟବାବୁ ! କେବଳ କନ୍ୟାଟିଲାଗି ମୁଁ ଏ ପ୍ରସ୍ତାବରେ ଏକମତ ହୋଇଥିଲି । ହେଲେ, ତୁମେ ମତେ ଠକିଛ ।’’

 

‘‘ଠକିଛି । ପୁଣି ତୁମକୁ ।’’

 

‘‘ହଁ, ମଳୟବାବୁ ! ତମେ ଯେ ଏତେ ନୀଚ ହୋଇପାର, ଏହା ମୋର ଧାରଣା ବି ନ ଥିଲା ।’’

 

‘‘କ’ଣ ହେଲା ଦୟାକରି ଥରେ ମାତ୍ର ମତେ କହନ୍ତୁ ।’’

 

‘‘ମୋର କହିବାର କିଛି ନାହିଁ । ଏ ବିବାହରେ ମୋର ଆପତ୍ତି ଅଛି ।’’

 

‘କାହିଁକି ?’

 

‘‘ଦୀପାର ଜନ୍ମ ପରିଚୟ ସନ୍ଦେହଜନକ । ସେ ତୁମର କନ୍ୟା ନୁହେଁ ।’’

 

‘‘ସେ ମୋର କନ୍ୟା ନୁହେଁ । ଏ କଥା ସତ୍ୟ । ହେଲେ ତା’ର ପରିଚୟ ଅସ୍ପଷ୍ଟ ନୁହେଁ ।’’

 

 

‘‘ଏକଥା ମତେ କେବେ କହି ନାହାଁନ୍ତି ତ ?’’

 

‘‘କହିବାର ପ୍ରୟୋଜନ ପଡ଼ି ନ ଥିଲା ।’’ ତେବେ ଏ କଥା ଆପଣଙ୍କୁ ବର୍ତ୍ତମାନ କହିଲା କିଏ । ‘ମୁଁ’–ଜଣେ ଭଦ୍ରଲୋକ ଆଗେଇ ଆସି ଉତ୍ତର ଦେଲେ ।

 

‘ଆପଣ ।’

 

‘‘ହଁ, ମୁଁ ଦୀଲ୍ଲିପର ମାମୁ । ବିନୋଦବାବୁଙ୍କର ଶଳା । ଏଥର ଚିହ୍ନିବାରେ ବୋଧେ କଷ୍ଟ ଲାଗିବ ନାହିଁ ।’’ କଣ୍ଠସ୍ୱର ତାଙ୍କର ଉତ୍ତପ୍ତ ।

 

‘‘ଆପଣଙ୍କୁ ଏ ମିଥ୍ୟା ସମ୍ବାଦ ଦେଲା କିଏ ?’’

 

‘‘ଯିଏ ହେଉନା କାହିଁକି ଆପଣ ସତ୍ୟ କରି କହନ୍ତୁ–ଦୀପା କ’ଣ ଆପଣଙ୍କର କନ୍ୟା ?’’

 

‘‘ନା, ସେ ମୋର ବନ୍ଧୁ ସୁରେଶ ପଟ୍ଟନାୟକଙ୍କର କନ୍ୟା । ମାତୃହରା ହେଲାପରେ ତାକୁ ଆଣି ମୁଁ ପାଖରେ ରଖି ମଣିଷ କରିଛି । ଏ କଥା ଅନେକ ଜାଣନ୍ତି ! ଦୀପା ମନରେ କଷ୍ଟ ପାଇବ ଭାବି ଏ ସତ୍ୟ କଥାକୁ ମୁଁ ପ୍ରାୟ ଗୋପନ ରଖି ନିଜର କନ୍ୟା ବୋଲି ପରିଚୟ ଦେଇଥାଏ ।’’

 

‘‘ବେଶ୍‌, ଆପଣଙ୍କର କଥା ଯଦି ସତ୍ୟ ହୋଇଥାଏ, ତେବେ ଝିଅର ବିବାହରେ ବାପାର ଅନୁପସ୍ଥିତ କ’ଣ ପାଇଁ । ଏଥିରୁ କ’ଣ କିଛି ରହସ୍ୟର ଗନ୍ଧ ମିଳୁନାହିଁ । ଏଠାରେ ଏତେ ଲୋକ ଉପସ୍ଥିତ ଅଛନ୍ତି । ସମସ୍ତେ କୁହନ୍ତୁ ଝିଅର ବିବାହରେ ବାପାର ଅନୁପସ୍ଥିତି କ’ଣ ସମ୍ଭବ । ମୁଁ ସଠିକ୍‍ ଜାଣେ ଦୀପା, ସୁରେଶ ବାବୁଙ୍କର ମଧ୍ୟ ଝିଅ ନୁହେଁ ।’’ ସେ ଅଜ୍ଞାତ କୁଳଶୀଳା । ତା’ର ପିତୃ ମାତୃ ପରିଚୟ ଅସ୍ପଷ୍ଟ । ଏଭଳି ପରିଚୟ ହୀନ ଝିଅ ପଟ୍ଟନାୟକ ବଂଶର କୁଳବଧୂ ହୋଇପାରେନା । ନା, କେବେ ହୋଇପାରେନା ।

 

ଥରି ଉଠିଲେ ମଳୟ ।

 

କମ୍ପି ଉଠିଲା ଦୀଲ୍ଲିପ । ହାତର ଆଞ୍ଜୁଳା ଚାଉଳ ତା’ର ବିଞ୍ଚିଗଲା ତଳେ । ବାପା, ମାମୁଙ୍କର କୁସଂସ୍କାରପୂର୍ଣ୍ଣ କଥାକୁ, ତା’ର ସଭ୍ୟ ଶିକ୍ଷିତ ଯୁବକ ପ୍ରାଣ ଗ୍ରହଣ କରିପାରୁ ନଥିଲା । ଆଖି ଆଗରେ ନାଚି ଉଠିଲା ଦୀପାର ଶାନ୍ତ ସରଳ ମୁହଁ । ପିଲା ଦିନର ଝାପ୍‍ସା ସ୍ମୃତି ତା’ର ମନ ଆକାଶରେ ଉଙ୍କି ମାରିଲା । ଅଚାନକ, ଅସନା ମଇଳା ଦୀପାକୁ ଘେନି ମଳୟଙ୍କର ଆବିର୍ଭାବ ତା’ର ମନ ମୁକୁରରେ ଫୁଟି ଉଠିଲା । ...ତେବେ–ମାମୁଙ୍କ କଥା କ’ଣ ସତ୍ୟ ? ଯଦିବା ସତ୍ୟ ହୋଇଥାଏ, କ୍ଷତି କ’ଣ । ପ୍ରତ୍ୟେକ ପିଲାର ବାପ ମା, ନିଶ୍ଚୟ ଥାନ୍ତି । ସେଇଭଳି ଦୀପାର ନିଶ୍ଚୟ ଥିବ । ତେବେ ପିତୃ ପରିଚୟ ତା’ର ଅଜ୍ଞାତ ହେବ କାହିଁକି । କ’ଣ ପାଇଁ ସରଳା ଦୀପା କଳଙ୍କିତ ହେବ । ସେ ଯଦି ବିବାହ ନକରି ଫେରିଯାଏ, ରାତିକ ଭିତରେ ସାରା ସହରରେ ରଟିବ ନିନ୍ଦା । ଯାହାର ପ୍ରଭାବରେ ସେ ଆଜୀବନ ଅବିବାହିତା ରହିପାରେ ? ସାମାନ୍ୟ ଭୁଲରେ ଗୋଟିଏ ନିରୀହା ଜୀବନାକାଶରେ ଘୋଟିଯିବ ପ୍ରଳୟର ତାଣ୍ଡବ । ନା–ନା, ତାହା ସେ କଦାପି କରାଇ ଦେବ ନାହିଁ । ଏହି ଅନ୍ଧକାରାଚ୍ଛନ୍ନ କୁସଂସ୍କାରକୁ ଯଦି ସେ ସଗର୍ବରେ ଭାଙ୍ଗି ପାରିବ ନାହିଁ–ତେବେ ତା’ର ଶିକ୍ଷା ସଭ୍ୟତାର ମୂଲ୍ୟ ରହିଲା କେଉଁଠି ? ସେ ଦରକାର ପଡ଼ିଲେ, ବାପାଙ୍କର ଅବାଧ୍ୟ ହେବ ପଛକେ, ଗୋଟିଏ ଜୀବନକୁ ଜାଣି ଜାଣି ନଷ୍ଟ ହେବାକୁ ଦେବ ନାହିଁ । ଦେଖାଯାଉ କଥାର ଗତି କେତେ ଦୂର ଆଗେଇ ଯାଇଛି । ସେହି ପ୍ରତିଜ୍ଞା ଦେଇ ଦୀଲ୍ଲିପ ଅପେକ୍ଷା କଲା ଘଟି ଯାଇଥିବା ଘଟଣାକୁ । ଦୀପାକୁ ସେ ନିଶ୍ଚୟ ସୁଖୀ କରିବ, ଏହା ନିଶ୍ଚିତ ।

 

ମୃତ୍ୟୁ ଭଳି ନୀରବତାକୁ ଭାଙ୍ଗି ବିନୋଦବାବୁ ଆଦେଶ ଦେଲେ ଫେରିଚାଲ । ବିନୋଦ ପଟ୍ଟନାୟକର ପୁଅ ପାଇଁ ଏଇ ରାତି ଭିତରେ ଢେର କନ୍ୟା ମିଳିବ ।

 

‘‘ଆପଣ କ’ଣ ସତରେ ଏ ବିବାହ କରାଇ ଦେବେ ନାହିଁ, ବିନୋଦବାବୁ ।’’ ମଳୟ ବ୍ୟାକୁଳରେ ବିନୋଦବାବୁଙ୍କର ଦୁଇ ହାତକୁ ଜାବୁଡ଼ି ଧରିଲେ । ଆଖିରୁ ଧାର ଧାର ଲୁହ ଝରି ପଡ଼ୁଛି ।

 

‘‘ନା–ନା–ନା–’’

 

କେବେ ନୁହେଁ, ‘‘ଗୋଟିଏ ଅଜ୍ଞାତ କୁଳଶୀଳା । ଜାରଜ ସନ୍ତାନକୁ ମୋର କୁଳବଧୂରୂପେ ଗ୍ରହଣ କରି ପାରିବି ନାହିଁ ।’’ ଏହା ନିଶ୍ଚିତ କହି ବିନୋଦବାବୁ ମଳୟଙ୍କ ହାତକୁ ଛାଟିଦେଲେ ।

 

ଦୁଇ ଆଖିରୁ ଲୁହ ପୋଛି ମଳୟ କହିଲେ–ବିନୋଦବାବୁ, ଦୀପା ଏକ ଜାତିଷ୍ଠ ବଂଶର ସନ୍ତାନ । ଆପଣ ବିଶ୍ୱାସ କରନ୍ତୁ, ଏହା ନିରାଟ ସତ୍ୟ ।

 

–ଆପଣଙ୍କ କଥାରେ ସତ୍ୟତା ବେଶ୍‌ ଜାଣି ପାରିଲିଣି । ଏପଟ ସୂର୍ଯ୍ୟ ସେ ପାଖରେ ଉଇଁବା ସମ୍ଭବ ହୋଇପାରେ । ମାତ୍ର କୁଳଗୋତ୍ର ଅଜଣା ତୁମର ଝିଅକୁ ମୋର ବଧୂ କରିବା ବିଲ୍‍କୁଲ୍‍ ଅସମ୍ଭବ ?

 

ଦୁଇ ହାତରେ ନିଜର ମୁଣ୍ଡଟାକୁ ଧରି ବସି ପଡ଼ିଲେ ମଳୟ ଗୋଟିଏ ମୁହୂର୍ତ୍ତ । ତା’ପରେ ଧୀରେ ଧୀରେ ମୁଣ୍ଡ ଉଠାଇ କହିଲେ–ବିନୋଦବାବୁ, ଯଦି ଦୀପାର ଜନ୍ମ ପରିଚୟର ସଠିକ୍‍ ପ୍ରମାଣ ଦିଏ, ତେବେ ତୁମେ ଏ ବିବାହ କରିବ ତ ! ଏ ପ୍ରତିଶ୍ରୁତି ମତେ ଦିଅ ।

 

ବରଯାତ୍ରୀ ତଥା ଦୀଲ୍ଲିପର ମାମୁଙ୍କ ସହ ବିନୋଦବାବୁ ସମସ୍ୱରରେ କହି ଉଠିଲେ, ନିଶ୍ଚୟ । ତମେ ଯଦି ପ୍ରକୃତ ପ୍ରମାଣ ଦେବ ଯଦି ସମଜାତୀୟ ହୋଇଥାଏ ଏ ବିବାହ, ନିଶ୍ଚୟ ହେବ ! ଏହା ସତ୍ୟ ଓ ନିଶ୍ଚିତ !

 

–ବେଶ୍‍–ବହୁ ଦିନର ଗୋଟାଏ ପରିତ୍ୟକ୍ତ ଅତୀତକୁ ମତେ ପୁଣି ଆପଣମାନେ ବାଧ୍ୟ କରି ଟାଣି ଦେଲେ । ଯାହାଠାରୁ ହତଭାଗିନୀ ଦୀପାକୁ ଅତି କଷ୍ଟରସହ ଦୂରରେ ରଖିବାକୁ ଚେଷ୍ଟାକରି ଆସିଥିଲି, ହେଲେ ଠିକ୍‌ ସମୟରେ ତା’ର ରହସ୍ୟ ଉନ୍ମୋଚିତ ହେଲା–ବିଚରା ହତଭାଗିନୀର ଦୂରଦୃଷ୍ଟିକୁ ମୁଁ ଆଜି ଧନ୍ୟବାଦ୍‌ ଦେଉଛି । ଯାହା ଲେଖିଥିଲା ତାହା ଠିକ୍‌ ଘଟିଗଲା ।

 

କ’ଣ ଆପଣ କହିବାକୁ ଚାହୁଁଛନ୍ତି, ମଳୟବାବୁ !

 

ନା, ଆଉ କିଛି କହିବାର ନାହିଁ । ଆପଣମାନେ ମାତ୍ର କିଛି ସମୟ ଅପେକ୍ଷା କରନ୍ତୁ କହି ଘର ଭିତରକୁ ପଶିଲେ ମଳୟ ।

 

ଘର ଭିତରେ ସରୋଜ ବୁକୁ ଉପରେ ଲୋଟି ପଡ଼ି ଦୀପା କାନ୍ଦୁଥିଲା ଫୁଲି ଫୁଲି ? ଆକୁଳ କଣ୍ଠରେ ବୋଉର ଫଟୋକୁ ଚାହିଁ ସେ କହି ଉଠୁଥିଲା–ବୋଉ.....ଥରକ ପାଇଁ ଆସି କହିଯାଆ ମୁଁ ତୋରି ଝିଅ । ମୁଁ ଅଜ୍ଞାତ କୁଳଶୀଳା ନୁହେଁ । ମୁଁ ଜାରଜ ସନ୍ତାନ ନୁହେଁ । ମୁଁ କେବଳ ତୋରି ଝିଅ । ମୋ ଜୀବନର ଏ ଦୁର୍ଦ୍ଦିନ ପାଇଁ ମୋର ଦୁଃଖ ନାହିଁ, କିନ୍ତୁ କେମିତି ସହିବି ତୋର ପବିତ୍ର ଚରିତ୍ରରେ କଳଙ୍କ ! ତୁ ଯେ ମୋର ବୋଉ । ଏଇ କଥା କହିବା ପାଇଁ ତୁ ଥରକ ପାଇଁ ଆ ବୋଉ, କହି ଦୀପା କାନ୍ଦି ଉଠିଲା ପିଲାଙ୍କ ପରି ।

 

ମଳୟ ଦେଖିଲେ ଦୀପା କାନ୍ଦୁଛି । ଗୀତାର ଫଟୋ ପାଖରେ କାନ୍ଦୁଛି ବି ସରୋଜ । ମଳୟ ଟ୍ରଙ୍କ୍‌ ଖୋଲି ଗୋଟିଏ ଲଫାପା ଧରି ବାହାରିଗଲେ ବାହାରକୁ ! ଗଲାବେଳେ କହିଗଲେ କାନ୍ଦେ ଲୋ ହତଭାଗିନୀ ! କାନ୍ଦର ଭଉଁରୀ ଭିତରୁ ତତେ ଟାଣି ଆଣି ହସାଇବାକୁ ଚେଷ୍ଟା କରି ମୁଁ ହାରି ଗଲି ! କାନ୍ଦିବା ପାଇଁ ତୋର ସୃଷ୍ଟି, କାନ୍ଦି କାନ୍ଦି, ସେଇ ନିଷ୍ଠୁର ଫଟୋ ଉପରେ ମଥା ପିଟିଲେ ବି ସେ ପାଷାଣୀ ଆସି ଏ ସମସ୍ୟାର ସମାଧାନ କରି ପାରିବ ନାହିଁ । ହେଲେ ମୁଁ ପାରିବି । ହଁ–ହଁ, ମୁଁ ଠିକ୍‌ ଏ ରହସ୍ୟର ବହଳ ପର୍ଦାକୁ କାଟି ଟିକ୍‌ଟିକ୍‌ କରି ସତ୍ୟର ଉଦ୍‌ଘାଟନ କରିବି ! ସୁରେଶ ଆସିଲା ନାହିଁ । ଗୀତା ମରିଛି । ହେଲେ ମୁଁ ବଞ୍ଚିଛି ! ରାସ୍ତା ଧାରରୁ ଆଣି ତତେ ମୁଁ ପୁଣି ରାସ୍ତାଧାରକୁ ଫିଙ୍ଗି ପାରିବି ନାହିଁ ? ସମସ୍ତେ ନୀରବ ନିଶ୍ଚୁପ । କାହାରି ମୁହଁରେ ଭାଷା ନାହିଁ । ଭାନୁମତୀର ଖେଳ ପରି ଏସବୁ କ’ଣ ଘଟି ଚାଲିଛି । ତୁଣ୍ଡରୁ ତୁଣ୍ଡକୁ କଥା ତଥାପି ସାରା ସହରରେ ଏ ସମ୍ବାଦ ବ୍ୟାପି ଗଲାଣି । କେତେକ କୌତୂହଳୀ ଜନତା ରୁଣ୍ଡହୋଇ ସ୍ଥାନଟିକୁ ଲୋକାରଣ୍ୟ କରିଛନ୍ତି, ହାତରେ ମଇଳା ଲଫାପା ଖଣ୍ଡିଏ ଧରି ଦାଣ୍ଡ ପାହାଚରେ ପାଦ ଦେଲେ ମଳୟ ! ସମସ୍ତଙ୍କ ଆଖି ତାଙ୍କରି ଉପରେ ସ୍ଥିର । ସତେ କି କାଉଁରୀ କନ୍ୟାର କୁହୁକ ନେଇ ସେ ସବୁ କିଛି ଓଲଟ ପାଲଟ କରିଦେବେ ! ସେଇ ସୁନ୍ଦରୀ ସୁଗୁଣବତୀ ଝିଅଟିର ଜୀବନଲିପିର ରହସ୍ୟ ଉନ୍ମୋଚିତ ହେବ । ଏଇ ଉନ୍ମାଦନା ନେଇ ଗୋଟିଏ ଚାପା ଗୁଞ୍ଜରଣ ସୃଷ୍ଟି ହୋଇ ପରମୁହୂର୍ତ୍ତରେ ବିଲୟ ହେଲା ।

 

ଥର ଥର ହାତରେ ମଳୟ ଲଫାପାଟି ବଢ଼ାଇ ଦେଲେ ବିନୋଦବାବୁଙ୍କ ହାତକୁ ! ପାଖରେ ଦୀଲ୍ଲିପର ମାମୁ, ଦୀଲ୍ଲିପ ଓ ବରଯାତ୍ରୀମାନେ । ସରୋଜ ଝରକା ଦେଇ ସବୁ ଦେଖୁଥାଏ-। ବାହାରର ଘଟଣାର ସମସ୍ତ ସତ୍ୟତା ବୁଝିବାକୁ ଆଗ୍ରହୀ ହୋଇ ମଧ୍ୟ ସେ କ୍ରନ୍ଦସି ଦୀପାକୁ ଛାଡ଼ି ଆସିପାରୁ ନ ଥାଏ । ଦୀପା ପ୍ରତି ସମସ୍ତ ଆବିଳତା ପୋଛିହୋଇ ତା’ ମନରେ ଭରି ଉଠୁଥାଏ ପ୍ରକୃତ ଭ୍ରାତୃତ୍ୱର ଅନାବିଳ ସ୍ନେହ ମମତା । ସେ ରାଗରେ, ଘୃଣାରେ ଥରି ଉଠୁଥାଏ ଦୀଲ୍ଲିପର ଏ ନୀରବତା ସୂଚକ ସମର୍ଥନରେ ।

 

ବିନୋଦବାବୁ ଲଫାପା ଖୋଲି ଜୀର୍ଣ୍ଣଶୀର୍ଣ୍ଣ କାଗଜ ଖଣ୍ଡିଏ ଉପରେ ଆଖି ବୁଲାଇଲେ ।

 

ନା, ବିନୋଦବାବୁ ପାଟି କରି ପଢ଼ । ସମସ୍ତେ ଜାଣନ୍ତୁ ଦୀପାର ପରିଚୟ ଅନ୍ଧକାର ନୁହେଁ, ସେ ଚରିତ୍ରହୀନାର ସନ୍ତାନ ନୁହେଁ । ସେ ଛୋଟ ଜାତିର ସନ୍ତାନ ନୁହେଁ । ସେ ପଙ୍କିଳା ନୁହେଁ-। ସେ ଫୁଲ ପରି ପବିତ୍ର ନିଷ୍ପାପ । ତା’ର ଭାଇ ଏବେ ମଧ୍ୟ କେଉଁଠାରେ ସବୁରି ଅଜ୍ଞାତରେ ବଢ଼ି ଉଠୁଛି ? ବିନୋଦବାବୁ, ମନେମନେ ଚିଠିଟି ପାଠ କରି ଫଟୋଟି ଉପରେ ଦୃଷ୍ଟି ପକାଇଲା କ୍ଷଣି ତାଙ୍କର ସର୍ବାଙ୍ଗ ଥରି ଉଠିଲା । ଆଖି ହେଲା ଛଳ, ଛଳ, ମୁହଁ ହେଲା କରୁଣ ? ସେ ମୁହଁ ଟେକି ମଳୟଙ୍କ ମୁହଁକୁ ଚାହିଁ ରହିଲେ ।

 

ଏଥର କୁହ ବିନୋଦବାବୁ ! ଏ ବିବାହରେ ତମେ ସ୍ୱୀକୃତି ଦେବ କି ନାହିଁ ।

 

ନା–ମଳୟବାବୁ ! ଏ ବିବାହ ହୋଇ ପାରିବ ନାହିଁ । ବିନୋଦବାବୁଙ୍କ କଣ୍ଠ ଗମ୍ଭୀର ।

 

କାହିଁକି ? ସମସ୍ତ ସନ୍ଦେହ ମୁଁ ମୋଚନ କରିଛି–ତଥାପି....

 

ତଥାପି–ଏ ବିବାହ ହୋଇ ପାରିବି ନାହିଁ । ତମେ ଜାଣ ନାହିଁ ମଳୟବାବୁ, ପଦ୍ମଲୋଚନ ମୋର ବନ୍ଧୁ । ତା’ର ମୃତ୍ୟୁ ପରେ ତା’ର ପୁଅକୁ ନେଇ ମୁଁ ରଖିଥିଲି ପାଖରେ । ହଠାତ୍‌ ମୋର ଅନ୍ୟ ସ୍ଥାନକୁ ବଦଳି ହେଲା । ତା’ପରେ ପଦ୍ମଲୋଚନ ସ୍ତ୍ରୀର କୌଣସି ଖବର ମୁଁ ରଖି ନ ଥିଲି । ସ୍ୱାର୍ଥପର ଭଳି ତା’ର ପୁଅକୁ ବୁକୁରେ ଥାପି ମୁଁ ଅପୁତ୍ରିକର ଦଗ୍ଧୀଭୂତ ବ୍ୟଥାକୁ ଲାଘବ କରିବାରେ ଲାଗିଲି । କେଜାଣି କେତେବେଳେ ପଦ୍ମଲୋଚନର ସ୍ତ୍ରୀ ‘କଳ୍ପନା’ ତା’ର ପୁଅକୁ ମୋ ପାଖରୁ, ଛଡ଼ାଇ ନେବ । ଏଇ ଭୟରେ ମୁଁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ଦେଇ ରହିଲି । ଦୀଲ୍ଲିପ ପଦ୍ମଲୋଚନର ପୁଅ । ଆଉ ଦୀପାଳି ତା’ର କନ୍ୟା । ଲୀଳାମୟଙ୍କର ବିଚିତ୍ର ଲୀଳା ଠିକ୍‌ ସମୟରେ ସେ ପରିଚୟ କରାଇଛନ୍ତି, ନଚେତ୍‍ କ’ଣ ଯେ ହୋଇଥାନ୍ତା !

 

ବାପାଙ୍କ ହାତରୁ ଦୀଲ୍ଲିପ କାଗଜ ସହ ଫଟୋଟି ନେଇ ଦେଖିବାରେ ଲାଗିଲା । ପଢ଼ୁ, ପଢ଼ୁ, ତା’ର ଆଖିରୁ ଅବାରିତ ଅଶ୍ରୁଧାରା ବହିବାରେ ଲାଗିଲା । ଅନେକ ଆୟାସରେ ଚିଠି ଖଣ୍ଡି ପଢ଼ିସାରି ଧାଇଁଲା ଘର ଭିତରକୁ । ମନରେ ଆନନ୍ଦର ଜୁଆର । ପାଦ ଦୁଇଟି ଅଧୀର ଆବେଗରେ ଚଞ୍ଚଳ ।

 

ଲୁହ ପୋଛି ମଳୟ ଚାହିଁଲେ ଦୀଲ୍ଲିପକୁ । ମନ ତାଙ୍କର ଆନନ୍ଦରେ ପୂରି ଉଠିଲା, ସେ ସ୍ନେହରେ ଦୀଲ୍ଲିପର ମଥା ସାଉଁଳି ଦେଇ କହିଲେ–ଈଶ୍ୱରଙ୍କ ଇଚ୍ଛା ପୂର୍ଣ୍ଣ ହେଲା । ଭାଇ ଭଉଣୀଙ୍କର ମିଳନ ହେଲା । କଳ୍ପନାଙ୍କର ଅତୃପ୍ତ ଆତ୍ମା ଶାନ୍ତି ପାଇଲା ! ହେଲେ ଏ ଆନନ୍ଦ ଭିତରେ ମୋର ଚିନ୍ତା କେବଳ ଦୀପା ପାଇଁ । ରାତି ଭିତରେ ଦୀପା ପାଇଁ ଗୋଟିଏ ଉପଯୁକ୍ତ ପାତ୍ର ପାଇବି କାହୁଁ । ବାଡ଼ୁଅପାଣି ଗାଧୋଇ ମଙ୍ଗୁଳା କନ୍ୟାର ବିବାହ ତ ସ୍ଥଗିତ ରହି ପାରିବ ନାହିଁ ।

 

ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ଦୀଲ୍ଲିପ କହିଲା ମଉସା ସେ ଦାୟିତ୍ୱ ମୋତେ ଦିଅନ୍ତୁ, ମୋ ଭଉଣୀ ପାଇଁ ମୁଁ ବରପାତ୍ର ଖୋଜି ଆଣିବି ! ଆପଣଙ୍କ ଆପତ୍ତି ନାହିଁ ତ । କଥା ଦିଅନ୍ତୁ ମଉସା, ମୋ କଥା ରଖିବେ, କହି ମଳୟଙ୍କର ପାଦ ଧରି ପକାଇଲା ଦୀଲ୍ଲିପ !

 

ପାଦ ତଳରୁ ଦୀଲ୍ଲିପକୁ କୋଳକୁ ନେଇ ମଳୟ କହିଲେ ତୋର ଇଚ୍ଛା ପୂର୍ଣ୍ଣ ହେବ ଦୀଲ୍ଲିପ । ତୁ ଯାହାକୁ ସ୍ଥିର କରିବୁ ତାହାହିଁ ଚୂଡ଼ାନ୍ତ–

 

ମଳୟଙ୍କଠାରୁ ପ୍ରତିଶ୍ରୁତି ପାଇ ଦୀଲ୍ଲିପ ପଶିଲା ଦୀପା ଥିବା ରୁମ୍‌ ଭିତରକୁ । ସରୋଜ ବୁକୁରେ ମୁହଁ ଗୁଞ୍ଜି ଦୀପା କାନ୍ଦୁଛି । କାନ୍ଦି କାନ୍ଦି ଫୁଲି ଗଲାଣି ଆଖି ଦିଓଟି ।

 

ଥାଉ ଦୀପା ! ତୁ କାନ୍ଦ ବନ୍ଦ କର ! ଏ ଦୁନିଆଁରେ ତୋ ପାଇଁ ବରର ଅଭାବ ହେବ ନାହିଁ । ରାତି ଭିତରେ ମୁଁ ସବୁ ଠିକ୍‌ କରି ଫେରି ଦେଖାଇଦେବି, ସରୋଜ ଏପର୍ଯ୍ୟନ୍ତ ବଞ୍ଚିଛି । ତା’ ଉପସ୍ଥିତିରେ ତା’ ଭଉଣୀର କୌଣସି କଷ୍ଟ ସେ ଦେଖି ପାରିବ ନାହିଁ । ଛାଡ଼ିଦେ ଦୀପା ମତେ, ମୁଁ ଆସେ ।

 

...ଦୀପା...ଦୀଲ୍ଲିପର କଣ୍ଠସ୍ୱର ଉଚ୍ଛ୍ୱସିତ ଭାବ ।

 

...ଦୀପାକୁ ଡାକିବାକୁ ତତେ ଲଜ୍ଜା ଲାଗୁ ନାହିଁ । ସରୋଜ ରାଗିଯାଇ ପଚାରିଲା ।

 

...ଲାଜ ଲାଗିଥାନ୍ତାରେ ସରୋଜ । ହେଲେ ଆଉ ଲାଗିବ ନାହିଁ । ଭାଇ ପାଖରେ ଭଉଣୀର ଲାଜ କ’ଣ ?

 

...କିଏ କାହାର ଭଉଣୀ–ଦୟାକରି କଟା କ୍ଷତରେ ଚୂନ ଦେଏ ନାହିଁ ।

 

...ରାଗନା ସରୋଜ ! ନେ, ପଢ଼ ଏ ଚିଠି ଖଣ୍ଡି । ଦେଖ ସେ ଫଟୋଟି । ପଛରେ ମତେ ମାଇଲେ ମଧ୍ୟ ମୁଁ ପ୍ରସ୍ତୁତ ଅଛି । ରୋଷ କଷାୟିତ ନୟନରେ ସରୋଜ ଦୀଲ୍ଲିପକୁ ଚାହିଁ କାଗଜ ଖଣ୍ଡକ ଟାଣି ନେଲା । ହାତରୁ ଦୀପା ସହ ସରୋଜ, କାଗଜ ଉପରେ ଆଖି ବୁଲାଇ ଆଣିଲେ ।

 

...ଭାଇ !

 

...ଦୀପା !

 

...ଦୁହେଁ ଦୁହିଁଙ୍କୁ ଚାପି ଧରି ଆନନ୍ଦରେ ଲୁହ ବର୍ଷଣ କରି ମିଳନକୁ ମୁଖରିତ କରିଲେ ।

 

...ସରୋଜ ସ୍ଥାଣୁଙ୍କ ପରି ଏ ଦୃଶ୍ୟ ଦେଖି ପଚାରିଲା–ଏହା କ’ଣ ସତ୍ୟ ଦୀଲ୍ଲିପ ?

 

‘‘ହଁ, ସରୋଜ, ଦୀପା ମୋର ଭଉଣୀ ?’’

 

‘‘ତେବେ’’ ।

 

ଦୀପାକୁ କୋଳରୁ ଉଠାଇ ସରୋଜ ପାଖରେ ଠିଆ ହେଲା ଦୀଲ୍ଲିପ । ସରୋଜ, ଦିନେ ବନ୍ଧୁତାର ଦାବି ନେଇ ତୁ ମୋ ପାଖକୁ ଯାଇଥିଲୁ । ଆଉ ଆଜି । ସେଇ ବନ୍ଧୁତାର ଦୃଢ଼ତା ନେଇ ତତେ ଗୋଟିଏ ଅନୁରୋଧ କରିବି ! କଥା ଦେ ରଖିବୁ ?

 

‘‘ବେଶ୍‌–କହ ।’’

 

‘‘ଏ ପୋଷାକଗୁଡ଼ାକ ଆଗ ତୁ ପିନ୍ଧିଲୁ ।’’

 

‘‘ମାନେ, ମୁଁ କିଛି ବୁଝି ପାରୁନି ତୋ କଥା !’’

 

‘‘ଠିକ୍‌ ବୁଝିବୁ ସମୟ ଆସିଲେ !’’ ବର୍ତ୍ତମାନ ଏଗୁଡ଼ାକ ପିନ୍ଧିଲୁ କହି ସିଲ୍‌କ୍‌ ପଞ୍ଜାବି; ମଥାର ପଗଡ଼ି, କନ୍ଧର ଉତ୍ତରୀ, ଫୁଲର ଗଜରାହାର, ବେକର ସୁନାମାଳ କାଢ଼ି ଗୋଟିଗୋଟି କରି ସରୋଜକୁ ପିନ୍ଧାଇଲା ଦୀଲ୍ଲିପ ?

 

‘‘ତୋ କଥା ମୁଁ କିଛି ବି ବୁଝି ପାରୁନାହିଁ ଦୀଲ୍ଲିପ ?’’

 

‘‘ବୁଝିବା ସମୟ ଡେରି ନାହିଁ ବନ୍ଧୁ, ଖୁବ୍‌ ଶୀଘ୍ର ସବୁ ବୁଝିବ । ଯେତେବେଳେ ବେଦୀ ଉପରେ, ଉପସ୍ଥିତ ଜନତା ସମକ୍ଷରେ ତୁମ ପୃଷ୍ଠଦେଶରେ ବାଇସିପଳିଆ ଶଳା ବିଧା ଥୋଇବି ସେତେବେଳେ ଜାଣିବାକୁ ଆଦୌ ଡେରି ଲାଗିବ ନାହିଁ । ଚାଲ ବନ୍ଧୁ ବେଦୀ ଉପରକୁ । ରାତି ପାହି ଯାଉଛି । ଲଗ୍ନ ବେଳ ଗଡ଼ି ଯାଉଛି କହି ଦୀଲ୍ଲିପ ଟାଣିଲା ସରୋଜକୁ !

 

ସରୋଜ ଆଗ୍ରହର ରଙ୍ଗ ମାଖି ଚାହିଁଲା ଦୀପାକୁ !

 

ମୁହଁରେ ମୁଠାଏ ଫଗୁ ବୋଳିଲା ପରି ଦୀପାର ମୁହଁ ଲାଜରେ ଲାଲ ପଡ଼ିଗଲା । ସେ ଛାଟି ପିଟି ହୋଇ ପଳାଇ ଗଲା ସେ ଘରୁ ବାହାରକୁ !

 

ଦ୍ୱିଗୁଣ ଉତ୍ସାହରେ ବାଜା ବାଜି ଉଠିଲା । ନାରୀ କଣ୍ଠରେ ହୁଳହୁଳି ଭିତରେ କମ୍ପି ଉଠିଲା ପରିସରଟି । ଆନନ୍ଦ ମୁଖରିତ ହୋଇଉଠିଲା ନିଥର ରାତ୍ରିର ପ୍ରତ୍ୟେକ ମୁହୂର୍ତ୍ତ । ସରୋଜର ଅନ୍ତର୍ନିହିତ କାମନା ପରିପୂର୍ଣ୍ଣ ହେଲା । ମଳୟଙ୍କ ଅବଚେତନ ମନର ନିଭୃତ ଇଚ୍ଛା ପୂର୍ଣ୍ଣତା ଲଭିଲା । ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ସରୋଜ ହାତ ଉପରେ ଥୁଆ ହେଲା ଦୀପାର ହାତ, କନ୍ୟାଦାନ କଲେ ବିନୋଦବାବୁ । ରେକର୍ଡଟା ବାଜି ଚାଲିଥିଲା ମଧୁର ସ୍ୱରରେ –

 

ମୋ ଆଖିର କେତେ କଥା

ମୋ ମନର ନୀରବତା

କହିବାକୁ ଚାହେଁ ଯାହା କହି ପାରେନା

ନ କହି ମୁଁ ନୀରବରେ ରହିପାରେନା ।।

 

ଏଇ ନଈ ଯାଏ ବହି

ସାଗରେ ମିଶିବା ପାଇଁ

କାନେ କାନେ ଧୀରେ ଧୀରେ ମନ କଥା ଯାଏ କହି

ଢେଉ ବିନା ଜୁଆର ତ ରହିପାରେନା

ଏଇ ମୋର ଛୋଟ କଥା ବୁଝିପାରନା ।।

 

ସରସୀରେ ପଦ୍ମକଇଁ

ସୂର୍ଯ୍ୟଚନ୍ଦ୍ରମାରେ ଚାହିଁ

କେତେ ଉଷା ଗୋଧୂଳିରେ ଆନନ୍ଦେ ମଗନ ହୋଇ

ଫୁଲ ବିନା ମହୁମାଛି ରହିପାରେନା......

ଏଇ ମୋର ଛୋଟ କଥା ବୁଝିପାରନା.....

 

X X X

 

ବାସର ରାତି । ଯୌବନର ସାର୍ଥକ ରଜନୀ ! ସୁସଜ୍ଜିତ କୋଠରୀ ଭିତରେ ସରୋଜ, ଦୀପାର ଲୁଗାକାନି ଟାଣିଧରି, ଆବେଗରେ ଡାକିଲା.....ଦୀପା...ପାଖକୁ ଆସ ଦୀପା ! ମୋ ରାଣ !

 

...ଚୁପିଚୁପି ହସି ସରମ ବୋଳା ମୁହଁଟେକି ଦୀପା ଚାହିଁଲା । ଦୀପାର ପୁଷ୍ପିତ ଦେହକୁ ନିଜର ବାହୁ ବେଷ୍ଟନୀରେ ବାନ୍ଧିରଖି ସରୋଜ ଆଙ୍କି ଦେଲା ପ୍ରେମର ପ୍ରଥମ ସ୍ମାରକୀ । ଖିଲି ଖିଲି ହସର ଢେଉ ଖେଳାଇ ଦୀପା ସରୋଜର ବାହୁ ବେଷ୍ଟନୀ ଭିତରୁ ନିଜକୁ ମୁକ୍ତ କରି ପାଖ ସୋଫା ଉପରେ ବସିପଡ଼ିଲା । ସରୋଜ ଟାଣି ଧରି ଥିଲା ଶାଢ଼ିର ପଣତଟି । ନିଜର ଅର୍ଦ୍ଧ ଉଲଗ୍ନ ଦେହକୁ ଲୁଚାଇବା ପାଇଁ ଦୀପା ଅସଫଳ ଚେଷ୍ଟା କରୁଥିଲା । ବାତାୟନ ଦେଇ ଦଶମୀ ଚନ୍ଦ୍ରର ସଫା ଜ୍ୟୋତ୍ସ୍ନା ଅଜାଡ଼ି ହୋଇ ପଡ଼ୁଥିଲା ଦୁହିଁଙ୍କ ଉପରେ । ଦୀପା ଦେହରେ ଲାଗି ରହିଥିଲା ସାୟା ଓ ବ୍ଲାଉସଟି, ଲାଲ ଜରିଦିଆ ବନାରସୀ ଶାଢ଼ିର ସୁନେଲି ଅଞ୍ଚଳ ଧରି ସରୋଜ ଚାହିଁଥିଲା ଦୀପାକୁ, ଆଖିରେ ଚହଲି ଉଠୁଥିଲା ପିପାସା । ଦୀପାର ସୁନ୍ଦର ସୁନ୍ଦର ମୁହଁରେ ଉକୁଟି ଉଠୁଥିଲା ଗୋଲାପର ରକ୍ତିମା । ସରୋଜ ଦୀପାର ଅର୍ଦ୍ଧନଗ୍ନ ଦେହଟାକୁ ସଜୋରେ ଆଶ୍ଳେଷ ଦେଇ ବସିଲା ଖଟ ଉପରେ । ଆଦିମ ବୁଭୁକ୍ଷାର କମ୍ପନରେ ଅଧର ମର୍ମରି ଉଠୁଥିଲା । ଅଧରରେ ଅଧର ସଂଯୋଗ କରି ସରୋଜ ଦୀପାକୁ ଆବରଣ ହୀନ କରି, କହିଲା, ସତେ-ଦୀପା ବହୁ ଦିନର କାମନା ମୋର ଆଜି ରୂପ ପାଇଛି । ଜୀବନ ମୋର ସାର୍ଥକ ହୋଇଛି । ଯୌବନ ହୋଇଛି ପରିପୂର୍ଣ୍ଣ । ଯେଉଁ ରୂପର ଝଲକ ନେଇ ତମେ ମୋ ମନରେ ଅଜଜ୍ର କ୍ଷୁଧାର ଲହରୀ ଛୁଟାଇ ଥିଲ ତାହା ଆଜି ସମାପ୍ତ ହେବ । ଧୀରେ ଖୁବ୍‌ ଧୀରେ ସରୋଜର ଅଧର ନଇଁ ଆସୁଥିଲା ଦୀପାର ବକ୍ଷ ଉପରକୁ । ଦୀପାର ନଗ୍ନବାହୁ ଦୁଇଟି ବେଷ୍ଟନ କଲା ସରୋଜର କଣ୍ଠ ଦେଶକୁ । କାମନାର ଆବେଶରେ ଆନତ ହେଉଥିଲା ମଦଭରା ନୟନ ଦୁଇଟା । ଦୀପାର ମାଂସଳ ଛାତିଟା ଉପରେ ଚାପିହେଲା ସରୋଜର ଲୋମଶ ଛାତି । ......ନିର୍ଜନ କକ୍ଷ । ତାରି ଭିତରେ ଯୌବନ ମଦମତ୍ତ ଦୁଇଟି ଯୁବକ ଯୁବତୀ, ଯୌବନ ମରୁଭୂମିରେ ଆଦିମତୃଷ୍ଣା ବାସନାର ଆର୍ତ୍ତନାଦ ଉତ୍ତେଜନାର ରସାଳ ସ୍ରୋତରେ ଦୁହେଁ ଭାସିଗଲେ ଅନେକ ଦୂରକୁ । ଆକାଶର ଚାନ୍ଦ ଲାଜରେ ମୁହଁ ଲୁଚାଇଲା ବାଦଲ କୋଳରେ-!

 

ରାତ୍ରିର ନିରବତା ଭେଦ କରି ଭାସି ଆସିଲା ଅନତିଦୂରରୁ ଗ୍ରାମୋଫୋନ୍‌ର ସ୍ୱର ଲହରୀ, ଉତ୍କଣ୍ଠ ହୋଇ ଦୀପା କାନ ଡେରିଲା । ତାରି ରେକର୍ଡ କିଏ ବଜାଉଛି ।

 

...କ’ଣ ଶୁଣୁଛ ଦୀପା...

 

...ମୋ ଗୀତଟା କିଏ ବଜାଉଛି ! ପୁଣି ଏତେ ରାତିରେ ।

 

...ଦୀଲ୍ଲିପ ବୋଧେ ଛାତ ଉପରେ ବସି ବଜାଉଛି, ବିଚରା ଶିଶୁପାଳ ବନିଗଲା ।

 

...ଉଁ....ଭାଇଙ୍କୁ ଏମିତି କ’ଣ କହୁଛ ।

 

...ଗାଲରେ ଚୁମ୍ବନଟିଏ ଆଙ୍କୁ ଆଙ୍କୁ ସରୋଜ କହିଲା,–ଧନ୍ୟ ତୁମ ନାରୀ ଜାତି ?

 

...ହଠାତ୍‌ ନାରୀ ଜାତି ଉପରେ ଏ ଆକ୍ଷେପ କାହିଁକି । ପୁଣି ରାତିଟାରେ, କହିଲା ଦୀପା-

 

...ପ୍ରେମିକମାନଙ୍କୁ, ଭାଇ, ଭାଇମାନଙ୍କୁ ପ୍ରେମିକ କରିବାରେ ସେମାନଙ୍କୁ ଗୋଟାଏ ସେକେଣ୍ଡ ବି ଲାଗେ ନାହିଁ । ଏଭଳି ଦକ୍ଷତା ନାରୀ ବ୍ୟତୀତ କାହାର ବା ଅଛି ।

 

...କୃତ୍ରିମ ରାଗ ପ୍ରକାଶକରି, ଦୀପା କହିଲା–ଦେଖ ସେଭଳି କହିଲେ ମୁଁ ବାଧ୍ୟ ହୋଇ ରାଗିବି ।

 

‘‘ନା–ରାଣୀ ମୋର । ତୁମେ ରାଗନା । ଆଜିର ଏ ମଦିରା ରାତିରେ ତୁମର ରାଗରୋଷ ଶୋଭା ପାଏନା । ତେବେ ଦୀଲ୍ଲିପ ଭାଇ ଥିଲା ପ୍ରଥମରୁ । ଆଉ ଶେଷ ପର୍ଯ୍ୟନ୍ତ ରହିଲା । କିନ୍ତୁ ଏ ହତଭାଗାକୁ ଯେଉଁ ପ୍ରମୋସନ ଦେଇଛ, ସେଥିପାଇଁ ତୁମ ପାଖରେ ମୁଁ ଆଜୀବନ ଋଣୀ ରହିଲି ।

 

ଦୀପା ସରୋଜ ପାଟିକୁ ହାତରେ ଚାପି ଧରି କହିଲା...ଛି....ତୁମେ ଯେ ଆଜି ମୋ ଦେହ ଦେଉଳର ଦେବତା.....ଚିରଦିନର ସାଥୀ.....

 

X X X

 

ଗ୍ରାମଫୋନ୍‌ର ମୃଦୁ ଝଙ୍କାରରେ ନିଦ ଭାଙ୍ଗିଲା ମଳୟଙ୍କର । ପାଖର ଘଣ୍ଟାକୁ ନ ଦେଖି ରାତ୍ରିର ବୟସକୁ ନିଜ ଅନୁମାନରେ ମାପି ଦେଖିବାକୁ ମଳୟ ଝରକା ଦେଇ ବାହାରକୁ ଦୃଷ୍ଟି ଦଉଡ଼ାଇଲେ । ଆକାଶରେ ଜ୍ୟୋତ୍ସ୍ନାର ପ୍ଳାବନ । ସେଇ ଜ୍ୟୋତ୍ସ୍ନାସ୍ନାତ ନୀରବ ନିଶୀଥରେ କୋଠା ଛାତ ଉପରେ ଗ୍ରାମଫୋନ୍‌ ବଜାଇବା ଦୀଲ୍ଲିପର ଏକ ପ୍ରାଚୀନ ଅଭ୍ୟାସ । ଗୀତଟି ଅସ୍ପଷ୍ଟ ଶୁଭୁଥିଲା-। ଗୋଟାଏ ଖିଆଲରେ ବିଛଣାରୁ ବାହାରକୁ ଉଠି ଆସିଲେ ମଳୟ ! ଏଥର ଗୀତଟି ସ୍ପଷ୍ଟ ଶୁଭିଲା-। ରାତିର ନିରବତାକୁ ପ୍ରତିହତ କରି ବାଜି ଚାଲିଥିଲା ରେକର୍ଡଟି–

 

ଏ ମନରେ ଏତେ ରଙ୍ଗ

ଏ ଜୀବନ ଏତିକି କଳ୍ପନା,

ଏ ଆକାଶେ ଏତେ ନୀଳ

ଏ ଫୁଲର ଏତିକି ବାସନା ।

 

ଗୀତର ପ୍ରତ୍ୟେକ ପଦ ମଳୟଙ୍କ ପ୍ରାଣରେ ଆଲୋଡ଼ନ ସୃଷ୍ଟି କଲା । ସେ ମନୋବୈଜ୍ଞାନିକ ଭଳି ସେଇ ଗୀତକୁ ବିଶ୍ଳେଷଣ କରୁଥିଲେ । ବାସ୍ତବିକ ତାଙ୍କ ଆଗରେ ଏକ ମହାନ୍‍ ସତ୍ୟର ରୁଦ୍ଧ ଦ୍ୱାର ଉନ୍ମୋଚିତ ହୋଇଗଲା । ସେ ପ୍ରାଣେ ପ୍ରାଣେ ମାପି ଚାଲିଥିଲେ ମିଳନରେ ମନର ରଙ୍ଗ ଲିଭିଯାଏ । ବିଚ୍ଛେଦ ଭିତରେ ତାହା ଶତ ଇନ୍ଦ୍ରଧନୁର ବର୍ଣ୍ଣ ବିଭବ ନେଇ ଉଦ୍ଭାସିତ ହୁଏ । ନିଜର ବିବାହିତା ପତ୍ନୀ ଶିପ୍ରାକୁ ସେ ଥରେ ବି ମନେ ପକାଇ ନାହାନ୍ତି । ଜୀବନର ଅନେକ ତରୁଣୀଙ୍କ ସ୍ପର୍ଶ ବି ଥରକ ପାଇଁ ମନକୁ ଆନ୍ଦୋଳିତ କରିନାହିଁ । ହେଲେ ପାରିନାହାନ୍ତି ଗୀତାକୁ ଭୁଲି । ମନ କ୍ୟାନଭାସରେ ତା’ର ସ୍ମୃତିର ରଙ୍ଗ ଚିର ଅଲିଭା ହୋଇ ରହିଛି ବ୍ୟର୍ଥ ପ୍ରେମିକର ଦଗ୍ଧୀଭୂତ ଯନ୍ତ୍ରଣା ଭିତରେ । ଯେଉଁ ଆନନ୍ଦ ଲୁକ୍‌କାୟିତ ଥାଏ ତାହା ସବୁ କିଛି ପାଇବା ଭିତରେ ମିଳେ ନାହିଁ ।

 

ଦୀଲ୍ଲିପ ବିବାହ କରିଥାନ୍ତା ଦୀପାକୁ । କାରଣ ବଶତଃ ତାହା ହେଲା ବିଫଳ ଭଗ୍ନ । ତଥାପି ସେ ବଜାଉଛି ‘ଏ ମନରେ ଏତେ ରଙ୍ଗ’ ।

 

ଆକାଶକୁ ଚାହିଁଲେ ମଳୟ । ବାଦଲ କୋଳରେ ମୁହଁ ଲୁଚାଇ ଖେଳୁଛି ଚନ୍ଦ୍ରମା । ରାତ୍ରିଫୁଟା ଫୁଲର ସୁରଭି ନେଇ ପ୍ରମତ୍ତ ହୋଇ ଉଠୁଛି ଅଧୀର ସମୀରଣ । ବିରହ ବିଧୁରା ଚକୋରଟି ବେଳେବେଳେ କାନ୍ଦି ଉଠୁଛି । ବିଗତଯୌବନ ମଳୟ ବିରହାତୁର ଭଙ୍ଗି ଦେଇ ଦେଖୁଥିଲେ ସବୁ କିଛି । ବାସ୍ତବିକ ଅପୂର୍ଣ୍ଣତା ଭିତରେ କେତେ ପୂର୍ଣ୍ଣତା....

 

ନ ପାଇବା ଭିତରେ ସବୁ କିଛି ପାଇବାର କି ଅସରନ୍ତି ମୋହ....

 

ଏଥର ବୋଧହୁଏ ମଳୟ କାନ୍ଦୁଥିଲେ । ଅସହାୟ ଅନ୍ଧକାର ଭିତରେ ଅନେକ ଉଦ୍ଦାମ ଉଦ୍‌ଗତ କୋହ ନୈଶ ଆକାଶରେ ମିଳାଇ ଯାଉଥିଲା । ମଣିଷର ମନ ଯଦି କଳାପଟା ହୋଇଥାନ୍ତା, ତେବେ ହୁଏତ ଅତୀତର ସ୍ମୃତିକୁ ଲୁଚାଇ ଦେଇ ହୁଅନ୍ତା । ଲିଭାଇ ଦେଇ ହୁଅନ୍ତା ରାଗ, ଅନୁରାଗର ରଙ୍ଗିନ ଗାରଗୁଡ଼ାକୁ....ହୃଦୟ ସମ୍ବେଦନର ବିଚିତ୍ର ନକ୍‌ସାଗୁଡ଼ିକୁ....ମାତ୍ର ମଣିଷର ହୃଦୟରେ ଗାର ଲିଭେନା । ସମୟ ପ୍ରବାହରେ ସ୍ମୃତିର ଗାରଗୁଡ଼ିକ ଆହୁରି ଉଜ୍ଜ୍ୱଳ ହୁଏ ।

 

ଆଜିର ଏଇ ଦୁର୍ବିସହ ରାତ୍ରିର ନିସ୍ତବ୍ଧତା ଭିତରେ ମଳୟଙ୍କର ସବୁ ସ୍ମୃତି ଚେଇଁ ଉଠିଛି । ଗୋଟିଏ କରୁଣ ନିପୀଡ଼ନ ଏକ ଆହତ ଲିପ୍ସା....ଆଜି ସେ ସବୁ ଜାଗୃତିର ଶଙ୍ଖସ୍ୱନ ହୋଇ କର୍ଣ୍ଣପଟରେ ବାଜି ଉଠୁଛି....ସେ ମୃତ ଅତୀତ ଫିସ୍‍ଫିସ୍‍ ହେଉଛି କାନ ପାଖରେ...ସବୁ ପରିଚିତ ସଂଳାପ ଭାସି ଆସୁଛି । ଗୀତା ବିବାହର ଅଳ୍ପଦିନ ପୂର୍ବରୁ କହିଥିଲା....ତୁମେ ପଥର...ମଳୟ.....ତୁମରି ସ୍ପର୍ଶରେ ମୁଁ ପାଷାଣୀ ହୁଅନ୍ତି....ନିର୍ଜୀବ ହୁଅନ୍ତି କି ? ନିର୍ଜୀବ ହୁଅନ୍ତି...ଶିଳାର ମୂର୍ତ୍ତି ହୁଅନ୍ତି....ହୁଅନ୍ତି ବିରହିଣୀ... ପଥଚାରିଣୀ....ପାଷାଣୀ ତରୁଣୀ....ତେବେ ତୁମର ଏ ଆଘାତ ମୁଁ ସହି ପାରନ୍ତି.....ମଳୟ ଉତ୍ତର ଦେଇଥିଲେ–‘‘ତୁମେ ପ୍ରୀତିର ଫରୁଆ, ମୁଁ ଭାଗ୍ୟବାଦୀ ଧୀବର...ଜାଲରେ ମୁଁ ତୁମକୁ ଧରି ଗୀତା...ପାରିଲିନି ମୁଁ ତୁମର ଏକ ଲାଞ୍ଛିତ ପ୍ରଣୟୀ...’’

 

ସେ ଗୀତାକୁ ମଳୟ ହରାଇ ଦେଇଥିଲେ ନିଜର ବନ୍ଧୁ ସୁର ପାଖରେ....ଅଭିମାନର ତରବାରିରେ ମଳୟ ନିଜର ମୁକ୍ତଡେଣାକୁ ଛେଦନ କରି ହୋଇଥିଲେ ସ୍ଥାଣୁ...କେବଳ କେତୋଟି ଦୁଷ୍ପ୍ରାପ୍ୟ ବହୁମୂଲ୍ୟ ସ୍ମୃତିକୁ ସଞ୍ଚୟ କରି । ସେଇ ସ୍ମୃତିର ଶରଶେଯରେ ମଳୟ କେତେ ନିଃସଙ୍ଗ ରାତ୍ରୀ ଇମିତି କଟାଇ ଥିଲେ....

 

ବିବାହୋତ୍ସବ ଜୀବନରେ ଆସେ...ଥରକ ପାଇଁ....ଯେଉଁ ଦିନଟି ମଳୟ ନିଜ ଜୀବନରେ ହରାଇଥିଲେ, ଆଜି ସରୋଜ ଜୀବନରେ ତାହା ମିଳନର ନହବତ ଫୁଙ୍କି ଫୁଙ୍କି ଆସିଛି...ମଳୟଙ୍କ ଜୀବନରେ ବିଚ୍ଛେଦର ମସୀଲିପି....ମାତ୍ର ସରୋଜ ଜୀବନରେ ଆନନ୍ଦର ଜୁଆର–ଏଇ ଦୁର୍ବହ ନିଶୀଥର କ୍ଳାନ୍ତ ପ୍ରହରରେ ଦୀପା ହୁଏତ ସରୋଜକୁ ମୃଦୁମନ୍ଦ କଣ୍ଠରେ କହୁଥିବ....‘‘ମୁଁ ତୁମର ଏକାନ୍ତ ତୁମର...ତୁମେ ବଗିଚା ଦେଖିଛ...ତୁମ ମନର ବଗିଚା.....ମତେ ସେଠି ନିତ୍ୟ ନୂତନ ସଜଫୁଟା ଫୁଲରେ ସଜାଇ ଦିଅ ସରୋଜ...’’ ମଳୟ କର ଲେଉଟାଇଲେ.....ସମୟ ପାହାଚରେ ସେ ବହୁତ ଉପରକୁ ଉଠିଗଲେଣି....ଗୀତା ସେଇ ପାହାଚକୁ ଅତିକ୍ରମ କରି ଚାଲିଯାଇଛି...ମଳୟ ଭାବୁଥିଲେ କିମିତି ସେ ବି ଦିନେ ସେଇ ପାହାଚକୁ ଟପି ଚାଲିଯିବେ ଦୁଇଟି ବିରହ ଦଗ୍ଧ ଅଶରୀରୀ ଆତ୍ମାର ମିଳନ ପାଇଁ....

 

ରେକର୍ଡର କରୁଣ ସ୍ୱର ତଥାପି ଅବାରିତ ଭାବେ ମଳୟଙ୍କ କର୍ଣ୍ଣ କୁହରରେ ପ୍ରତିଧ୍ୱନିତ ହେଉଥିଲା...

 

ମୋ ମନ ଆକାଶରେ ବେଦନାର ଅସରନ୍ତି ରଙ୍ଗ ମାଖି ମାଖି

 

ଚାହିଁଛି ତୁମରି ପଥ କେତେ ଦୂରେ ତୁମେ-ହାୟ, ପାଏ ନାହିଁ ଆଖି.....

Image